Unknown

କୂର୍ମ ପୁରାଣ

ପ୍ରଥମ ଖଣ୍ତ

ପଣ୍ଡିତ ଗୋପୀନାଥ କର

 

ସୂଚିପତ୍ର

୧.

ବନ୍ଦନା

୨.

ଇନ୍ଦ୍ରଦ୍ୟୁମ୍ନ କଥା

୩.

ଚାରି ଆଶ୍ରମର କଥା

୪.

ବରାହ ଅବତାର କଥା

୫.

ନାରୀସୃଷ୍ଟି

୬.

ବ୍ରହ୍ମାଙ୍କ ପୁତ୍ର ଶିବ ହେବା କଥା

୭.

କଳ୍ପ ପରିଣୟ

୮.

ଋଷିମାନଙ୍କର ବଂଶାନୁଚରିତ

୯.

ସୂର୍ଯ୍ୟବଂଶ ଚରିତ

୧୦.

ବସୁମନା ଚରିତ

୧୧.

ଜୟଧ୍ୱଜ ଚରିତ

୧୨.

ପରଶୁରାମ ଯୁଦ୍ଧ ଓ ଶୂରସେନ ପ୍ରଭୃତି ରାଜାଙ୍କ ପରାଜୟ

୧୨.

ଜୟଧ୍ୱଜର ଯୁଦ୍ଧ ଓ ପରଶୁରାମର ପରାଜୟ

୧୩.

ବିବେଦ ରାଜାର ତପସ୍ୟା ଓ ଦିଗ୍‌ବିଜୟ

୧୪.

ବିବେଦ ଦୈତ୍ୟ ବଧ

୧୫.

ଜୟବଂଶାନୁ ଚରିତ

୧୬.

କ୍ରୋଷ୍ଟୁ ବଂଶାନୁ ଚରିତ

୧୭.

ଶ୍ରୀକୃଷ୍ଣ ତପସ୍ୟା

୧୮.

ଲିଙ୍ଗୋତ୍ପତ୍ତି କାରଣ

୧୯.

ଦୈତ୍ୟ ବଂଶାନୁଚରିତ ଓ ହିରଣ୍ୟକଶିପୁ ବଧ

୨୦.

ଦୈତ୍ୟ ବଂଶାନୁଚରିତ ଓ ହିରଣାକ୍ଷ ବଧ

୨୧.

ବିଷ୍ଣୁ ସହିତ ପ୍ରହଲାଦର ଯୁଦ୍ଧ

୨୨.

ଅନ୍ଧକ ପରାଜୟ

୨୩.

ଦେବୀ ମାହାତ୍ମ୍ୟ

୨୪.

ମହିଷାସୁର ଇନ୍ଦ୍ରର ଯୁଦ୍ଧ ଓ ଇନ୍ଦ୍ରର ପଳାୟନ

୨୫.

ଦୂତବାକ୍ୟ ଓ ମହିଷାସୁର ଜନ୍ମ

୨୬.

ମହିଷାସୁର ବଧ

୨୭.

ଗୌତମ ରହସ୍ୟ

 

 

କୂର୍ମ ପୁରାଣ

ପ୍ରଥମଖଣ୍ତ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୂଦୀରୟେତ୍

।।

ଅହଂ ହରେ ତବ ପାଦୈକମୂଳ ଦାସାନୁଦାସେ ଭବିତାସି ଭୂୟଃ

ମନଃ ସ୍ମରେତାସୁପତେ ଗୁଣାଂସ୍ତେ ଗୃଣୀତ ବାକ୍‌କର୍ମ କରୋତୁ କାୟଃ

।।

 

ବନ୍ଦନା

 

ଜୟ ତୁ ଜୟ ତୁ ଦେବ ଅନାଦି କାରଣ

 

ଜୟ ତୁ ଜୟ ତୁ ଦେବ ଦେବ ନାରାୟଣ

ଜୟ ତୁ ଜୟ ତୁ ଦେବ କୂର୍ମ ଅବତାର

 

ଜୟ ତୁ ଜୟ ତୁ ଦେବ କରୁଣାସାଗର

ଜୟ ତୁ ଜୟ ତୁ ଦେବ ନରନାରାୟଣ

 

ଜୟ ତୁ ଜୟ ତୁ ଦେବ ପୁରୁଷ ପୁରାଣ

ଜୟ ତୁ ଜୟ ତୁ ଦେବ ଦୀନଜନବନ୍ଧୁ

 

ଜୟ ତୁ ଜୟ ତୁ ଦେବ ଯଦୁବଂଶ ଇନ୍ଦୁ

ଜୟ ତୁ ଜୟ ତୁ ଦେବ ଇକ୍ଷ୍ୱାକୁ ନନ୍ଦନ

 

ଜୟ ତୁ ଜୟ ତୁ ଦେବ ରାବଣ ନିଧନ

ମୋଠାରେ କରୁଣା କର କରୁଣା ବାରିଧି

 

ଏ ପୁରାଣ ଲେଖିବାକୁ ଦିଅ ସଦବୁଦ୍ଧି

ଜୟ ତୁ ଜୟ ତୁ ମାଗୋ ଦେବୀ ସରସ୍ୱତୀ

 

ଜୟ ତୁ ଜୟ ତୁ ମାଗୋ ଦିଅ ସଦଗତି

ଜୟ ତୁ ଜୟ ତୁ ମାଗୋ ବ୍ରହ୍ମାର ନନ୍ଦିନୀ

 

ଜୟ ତୁ ଜୟ ତୁ ମାଗୋ ଜଗତଜନନୀ

କୃପା କଲେ ଲେଖିବି ମୁଁ ଏ କୂର୍ମ ପୁରାଣ

 

ଏଣୁ ପଶିଲି ତୋହର ଚରଣେ ଶରଣ

କଣ୍ଠେ ବସି ପଦ ମୋତେ କହିଦିଅ ମାତ

 

କର୍ଣ୍ଣେ ଶୁଣି ଅର୍ଥ କଲେ ଲାଗିବ ଅମୃତ

 

ଇନ୍ଦ୍ରଦ୍ୟୁମ୍ନ କଥା

 

ବ୍ୟାସ ମାରକଣ୍ତ ପରାଶର ଆଦି ଋଷି

 

ନଇମିଷ ଅରଣ୍ୟରେ ଯାଗ କଲେ ବସି

ଯାଗ ଶେଷେ ସଙ୍ଗ କଲେ ଋଷିମାନେ ତହିଁ

 

ସୁତନାମେ ଋଷି ତହିଁ ପୁରାଣ କହଇ

ସୂତଙ୍କ ଚାହିଁ ବୋଇଲେ ସର୍ବ ଋଷିଗଣ

 

ତୁମ୍ଭ ନାମ ଅଟଇ ଯେ ରୋମ ହରଷଣ

ତୁମେ ମହା ବୁଦ୍ଧିମନ୍ତ ଅଟ ଆହେ ସୁତ

 

ଇତିହାସ ପୁରାଣ ଯେ ଅଟଇ ବହୁତ

ତୁମ୍ଭେ ତାହା ଭଲରୂପେ ଜାଣିଅଛ ପୁଣି

 

ଋଷିଗଣ ଶିରୋମଣି ବ୍ୟାସ ମହାମୁନି

ତୁମ୍ଭେ ସେ ବ୍ୟାସଙ୍କୁ ସେବା କରିଛ ଅନେକ

 

ତେଣୁ ତୁମ୍ଭେ ବୋଲାଉଛ ସୂତ ପୌରାଣିକ

ବ୍ୟାସ ମୁନିଙ୍କର କଥାଯାକ ଶୁଣି ଶୁଣି

 

ଦେହର ରୋମ ଟାଙ୍କୁରି ଉଠେ ପୁଣି ପୁଣି

ତେଣୁ ରୋମହରଷଣ ବୋଇଲେଟି ତୋତେ

 

ତୁ ପୁଣି ଯାଇଁ ପଡ଼ିଲୁ ତାଙ୍କ ପାଦଗତେ

ସେ ବ୍ୟାସମୁନି ବୋଇଲେ ହୋଇ ସୁପ୍ରସନ୍ନ

 

ତୋ ଆଗେ କହିଲି ମୁହିଁ ଯେତେକ ପୁରାଣ

ବ୍ରହ୍ମଯଜ୍ଞ ଶେଷ ଅନ୍ତେ ନଇମିଷ ବନେ

 

ସଭାକରି ବସିଥିବେ ମହାଋଷିମାନେ

ପୁରାଣ କହିବାପାଇଁ ବୋଲିବେ ସେ ତୋତେ

 

ପୁରାଣସାର କହିବୁ ତାହାଙ୍କ ଅଗ୍ରତେ

ପୁରୁଷଉତ୍ତମ ତୁହି ହୁଅ ମୋର ବରେ

 

ପୁରାଣ ସଂହିତାମାନ ପଢ଼ି ଏ ସଂସାରେ

ଲୋକମାନଙ୍କୁ ତାରି ତୁ ଆପେ ଯିବୁ ତରି

 

ଏମନ୍ତ ବର ପାଇଛୁ ତୁ ହୋ ତପଚାରୀ

ଏ କାରଣେ ଆମ୍ଭେମାନେ କହୁଅଛୁ ତୋତେ

 

କୂର୍ମ ପୁରାଣ ବଖାଣ ଆମ୍ଭର ଅଗ୍ରତେ

ପୁରାଣସାର ତାହାକୁ ବୋଲିଛନ୍ତି ବ୍ୟାସ

 

ଏଠାରେ ତା ଆଦ୍ୟପ୍ରାନ୍ତ କର ହୋ ପ୍ରକାଶ

ମୁନିଙ୍କ ମୁଖରୁ ଏହା ଶୁଣି ସୂତମୁନି

 

ସତ୍ୟବତୀ ନନ୍ଦନକୁ ମନେ ମନେ ଗୁଣି

ପ୍ରଣାମ କରି ତାହାଙ୍କ ଚରଣ ତଳରେ

 

ପୁରାଣ ଆରମ୍ଭ କଲେ ବସି ଆସନରେ

ବୋଇଲେ ଯେ କୂର୍ମରୂପୀ ଜଗତକାରଣ

 

ସେ ହରି ଚରଣେ ମୁହିଁ ପଶୁଛି ଶରଣ

 

ଏମନ୍ତ ବୋଲି ପୋଥିକି ଦେଲେ ସେ ଫିଟାଇ

 

ଖେଦାଏ ବାହାର କରି ବ୍ୟାସାସନେ ଥୋଇ

ବୋଲନ୍ତି ଏହି ପୁରାଣ କଥା ଯେ ଶୁଣିବ

 

ତାହାର ଦେହୁ ପାତକ ଛାଡ଼ି ପଳାଇବ

ମହାପାପୀ ଶୁଣିଲେ ତ ପାଇବ ମୁକତି

 

ଶ୍ରୋତା ବକତା ଏ ବେନି ସୁଖେ ତରିଯାନ୍ତି

ନାସ୍ତିକ ଜନ ଏ ସଭା ମଧ୍ୟରେ ତ ନାହିଁ

 

ଥିଲେ ନ କହି ଏ ପୋଥିଗୋଟା ଦେବି ଥୋଇ

ଗୁରୁଙ୍କର ମନା ତାହା ଲଙ୍ଘିବି କେମନ୍ତେ

 

କହିଛନ୍ତି ନ ପଢ଼ିବୁ ନାସ୍ତିକ ଅଗ୍ରତେ

ଯେହୁ ପୁଣି ଶ୍ରଦ୍ଧାବନ୍ତ ଶାନ୍ତଶୀଳ ଜନ

 

ଧର୍ମରେ ଯାହାର ସଦା ଥିବ ପୁଣି ମନ

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟଜାତି ହୋଇଥିବ

 

ତାହା ଆଗେ ଏ ପୁରାଣ ପୋଥି ଫିଟାଇବ

ନାରାୟଣ ଏ ପୁରାଣ କହିଛନ୍ତି ମୁଖେ

 

ନ୍ୟୁନ ଅଧିକ କଲେ ତୁ ପଡ଼ିବୁ ନରକେ

କେମନ୍ତେ ସୃଷ୍ଟି ହୋଇଲା କହିବୁ ତୁ ଆଗ

 

ବ୍ରହ୍ମା କେମନ୍ତେ ହୋଇଲେ ବେଦରେ ପାରଗ

ମନରୁ କେମନ୍ତ ଜାତ କଲେ ପୁତ୍ରଗଣ

 

ଗୋଟି ଗୋଟି କରି ନାମ କରିବୁ ବଖାଣ

ସେମାନେ କେମନ୍ତେ ସୃଷ୍ଟି କଲେ ତା କହିବୁ

 

ତଦନ୍ତେ ରାଜବଂଶର କଥା ବଖାଣିବୁ

ମନ୍ୱନ୍ତର କଥାଯାକ କହିବୁ ବୁଝାଇ

 

ପୁରାଣ ଲକ୍ଷଣ ଜାଣ ଏହାକୁ ବୋଲଇ

ପ୍ରଥମେ ବ୍ରହ୍ମ ପୁରାଣ କରିବୁ ବଖାଣ

 

ତଦନ୍ତେ ପଦ୍ମପୁରାଣ ଶ୍ରୀବିଷ୍ଣୁ ପୁରାଣ

କହିବି ଶିବ ପୁରାଣ ଆଦ୍ୟ ପ୍ରାନ୍ତ କରି

 

ଭାଗବତ ପୁରାଣକୁ କହିବ ବିସ୍ତାରି

 

 

ଭବିଷ୍ୟ ପୁରାଣ ପୁଣି ନାରଦ ପୁରାଣ

 

ମାରକଣ୍ତ ପୁରାଣକୁ କରିବ ବଖାଣ

ଅଗ୍ନି ପୁରାଣ ତଦନ୍ତେ ବ୍ରହ୍ମ ବଇବର୍ତ୍ତ

 

ଲିଙ୍ଗ ପୁରାଣ କହିବ କରି ଆଦ୍ୟପ୍ରାନ୍ତ

ବରାହ ପୁରାଣ ସ୍କନ୍ଦ ପୁରାଣ ପଢ଼ିବ

 

ବାମନ ପୁରାଣ ପଢ଼ି ପୋଥି ବାନ୍ଧିଦେବ

ତଦନ୍ତେ କୂର୍ମ ପୁରାଣ କହିବ ବିସ୍ତାରି

 

ମତ୍ସ୍ୟ ପୁରାଣ ପଢ଼ିବ ଗୋଟି ଗୋଟି କରି

ଗରୁଡ଼ ପୁରାଣ ବାୟୁ ପୁରାଣ ପଢ଼ିବ

 

ବ୍ରହ୍ମାଣ୍ତ ପୁରାଣ ପଢ଼ି ପୋଥିକି ବାନ୍ଧିବ

ଏହି ଅଷ୍ଟାଦଶ ମହା ପୁରାଣ ଅଟଇ

 

ଏହି କ୍ରମରେ ପଢ଼ିଲେ ଫଳ ସିନା ପାଇ

ଏମନ୍ତ ଏ ଅଷ୍ଟାଦଶ ପୁରାଣକୁ ଶୁଣି

 

ଉପପୁରାଣମାନଙ୍କୁ କହିଛନ୍ତି ମୁନି

ତାହାଙ୍କର ନାମ ଏବେ କହୁଅଛି ଶୁଣ

 

ସନତକୁମାନ ଋଷି ବ୍ରହ୍ମା ପୁତ୍ର ଜାଣ

ଆଦିପୁରାଣ ବଖାଣି ଅଛନ୍ତିଟି ସେହି

 

ତଦଅନ୍ତେ ନରସିଂହ ପୁରାଣଟି ଯେହି

ସ୍କନ୍ଦପୁରାଣ ତଦନ୍ତେ କାର୍ତ୍ତିକେୟ କଲେ

 

ଶିବ ଧର୍ମ ପୁରାଣକୁ ନନ୍ଦୀ ବଖାଣିଲେ

ଦୁର୍ବାସା ଋଷି କଲେ ଯେ ଆଶ୍ଚର୍ଯ୍ୟ ପୁରାଣ

 

ନାରକାୟ ପୁରାଣେକ ହେଲା ତହୁଁ ଜାଣ

କପିଳ ନାମେ ପୁରାଣ ତହୁଁ ବାହାରିଲା

 

ବାମନ ନାମେ ପୁରାଣ ଶୁକ୍ର ବଖାଣିଲା

ତଦନ୍ତେ ହେଲା ପବିତ୍ର ବ୍ରହ୍ମାଣ୍ତ ପୁରାଣ

 

ବରୁଣ ପୁରାଣ ତହୁଁ ହେଲା ପୁଣି ଜାଣ

କାଳିକା ପୁରାଣ ତହୁଁ ହେଲା ମୁନିଗଣେ

 

ବହୁଫଳ ମହେଶ୍ୱର ପୁରାଣ ଶ୍ରବଣେ

ଶାମ୍ବ ପୁରାଣ ନାମରେ ପୁରାଣେକ ହେଲା

 

ସୌର ପୁରାଣେକ ତହୁଁ ପୁଣି ବାହାରିଲା

ପରାଶର ପୁରାଣ ଯେ ତହୁଁ ହେଲା ଜାଣ

 

ମରୀଚି ପୁରାଣ ନାମେ ପୁରାଣ ବଖାଣ

ଭାର୍ଗବ ପୁରାଣ ନାମେ ପୁରାଣେକ ହେଲା

 

ଏମନ୍ତେ ଏ ଅଷ୍ଟାଦଶ ପୁରାଣ ହୋଇଲା

ଏହାକୁ ଉପ ପୁରାଣ କହନ୍ତି ସମସ୍ତେ

 

ପବିତ୍ର କୂର୍ମ ପୁରାଣ ସାର ଏ ଜଗତେ

ସେହି ପୁରାଣ ଖଣ୍ତିକ କଲେ ଚାରିଖଣ୍ତ

 

ତାହା କହୁଅଛୁ ଶୁଣ ସର୍ବେ ହୋଇ ରୁଣ୍ତ

ଚାରିଖଣ୍ତ ଚଉବର୍ଗ ଫଳକୁ ଦିଅଇ

 

ଚାରି ବେଦରୁ ସେ ଚାରିଖଣ୍ତ ଉପୁଜଇ

ପ୍ରଥମ ବ୍ରହ୍ମ ସଂହିତା ଋକବେଦୁଁ ଜାତ

 

ତହିଁରେ ଯେ ଧର୍ମ କଥା ଅଛଇ ବହୁତ

ଷଢ଼ ସହସ୍ର ଶ୍ଲୋକରେ ହୋଇଛି ସେ ଗଢ଼ା

 

ଏଥିରୁ ଆଉ ଯେ କିଛି ଶ୍ଲୋକ ନାହିଁ ବଢ଼ା

ଦ୍ୱିତୀୟ ସେ ଭାଗବତୀ ସଂହିତା ଅଟଇ

 

ଯଜୁର୍ବେଦରୁ ସେ ଖଣ୍ତ ଜାଣ ଉପୁଜଇ

ଅର୍ଥ ଫଳହିଁ ବହୁତ ଦିଅଇ ସେ ଜାଣ

 

ତୃତୀୟ ଖଣ୍ତ ସଉରୀ ସଂହିତା ବଖାଣ

ସାମ ବେଦରୁ ସମ୍ଭୂତ ପବିତ୍ର ସେ ଗ୍ରନ୍ଥ

 

କାମନା ଫଳ ପୁଣି ସେ ଦିଅଇ ବହୁତ

ଚତୁର୍ଥ ଖଣ୍ତ ବୈଷ୍ଣବୀ ସଂହିତା ଅଟଇ

 

ଅଥର୍ବ ବେଦୁଁ ଉପୁଜି ମୋକ୍ଷକୁ ଦିଅଇ

ଦିବ୍ୟ ପୁଣ୍ୟ କଥାମାନ ଅଛଇ ତହିଁରେ

 

ବ୍ରହ୍ମକୁ ଦେଖି ପାରିବ ତହିଁ ମୁନିବରେ

ସ୍ୱର୍ଗ ପ୍ରତିସ୍ୱର୍ଗ ବଂଶ ମନ୍ୱନ୍ତର କଥା

 

ତହିଁରେ ଅଛି ଆବର ପୁରାଣ ବାରତା

ବ୍ୟାସ ଯେଉଁ ପୁରାଣକୁ କହିଛନ୍ତି ମୋତେ

 

ବିପ୍ର କଣ୍ଠମାଳା ବୋଲି ବିଦିତ ଜଗତେ

କହୁଅଛି ସେହି କୂର୍ମ ପୁରାଣକୁ ଶୁଣ

 

ବହୁତ କାଳର କଥା କରୁଛି ବଖାଣ

ଦେବତା ଦାନବ ପୂର୍ବେ ହୋଇ ଏକମେଳ

 

ଅମୃତ ପାଇ ମନ୍ଥିଲେ କ୍ଷୀର ସିନ୍ଧୁ ଜଳ

ମନ୍ଦର ଗିରି ପକାଇ କଲେ ତହିଁ ଖୁଆ

 

ବାସୁକିକି ରଜ୍ଜୁକରି ଧରି ହେଲେ ଠିଆ

ବୁଡ଼ନ୍ତେ ମନ୍ଦର ଗିରି ସମୁଦ୍ର ମଧ୍ୟରେ

 

ଶ୍ରୀବିଷ୍ଣୁଙ୍କୁ ସ୍ତୁତି କଲେ ସମସ୍ତେ କାତରେ

ଭାବଗ୍ରାହୀ ନାଥ ତହିଁ ହେଲେ କୂର୍ମରୂପ

 

ଟେକି ଧରିଲେ ଗିରିକି ଧରେ ଯେହ୍ନେ ଚାପ

ପୃଷ୍ଠେ ରହିଲା ମନ୍ଦର ନ ବୁଡ଼ିଲା ଯହୁଁ

 

କୁସୁମ ପ୍ରାୟ ମଣିଲେ ତାହା ମହାବାହୁ

ଦେବ ଦାନବେ ଦଉଡ଼ିଧରି ବୁଲାଇଲେ

 

ଆନନ୍ଦ ହୋଇ ସମୁଦ୍ର ଜଳକୁ ମନ୍ଥିଲେ

କୂର୍ମରୂପେ ବିରାଜନ୍ତି ଜଳେ ନାରାୟଣ

 

ଦେଖି ନାରଦ ସହିତେ ମହାଋଷିଗଣ

ଆନନ୍ଦ ମନରେ କଲେ କରଯୋଡ଼ି ସ୍ତୁତି

 

ଲକ୍ଷ୍ମୀ ଉପୁଜିଲେ ଧରି ଅପୂର୍ବ ମୂରତି

ବିଷ୍ଣୁଙ୍କର ପାଟରାଣୀ ସେହି ଠାକୁରାଣୀ

 

ଶ୍ରୀହରି ଧଇଲେ ଯାଇଁ ସେ ଦେବୀର ପାଣି

ସେହି ମହାଲକ୍ଷ୍ମୀଙ୍କର ଅପୂର୍ବ ଯେ କାନ୍ତି

 

ଦେଖି ମୋହିତ ହୋଇଲେ ଋଷିମୁନି ଯତି

ଦେବ ଦାନବ ଯେ ଦେବୀ ରୂପକୁ ଅନାଇ

 

ରହିଲେ ପିତୁଳାପରି ରଜ୍ଜୁ ଛାଡ଼ି ଦେଇ

ବହୁତ କ୍ଷଣ ଉତ୍ତାରୁ ବୋଇଲେ ହେ ହରି

 

ତୁମ୍ଭ ତ ଜଗତନାଥ କଉସ୍ତୁଭ ଧାରୀ

ଦେବାଧି ଦେବରାୟ ହେ ପ୍ରଭୁ ନାରାୟଣ

 

ବିଶାଳନୟନା ଏହି ଦେବୀ କିଏ ଜାଣ

ଯେବେ ଜାଣ ଆମ୍ଭ ଆଗେ କୁହ ତା ବିସ୍ତାରି

 

ଶୁଣି ଶ୍ରୀବତ୍ସଲାଞ୍ଚ୍ଥନା ପ୍ରଭୁ ଦଇତାରି

ବୋଇଲେ ଶୁଣ ନାରଦ ଆଦି ମୁନିବରେ

 

ଏହି ଯେ ଆଦି ଶକତି ବୋଲାଇ ସଂସାରେ

ଏହି ପଞ୍ଚଭୂତ ଆତ୍ମା ଅଟଇ ମୋହର

 

କିଛି ଭିନ୍ନା ଭିନ୍ନ ନାହିଁ ବ୍ରହ୍ମାର ଏହାର

ଏ ମୋହର ମାୟାଗୋଟି ଜାଣ ଭଲକରି

 

ଏହି ଚଉଦ ବ୍ରହ୍ମାଣ୍ତ ଅଛି ସିନା ଧରି

ଏହାର ଯେ ଆଦିଅନ୍ତ ନ ପାରିବ କହି

 

ଏହି ମହାମାୟାକୁ ମୁଁ ସଙ୍ଗତରେ ନେଇ

ଦେବ ଦାନବ ମାନର ସହିତ ଏ ଜୀବ

 

ଜଗତ ମଧ୍ୟେ ଅଛନ୍ତି ଜାଣ ଖର୍ବ ଖର୍ବ

ତାହାଙ୍କୁ ମୋହିତ କରି ସୃଜନ ପାଳଇ

 

ପୁଣି ଆପଣା ଶରୀର ନେଇ ସମ୍ଭାଳଇ

କେବଳ ଜ୍ଞାନୀଏ ପଡ଼ି ନ ପାରନ୍ତି ଫାନ୍ଦେ

 

ହର ମାୟା ସହିତରେ ବୃନ୍ଦାରକ ବୃନ୍ଦେ

ମୋହର ମାୟାରେ ପଡ଼ି ହେଉଥାନ୍ତି ଧନ୍ଦି

 

କେହି ଏହାକୁ ମୋହର ଶକ୍ତି ରୂପେ ବନ୍ଦି

କେହି ଏହାକୁ ମୋହର ପ୍ରକୃତି କହନ୍ତି

 

କେହି ଏହାକୁ ତ୍ରିଗୁଣ ବୋଲି ବଖାଣନ୍ତି

ପୂର୍ବକଳ୍ପେ ଏହି ଦେବୀ ମୋ ଶରୀରୁ ଜାତ

 

ଚାରି ଭୁଜ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତ

କୋଟି ସୂର୍ଯ୍ୟ କିରଣକୁ ନିନ୍ଦେ ଏହା କାନ୍ତି

 

ପଦ୍ମ ଆସନରେ ବସି ଏହି ରୂପବତୀ

ଦେବତା ପିତୃ ଦାନବ ମାନବ ଯେତେକ

 

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଅନେକ

ଜାତ କଲା କ୍ଷଣକରେ ଏ ମୋର କିଆରୀ

 

ଏହାର ମାୟାରୁ କେହି ନ ଯିବେ ଉବୁରି

ବାସୁଦେବ ମୁଖୁଁ ଶୁଣି ଋଷି ମୁନିଗଣ

 

କହିଲେ ହେ ଶ୍ୱେତପଦ୍ମ ନେତ୍ର ନାରାୟଣ

କଳପାନ୍ତେ କି ହୋଇବ ତାହା ତୁମ୍ଭେ କହ

 

ଏହା କହି ଶ୍ରୀପୟରେ ଲଗାଇଲେ ଲୟ

ଶ୍ରୀହରି ବୋଇଲେ ଶୁଣ ବିପ୍ର ଦେଇମନ

 

ଇନ୍ଦ୍ରଦ୍ୟୁମ୍ନ ନାମେ ଥିଲେ ଏକଇ ରାଜନ

ପୂର୍ବ ଜନମରେ ହୋଇଥିଲା ନରପତି

 

ଦେବତାମାନଙ୍କଠାରେ କରଇ ଭକତି

ମହାଦେବ ଭକତ ସେ ଗୁଣବନ୍ତ ରାଜା

 

ଧର୍ମରେ ଯେ ପାଳୁଥାଇ ତାହାର ପରଜା

ମୋର କୂର୍ମରୂପ ଦେଖିସେହି ନୃପବର

 

ପଚାରିଲା ମୋତେ ଏହି ପୁରାଣ ଯେ ସାର

ମୋହର ମୁଖରୁ କରି ପୁରାଣ ଶ୍ରବଣ

 

ବୁଝିଲା ସେ ହର ବ୍ରହ୍ମା ଆଦି ଦେବଗଣ

ଋଷି ମୁନି ଆଦି ଯେତେ ଚରାଚର ପ୍ରାଣୀ

 

ମୋହର ଶକତି ମଧ୍ୟେ ଦେଖି ନୃପମଣି

ଶରଣ ପଶିଲା ଆସି ମୋହର ଚରଣେ

 

ତାହାର ଭକତି ଦେଖି ହୋଇଲି ପ୍ରସନ୍ନେ

ଏ ଜନମ ଅନ୍ତେ ହେବୁ ତୁ ଯାଇ ବ୍ରାହ୍ମଣ

 

ଏହି ଇନ୍ଦ୍ରଦ୍ୟୁମ୍ନ ନାମ ରହିବଟି ଜାଣ

ନୃପତି ହୋଇ ପାଳିବୁ ଚରାଚର ମହୀ

 

ଜାତିସ୍ମର ହୋଇ ସବୁ ଜାଣିବୁରେ ତୁହି

ପୁଣ୍ୟବନ୍ତ ପ୍ରାଣୀ ତୁହି ଅଟୁ ହୋ ରାଜନ

 

ଏଣୁ ମୁଁ ତୋତେ କହିଲି ଏ ଗୁପତ ଜ୍ଞାନ

ଏହା ତୁହି ପାଇ ଅନ୍ତେ ଆମ୍ଭଙ୍କୁ ପାଇବୁ

 

ଅଂଶ ଅବତାରୀ ହୋଇ ପୃଥିବୀରେ ଥିବୁ

ବୈବସ୍ୱତ ମନ୍ୱନ୍ତରେ ହେବୁ ଯାଇଁ ଲୀନ

 

ଇନ୍ଦ୍ରଦ୍ୟୁମ୍ନ ରାଜା ପାଇ ଆମ୍ଭଠାରୁ ଜ୍ଞାନ

କିଛିକାଳ ଅନ୍ତେ ରାଜା ସେ ଦେହ ଛାଡ଼ିଲା

 

ବ୍ରାହ୍ମଣ ହୋଇ ପୃଥିବୀ ଧର୍ମରେ ପାଳିଲା

ଜାତିସ୍ମର ହୋଇ ଆମ୍ଭଠାରୁ ପାଇ ଜ୍ଞାନ

 

ଦେହ ଛାଡ଼ି କଲା ଶ୍ୱେତଦ୍ୱୀପକୁ ଗମନ

ବିଷ୍ଣୁ ଭକତଙ୍କ ପାଇଁ ଅଛି ଯେଉଁ ଭୋଗ

 

ତାହାପାଇଁ ପୁଣି ଆସି କଲା ରାଜ୍ୟଭୋଗ

ପରମବ୍ରହ୍ମରେ ଲୟ ରଖି ନୃପମଣି

 

ଆମ୍ଭ କୃପାରେ ବ୍ରାହ୍ମଣ ହୋଇଲା ସେ ପୁଣି

ବ୍ରତ ଉପବାସ ହୋମ ସନ୍ଧ୍ୟା ଆଦିକରି

 

ଆମ୍ଭ ଚରଣ ସେବାରେ ଦିନରାତି ସାରି

ଜପ ହୋମ ନମସ୍କାର ଯାହା କି କରଇ

 

ଲୟ ରଖି ମୋର ପାଦେ ତାହା ଅରପଇ

ମହାଦେବଙ୍କୁ ପୂଜଇ ବିପ୍ର ପ୍ରତିଦିନ

 

ଏହିରୂପେ ତାର ଦିନ ଯାଏ ଋଷିଗଣ

ଏକଦିନେ ବିଷ୍ଣୁ କଳା ଦେଖି ବିପ୍ରମଣି

 

ଚରଣେ ପ୍ରଣମିସ୍ତୁତି କଲା ଯୋଡ଼ି ପାଣି

ବୋଇଲା ତୁହି ବିଶାଳ ନୟନା ଗୋ କିଏ

 

ବିଷ୍ଣୁର ଚିହ୍ନ ବିରାଜୁଅଛି ତୋର କାୟେ

ସତକରି କହିବୁ ତୁ କପଟ ନ କରି

 

ମହାଲକ୍ଷ୍ମୀ ଶ୍ରୀବିଷ୍ଣୁଙ୍କୁ ମନରେ ସୁମରି

ଅଳପ ଅଳପ ହସି ବୋଇଲେରେ ଦ୍ୱିଜ

 

ମୋର ଦରଶନ ପାଇ ସ୍ୱର୍ଗେ ଦେବରାଜ

ଜପତପ କରି ପୁଣି ନ ପାଇଲା ମୋତେ

 

ଆରେ ଦ୍ୱିଜ କହିବି ମୁଁ ତୋର ଅଗ୍ରତେ

ସୁରାସୁର ମୁନି ତପୀ ଅଛନ୍ତି ଯେତେକ

 

ମୋର ରୂପ ଦେଖିବାକୁ ନୁହନ୍ତି ତ ଶକ୍ୟ

ମୁହିଁ ମହାଲକ୍ଷ୍ମୀ ମୁହିଁ ମହାମାୟୀ ଜାଣ

 

ମୁହିଁ ବିଷ୍ଣୁର ଶକତି ଜଗତ କାରଣ

ବିଷ୍ଣୁର ମୋହର ଆତ୍ମା ଏକ ନୋହେ ଦୁଇ

 

ଜ୍ଞାନମାର୍ଗେ କର୍ମମାର୍ଗେ ଯେ ବିଷ୍ଣୁ ପୂଜଇ

ତାହାର ମୁଁ କିଛି କରି ନ ପାରଇ ଦ୍ୱିଜ

 

ଏଣୁ ଜ୍ଞାନମାର୍ଗେ ଭଜ ଶ୍ରୀବିଷ୍ଣୁ ପଙ୍କଜ

ପୁରୁଷ ଉତ୍ତମ ସେହି ଜଗତର ପତି

 

ଏମନ୍ତ ଶୁଣି ତାହାଙ୍କ ମୁଖୁ ସେ ନୃପତି

ଉଠି ପୁଣି ଦେବୀଙ୍କର ଚରଣେ ଲୋଟିଲା

 

ପୁଣି ଉଠି କରଯୋଡ଼ି ଏମନ୍ତ ବୋଇଲା

ଏହି ବିଷ୍ଣୁ ବୋଲି ଆମ୍ଭେ ଜାଣିବା କେମନ୍ତେ

 

ତହିଁର ପଥ ଦେଖାଇ ଦିଅ ମାତା ମୋତେ

ମହାଲକ୍ଷ୍ମୀ ବୋଇଲେ ହୋ ଶୁଣ ଦ୍ୱିଜବର

 

ଯେତେବେଳେ ଆସି ପ୍ରଭୁ ଜଗତ ଈଶ୍ୱର

ପ୍ରସନ୍ନ ହୋଇ ଗୁପତ ଜ୍ଞାନ ଦେବେ କହି

 

ତେତେବେଳେ ତୁ ଚିହ୍ନିବୁ ସିନା ଭାବଗ୍ରାହୀ

ଏମନ୍ତ କହି ଆଉଁଷି ଦେଇ ସେ ଦ୍ୱିଜକୁ

 

ଅନ୍ତର ହୋଇଗଲେ ସେ ଆପଣା ପୁରକୁ

ତହୁଁ ଦ୍ୱିଜବର ଯାଇ ସମାଧିରେ ବସ

 

ମନକୁ ମନ ଶ୍ରୀହରି ପୟରେ ନିବେଶି

ବିଷ୍ଣୁ ସେବାରେ ତାହାର ପୁଣି ଗଲା ଦିନ

 

ପ୍ରସନ୍ନେ ଶ୍ରୀବିଷ୍ଣୁ ଆସି ଦେଲେ ଦରଶନ

କଟୀତଟେ ପୀତପଟ ଦିଶେ ଝଟଝଟ

 

କଉସ୍ତୁଭମଣିରେ ଯେ ଶୋହେ କଣ୍ଠତଟ

ଶ୍ରୀବତ୍ସ ବିପ୍ରର ପାଦଚିହ୍ନ ବିରାଜଇ

 

ଦେଖି ଇନ୍ଦ୍ରଦ୍ୟୁମ୍ନ ରାଜା ପାତି ଜାନୁ ଦୁଇ

 

କରଯୋଡ଼ି ଆରମ୍ଭିଲା ଶ୍ରୀ ବିଷ୍ଣୁର ସ୍ତୁତି

 

ଜୟ ଯଜ୍ଞେଶ୍ୱର ଜୟ ଅପୂର୍ବ ମୂରତି

ଜୟ ତୁ ଜଗତନାଥ କମଳାର ପତି

 

ଜୟ ଅଚ୍ୟୁତ ଗୋବିନ୍ଦ ମାଧବ ଶ୍ରୀପତି

ଅନନ୍ତ କେଶବ କୃଷ୍ଣ ବିଷ୍ଣୁ ହୃଷୀକେଶ

 

ନମସ୍ତେ ନମସ୍ତେ ପ୍ରଭୁ ପୁରାଣ ପୁରୁଷ

ବିଶ୍ୱରୂପୀ ବିଶ୍ୱମୂର୍ତ୍ତି ହରି ଜନାର୍ଦ୍ଦନ

 

ସୃଷ୍ଟି ସ୍ଥିତି ପ୍ରଳୟର ଅଟୁ ତୁ କାରଣ

ଶକତି ଅନେକ ତୋର କେ ପାରିବ କହି

 

ନମସ୍ତେ ନମସ୍ତେ ଦେବ ଦେବ ଭାବଗ୍ରାହୀ

ଗୁଣମୟ ପୁରୁଷ ତୁ ଅକଳଙ୍କ ଦେହୀ

 

ନମସ୍ତେ ନମସ୍ତେ ସ୍ୱାମୀ ଶଯ୍ୟା ତୋର ଅହି

ନମସ୍ତେ ନମସ୍ତେ ସ୍ୱାମୀ ବିଶ୍ୱରୂପ ଧାରୀ

 

ନମସ୍ତେ ନମସ୍ତେ ସ୍ୱାମୀ ବାସୁଦେବ ହରି

ନମସ୍ତେ ନମସ୍ତେ ସ୍ୱାମୀ ବିଷ୍ଣୁ ବିଶ୍ୱଯୋନି

 

ନମସ୍ତେ ନମସ୍ତେ ସ୍ୱାମୀ ଶଙ୍ଖ ଚକ୍ରପାଣି

ଆଦି ନାହିଁ ଅନ୍ତ ନାହିଁ ମଧ୍ୟ ନାହିଁ ତୋର

 

ଜ୍ଞାନୀ କେବଳ ଜାଣଇ ତୋର କଳେବର

ନମୋ ନମୋ ନିର୍ବିକାର ସଦାନନ୍ଦମୟ

 

ଭେଦାଭେଦ ନାହିଁ ତୋର ଅକଳିତ କାୟ

ନମସ୍ତେ ନମସ୍ତେ ପ୍ରଭୁ ଅନନ୍ତ ମୂରତି

 

ନମସ୍ତେ ନମସ୍ତେ ପ୍ରଭୁ ଲକ୍ଷ୍ମୀଦେବୀ ପତି

ନମସ୍ତେ ନମସ୍ତେ ପ୍ରଭୁ ଉଦ୍ଧାର କରତା

 

ଜୀବର ପରମ ଗତି ପ୍ରଭୁ ପିତା ମାତା

ନମସ୍ତେ ନମସ୍ତେ ବ୍ରହ୍ମ ପରମ ଈଶ୍ୱର

 

ନମସ୍ତେ ନମସ୍ତେ ସ୍ୱାମୀ ଭବ ଭୟ ହର

ଏମନ୍ତେ ଅନେକ ସ୍ତୁତି କଲା ବିପ୍ରମଣି

 

ଆଉଁଷି ଦେଲେ ତାହାକୁ ପ୍ରଭୁ ଚକ୍ରପାଣି

ବିଷ୍ଣୁ କର ଲାଗିବାରୁ ହେଲା ମହାଜ୍ଞାନୀ

 

ଚରଣେ ପ୍ରଣମି ବିପ୍ର ସ୍ତୁତିକରେ ପୁଣି

ନମସ୍ତେ ନମସ୍ତେ ପ୍ରଭୁ ପୁରୁଷ ଉତ୍ତମ

 

ନମସ୍ତେ ନମସ୍ତେ ବାସୁଦେବ ଠୁଳବ୍ରହ୍ମ

ଏଥର ମୁଁ କି କରିବି କହ ମୋତେ ହରି

 

କହିଲେ ଅଳପ ହସି ପ୍ରଭୁ ଦଇତ୍ୟାରି

ମୋହର ଅଭୟ ପାଦେ କର ତୁ ଭକତି

 

ଆହୋ ଦ୍ୱିଜବର ଯେବେ ପାଇବୁ ମୁକତି

ପରମ ତତ୍ତ୍ୱରେ ଲୟ ରଖ ରାତିଦିନ

 

ବିଭୁତି ଯୋଗରେ ଦ୍ୱିଜ ଦିଅ ତୁହି ମନ

କାର୍ଯ୍ୟ କଲେ କାରଣ ତୁ ପାଇବୁ ନିୟତ

 

ଏହା ଶୁଣି ଇନ୍ଦ୍ରଦ୍ୟୁମ୍ନ ବୋଲଇ ଅଚ୍ୟୁତ

ପରମତତ୍ତ୍ୱ କାହାକୁ କହନ୍ତି ହେ ହରି

 

ବିଭୂତି ଯୋଗ କେମନ୍ତେ କହ ତା ବିସ୍ତାରି

ପ୍ରବୃତ୍ତିର ମାର୍ଗ ମୋତେ ଦିଅ ତୁ ବୁଝାଇ

 

କାର୍ଯ୍ୟ କାରଣ କାହାକୁ କହନ୍ତି ଗୋସାଇଁ

ଶ୍ରୀହରି ବୋଇଲେ ତାହା ଶୁଣ ଦ୍ୱିଜବର

 

ପରମତତ୍ତ୍ୱ ମହିମା ଅଟେ ଅଗୋଚର

ଜ୍ୟୋତିରୂପେ ବିରାଜଇ ନାହିଁ ବର୍ଣ୍ଣ ଚିହ୍ନ

 

ସର୍ବଦା ଆନନ୍ଦମୟ ସେ ପରମବ୍ରହ୍ମ

ତାହାର ଯେ ଅଇଶ୍ୱର୍ଯ୍ୟ ସେ ଜାଣ ବିଭୂତି

 

ସୃଷ୍ଟି କରିବା ତାହାର କାର୍ଯ୍ୟ ନରପତି

ଅକ୍ଷୟ ବ୍ରହ୍ମ ତହିଁରେ ଅଟଇ କାରଣ

 

ସୃଷ୍ଟି ସ୍ଥିତି ଲୟ ମୋର ପ୍ରବୃତ୍ତି ଯେ ଜାଣ

କର୍ମଯୋଗେ ବ୍ରହ୍ମକୁ ତୁ ଭଜ ଦ୍ୱିଜବର

 

ଦ୍ୱିଜବୋଲେ କର୍ମଯୋଗ କହ ଚକ୍ରଧର

ଜ୍ଞାନଯୋଗ ପ୍ରଭୁ ମୋତେ ଦିଅନ୍ତୁ ବୁଝାଇ

 

ସୃଷ୍ଟି କେମନ୍ତେ ହୋଇଲା କହିବୁ ଗୋସାଇଁ

ରହିଲା କେମନ୍ତ ପୁଣି ଗଲା କେଉଁପରି

 

ସୃଷ୍ଟି କେତେ ବଂଶ କେତେ କହିବୁ ବିସ୍ତାରି

କେତେ ମନନ୍ତ୍ୱର ତାର ପରିମାଣ କେତେ

 

ପୃଥିବୀର ଦୀର୍ଘପ୍ରତି କହିଦେବୁ ମୋତେ

ସୂର୍ଯ୍ୟ ଆଦି ଗ୍ରହ ଶୂନ୍ୟେ ରହିଲେ କିପରି

 

କେତେ ଦ୍ଵୀପ ପୃଥିବୀରେ ଅଛି ଚକ୍ରଧାରୀ

ଗିରି କେତେ ନଦୀ କେତେ କହ ପଦ୍ମନେତ୍ର

 

ନଦୀମାନଙ୍କ ମଧ୍ୟରେ କେ ଅଛି ପବିତ୍ର

ଦ୍ୱିଜବର କଥା ଶୁଣି କୂର୍ମରୂପୀ ହରି

 

ବିପ୍ର ଆଗରେ କହିଲେ ଗୋଟି ଗୋଟି କରି

ସେଠାରୁ ଅନ୍ତର ଯହୁଁ ହେଲେ ଭଗବାନ

 

ବିପ୍ର ବଇରାଗୀ ହୋଇ ସ୍ଥାପିଲା ଆସନ

ମୂଳ କମଳକୁ ଥାପି ଟେକିଲା ଉଜାଣି

 

ଅବନାମନ୍ତ୍ର ଜପିଲା ବସି ବିପ୍ରମଣି

ନ ଟଳିଲା ପାଦପାଣି ବଇରୀକି ମାରି

 

ଯୋଗୀନ୍ଦ୍ର ହୋଇ ବ୍ରହ୍ମକୁ ହୃଦପଦ୍ମେ ଧରି

ଅଜ୍ଞାନକୁ ନାଶକରି ପାଇ ଜ୍ଞାନ ଜ୍ୟୋତି

 

ଦେଖିଲା ସେଠାରେ ବିଜେ ଅପୂର୍ବ ମୂରତି

ଉତ୍ତରେ ଦେଖିଲା ଅଛି ମାନସରୋବର

 

ଅପୂର୍ବ ବିମାନ ତହିଁ ଦେଖେ ଦ୍ୱିଜବର

ଗଗନରୁ ଆସି ତହିଁ ହୋଇଅଛି ଉଦେ

 

ନାଚୁଛନ୍ତି ଅପସରାମାନେ ଯେ ଆନନ୍ଦେ

ଦେବତା ଗନ୍ଧର୍ବ ସିଦ୍ଧ ଚାରଣ ଅଛନ୍ତି

 

ସେହି ଯୋଗୀନ୍ଦ୍ରକୁ ତହିଁ ଅନୁସରିଛନ୍ତି

ତହିଁର ଅଳପ ଦୂରେ ଅଛି ଏକ ଗିରି

 

କୋଟି କୋଟି ସୂର୍ଯ୍ୟପ୍ରାୟ ତେଜକୁ ବିସ୍ତାରି

ପୁରୁଷେକ ବସିଅଛି ସେ ଗିରି ଉପରେ

 

ଯୋଗୀନ୍ଦ୍ର ତହିଁ ପରମ ମନ୍ତ୍ର ଜପକରେ

ତହିଁରୁ ଅପୂର୍ବ ଏକ ଜ୍ୟୋତି ବିକାଶିଲା

 

ତା ମଧ୍ୟରେ ଦ୍ୱିଜ ଠୁଳ ବ୍ରହ୍ମକୁ ଦେଖିଲା

ସୁନ୍ଦର ରୂପ ତାହାର ଚାରୋଟି ବଦନ

 

ଚାରିଦିଗେ ଚାରି ଶିଖା ଉଠେ ଘନ ଘନ

ପ୍ରଜ୍ଜ୍ୱଳିତ ଅଗ୍ନି ଶିଖା ଉଠିଲା ପରାୟ

 

ଯୋଗୀନ୍ଦ୍ର ସେ ରୂପ ଦେଖି ଲଗାଇଲା ଲୟ

ପରମ ପୁରୁଷ ତାକୁ କୋଳ କଲେ ଆସି

 

କୋଳ କରିବା ମାତ୍ରକେ ସେହି ବ୍ରହ୍ମରାଶି

ଯୋଗୀନ୍ଦ୍ର ଦେହୁଁ କୋଟିଏ ଜ୍ୟୋତି ବାହାରିଲା

 

ଆଦିତ୍ୟ ମଣ୍ତଳେ ଯାଇଁ ସେ ଜ୍ୟୋତି ଲାଗିଲା

ସେ ଜ୍ୟୋତିର ନାମ ଦେଲେ ଋକ୍ ଯଜୁସାମ

 

ଅମଳହିରଣ୍ୟ ଗର୍ଭ ବ୍ରହ୍ମାର ଯେ ଧାମ

ସେହିଟି ମୁକତି ଦ୍ୱାର ଜାଣ ମୁନିବରେ

 

ଯୋଗୀନ୍ଦ୍ର ସର୍ବଦା ରହି ଥାଇ ସେହି ଦ୍ୱାରେ

ବ୍ରହ୍ମାର ଦୃଷ୍ଟି ପଡ଼ିଲା ତା ଉପରେ ଯହୁଁ

 

ଜ୍ୟୋତିଯାଇଁ ଜ୍ୟୋତିକି ସେ ଦେଖିଲାକ ତହୁଁ

ଜ୍ୟୋତିରେ ଜ୍ୟୋତି ମିଶିଲା ପାଇଲା ମୁକତି

 

ବର୍ଣ୍ଣ ଆଶ୍ରମରେ ରହି ଜ୍ଞାନୀଜନ ନିତି

ମାୟା ଦଉଡ଼ିକି କାଟି ପାରିବ ଅକ୍ଳେଶେ

 

କହୁଛନ୍ତି ସୁତମୁନି ମୁନିବର ପାଶେ

ଇନ୍ଦ୍ର ନାରଦ ସହିତେ ଦେବ ଋଷିଗଣ

 

ବୋଇଲେ ହେ କୂର୍ମରୂପୀ ଦେବ ନାରାୟଣ

ଇନ୍ଦ୍ରଦ୍ୟୁମ୍ନ ରାଜା ଆଗେ କହିଲେ ଯେ ଜ୍ଞାନ

 

ତାହା ବିସ୍ତାରି କହିବା ହେଉ ଭଗବାନ

ଶୁଣି ପ୍ରଭୁ କୂର୍ମରୂପୀ ଦେବ ଜନାର୍ଦ୍ଦନ

 

କହିଲେ ତାହାଙ୍କ ଆଗେ ଏ କୂର୍ମ ପୂରାଣ

ପଢ଼ିଲେ ଶୁଣିଲେ ଯଶ ଆୟୁ ଯିବ ବଢ଼ି

 

ଗୋଟିଏ ଅଧ୍ୟା ଶୁଣିବ ଯେବେ ସବୁ ଛାଡ଼ି

ପାପ ଛାଡ଼ିଯିବ ବ୍ରହ୍ମଲୋକରେ ବସିବ

 

ଦ୍ୱିଜ ଗୋପୀନାଥ ଭଜେ ହରି ବ୍ରହ୍ମା ଶିବ

 

ଚାରି ଆଶ୍ରମର କଥା

 

ବୋଇଲେ ସେ କୂର୍ମ ରୂପୀ ଦେବଦେବ ହରି

 

ଯାହା ପଚାରିଲ ତାହା କହୁଛୁ ବିସ୍ତାରି

ଲୋକହିତେ କହିଥିଲୁ ଇନ୍ଦ୍ରଦ୍ୟୁମ୍ନ ଆଗେ

 

ଶୁଣଦେବ ଋଷିଗଣ ମନର ସରାଗେ

ଯେତେବେଳେ ନିଦ୍ରା ଆସି ଆମ୍ଭଙ୍କୁ ଘାରିଲା

 

ତେତେବେଳେ ମୋହବିନା କିଛିହିଁ ନ ଥିଲା

ରାତିଯାକ ଶୋଇ ପୁଣି ଉଠିଲୁ ପ୍ରଭାତେ

 

ଭାଳିଲୁ ଆମ୍ଭେ ଏ ସୃଷ୍ଟି କରିବା କେମନ୍ତେ

ଯହୁଁ ସେ ସୃଷ୍ଟିର ଚିନ୍ତା ଆମ୍ଭଙ୍କୁ ଘାରିଲା

 

ତକ୍ଷଣେ ଆନନ୍ଦ ଆମ୍ଭ ହୃଦେ ଉପୁଜିଲା

ଲୋକ ପିତାମହ ବ୍ରହ୍ମା ଉପୁଜିଲେ ଯହୁଁ

 

ତଦନ୍ତେ ମୋ ହୃଦେ କ୍ରୋଧ ଜାତ ହେଲା ତହୁଁ

ସେ କ୍ରୋଧରୁ ଉପୁଜିଲେ ମହାଦେବ ରୁଦ୍ର

 

ତିନିଗୋଟି ନେତ୍ର କି ସେ ଅଗ୍ନି ସୂର୍ଯ୍ୟଚନ୍ଦ୍ର

କରେ ଶୂଳ ବିରାଜଇ ସୂର୍ଯ୍ୟସମ ତେଜ

 

କ୍ରୋଧମୟ ପୁରୁଷ ସେ ଜାଣ ଦେବଦ୍ୱିଜ

ଏ ସମୟେ ମହାଲକ୍ଷ୍ମୀ ବସିଲେ ମୋ ପାଶେ

 

ଜଗତ ଜନ ମୋହିନୀ ମନର ଉଲ୍ଲାସେ

ତାହାର ସୁନ୍ଦର ମୁଖ ଦେଖି ବେଦବର

 

ବୋଇଲେ ହୋ ଦେବଦେବ ଜଗତଈଶ୍ୱର

ପ୍ରାଣୀ ମନ ମୋହିବାକୁ ଯାଉ ଏହି ଦେବୀ

 

ତେବେ ସିନା ମୁହିଁ ନବ ସୃଷ୍ଟି ଭିଆଇବି

ଏମନ୍ତ ଶୁଣି ଅଳପ ହସି ଦେଇ ଆମ୍ଭେ

 

ବୋଇଲୁଁଗୋ ଦେବୀ ଏଥୁଯାଇଁ ବେଗେ ତୁମ୍ଭେ

ଦେବ ଦାନବ ମାନବ ମନକୁ ମୋହିବ

 

ଜଗତ ମୋହିନୀ ନାମକୁ ଯେ ବୋଲାଇବ

ନ ଯିବ ଗୋ ଜ୍ଞାନବନ୍ତ ପୁଣ୍ୟବନ୍ତ ପାଶେ

 

ଆମ୍ଭେ ଭକତ ଆବର ଯୋଗୀନ୍ଦ୍ର ପୁରୁଷେ

ଏମାନଙ୍କୁ ଛାଡ଼ିଦେଇ ଆନକୁ ମୋହିବ

 

ଏମନ୍ତ କହିଲେ ଯହୁଁ ପ୍ରଭୁ ଆଦି ଦେବ

ମହାଯୋଗ ଆରମ୍ଭିଲେ ତହୁଁ ବେଦବର

 

ନଅଗୋଟି ପୁତ୍ରହେଲେ ମନରୁ ତାଙ୍କର

ତାହାଙ୍କର ନାମ ଏବେ କହୁଛନ୍ତି ଶୁଣ

 

ମରୀଚି ଭୃଗୁ ଅଙ୍ଗିରା ପୁଲସ୍ତ୍ୟ ଏ ପୁଣ

ପୁଲହ କ୍ରତୁ ଦକ୍ଷ ଅତ୍ରି ଯେ ବଶିଷ୍ଠ

 

ମହାଋଷି ବୋଲାଇଲେ ହୋଇ ତପେ ନିଷ୍ଠ

ବ୍ରହ୍ମାଙ୍କ ମୁଖୁ ବ୍ରାହ୍ମଣମାନେ ହେଲେ ଜାତ

 

ବାହୁମୂଳରୁ କ୍ଷତ୍ରିୟେ ହୋଇଲେ ସମ୍ଭୂତ

ଉରୁଯୁଗଳୁ ବଇଶ୍ୟେ ହେଲେ ଉତପନ୍ନ

 

ଶୂଦ୍ରମାନେ ହେଲେ ତାଙ୍କ ପାଦରୁ ଜନମ

ତହୁଁ ହେଲେ ବେଦରୂପା ଦେବୀ ସରସ୍ୱତୀ

 

ଏମନ୍ତ ସୃଷ୍ଟି ଭିଆଣ କଲେ ପ୍ରଜାପତି

ଚାରିଗୋଟି ଆଶ୍ରମ ହେ କଲେ ତାଙ୍କ ପାଇଁ

 

ତାହା ଯେ ତୁମ୍ଭଙ୍କୁ ଆମ୍ଭେ ଦେଉଛୁ ବୁଝାଇ

ବ୍ରହ୍ମଚାରୀ ଗୃହୀ ଭିକ୍ଷୁ ବାନପ୍ରସ୍ଥ ଚାରି

 

ତାହାଙ୍କର ଧର୍ମ କର୍ମ କହୁଛି ବିସ୍ତାରି

ଅଗ୍ନି ଦ୍ୱିଜ ଦେବପୂଜା ଯଜ୍ଞ ଦାନ ଧର୍ମ

 

ଅତିଥି ପାଇଲେ ତାକୁ ଦେବ ଯେ ଆଶ୍ରମ

ଗୃହୀର ଯେ ଧର୍ମ ତାହା କହିଲୁ ବୁଝାଇ

 

ଏବେ ବାନପ୍ରସ୍ଥ ଧର୍ମ ଶୁଣ ମନଦେଇ

ନିତ୍ୟ ହୋମ କରୁଥିବ ବେଦ ପଢୁଥିବ

 

ଫଳମୂଳ ଖାଇ କଷ୍ଟେ ତପ ଆଚରିବ

ଭିକ୍ଷୁର ଯେ ଧର୍ମ ତାହା ଶୁଣ ସାବଧାନେ

 

ଭିକମାଗି ଖାଉଥିବ ରହିବ ମଉନେ

ତପସ୍ୟା କରିବ ଧ୍ୟାନେ ହୋଇ ନିଗମନ

 

ଜ୍ଞାନ ବଇରାଗ୍ୟ ଜାଣ ଭିକ୍ଷୁର ଏ ଧର୍ମ

ଭିକ ମାଗୁଥିବ ଗୁରୁସେବା କରୁଥିବ

 

ନିତ୍ୟ ସନ୍ଧ୍ୟା କରୁଥିବ ବେଦ ପଢ଼ୁଥିବ

ବ୍ରହ୍ମଚାରୀର ଏ ଧର୍ମ ଜାଣ ସୁରମୁନି

 

ପୂବୁଁ ଯାହା କହିଛନ୍ତି ଦେବ ପଦ୍ମଯୋନି

ଏ ଚାରିଙ୍କ ମଧ୍ୟେ ଗୃହୀ ଧର୍ମ ସିନା ଶ୍ରେଷ୍ଠ

 

ନିତ୍ୟ ସ୍ତିରୀସଙ୍ଗ କଲେ ହୁଏ ଧର୍ମ ନଷ୍ଟ

ଋତୁକାଳେ ସ୍ତିରୀସଙ୍ଗ କରିବ କେବଳ

 

ଭାରିଯା ଅଟଇ ସିନା ଧର୍ମ କର୍ମ ମୂଳ

ଭାରିଯା ନଥିଲେ ପୁତ୍ର ହୋଇବ ବା କାହୁଁ

 

ପୁତ୍ର ନ ଥିଲେଟି କୁଳ ଉଦ୍ଧାରିବ କେହୁ

କୁଳ ଉଦ୍ଧାରିଲେ ସିନା ପିତୃଋଣ ଶୁଝି

 

ପିତୃଋଣ ଶୁଝିଲେଟି ନରକେ ନ ମଜ୍ଜି

ନରକେ ନ ପଡ଼ିଲେଟି ଉଦ୍ଧାର ପାଇଲ

 

କହୁଛନ୍ତି କୂର୍ମରୂପୀ ଦେବ ଆଦିମୂଳ

ଋତୁକାଳେ ସ୍ତିରୀସଙ୍ଗ କେଭେ ନ ଛାଡ଼ିବ

 

ଛାଡ଼ିଲେଟି ଭ୍ରୂଣହତ୍ୟା ପାପରେ ବୁଡ଼ିବ

ପାପରେ ବୁଡ଼ିଲେ ଯମଦୂତେ ନେବେ ବାନ୍ଧି

 

ନରକେ ବୁଡ଼ାଇ ଦେବେ ହାତଗୋଡ଼ ଛନ୍ଦି

ଏଣୁ ଧର୍ମପତ୍ନୀ ବୋଲି ଭାରିଯାକୁ କହି

 

ଭାରିଜା ନ ଥଲେ କାହୁ ହେବ ଅବା ଗୃହୀ

ଗୃହୀ ନୋହିଲେ କେମନ୍ତେ ଅତିଥି ପୂଜିବ

 

ଅତିଥି ପୂଜା ନ କଲେ ଧର୍ମ ଛାଡ଼ିଯିବ

ଧର୍ମ ଛାଡ଼ିଗଲେ ଅର୍ଥ ମିଳିବ କେମନ୍ତେ

 

ଧର୍ମହିଁ ଅର୍ଥର ମୂଳ ଜାଣ ଏ ଜଗତେ

ଅର୍ଥ ନ ମିଳିଲେ ତୁଟି ଯିବଟି କାମନା

 

କାମନା ତୁଟିଲେ ଲୋକ ବିରୋଧିବ ସିନା

ବିରୋଧି ହୋଇଲେ ସର୍ବ କର୍ମ ଯିବ ନାଶ

କହୁଛନ୍ତି କୂର୍ମ ରୂପୀ ପ୍ରଭୁ ହୃଷୀକେଶ

ଘର କଲେ ସିନା ଧର୍ମ ଅର୍ଥ କାମ ପାଇ

 

ଧର୍ମ ଅର୍ଥ କାମନାକୁ ତିନିଗୁଣ କହି

ଘର ଖଣ୍ତି କରେ ରହି ଭାରିଯାକୁ ଘେନି

 

ଜପ ତପ କରି ଘରେ ଥାପି ହୋମଅଗ୍ନି

ଦେବଦ୍ୱିଜ ସେବାକରୁ ଜ୍ଞାନ ହେବ ଉଦେ

 

ଜ୍ଞାନ ଉଦେହେଲେ ପାପ ନ ରହିବ ହୃଦେ

ପାପ ନ ରହିଲେ ପୁଣ ଦଉଡ଼ି ଛିଣ୍ତିବ

 

ଦଉଡ଼ି ଛିଡ଼ିଲେ ସିନା ମୁକତ ହୋଇବ

ମୁକତ ହୋଇଲେ ସିନା ହୋଇବ ଭକତ

 

ଭକତ ହୋଇଲେ ମୋତେ ପାଇବ ଏ ସତ

ସବୁ ଧର୍ମ ସବୁ କର୍ମ ଅଛି ଜାଣ ଘରେ

 

ଘର ଖଣ୍ତି ଯେହୁ ରଖିପାରେ ଯତନରେ

ରଖି ନ ପାରି ଛାଡ଼ିଲେ ହୋଇବ ଭିକାରୀ

 

ଭିକାରୀ ହୋଇଲେ ମାୟାପାଶୁ ଯିବ ତରି

ମାୟା କାଟି ପକାଇଲେ ଶତ୍ରୁ ଯିବେ ମରି

 

ଶତ୍ରୁ ମଲେ କରିବ ଯେ ପଥର ସଙ୍ଖାଳି

ପଥର ସଙ୍ଖାଳି ସିନା ଜ୍ଞାନଦୀପ ଜାଣ

 

ଜ୍ଞାନଦୀପ ଜାଳିଲେଟି ସୁରମୁନିଗଣ

ତତକ୍ଷଣେ ତୁଟିଯିବ ପାତକ ତିମିରି

 

ତିମିରି ତୁଟିଲେ ଭବୁ ଯିବ ସିନା ତରି

ଭିକ ମାଗି ନ ପାରିଲେ ଫଳ ମୂଳ ଖାଇ

 

ମୂଳ କମଳକୁ ଥାପି ଅବନାକୁ ଧ୍ୟାୟି

ପବନ ଉଜାଣି ଟେକି ହଂସକୁ ଧରିବ

 

ହଂସ ଉଡ଼ିଗଲେ ସବୁ ବିଫଳ ହୋଇବ

ହଂସକୁ ନିବିଡ଼େ ଧରି ଲଗାଇବ ଲୟ

 

ଲୟ ଲଗାଇଲେ ରିପୁମାନେ ଯିବେ କ୍ଷୟ

ରିପୁକ୍ଷୟ ଗଲେ ସିନା ପରମ ମିଳଇ

 

ପରମ ମିଳିଲେ ସିନା ଜୀବ ଗତି ପାଇ

ଚାରି ଆଶ୍ରମର କଥା କହିଲୁଁ ତୁମ୍ଭଙ୍କୁ

 

ଚିହ୍ନି ପାରିବଟି ଯେବେ ଜୀବ ପରମକୁ

ତେବେ ସିନା ଏ ସଂସାର ହେବ ଅଜ୍ରାମର

 

କହୁଛନ୍ତି କୂର୍ମ ରୂପୀ ଜଗତ ଈଶ୍ୱର

ଶୁଣୁଛନ୍ତି ସୁରାସୁର ମୁନି ତହିଁ ବସି

 

ଦୀନ ଗୋପୀନାଥ ସଦା ଭଜେ ବ୍ରହ୍ମରାଶି

ଆହେ ହରି ମୁହିଁ ଅଟେ ଅକିଞ୍ଚନ ଜନ

 

ମୋଠାରେ କୃପା କରିବ ଦେବ ନାରାୟଣ

 

ବରାହ ଅବତାର କଥା

 

ପଚାରନ୍ତି ସୁରମୁନି କହ ଦେବ ହରି

 

କାହୁଁ ଏ ଭୁବନ ହେଲା କେହୁ ଅଛି ଧରି

କେମନ୍ତେ ହୁଅଇ ଲୟ ଏ ବଡ଼ ବିଚିତ୍ର

 

କପଟ ନ କରି ସବୁ କହ ପଦ୍ମନେତ୍ର

କହୁଥନ୍ତି କୂର୍ମରୂପୀ ଜଗତ ଗୋସାଇଁ

 

ନ ଥିଲା ସପତ ସିନ୍ଧୁ ନ ଥିଲା ଏ ମହୀ

ନ ଥିଲା ପର୍ବତ ନଦୀ ନ ଥିଲା ପବନ

 

ନଥିଲେ ଏ ଚନ୍ଦ୍ର ସୂର୍ଯ୍ୟ ନ ଥିଲା ଭୁବନ

ଘୋଟିଲା ତିମିରି ଯାଇଁ ଶୂନ୍ୟକୁ ଆଚ୍ଛାଦି

 

କାହାକୁ ନ ଦେଖି ଜଳ ଉପରେ ଅନାଦି

ନିଶ୍ଚିନ୍ତ ହୋଇ ଶୋଇଲେ ସହସ୍ରେକ ଯୁଗ

 

ନିଦ୍ରାବତୀ ଦେବୀ କଲା ତାଙ୍କୁ ଉପଭୋଗ

ସେ ଅନାଦି ପୁରୁଷର ସହସ୍ରେକ ପାଦ

 

ନ ଚଳଇ ରହିଅଛି ଘାରିବାରୁ ନିଦ

ସହସ୍ର ନୟନ ବୁଜି ଶୋଇଛନ୍ତି ସୁଖେ

 

ନିଃଶ୍ୱାସ ମାରନ୍ତି ପ୍ରଭୁ ସହସ୍ରେକ ମୁଖେ

ସହସ୍ରେକ ବାହୁ ପୁଣି ହୋଇଛି ଅଚଳ

 

ନିଦ ଭାଙ୍ଗିଯିବାରୁ ସେ ପ୍ରଭୁ ଆଦିମୂଳ

ଦେଖିଲେ ପୃଥିବୀ ଅଛି ଜଳ ମଧ୍ୟେ ବୁଡ଼ି

 

ବରାହ ହୋଇଲେ ଦେବ ସେ ରୂପକୁ ଛାଡ଼ି

ପୃଥିବୀକି ଉଦ୍ଧାରିବା ପାଇଁ ନାରାୟଣ

 

ଜଳରେ ବୁଡ଼ିଲେ ମହା ବରାହ ହୋଇଣ

ଥଳ କୂଳ ନାହିଁ ଜଳ ପ୍ରବଳ ଅଚଳ

 

ତହିଁ ବୁଡ଼ି ବୁଡ଼ି ଗଲେ ପ୍ରଭୁ ଆଦିମୂଳ

ରସାତଳେ ଖୋଜି ଖୋଜିପୃଥିବୀକିପାଇ

 

କାମୁଡ଼ି ଧଇଲେ ଦନ୍ତେ ଜଗତ ଗୋସାଇଁ

ବାରା ଦାନ୍ତେ ପଙ୍କ ପ୍ରାୟେ ବିରାଜିଲା ମହୀ

 

ଜଳ ଉପରେ ରଖିଲେ ଆଣି ଭାବଗ୍ରାହୀ

ସୃଷ୍ଟି କରିବାକୁ ପୁଣି ବଳିଲାକ ମନ

 

ପ୍ରଥମରେ ହେଲା ଗିରି ବୃକ୍ଷ ଉତପନ୍ନ

ତଦୁତ୍ତାରୁ ପକ୍ଷୀମାନେ ହେଲେ ଉତପତ୍ତି

 

ତହୁଁ ପୁଣି ଉପୁଜିଲେ ଜାଣ ପଶୁପତି

ଏହାଙ୍କୁ ଅସାର ଭାବି ପ୍ରଭୁ ଆଦିମୂଳ

 

ଚିନ୍ତା କରନ୍ତେ ହୋଇଲେ ଦେବତା ସକଳ

ତହୁଁ ଯେ ସାଧବଗଣ ଉପୁଜିଲେ ଜାଣ

 

ତଦନ୍ତେ ମାନବ ସୃଷ୍ଟି କଲେ ନାରାୟଣ

ତହୁଁ ଭୂତ ସୃଷ୍ଟି ହେଲା ଆହେ ସୁରମୁନି

 

ତହୁଁ ପୁଣି ଉପୁଜିଲେ ଦେବ ପଦ୍ମଯୋନି

ତଦନ୍ତେ ରୁଦ୍ରଙ୍କୁ ଜାତ କଲେ ସେ ପୁରୁଷ

 

କହୁଛନ୍ତି କୂର୍ମରୂପୀ ଦେବ ହୃଷୀକେଶ

ନଅକୋଟି ସୃଷ୍ଟିହେଲା ଶୁଣ ତାଙ୍କ ନାମ

 

ବ୍ରହ୍ମସୃଷ୍ଟି ଭୂତସୃଷ୍ଟି ଇନ୍ଦ୍ରସୃଷ୍ଟି ଜାଣ

ଶ୍ୱପଦ ସୃଷ୍ଟି ତିର୍ଯ୍ୟକ ସୃଷ୍ଟି ଯେ ସ୍ଥାବର

ଦେବତା ସୃଷ୍ଟି ମାନବ ସୃଷ୍ଟି ଯେ ଆବର

ପ୍ରାକୃତ ସୃଷ୍ଟି ବିକୃତ ସୃଷ୍ଟି ଏହି ନବ

 

ଏବେ ପ୍ରଜାପତି ସୃଷ୍ଟି ଶୁଣ ମୁନିଦେବ

ରୁଦ୍ରଙ୍କୁ କହିଲେ ବ୍ରହ୍ମା କର ତୁମ୍ଭେ ସୃଷ୍ଟି

 

ଯାଗରେ ବସିଲେ ରୁଦ୍ର ଦେଖି ପରମେଷ୍ଠୀ

ଜଳ ଅଗ୍ନିଅନ୍ତରୀକ୍ଷ ସର୍ପ ବାୟୁକ୍ଷିତି

 

ନଦୀ ସମୁଦ୍ର ପର୍ବତ ଲତା ବନସ୍ପତି

ଲବ କଳାକାଷ୍ଠା ଆଦିମୁହୂର୍ତ୍ତ ନିମିଷ

 

ଦିନ ରାତି ପକ୍ଷ ମାସ ଅୟନ ବରଷ

ଚାରିଯୁଗ ଚରାଚର ପଦାର୍ଥ ଯେତେକ

 

ମରୀଚି ଭୃଗୁ ଅଙ୍ଗିରା ଆଦି ମୁନି ଲୋକ

ପୁଲହ ପୁଲସ୍ତ୍ୟ କ୍ରତୁ ଦକ୍ଷ ଅତ୍ରି ମୁନି

 

ବଶିଷ୍ଠ ମୁନି ସହିତେ ଏହି ନବ ଜ୍ଞାନୀ

ବ୍ରହ୍ମାଙ୍କ ମାନସ ପୁତ୍ର ଏମାନେ ଅଟନ୍ତି

 

କିଏ ବ୍ରହ୍ମାଙ୍କର କେଉଁ ଅଙ୍ଗୁ ଉତପତ୍ତି

କହୁଅଛୁ ମନଦେଇ ଶୁଣ ସାବଧାନେ

 

ବ୍ରହ୍ମା ସୃଷ୍ଟି କରିବାରୁ ଭାଳୁଛନ୍ତି ମନେ

ପ୍ରାଣ ପବନରୁ ଦକ୍ଷ ମୁନି ହେଲେ ଜାତ

 

ବ୍ରହ୍ମାଙ୍କ ଦୁଇ ନୟନୁ ମରୀଚି ସମ୍ଭୂତ

ମସ୍ତକୁଁ ଅଙ୍ଗିରା ହେଲେ ହୃଦୁଁ ଭୃଗୁ ମୁନି

 

ନେତ୍ରରୁ ଅତ୍ରିଙ୍କି ଜାତକଲେ ପଦ୍ମଯୋନି

ବ୍ୟବସାୟରୁ ଯେ ଧର୍ମ ହେଲେ ଉତପନ୍ନ

 

ଉଦାନପବନୁ ହେଲେ ପୌଲସ୍ତ୍ୟ ଜନମ

ବ୍ୟାନପବନୁଁ ପୁଲହ ମୁନି ଉତପତ୍ତି

 

ଅପାନପବନୁ କ୍ରତୁ ନାମେ ପ୍ରଜାପତି

ସମାନ ପବନୁ ହେଲେ ବଶିଷ୍ଠ ଜନମ

 

ଏମାନେ ଧର୍ମ ପୁରାଣମାନ କଲେ ଜାଣ

ବ୍ରହ୍ମାଙ୍କ ଜଙ୍ଘରୁ ଜାତ ହୋଇଲେ ଅସୁରେ

 

ସେ ତନୁକୁ ତ୍ୟାଗକଲେ ତହୁଁ ବେଦବରେ

ଯାହାକୁ ଛାଡ଼ିଲେ ସେହି ତାକୁ ହେଲା ରାତ୍ରି

 

ତମ ହେତୁରୁ ପ୍ରାଣୀଏ ତହିଁ ନିଦ୍ରା ଯାନ୍ତି

ନବୀନ ଶରୀରୁ ଜାତ ହେଲେ ଦେବଗଣ

 

ସେ ତନୁକୁ ପରିତ୍ୟାଗ କରନ୍ତେ ସେ ପୁଣ

ଯାହାକୁ ଛାଡ଼ିଲେ ସେହି ତନୁ ହେଲା ଦିନ

 

ଧର୍ମ କରନ୍ତି ତହିଁରେ ଧନବନ୍ତ ଜନ

ବ୍ରହ୍ମା ଯେଉଁ ନୂଆ ତନୁ ଧଇଲେକ ପୁଣି

 

ପିତୃଗଣ ତହୁଁ ଜାତ ହେଲେ ସୁରମୁନି

ବ୍ରହ୍ମା ଛାଡ଼ିଥିବା ତନୁ ସନ୍ଧ୍ୟା ହେଲା ଜାଣ

 

ତହିଁରେ ଲୋକ କରନ୍ତି କାମ୍ୟ କର୍ମମାନ

ଦେବତାଙ୍କ ଦିନ ସେହି ଅସୁରଙ୍କ ରାତି

 

ଦିବସ ମଧ୍ୟେ ସେ ପୂଜାବିଧି ଆଚରନ୍ତି

ପିତୃ ପୁରୁଷ ମୂରତି ଅଟଇ ସେ ଜାଣ

 

ଯେଉଁ ନବୀନ ତନୁକୁ ଧଇଲେ ସେ ପୁଣ

ତହିଁରୁ ଯେ ଉପୁଜିଲା ତତ୍‌କ୍ଷଣେ ଜ୍ୟୋଛନା

 

ଏହିଟିପ୍ରଭାତକାଳ ଜାଣ ମହାମନା

ତହୁଁ ପୁଣି ଉପୁଜିଲେ ନିଶାଚରଗଣ

 

ଭୂତ ପ୍ରେତ ପିଶାଚ ଯେ ଯକ୍ଷ ରକ୍ଷ ପୁଣ

ଗନ୍ଧର୍ବ କିନ୍ନରଗଣ ଜନମିଲେ ପୁଣି

 

ବୟସରୁ ପକ୍ଷୀ ଜାତ କଲେ ପଦ୍ମଯୋନି

ବକ୍ଷସ୍ଥଳୁ ଅଜା ମେଣ୍ଢା ଛାଗ ହୋଇ ଜାତ

 

ଉଦରୁ ଗୋରୁ ଜନମି ହେଲେ ଲୋକମାତ

ପାଦରୁ ଯେ ଘୋଡ଼ାହାତୀ ଗଧ ଓଟ ବାଘ

 

ଗବୟ ସିଂହ ଆବର ଅଶ୍ୱତର ମୃଗ

ରୋମରୁ ହେଲେ ଔଷଧି ଫଳମୂଳ ଯାକ

 

ଗାୟତ୍ରୀ ଯେ ବେଦମାତ ପୂର୍ବ ମୁଖୁଁ ଋକ

ସପତଛନ୍ଦ ଆବର ଜପ ଯଜ୍ଞ ହୋମ

 

ଯଜୁର୍ବେଦ ଯେ ଦକ୍ଷିଣ ମୁଖରୁ ଜନମ

ପଶ୍ଚିମ ମୁଳରୁ ହେଲା ସାମବେଦ ଜାତ

 

ଉତ୍ତର ମୁଖୁଁ ଅଥର୍ବ ହୋଇଲା ସମ୍ଭୁତ

ଉଚ୍ଚନୀଚ ଜାତହେଲା ବ୍ରହ୍ମାଙ୍କର ଦେହୁଁ

 

ହିଂସା ଅହିଂସା ଦୁଇ ଜାତ ହେଲେ ତହୁଁ

କ୍ରୂର ସରଳ ଏ ଦୁଇ ଧର୍ମ ଯେ ଅଧର୍ମ

 

ସତ୍ୟ ଅସତ୍ୟ ହୋଇଲେ ତଦନ୍ତେ ଜନମ

ବ୍ରହ୍ମାଙ୍କର ସୃଷ୍ଟି ଜାଣ ହୋଇଲା ଏମନ୍ତେ

 

ଦାସ ଗୋପୀନାଥ କୂର୍ମ ପାଦପଦ୍ମ ଚିନ୍ତେ

 

ନାରୀ ସୃଷ୍ଟି

 

ବୋଇଲେ ସେ କୂର୍ମରୂପୀ ଦେବ ନାରାୟଣ

 

ନାରୀଙ୍କ ଜନମ କଥା ମନଦେଇ ଶୁଣ

ଅନାଦି ପରମବ୍ରହ୍ମ ବିରାଟ ପୁରୁଷ

 

ଆପଣାର ବେଦଟିକି କରି ଦୁଇଅଂଶ

ଅଧେକ ହେଲା ପୁରୁଷ ଅଧେ ହେଲା ନାରୀ

 

ତାର ନାମ ଶତରୂପା ସେହି ଆଦିନାରୀ

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଘୋଟିଲା ସେ କ୍ଷଣେ

 

ମୂଳ କମଳକୁ ଥାପି ବସିଲେ ଆସନେ

ଯେ ଗଲେ ଲୟ ଲଗାନ୍ତେ ବସି ଆଦିମାତା

 

ଯୋଗିନୀଗଣ ଯୋଗରୁ ହୋଇଲେ ସମ୍ଭୂତ

ପୁରୁଷର ନାମ ହେଲା ସ୍ୱାୟମ୍ଭୁବ ମନୁ

 

ସେହି ଆଦି ପୁରୁଷରଅଟଇ ଯେ ସୂନୁ

ଶତରୂପା ଦେବୀ ଜାଣ ତାହାଙ୍କ ଦୁହିତା

 

ସ୍ୱାୟମ୍ଭୁବ ମନୁ ହେଲେ ଶତରୂପା ଭର୍ତ୍ତା

ସେହି ଶତରୂପା ଗର୍ଭୁଜାତ ବେନିପୁତ୍ର

 

ଉତ୍ତାନପାଦ ଆବର ଜାଣ ପ୍ରିୟବ୍ରତ

ଆବର ଦୁହିତା ଦୁଇଗୋଟି ଉପୁଜିଲେ

 

ତା ମଧ୍ୟରୁ ପ୍ରସୂତିକି ଦକ୍ଷ ବିଭାହେଲେ

ଆକୂତି କନ୍ୟାକୁ ବିଭା ହେଲେ ରୁଦ୍ଧି ମୁନି

 

ସେ ଆକୁତି ଜାତକଲେ କନ୍ୟା ପୁତ୍ର ବେନି

ଦୁହିତା ନାମ ଦକ୍ଷିଣା ପୁତ୍ର ନାମ ଯଜ୍ଞ

 

ଦୁହେଁ ବାରପୁତ୍ର ଜାତକଲେ ମୁନି ବର୍ଗ

ପ୍ରସୂତି ପ୍ରସବ କଲେ ଚଉବିଂଶ କନ୍ୟା

 

ତାହାଙ୍କର ନାମ ଶୁଣ ଆହେ ମହାମନା

ତହିଁରୁ ଯେ ତେରଗୋଟି କନ୍ୟା ପ୍ରଜାପତି

 

ଧର୍ମକୁ ପ୍ରଦାନ କଲେ ହୋଇ ତୋଷମତି

ଶ୍ରଧା ଲକ୍ଷ୍ମୀ ତୁଷ୍ଟି ପୁଷ୍ଟି ମେଧାକ୍ରିୟା ଧୃତି

 

ବୁଦ୍ଧି ଲଜ୍ଜା ବପୁ ଶକ୍ତି ସିଦ୍ଧି ଆଉ ଶାନ୍ତି

ଏମନ୍ତେ ଏ ତେରକନ୍ୟା ଧର୍ମଙ୍କ ଭାରିଯା

 

ଏହାଙ୍କର ପୁତ୍ରମାନେ ହେଲେ ମହାତେଜା

ନିୟମ ନାମେ ଧୃତିର ହୋଇଲା କୁମର

 

ସନ୍ତୋଷନାମେ ତୁଷ୍ଟିର ପୁତ୍ର ଯେ ସୁନ୍ଦର

ପୁଷ୍ଟି ଗର୍ଭୁ ଉପୁଜିଲା ଲାଭନାମେ ସୁତ

 

ମେଧା ଗର୍ଭୁ ସମନାମେ ପୁତ୍ର ହେଲା ଜାତ

କ୍ରିୟାଗର୍ଭୁ ଜାତଦଣ୍ତ ନୀତି ପୁତ୍ର ଦୁଇ

 

ବୁଦ୍ଧି ଦେବୀ ବୋଧନାମେ ପୁତ୍ର ପ୍ରସବଇ

ଅପ୍ରବୋଧ ନାମ ପୁତ୍ର ହୋଇଲା ଆବର

 

ବିନୟ ନାମ ବହିଲା ଲଜ୍ଜାର କୁମର

ବପୁଦେବୀ ପୁତ୍ର ନାମ ହେଲା ବ୍ୟବସାୟ

 

କ୍ଷେତ୍ର ନାମକୁ ବହିଲା ଶାନ୍ତିର ତନୟ

ସିଦ୍ଧିର ଉଦରୁ ସୁଖନାମେ ପୁତ୍ର ଜାତ

 

ଯଶ ନାମକୁ ବହିଲା କୀର୍ତ୍ତିଦେବୀ ସୁତ

ଏମାନେ ଧର୍ମଙ୍କ ପୁତ୍ର ଜାଣ ସୁରମୁନି

 

ଆଉ ଯେ ଏଗାରକନ୍ୟା ତାଙ୍କ ଦକ୍ଷଘେନି

ଏଗାର ଋଷିଙ୍କି ବିଭା ଦେଲେ ସେ ଯେମନ୍ତେ

 

ତାହା କହୁଅଛୁଁ ଶୁଣ କରି ଆଦ୍ୟପ୍ରାନ୍ତେ

ଖ୍ୟାତିକନ୍ୟା ବିଭା ହେଲେ ଭୃଗୁମୁନିବର

 

ଭବଦେବ ହେଲେ ସତୀକନ୍ୟାଙ୍କର ବର

ମରୀଚି ଋଷି ଭାରିଯା ହୋଇଲେ ସମ୍ଭୂତି

 

ଅଙ୍ଗିରା ମୁନି ଭାରିଯା ଅଟଇ ଯେ ସୃତି

ପୁଲସ୍ତ୍ୟଋଷି ଭାରିଯା ପ୍ରୀତି ଯେ ହୋଇଲା

 

ପୁଲହ ମୁନି ଭାରିଯା କ୍ଷମା ବୋଲାଇଲା

କ୍ରତୁମୁନିର ଭାରିଯା ନାମ ଯେ ସନ୍ନତି

 

ଅତ୍ରି ନାମେ ମୁନିହେଲେ ଅନସୂୟା ପତି

ବଶିଷ୍ଠମୁନି ହୋଇଲେ ଉର୍ଜା କନ୍ୟା ବର

 

ଅଗ୍ନି ଦେବତା ଧଇଲେ ସ୍ୱାହାଦେବୀ କର

ପିତୃ ପୁରୁଷେ ହୋଇଲେ ସ୍ୱାହା ଦେବୀ ପତି

 

ଅଧର୍ମର ବଂଶ ଏବେ ଶୁଣ ଦେଇ ମତି

ହର୍ଷ ଆନନ୍ଦ ଏ ଦୁଇ କାମର ତନୟ

 

ହିଂସା ଆଉ ଅଧର୍ମର ଦୁଇ ପୁଅ ଝିଅ

ତାହାଙ୍କର ନାମ ଦେଲେ ଅନୃତ ବିକୃତି

 

ଦୁହେଁ ବିଭାହୋଇ ଜାତ କଲେକ ସନ୍ତତି

ଭୟ ନରକ ଏ ଦୁଇ ପୁତ୍ର ତାହାଙ୍କର

 

ମାୟା ବେଦନା ନାମରେ ଦୁହିତା ଆବର

ପୁତ୍ର ଝିଅଙ୍କର ସେହି କଲେ ବିଭାଘର

 

ଭୟ ଯେ ହୋଇଲା ଜାଣ ମାୟାକନ୍ୟାବର

ନରକ ହୋଇଲା ପୁଣି ବେଦନାର ପତି

 

ମାୟା ଗରଭରୁ ମୃତ୍ୟୁ ହେଲା ଉତପତ୍ତି

ବେଦନା ଗର୍ଭରୁ ଜାତ ଦୁଃଖନାମେ ପୁଅ

 

ମୃତ୍ୟୁ ବ୍ୟାଧି ଜରା ଶୋକ ତୃଷ୍ଣା କ୍ରୋଧଛଅ

ଏ କେହି ବିପ୍ର ନୋହିଲେ ଅଧର୍ମରେ ଗଲେ

 

ହରି ହରି ବୋଲ ଦୀନ ଗୋପୀନାଥ ବୋଲେ

 

Unknown

ବ୍ରହ୍ମାଙ୍କ ପୁତ୍ର ଶିବ ହେବା କଥା

 

ବୋଇଲେକ ସୁତ ମୁନି ଶୁଣ ମୁନିବରେ

 

ସୁର ମୁନିଗଣ ପଡ଼ି ଶ୍ରୀବିଷ୍ଣୁ ପୟରେ

ବୋଇଲେ ଭୋ କୂର୍ମରୂପୀ ପ୍ରଭୁ ଜନାର୍ଦ୍ଦନ

 

ପଚାରିବୁଁ କଥା ଏକ ଶୁଣ ଦେଇ ମନ

ବ୍ରହ୍ମାଙ୍କର ବଡ଼ଭାଇ ଅଟନ୍ତି ତ ଶିବ

 

କେମନ୍ତେ ବ୍ରହ୍ମାର ପୁତ୍ର ହେଲେ କହିଦେବ

ପଦ୍ମରୁ କେମନ୍ତେ ବ୍ରହ୍ମା ହେଲେ ଉତପତ୍ତି

 

ଏ ସଂଶୟମାନ ଫେଡ଼ ଜଗତର ପତି

ଏହାଶୁଣି ବୋଇଲେ ସେ କୂର୍ମରୂପୀ ହରି

 

ମହାପ୍ରଳୟର କଥା ଶୁଣ କର୍ଣ୍ଣ ଡେରି

ଯେତେବେଳେ ସମୁଦ୍ରର ଜଳ ଗଲା ମାଡ଼ି

 

ଚରାଚର ପ୍ରାଣୀମାନେ ଜଳେ ଗଲେ ବୁଡ଼ି

ନ ଦିଶିଲା ତରୁ ଗିରି ନ ଦିଶିଲା ମହୀ

 

ସକଳ ବିନାଶି ଜଳ ଉପରକୁ ବହି

ଚନ୍ଦ୍ରଲୋକ ସୂର୍ଯ୍ୟଲୋକ ଗ୍ରାସିଲା ଯେ ଜଳ

 

ଚଉଦ ଭୁବନଯାକ କରିଣ କବଳ

ବ୍ରହ୍ମାବିଷ୍ଣୁ ରୁଦ୍ର କେହି ନ ରହିଲେ ଜଣେ

 

ଘୋର ଅନ୍ଧକାର ମାଡ଼ି ବସିଲା ତକ୍ଷଣେ

ପବନ ନିରୋଧ ହେଲା ନ ଦିଶିଲା କିଛି

 

ଅଗାଧ ସମୁଦ୍ର ଜଳ ସ୍ଥିର ହୋଇଅଛି

ନିଶ୍ଚିନ୍ତହୋଇଲେ ଦେବ ଅନାଦି ନିଧନ

 

ନିଦ ଆସି ଘାରିବାରୁ ତାହାଙ୍କ ନୟନ

ଅନନ୍ତଦେବ ତକ୍ଷଣେ ଦେଖାଇଲେ ପିଠି

 

ସହସ୍ର ନୟନ ସେହି ମହା ଅହିଗୋଟି

ତା ଉପରେ ନିଦ୍ରାଗଲେ ଯେତେବେଳେ ହରି

 

ସହସ୍ର ଫଣାକୁ ଦେଲା ସେ ଅହି ବିସ୍ତାରି

ତା ଉପରେ ଶିର ରଖି ନିଶ୍ଚିନ୍ତେ ଶୋଇଲେ

 

ସହସ୍ର ବରଷ ଅନ୍ତେ ପୁଣି ସେ ଚେଇଁଲେ

ତାଙ୍କ ନାଭି କମଳରୁ କମଳ ଫୁଟିଲା

 

ଖରାବେଳେ ସୂର୍ଯ୍ୟ ପ୍ରାୟ ତେଜ ବିକଶିଲା

ଶତେକ ଯୋଜନ ପୁଣି ବିସ୍ତାର ତାହାର

 

ତହିଁରୁ ହିରଣ୍ୟଗର୍ଭ ହୋଇଲେ ବାହାର

ଦେଖିଲେ ପୁରୁଷ ଏକ ଶୋଇଅଛି ତହିଁ

 

ଫଣା ବିସ୍ତାରି ରହିଛି ଏକ ମହା ଅହି

ହାତରେ ଉଣ୍ତାଳି ତାଙ୍କୁ ବୋଇଲେ ସେ ବ୍ରହ୍ମା

 

ଅନ୍ଧାରେ ଶୋଇଛୁ କିଏ ତୁହୋ ମହାତମା

କେହି ତ ନାହାନ୍ତି ତୁହି ଶୋଇଛୁ ଏକାକେ

 

ଡର ନ ମାଡ଼ଇ ମହା ଅହି ଫଣା ଟେକେ

ଶୁଣି ସେ ପୁରୁଷ ଗୋଟି ବୋଇଲାକ ହସି

 

ଆମ୍ଭେ ଯେ ଅନାଦି ଆଦିଦେବ ବ୍ରହ୍ମରାଶି

ଆମ୍ଭର ମହିମା ପୁଣି ନ ଜାଣନ୍ତି କେହି

 

ଆମ୍ଭର ଶେଯ ଅଟଇ ଏହି ମହା ଅହି

କୋଟି କୋଟି ବ୍ରହ୍ମାଣ୍ତ ଯେ ଅଛି ମୋର ଦେହେ

 

କାହୁଁ ତୁମ୍ଭେ ଅଇଲ ହୋ କହ ତୁମ୍ଭେ କିଏ

ବ୍ରହ୍ମା ବୋଇଲେ ମୋ ନାମ ଅଟେ ବେଦବର

 

ମୁହିଁ ଧାତା ମୁଁ ବିଧାତା ଚତୁର୍ମୁଖ ମୋର

ମୁହିଁଟି ସ୍ୱୟଂବ୍ରହ୍ମା ବ୍ରହ୍ମାଣ୍ତ ସୃଜଇ

 

ତାହା ଶୁଣି ସେ ଅନାଦି ଦେବ ତହୁଁ ଯାଇଁ

ବ୍ରହ୍ମା ଉଦରେ ପଶିଣ ଦେଖିଲେ ସକଳ

 

ରହିଅଛି ବ୍ରହ୍ମାଣ୍ତ ଯେ ହୋଇ ମାଳ ମାଳ

ବ୍ରହ୍ମା ମୁଖବାଟେ ପୁଣି ଅଇଲେ ବାହାରି

 

ବୋଇଲେ ମୋ ବୋଲକର ଆହେ ମୁଖଚାରି

ମୋହର ଉଦରେ ପଶି ଦେଖ ତୁ ବିଚିତ୍ର

 

ଅନାଦିର କଥା ଶୁଣି ସେହି ଅଷ୍ଟନେତ୍ର

ଗର୍ଭର ଭିତରେ ପଶି ନ ପାଇଲେ ଠାବ

 

କୋଟି କୋଟି ବ୍ରହ୍ମା ତହିଁ କୋଟି କୋଟି ଶିବ

ଅନନ୍ତ ବ୍ରହ୍ମାଣ୍ତ ଅନ୍ତ କେ ପାରିବ କରି

 

ଦ୍ୱାରମାନ ନିରୋଧିଲେ ସେ ଅନାଦି ହରି

ନାଭି କମଳରେ ରହି ସେହି ବେଦବର

 

ଯୋଗାସନେ ବସି ଲୟ ଲଗାଇ ସତ୍ୱର

ଜ୍ଞାନମାର୍ଗ ପାଇବାରୁ ଫିଟିଗଲା ଦ୍ୱାର

 

ନାଭି କମଳରୁ ବ୍ରହ୍ମା ହୋଇଲେ ବାହାର

ପଦ୍ମଫୁଲେ ବିରାଜିଲେ ସେ କମଳଯୋନି

 

ବୋଇଲେ ବିଷ୍ଣୁଙ୍କୁ ଚାହିଁ ହୋଇ ବ୍ରହ୍ମଜ୍ଞାନୀ

ମୋତେ ଜାତ କରିବାକୁ ନାହିଁ କେହି ପୁଅ

 

ଦେଖ ଆପେ ଆପେ ହେଲି ପଦ୍ମରେ ଉଦୟ

ମୁହିଁ ବଳବନ୍ତ ମୋତେ କେ ପାରିବ ଜିଣି

 

ନାରାୟଣ ଏ ବଚନ ବ୍ରହ୍ମା ମୁଖୁ ଶୁଣି

ବୋଇଲେ କି ଦେଖିଲୁ ତୁ କହ ମୋ ଉଦରେ

 

କହିଲେ କମଳଯୋନି ଏଥୁ ଅନନ୍ତରେ

ଅନନ୍ତ ବ୍ରହ୍ମାଣ୍ତ ସୃଷ୍ଟି କରିପାରେ ମୁହିଁ

 

ଜାଣ ଦ୍ୱାର ନିରୋଧିଲ ତୁମ୍ଭେ କାହିଁପାଇଁ

କମଳ ଫୁଟାଇ ଗର୍ଭୁ ହୋଇଲି ବାହାର

 

ଅନାଦିବୋଇଲେ ତୁହୋ ଶୁଣ ବେଦବର

ଆଜିଠାରୁ ତୋର ନାମ ହେବ ପଦ୍ମଯୋନି

 

ମୋରପୁତ୍ର ବୋଲାଇବୁ ହୋଇ ମହାଜ୍ଞାନୀ

ଆନନ୍ଦ ହୋଇ ସେ ବ୍ରହ୍ମା ବୋଇଲେ ହେ ହରି

 

ତୁମ୍ଭେ ତ ଅନାଦି ସୃଷ୍ଟି ସ୍ଥିତି ଲୟକାରୀ

ଅନ୍ତର୍ଯ୍ୟାମୀ ନାଥ ତୋର ଆଦିଅନ୍ତ ନାହିଁ

 

ତୁହି ଠୂଳ ବ୍ରହ୍ମରାଶି ଅଟୁ ଭାବଗ୍ରାହୀ

ବ୍ରହ୍ମା ବିଷ୍ଣୁ ଏକ ଆତ୍ମା ନାହିଁ କିଛି ଭିନ୍ନ

 

ଏକର ମୂରତି ନାମ ମାତ୍ର ହିଁ ବିଭିନ୍ନ

ଏହା ଶୁଣି ବାସୁଦେବ ବୋଇଲେକ ହସି

 

ଯୋଗ ମାର୍ଗେ ନ ଚିହ୍ନିଲୁ ତୁହି ବ୍ରହ୍ମରାଶି

ଏ ପ୍ରତିଜ୍ଞା ଗୋଟି ତାର ମୃତ୍ୟୁର କାରଣ

 

ମହାଦେବ ଚରଣେ ତୁ ପଶ ଯା ଶରଣ

ବ୍ରହ୍ମାକୁ ସେ ଚିହ୍ନିଅଛି ଯୋଗୀଶ୍ରେଷ୍ଠ ସେହି

 

ବୋଇଲେ ସେ ବ୍ରହ୍ମା ପୁଣି କ୍ରୋଧଭରେ ତହିଁ

ପଦ୍ମଦଳ ଲୋଚନ ହେ ଜାଣଇ ମୁଁ ଭଲେ

 

ଆତ୍ମାହିଁ ପରମବ୍ରହ୍ମ ସେ ପୃଥକ ହେଲେ

ଅନେକ ସୃଷ୍ଟି ହୁଅଇ ଅନେକ ଜଗତେ

 

ଆତ୍ମା ଏକ ହେଲେ ଲୟ ପାଆନ୍ତି ସମସ୍ତେ

ତୁମ୍ଭ ଆମ୍ଭ ଛଡ଼ା ଆଉ କେହି ନାହିଁ ଜଣେ

 

ନିଦ୍ରା ତ୍ୟାଗକରି ଚାହୁଁ କିନା ତୁହି କ୍ଷଣେ

ଶ୍ରୀବିଷ୍ଣୁ ବୋଇଲେ ତୁହି ନ କର କୋହଳି

 

ମାୟାରେ ମୋହିତ ହୋଇ କହୁ ଭଳି ଭଳି

ଏମନ୍ତ କହି ସେ ବିଷ୍ଣୁ ହୋଇଲେ ସ୍ତବଧ

 

ପୁରୁଷେକ ତହୁଁ ଜାତ ହେଲା ମହାନନ୍ଦ

ଲଲାଟେ ନୟନ ଗୋଟି ଦିଶେ ଜକ ଜକ

 

ଚନ୍ଦ୍ର ସୂର୍ଯ୍ୟଠାରୁ ଦୁଇ ନୟନ ଅଧିକ

ଶିରେ ଶୋହେ ଜଟାଜୁଟ କରେ ଶୋହେଶୂଳ

 

ଖଟ୍ୱାଙ୍ଗ ପରଶୁ ଆଦି ଡମ୍ବରୁ ତ୍ରିଶୂଳ

ନକ୍ଷତ୍ରମାଳା ଲମ୍ବଇ ପାଦଯାଏ ତାର

 

ବିଷ୍ଣୁ ମାୟାରେ ମୋହିତ ହୋଇ ବେଦବର

ପୁରୁଷ ଗୋଟିକି ଦେଖି ବୋଇଲେ ହେ ହରି

 

ଏ ପୁରୁଷ ଗୋଟି କିଏ ଆସେ ଶୂଳ ଧରି

ତ୍ରିନୟନ ନୀଳବର୍ଣ୍ଣ ତେଜୋବନ୍ତ ଅତି

 

ଦାନବାରି ହରି ଦେଖି ଅପୂର୍ବ ମୂରତି

ବୋଇଲେ ଦେବାଧି ଦେବରାୟ ମହାଦେବ

 

ଏହିଟି ପରମ ଯୋଗୀ ମହେଶ୍ୱର ଶିବ

ଏ ପୁରୁଷ ଗୋଟିକି ତୁ ନ ପାରୁଛୁ ଚିହ୍ନି

 

ସାକ୍ଷାତରେ ଅଟଇ ଏ ତେଜୋମୟ ବହ୍ନି

ଏହାକହି ସେ ଅନାଦି ଦେଲେ ବ୍ରହ୍ମଜ୍ଞାନ

 

ବିଷ୍ଣୁଠାରୁ ଦିବ୍ୟଚକ୍ଷୁ ପାଇ ପଦ୍ମାସନ

ମହାଦେବ ଚରଣରେ ପଶିଲେ ଶରଣ

 

ବୋଇଲେ ତୁ ନାଥ ଅଟୁ ଅନାଦି କାରଣ

ଏମନ୍ତେ ଅନେକ ସ୍ତୁତି କଲେ ଯହୁଁ ବ୍ରହ୍ମା

 

ପ୍ରସନ୍ନ ହୋଇ ବୋଇଲେ ସେହି ମହାତମା

ଆରେବାବୁ ତୁହି ଅଟୁ ମୋହର ସମାନ

 

ତୁହି ମୋହର ପରମ ଭକତ ହିଁ ଜାଣ

ଆଦି ପୁରୁଷ ତୁ ମୋର ଦେହରୁ ସଂଭୂତ

 

ବରମାଗ ତୋତେ ମୁହିଁ ଦେବଇଁ ତୁରିତ

ଶୁଣି ପଦ୍ମଯୋନି ବ୍ରହ୍ମା ହେ ହର

 

ପ୍ରସନ୍ନ ହୋଇ ତୁ ମୋତେ ଦେବୁ ଯେବେ ବର

ତୁ ମୋହର ପୁତ୍ର ହୁଅ ମାଗୁଛି ଏତିକି

 

ଅସ୍ତୁ ହେଉ କହିଗଲେ ତହୁଁ ସେ ପିନାକୀ

ବ୍ରହ୍ମା ରହିଲେକ ଯାଇଁ ସେ ନାଭିକମଳେ

 

ବେନି ଦୈତ୍ୟ ଦେଖାଇଲେ ବିଷ୍ଣୁ କର୍ଣ୍ଣମୂଳେ

ବୃହତ୍ତ ପର୍ବତ ପ୍ରାୟ ଦିଶେ ତାଙ୍କ ଦେହ

 

ମହା ବଳବନ୍ତ ଗିରି ଗୁହା ପ୍ରାୟ ମୁହଁ

କୋପମୟ ପୁରୁଷ ସେ ଜାତିରେ ଅସୁର

 

ମହା ଭୟଙ୍କର କେଶ ଉଡ଼େ ଫର ଫର

ସେ ଦୁଇଭାଇଙ୍କି ଦେଖି ଚତୁର୍ମୁଖ ବ୍ରହ୍ମା

 

ଭୟରେ ବୋଇଲେ ରଖ ରଖ ମହାତମା

ଅନାଦିନିଧନ ତୁମ୍ଭେ ପୁରାଣ ପୁରୁଷ

 

କର ବେଗେ ଏ ଅସୁର ଦୁହିଁଙ୍କି ବିନାଶ

ଜଳ ଦୁଇଭାଗ କରି ଆସୁଛନ୍ତି ଧାଇଁ

 

କୁରାଳର ଚକ ପ୍ରାୟେ ନୟନ ବୁଲାଇ

ଦନ୍ତ କଟମଟ କରି ବିକଟ ବଦନେ

 

ଦେଖିଲା ମାତ୍ରକେ ଭୟ ଜାତ ହୁଏ ମନେ

ଏମନ୍ତେ ବ୍ରହ୍ମାର ବାଣୀ ଶୁଣି ସେ ଅନାଦି

 

ବୋଇଲେ କିଛି ତୁ ଭୟ ନ କରହୋ ବିଧି

ଏମନ୍ତ କହି ପୁରୁଷ ଦୁଇ କଲେ ଜାତ

 

ବିଷ୍ଣୁ ବିଷ୍ଣୁ ତାଙ୍କ ନାମ ଦୀର୍ଘ ତାଙ୍କ ହାତ

ମହାବଳବନ୍ତ ସେହି ଆସୁଛନ୍ତି ଧାଇଁ

 

ଅସୁର ଦୁହିଁଙ୍କି ବାଟେ ଓଗାଳିଲେ ଯାଇ

ତାହାଙ୍କର ଘୋର ଯୁଦ୍ଧ ହେଲା ମହାଜଳେ

 

କଇଟଭଙ୍କୁ ଯେ ବିଷ୍ଣୁ ଧରି ବାହୁବଳେ

ମାରି ପକାଇବା ଦେଖି ବିଷ୍ଣୁ କଲେ କ୍ରୋଧ

 

ମଧୁ ଦଇତକୁ ବଳେ ଧରି କଲେ ବଧ

ଅନାଦି ବୋଇଲେ ବ୍ରହ୍ମା ଶୁଣ ମୋ ବଚନ

 

ଧରି ନ ପାରିବି ତୋତେ କର ତୁ ଗମନ

ବେଳୁବେଳ ତୋର ଉଭା ନ ପାରିବ ସହି

 

ପଦ୍ମ ମଧ୍ୟରୁ ବାହାରି ଯାଅ ବେଗେ ତୁହି

ଏମନ୍ତ ଶୁଣି ସେ ବ୍ରହ୍ମା ହୋଇଲେ ବାହାର

 

ସୃଷ୍ଟି କରିବାକୁ ଇଛା କଲେ ବେଦବର

ଅନାଦି ବୋଇଲେ ତୁହି ଶୁଣ ଚଉମଥା

 

ପାସୋରି କି ପକାଇଲୁ ତୁ ପୂର୍ବର କଥା

ଯେଉଁ ବର ମାଗିଥିଲୁ ଶିବଙ୍କୁ ତୁ ପୂର୍ବେ

 

କହ ସେ ତୋହର ପୁତ୍ର ହେଉ ଆସି ଏବେ

ଅନାଦି ବଚନ ବ୍ରହ୍ମା ପାଇ ଦିବ୍ୟଜ୍ଞାନ

 

ଶିବଙ୍କୁ ବୋଇଲେ ହୁଅ ମୋହର ନନ୍ଦନ

ଏମନ୍ତ ସମୟେ ଜାତ ସନକ କୁମାର

 

ଉପୁଜିଲେ ସନକାଦି ସପତ କୁମର

ଦେଖିଲେ ସେ ଲୋକ ସୃଷ୍ଟି ନ ପାରିବେ କରି

 

ଯୋଗ ସାଧିଲେ ସେ ବସି ହୋଇ ବ୍ରହ୍ମଚାରୀ

ପିତାର କଥା ନ ମାନି ହେଲେ ଯହୁଁ ଯୋଗୀ

 

ଦେଖି ପଦ୍ମଯୋନି ବ୍ରହ୍ମା ହେଲେ ବଇରାଗୀ

ନୟନରୁ ଅଶ୍ରୁବିନ୍ଦୁ ପଡ଼ିଲାକ ଖସି

 

କହୁଁ ଉପୁଜିଲେ ଭୂତ ପ୍ରେତ ଶୂନ୍ୟବାସୀ

ଶିବଙ୍କୁ ଯେ ସୁମରନ୍ତେ କ୍ରୋଧହେଲା ଉଦେ

 

ସେ କ୍ରୋଧରୁ ଉପୁଜିଲେ ମହାରୁଦ୍ର ବୃନ୍ଦେ

ବ୍ରହ୍ମା ମୁଖବାଟେ ହେଲେ ସେ ସବୁ ବାହାର

 

କୋଟି କୋଟି ସୂର୍ଯ୍ୟସମ ତେଜ ତାହାଙ୍କର

ପ୍ରଜ୍ୱଳିତ ଅଗ୍ନି ତୁଲ୍ୟ ତାହାଙ୍କ ନୟନ

 

ସ୍ୱୟଂ ମହାଦେବ କଲେ ଉଚ୍ଚରେ ରୋଦନ

ବ୍ରହ୍ମା ବୋଇଲେ ରୋଦନ ନ କରରେ ବାବୁ

 

ଆଜିଠାରୁ ରୁଦ୍ରନାମ ତୁହି ବୋଲାଇବୁ

ଭବ ସର୍ବ ଈଶାନ ଯେ ପଶୁପତି ଭୀମ

 

ଉଗ୍ର ମହାଦେବ ଏହି ସାତଗୋଟି ନାମ

ତୁମ୍ଭର ହୋଇବ ତୁମ୍ଭେ ରହିବଟି ଯହିଁ

 

ତାହା ମୁଁ ତୁମ୍ଭଙ୍କୁ ଏବେ ଦେଉଅଛି କହି

ସୂର୍ଯ୍ୟ ଜଳ ମହୀ ଅଗ୍ନି ପବନ ଆକାଶ

 

ଦୀକ୍ଷିତ ବିପ୍ର ଚନ୍ଦ୍ରମା ଏହି ତୁମ୍ଭ ବାସ

ସୁବର୍ଚ୍ଚଳା ଉମାଦେବୀ ବିକେଶୀ ଆବର

 

ଶିବ ସ୍ୱାହା ଦିଗ ଦୀକ୍ଷା ରୋହିଣୀ ତୁମ୍ଭର

ଭାରିଯା ହେବେ କରିବ ଘର ଏହା ଘେନି

 

ମଙ୍ଗଳ ସନ୍ତାନ ଶୁକ୍ର ଛନ୍ଦ ସ୍ୱର୍ଗ ଶନି

ବୁଧ ଆଉ ମନୋଜବ ଏ ହେବେ କୁମର

 

ଏହା କହି ପ୍ରଜା ସୃଷ୍ଟି କଲେ ବେଦବର

ଦେବ ଦେବ ମହାଦେବ ପୁତ୍ରଗଣ ଦେଇ

 

ଯୋଗମାର୍ଗରେ ରହିଲେ ମହାଯୋଗୀହୋଇ

ଏମନ୍ତେ କୂର୍ମ କହିଲେ ମୁନିଙ୍କି ବୁଝାଇ

 

ଦ୍ୱିଜ ଗୋପୀନାଥ ଭଜେ ଅଚ୍ୟୁତ ଗୋସାଇଁ

ଅଚ୍ୟୁତ ନାମ ଗୋଟିକୁ ଭଜ ସର୍ବପ୍ରାଣୀ

 

ଅକ୍ଲେଶରେ ତରିଯିବ ଭବତରଙ୍ଗିଣୀ

 

କଳ୍ପ ପରିମାଣ

ପୁନରପି ପଚାରିଲେ ସୁରମୁନିଗଣ

 

ଅନେକ ପ୍ରକାର ସୃଷ୍ଟି କହିଲ ଆପଣ

ଏଥିରୁ ସଂଶୟ ଜାତ ହୋଇଲା ଆହୁରି

 

ବ୍ରହ୍ମା ସୃଷ୍ଟି ରୁଦ୍ର ସୃଷ୍ଟି ସୃଷ୍ଟି ଆଦିକରି

ଏସବୁ ସୃଷ୍ଟିକି ଏକକାଳେ ହେଲାସ୍ୱାମୀ

 

ଏମନ୍ତ କହି ଶ୍ରୀବିଷ୍ଣୁ ପୟରେ ପ୍ରଣମି

ବୋଇଲେ ସନ୍ଦେହ ଦୂର କର ଆମ୍ଭ ମନୁ

 

ଶ୍ରୀବିଷ୍ଣୁ ବୋଇଲେ ଆଦ୍ୟେ ସ୍ୱାୟମ୍ଭୂବ ମନୁ

ଶତବରଷ ଆୟୁଷ ଜାଣ ତାହାଙ୍କର

 

ପରାର୍ଦ୍ଧ ହୁଅଇ ତାର ଅର୍ଦ୍ଧ ମୁନିବର

ପନ୍ଦର ନିମିଷେ ଏକ କାଷ୍ଠ ଯେ ହୁଅଇ

 

ତିରିଶ କାଷ୍ଠକୁ ଏକ କଳା ଜାଣ କହି

ତିରିଶ କଳାରେ ଜାଣ ହୁଅଇ ମୁହୂର୍ତ୍ତେ

 

ତିରିଶ ମୁହୂର୍ତ୍ତେ ପୁଣି ହୁଏ ଅହୋରାତ୍ରେ

ପନ୍ଦର ଦିନରେ ଏକ ପକ୍ଷ ହୁଏ ଜାଣ

 

ତିରିଶ ଅହୋରାତ୍ରକୁ ମାସ ବୋଲି ଗଣ

ଷଡ଼ମାସରେ ଯେ ଏକ ନୟନ ହୁଅଇ

 

ଉତ୍ତରାୟଣ ଦକ୍ଷିଣାୟନ ଏହି ଦୁଇ

ଦକ୍ଷିଣାୟନ ଅଟଇ ଦେବତାଙ୍କ ରାତ୍ରି

 

ଉତ୍ତରାୟଣକୁ ଦେବ ଦିବସ ବୋଲନ୍ତି

ବାର ସହସ୍ର ବରଷେ ହୁଏ ଚାରିଯୁଗ

 

ସତ୍ୟ ତ୍ରେତା ଦ୍ୱାପର ଯେ କଳି କରେ ଭୋଗ

ଏକସ୍ତରି ଯୁଗେ ହୁଏ ଏକ ମନ୍ୱନ୍ତର

 

ଚଉଦ ମନୁରେ ଏକ ଦିବସ ବ୍ରହ୍ମାର

ବ୍ରହ୍ମାଙ୍କୁ ଦିନେ ହୋଇଲେ କଳପ ବୋଲାଇ

 

ବ୍ରହ୍ମାର ରାତ୍ରିରେ ମହା କଳପ ହୁଅଇ

ସହସ୍ର ଯୁଗରେ ହୁଏ ରୁଦ୍ରକଳ୍ପ ପୁଣି

 

ଚାରି ସହସ୍ର ଯୁଗକୁ ବିଷ୍ଣୁ କଳ୍ପ ଭଣି

ତିରିଶ ଷାଠିଏ କଳ୍ପେ ବ୍ରହ୍ମାକୁ ବରଷେ

 

ଏହା ଶତଗୁଣ କଲେ ଅନାଦିକି ମାସେ

ଶ୍ରୀ ବିଷ୍ଣୁକୁ ମାସେ ହେଲେ ହୁଏ ପରା ଜାଣ

 

ଏହାର ଅର୍ଦ୍ଧ ପରାର୍ଦ୍ଧ କାଳ ପରିମାଣ

ଏହାକୁ ମହା ପ୍ରଳୟ ବୋଲନ୍ତି ସକଳେ

 

ଏଥିରେ ଖଣ୍ତ ପ୍ରଳୟ ହୁଏ କାଳେ କାଳେ

ଦିନେ ଦିନେ ପ୍ରଳୟ ଯେ ହୁଅଇ ଆବର

 

ପ୍ରଳୟ ହେଲେ ସଂସାର ହୁଏ ପୁନର୍ବାର

କଳପେ କଳପେ ହୁଏ ଲୟ ଉତ୍ତପତି

 

କଳପ ସଂଖ୍ୟା ଅନେକ ରୂପେ ବଖାଣନ୍ତି

ରୁଦ୍ରକଳ୍ପ ବିଷ୍ଣୁ କଳ୍ପ ଆଦିକଳ୍ପ ପୁଣ

 

ବରାହ କଳ୍ପ ଆବର ପଦ୍ମକଳ୍ପ ଜାଣ

ମାର୍କଣ୍ତେୟ କଳ୍ପ ଆଦି ଏମନ୍ତେ ବହୁତ

 

ଭିନ୍ନ କଳ୍ପେ ଭିନ୍ନରୂପେ ଜୀବ ଆତଯାତ

ଏମନ୍ତେ ସୃଷ୍ଟି ଭିଆଣ ହୁଅଇଟି ଜାଣ

 

ଦୀନ ଗୋପୀନାଥ ଭଜେ ଅଚ୍ୟୁତ ଚରଣ

ସେ ଅଚ୍ୟୁତ ନାମଗୋଟି ସଂସାରରେ ସାର

 

ସେହି ନାମ ଧରି ନରେ ଭବୁଁ ହୁଅ ପାର

 

ଋଷିମାନଙ୍କର ବଂଶାନୁଚରିତ

 

ସୁରମୁନି ପଚାରନ୍ତି ଶ୍ରୀବିଷ୍ଣୁ କହନ୍ତି

 

କଶ୍ୟପ ଋଷିଙ୍କି ଜାତକଲେ ପ୍ରଜାପତି

ତାହାଙ୍କର ଦୁଇପୁତ୍ର ବତ୍ସ ହେ ଅସିତ

 

ରୈଭ୍ୟ ନଇଧ୍ରୁବ ଦୁଇ ବତ୍ସ ଋଷିସୁତ

ଅସିତ ଋଷି ଭାରିଯା ନାମ ଏକପର୍ଣ୍ଣା

 

ସେହି ମହାସତୀ ତପେ ତୋଷିଲା ଅପର୍ଣ୍ଣା

ତାର ଗର୍ଭୁ ଉପୁଜିଲେ ଶାଣ୍ତିଲ୍ୟ ଦେବଳ

 

ଏ ଋଷିମାନେ ସମସ୍ତେ କଶ୍ୟପର କୁଳ

ପୁଲସ୍ତ୍ୟ ବଂଶ କହିବା ମନଦେଇ ଶୁଣ

 

ବ୍ରହ୍ମା ମନରୁ ସମ୍ଭୂତ ପୁଲସ୍ତ୍ୟ ବ୍ରାହ୍ମଣ

ତୃଣବିନ୍ଦୁ ରାଜକନ୍ୟା ନାମ ଇଳବିଳା

 

ପୁଲ୍ୟସ୍ତ୍ୟ ମୁନିର ହେଲା ସେ କନ୍ୟା ମହିଳା

ବିଶ୍ରବା ଋଷି ଯାହାର ଗର୍ଭୁ ଉପୁଜିଲେ

 

ସେହି ଋଷି ପୁଣି ମହାଋଷି ବୋଲାଇଲେ

ଚାରୋଟି ଭାରିଯା ସେହି ବିଶ୍ରବା ଋଷିର

 

ଦେବବର୍ଣ୍ଣିନୀ ପ୍ରଥମ ଭାରିଯା ତାଙ୍କର

ଦ୍ୱିତୀୟ ଭାରିଯା ନାମ ଅଟେ ନଇକେଶୀ

 

ତୃତୀୟ ଭରିଯା କାକୀ ଅଟେ ଶୁଭ୍ରକେଶୀ

ପୁଷ୍ପୋତ୍କଟା ସୁନ୍ଦରୀ ଯେ ଚତୁର୍ଥ ଅଟଇ

 

ଏହାଙ୍କର ପୁତ୍ରକନ୍ୟା ଶୁଣ ମନଦେଇ

ଦେବବର୍ଣ୍ଣିନୀ ଗର୍ଭରୁ କୁବେର ଜନମ

 

ରାବଣ ଯେ ନରକେଶୀ ଜ୍ୟେଷ୍ଠପୁତ୍ର ନାମ

କୁମ୍ଭକର୍ଣ୍ଣ ବିଭୀଷଣ ଆବର ଏ ଦୁଇ

 

ଦୁହିତାର ନାମ ସୂର୍ପଣଖା ଯେ ଅଟଇ

ପୁଷ୍ପୋତ୍କଟା ରାକ୍ଷସୀର ଗର୍ଭୁ ମହୋଦର

 

ଆବର ପ୍ରହର ଖର ମହାପାର୍ଶ୍ୱ ବୀର

ଦୁହିତା ଗୋଟିର ନାମ ଦେଲେ କୁମ୍ଭୀନସୀ

 

ତ୍ରିଶିରାଙ୍କୁ ଜାତ କଲା ବାକା ଯେ ରାକ୍ଷସୀ

ମହାବଳ ବିଦ୍ୟୁଜ୍ୱିହ ଉପୁଜିଲା ପୁଣ

 

ତୃତୀୟ ପୁତ୍ରର ନାମ ଅଟଇ ଦୂଷଣ

ଏହି ଦଶଗୋଟି ପୁତ୍ର ବିଶ୍ରବା ଋଷିର

 

ରୁଦ୍ର ଭକତ ସମସ୍ତେ ତପୀବର ବୀର

ପୁଲହ ଋଷିର ପୁତ୍ରମୃଗ ବ୍ୟାଳ ଦ୍ରଷ୍ଟୀ

 

ଭୂତ ପିଶାଚ ଶୂକର ରୁକ୍ଷ ହସ୍ତୀ କ୍ରୋଷ୍ଟୀ

ମରୀଚି ଋଷିର ପୁତ୍ର କଶ୍ୟପ ଅଟଇ

 

ଭୃଗୁପୁତ୍ର ଶୁକ୍ର ଦୈତ୍ୟଗୁରୁ ଯେ ବୋଲାଇ

ଅତ୍ରି ଋଷିଙ୍କର ପୁତ୍ର ଅଟଇ ଆଜ୍ଞେୟ

 

ଘୃତାରୀ ଗର୍ଭରୁ ଜାତ ବୈଧୃବ ତନୟ

ସ୍ୱସ୍ତି ଅଗ୍ନି ନାମେ ପୁତ୍ର ଅତ୍ରିର ଆବର

 

ହର୍ଯ୍ୟାଶ୍ୱ ନାମେ ଦକ୍ଷର ବହୁତ କୁମର

ନାରଦ ମାୟାରେ ତାଙ୍କୁ ପକାଇଲେ ମାରି

 

ତେଣୁ ଦକ୍ଷ ପ୍ରଜାପତି ତାଙ୍କୁ କୋପକରି

ଶାପଦେଲେ ଅପୁତ୍ରିକ ହୁଅ ତୁ ନାରଦ

 

ଲୋକଙ୍କ ସଙ୍ଗେ ଲଗାଇ ଦିଅ ତୁ ବିବାଦ

କଳିପ୍ରିୟ ହୁଅ ମୋର ଶାପେ ତୁ ଆବର

 

ସେ ଦିନୁ ନାରଦ ଊର୍ଦ୍ଧ୍ୱରେତା ମୁନିବର

ନାରଦ ମୁନିର କନ୍ୟା ନାମ ଅରୁନ୍ଧତୀ

 

ବଶିଷ୍ଠ ମୁନିଙ୍କି ଦେଲେ ସେ ନାରଦ ଯତି

ଅରୁନ୍ଧତୀ ଗର୍ଭୁ ଜାତ ଶକ୍ତିନାମେ ପୁତ୍ର

 

ଶକ୍ତିପୁତ୍ର ପରାଶର ହେଲେ ତପୋବନ୍ତ

ପରାଶର ଋଷି ପୁତ୍ର ବ୍ୟାସ ମୁନିବର

 

ଶୁକମୁନି ଅଟନ୍ତି ଯେ ବ୍ୟାସଙ୍କ କୁମର

ସେ ଶୁକ ମୁନିର ହେଲେ ପାଞ୍ଚପୁତ୍ର ଜାଣ

 

ଭୂରିଶ୍ରବା ପ୍ରଭୁ ଶମ୍ଭୁ କୃଷ୍ଣ ଗୌର ପୁଣ

ଆବର ଥିଲେ ତାଙ୍କର ତିନୋଟି ଦୁହିତା

 

କୀର୍ତ୍ତିମତୀ ଯୋଗମାତା ପୁଣି ଧୃତବ୍ରତା

ଏମନ୍ତ ସେ ଋଷିବଂଶ କହିଲୁ ବୁଝାଇ

 

ଗୋପୀନାଥ ବୋଲେ ହରି ହରି ବୋଲଭାଇ

କଳିଯୁଗେ ହରିନାମ ଗୋଟି ଅଟେ ସାର

 

ଅହ ରହ ସେହି ନାମ ପିଅ ନାରୀ ନର

 

ସୂର୍ଯ୍ୟବଂଶ ଚରିତ୍ର

 

କହୁଛନ୍ତି କୂର୍ମରୂପୀ ଜଗତ ଗୋସାଇଁ

 

ସୂର୍ଯ୍ୟବଂଶ କଥା ଏବେ ଦେଉଛି ବୁଝାଇ

କଶ୍ୟପ ଋଷି ଭାରିଯା ଅଟନ୍ତି ଅଦିତି

 

ଆଦିତ୍ୟ ତାହାଙ୍କ ଗର୍ଭୁ ହେଲେ ଉତ୍ତପତି

ଚାରୋଟି ଭାରିଯା ସେହି ସୂର୍ଯ୍ୟ ଦେବଙ୍କର

 

ସଂଜ୍ଞା ରାଜ୍ଞୀ ପ୍ରଭା ଛାୟା ନାମ ତାହାଙ୍କର

ସଂଜ୍ଞା ଗର୍ଭୁ ବୈବସ୍ୱତ ମନୁ ହେଲେ ଜନ୍ମ

 

ରାଜ୍ଞୀ ଗର୍ଭୁଁ ଉପୁଜିଲେ ରେବନ୍ତ ଯେ ଯମ

ଯମୁନା ନାମେ ହୋଇଲା ଦୁହିତା ଆବର

 

ଛାୟା ଗର୍ଭରୁ ସମ୍ଭୁତ ସାବର୍ଣ୍ଣି କୁମର

ତପତୀ ବିଷ୍ଟି ଏ ଦୁଇ କନ୍ୟା ହେଲେ ପୁଣି

 

ପୁତ୍ରକେ ପୁଣି ହୋଇଲା ତାର ନାମ ଶନି

ପ୍ରଭାର ଯେ ଏକପୁତ୍ର ତା ନାମ ପ୍ରଭାତ

 

ବୈବସ୍ୱତ ମନରୁ ଯେ ହେଲେ ନବସୁତ

ଇକ୍ଷ୍ୱାକୁ ନାଭାଗ ଧୃଷ୍ଟ ଶର୍ଯ୍ୟାତି ଆବର

 

ନରିଷ୍ୟନ୍ତ ନଭାଗ ଯେ ଅରିଷ୍ଟ କୁମର

କରୁଷ ପୃଷଧ୍ର ଘେନି ଏମନ୍ତେ ଏ ନବ

 

ପନ୍ଦର ପୁତ୍ର ଇକ୍ଷ୍ୱାକୁ କୁଳରେ ଉଦ୍ଭବ

ତା ମଧ୍ୟରେ ଜ୍ୟେଷ୍ଠପୁତ୍ର ନାମ ଯେ ବିକୁକ୍ଷି

 

କାକୁସ୍ଥ ସେ ବୋଲାଇଲା ସ୍ୱର୍ଗ ପୁର ରଖି

ତାହାର ପୁତ୍ର ଯେ ପୃଥୁ ତା ପୁତ୍ର ବିଶ୍ୱକ

 

ତାହାର କୁମର ନାମ ଅଟଇ ଆର୍ଦ୍ରକ

ତାର ପୁତ୍ର ଯୁବନାଶ୍ୱ ସେ ବଡ଼ ପ୍ରତାପୀ

 

ପୁତ୍ରର ନିମନ୍ତେ ସେହି ବୋଲାଇଲା ତପୀ

ଗୋକର୍ଣ୍ଣତୀର୍ଥକୁ ଗଲା ଦିନେ ମହୀପତି

 

ଗଉତମ ଋଷି ତହିଁ ତପ କରୁଛନ୍ତି

ଚରଣେ ପ୍ରଣମି ତାଙ୍କୁ ପଚାରିଲେ ପୁଣି

 

କି କଲେ ମୋହର ପୁତ୍ର ହେବ କହ ମୁନି

ଗଉତମ ବୋଇଲେ ତୁ ନାରାୟଣ ଭଜ

 

ଭଜି ପାରିଲେ ପାଇବୁ ଧାର୍ମିକ ତନୁଜ

ଶୁଣି ବିଷ୍ଣୁପାଦେ ରାଜା ଲଗାଇଲେ ଲୟ

 

ଶ୍ରୀବିଷ୍ଣୁ ପ୍ରସାଦେ ହେଲା ଗୋଟିଏ ତନୟ

ତାହାର ନାମ ଶ୍ରୀବନ୍ତୀ ସେହି ମହାବୀର

 

ଶ୍ରାବନ୍ତୀ ନାମେ ଥାପିଲା ଏକ ମହାପୁର

ତାର ପୁତ୍ର ବୃହଦଶ୍ୱ ନାମେ ନରପତି

 

କୁବଳୟାଶ୍ୱ ନାମରେ ତାହାର ସନ୍ତତି

ଧୁନ୍ଦୁ ନାମେ ଥିଲା ଏକ ପ୍ରତାପୀ ଅସୁର

 

ତାକୁ ମାରିବାକୁ ତାର ନାମ ଧୁନ୍ଦୁମାର

କୁବଳୟାଶ୍ୱର ହେଲେ ତିନୋଟି ନନ୍ଦନ

 

ଜ୍ୟେଷ୍ଠପୁତ୍ର ବୃଢ଼ାଶ୍ୱ ଯେ ହୋଇଲା ରାଜନ

ବୃଢ଼ାଶ୍ୱ ପୁତ୍ର ପ୍ରମୋଦ ତା ପୁତ୍ର ହର୍ଯ୍ୟଶ୍ୱ

 

ତା ପୁତ୍ର ନିକୁମ୍ଭ ତାର ପୁତ୍ର ସଂହିତାଶ୍ୱ

ତାହାର ସୁତ କୁଶାଶ୍ୱ ଅରୁଣାଶ୍ୱ ଦୁଇ

 

ଅରୁଣାଶ୍ୱ ପୁତ୍ର ଯୁବନାଶ୍ୱ ଯେ ବୋଲାଇ

ବାସବ ସମାନ ସେହି ବୀର ତେଜୋବନ୍ତ

 

ବାରୁଣି ନାମରେ ଯାଗ କରି ନୃପନାଥ

ମାନ୍ଧାତା ନାମେ ପାଇଲା ବିଷ୍ଣୁ ଭକ୍ତ ପୁତ୍ର

 

ଅତି ପବିତ୍ର ଅଟଇ ତାହାର ଚରିତ

ମାନ୍ଧାତାର ତିନି ପୁତ୍ରଗୁଣବନ୍ତ ଅତି

 

ଜ୍ୟେଷ୍ଠ ଅମ୍ବରୀକ୍ଷ ରାଜା ହେଲା ମହୀପତି

ତାର ପୁତ୍ର ଯୁବନାଶ୍ୱ ତା ପୁତ୍ର ହାରିତ

 

କୁରୁକୁତ୍ସ ନାମେ ହେଲା ତାହାର ଯେ ସୁତ

କ୍ରସମଦ୍ୟୁ ପୁରୁକୁତ୍ସ ରାଜାର ନନ୍ଦନ

 

ତାହାର ସୁତ ସମ୍ଭୂତି ସେ ହେଲା ରାଜନ

ତାର ପୁତ୍ର ବିଷ୍ଣୁବୃଦ୍ଧ ନାମେ ନରପତି

 

ଅନରଣ୍ୟ ନାମେ ହେଲା ତାହାର ସନ୍ତତି

ତାରପୁତ୍ର ବୃହଦଶ୍ୱ ତା ପୁତ୍ର ହର୍ଯ୍ୟଶ୍ୱ

 

କର୍ଦ୍ଦମ ଋଷିଙ୍କି ତପେ କରିବାରୁ ତୋଷ

ସୂର୍ଯ୍ୟସମ ବଳବନ୍ତ ପୁତ୍ରେକ ପାଇଲା

 

ନରପତି ତାର ନାମ ବସୁମନା ଦେଲା

 

Unknown

ବସୁମନା ଚରିତ

 

ବସୁମନା ସୂର୍ଯ୍ୟ ସେବି ପାଇଲା ନନ୍ଦନ

 

ତା ନାମ ତ୍ରିଧନ୍ୱା ସେହି ଶତ୍ରୁ ନିସୂଦନ

ଦାନଶୁର ମାନଶୂର ରାଜା ବସୁମନା

 

ପୃଥ୍ୱୀ ରାଜାଙ୍କୁ ଜିଣିଲା ଘେନି ନିଜସେନା

ତହୁଁ ଆସି ଅଶ୍ୱମେଧ ଯାଗ କଲା ରାଜା

 

ନିମନ୍ତ୍ରି ଋଷି ମୁନିଙ୍କି କଲା ତହିଁ ପୂଜା

ଅନ୍ନଛତ୍ର ଜଳଛତ୍ର ଦେଲା ସେ ବହୁତ

 

ନିର୍ବିଘ୍ନରେ କଲା ରାଜା ଯାଗ ସମାପତ

ଯାଗ ଶେଷେ ସଭାକରି ବସିଲା ନୃପତି

 

ଋଷି ମୁନିମାନେ ସେହି ସଭାରେ ଅଛନ୍ତି

ସଭାରେ ବିନୟ କରି ବୋଇଲା ରାଜନ

 

ତୁମ୍ଭେମାନେ ମହାଜ୍ଞାନୀ ସବୁ କଥା ଜାଣ

କଥାଏ ମୁଁ ପଚାରିବି ନ ଧରିବ ଦୋଷ

 

ଇହଲୋକ ଯଜ୍ଞତପ ଆବର ସନ୍ନ୍ୟାସ

ଏହାର ମଧ୍ୟେ ପ୍ରଧାନ କେ ପୁଣି ଅଟଇ

 

ବଶିଷ୍ଠ ମୁନି କହିଲେ ଶୁଣ ନରସାଇଁ

ଚାରି ବେଦ ପଢ଼ିସାରି କରିବ ଯେ ଘର

 

ବିଭା ହୋଇ ପୁତ୍ର ମୁଖ ଦେଖିବ ଆବର

ଯାଗ ଯଜ୍ଞ କରି ବନବାସୀ ହେବ ଶେଷେ

 

ଯୋଗମାର୍ଗେ ତନୁ ତେଜି ଯିବ ବିଷ୍ଣୁପାଶେ

ବୋଇଲେ ପୁଲସ୍ତ୍ୟ ମୁନି ଶୁଣ ହେ ରାଜନ

 

ଯାଗ ଯଜ୍ଞେ ଦେବତାଙ୍କୁ କରି ଆରାଧନ

ମହାଯୋଗୀ ହୋଇ ତପେ ଶ୍ରୀହରିଙ୍କି ତୋଷି

 

ଏ ସଂସାର ତେଜି ପୁଣି ହୋଇବ ସନ୍ନ୍ୟାସୀ

ବୋଇଲେ ପୁଲହ ମୁନି ଶୁଣ ନୃପମଣି

 

ପୁରାଣ ପୁରୁଷ ସେହୁ ଜଗତର ଯୋନି

ଘୋରତପେ ତାଙ୍କୁ ଯେବେ ତୋଷି ପାର ତୁମ୍ଭେ

 

ମୁକତି ପାଇବ ଆଉ ନ ପଡ଼ିବ ଭବେ

ବୋଇଲେକ ଯମଦଗ୍ନି ଆହୋ ନୃପବର

 

ଯେଉଁ ପ୍ରଭୁ ଅନ୍ତର୍ଯ୍ୟମୀ ଜଗତ ଈଶ୍ୱର

ଯାଗ ସାଧି ଯୋଗମାର୍ଗେ କଲେ ଦରଶନ

 

ଏଥୁଁ ଅଧିକ ମଙ୍ଗଳ ନାହିଁହେ ରାଜନ

ବୋଇଲେକ ବିଶ୍ୱାମିତ୍ର ଶୁଣ ନରପତି

 

ଅନନ୍ତ ମହିମା ଯାର ଅନନ୍ତ ଶକତି

ଅନଳ ସ୍ୱରୂପ ମହାରୁଦ୍ର ମନ୍ତ୍ର ଜପି

 

ତପ ଆରାଧିବ ମୂଳ କମଳକୁ ଥାପି

ତେଣେ ଚଉବର୍ଗ ଜାଣ ତୁମ୍ଭଙ୍କୁ ମିଳିବ

 

ଯାଗ ଯଜ୍ଞ ଦେବ ପୂଜା କିମ୍ପାଇ କରିବ

ବୋଇଲେକ ଭରଦ୍ୱାଜ ଆହୋ ମହୀପତି

 

ବାସୁଦେବ ପାଦପଦ୍ମେ କରିବ ଭକତି

ଯାଗ ଯଜ୍ଞ ତପ ଆଦି ଯାହା ତୁମ୍ଭେ କର

 

ଭଜୁଥିବ ବାସୁଦେବ ଶ୍ରୀରଙ୍ଗା ପୟର

ଏଥିରୁ ମଙ୍ଗଳ କିଛି ନାହିଁ ଏ ଜଗତେ

 

ବୋଇଲେକ ଅତ୍ରି ମୁନି ଶୁଣ ନରପତେ

ଯାହାଠାରୁ ଏ ଜଗତ ହୋଇ ଉତପତ୍ତି

 

ଯାହାର ପୁତ୍ର ଅଟଇ ବିଶ୍ୱ ପ୍ରଜାପତି

ସେ ପ୍ରଭୁଙ୍କୁ ଆରାଧିବ ଘୋର ତପକରି

 

ଏଥିରୁ ମଙ୍ଗଳ ଆଉ ନାହିଁ ଦଣ୍ତଧାରୀ

ବୋଇଲେ ଯେ ଗଉତମ ଶୁଣ ମହୀପାଳ

 

ଅନାଦି ବ୍ରହ୍ମ ଶକତି ପ୍ରଭୁ ଆଦିମୂଳ

ତାହାଙ୍କର ପୂଜାଠାରୁ ଅଧିକ କି ଅଛି

 

ଜଗତ କରତା ସେହି ପ୍ରଭୁ ଶିରୀବତ୍ସି

କଶ୍ୟପ ବୋଇଲେ ଶୁଣ ଆହେ ମହାରାୟ

 

ଦେବ ଦେବ ମହାଦେବ ଯେ ଦେବାଧିରାୟ

ସେହି ସମ୍ଭୁ ସେବା କଲେ ମିଳଇ ସର୍ବସ୍ୱ

 

କ୍ରତୁଋଷି ବୋଇଲେ ଯେ ଶୁଣହେ ନରେଶ

ବେଦ ପଢ଼ି ଯୋଗକରି ପାଇଛ ଯେ ପୁତ୍ର

 

ତପ ସାଧି କୁଳକୁ ହେ କରିଣ ପବିତ୍ର

ଯୋଗେ ତନୁ ତେଜି ଅନ୍ତେ ବଇକୁଣ୍ଠେ ଯିବ

 

ବେଦ ପୁରାଣ ବାଣୀ ଏ ଜାଣ ନରଧବ

ନରପତି ବସୁମନା ସବୁ କଥା ଶୁଣି

 

ଆନନ୍ଦେ ଋଷିମାନଙ୍କୁ ଦେଇଣ ମେଲାଣି

ପୁତ୍ର ତ୍ରିଧନ୍ୱାକୁ ଡାକି ବୋଇଲା ଏମନ୍ତ

 

ଆରେ ବାବୁ ଏ ରାଜ୍ୟକୁ କର ତୁ ପବିତ୍ର

ଏକାକ୍ଷର ବ୍ରହ୍ମଅଛି ସୂର୍ଯ୍ୟ ବିମ୍ବେ ରହି

 

ଘୋର ତପ କରି ତାଙ୍କୁ ଆରାଧିବି ମୁହିଁ

ଏ ମହୀମଣ୍ତଳ ଧର୍ମେ ପାଳୁଥିବୁ ବାବୁ

 

ଏହା କହି ରାଜା ରାଜ୍ୟ ଧନ ଛାଡ଼ି ସବୁ

ହିମାଳୟ ଶିଖେ ଦେବତାରୁ ବନେ ଯାଇ

 

ନିତ୍ୟ ତହିଁ ଥିବା କନ୍ଦମୂଳ ଫଳ ଖାଇ

ମୂଳ କମଳକୁ ଥାପି ବସିଲା ଆସନେ

 

ପାଞ୍ଚମନ ପ୍ରକୃତିକି ରଖି ଏକସ୍ଥାନେ

ବେଦମାତା ଗାୟତ୍ରୀକୁ ଜପିଲା ସେ ବସି

 

ଏମନ୍ତେ ଶତ ବରଷ ହୋଇ ଯୋଗଭ୍ୟାସୀ

ବ୍ରହ୍ମପୁରେ ବ୍ରହ୍ମାଙ୍କର ଆସନ ଟଳିଲା

 

ପୁର ସହିତରେ ତାଙ୍କ ସଭାହିଁ କମ୍ପିଲା

ଧ୍ୟାନରେ ତା ଜାଣିପାରି କମଳ ଆସନ

 

ଋଷିଙ୍କୁ ସଙ୍ଗରେ ଘେନି କଲେ ଆଗମନ

ଦେବଦାରୁ ବନେ ଯହିଁ ରାଜାକଲେ ତପ

 

ଚତୁର୍ମୁଖ ବ୍ରହ୍ମା ତହିଁ ବୋଇଲେ ସ୍ୱରୂପ

କାହିଁପାଇଁ ଘୋର ତପ କରୁଛୁ ନୃପତି

 

ଆମ୍ଭେ ପଚାରୁଛୁ ଆସି ତୋତେ ପ୍ରଜାପତି

ବରମାଗ ଦେବୁଁ ଆମ୍ଭେ କହୁଅଛୁଁ ସତ୍ୟ

 

ତୋହରି ଉପରେ ଆମ୍ଭେ ହୋଇଅଛୁ ପ୍ରୀତ

କର୍ଣ୍ଣେ ଯହୁଁ ସମ୍ଭାଇଲା ଆସି ଶୂନ୍ୟବାଣୀ

 

ଚକ୍ଷୁ ମେଲି ଉପରକୁ ଚାହିଁ ନୃପମଣି

ଦେଖିଲା ଆକାଶ ମାର୍ଗେ ଅପୂର୍ବ ମୂରତି

 

ଚାରିଗୋଟି ମୁଖ ଉଚ୍ଚେ ବେଦ ଫୁକାରନ୍ତି

ସହସ୍ର କିରଣ ତୁଲ୍ୟ ଜ୍ୟୋତି ବିରାଜଇ

 

ମରାଳ ଚଢ଼ି ଶୂନ୍ୟରେ ବିଜୟ ଗୋସାଇଁ

ଚଉପାଶେ ବେଢ଼ି ଋଷି ମୁନି କରଯୋଡ଼ି

 

ଉଭାହୋଇ ବେଦବର ସ୍ତବ ମୁଖେ ପଢ଼ି

ଏମନ୍ତ ଅପୂର୍ବ ରୂପ ଦେଖି ନରପତି

 

କରଯୋଡ଼ି ଆନନ୍ଦରେ କଲା ଦିବ୍ୟ ସ୍ତୁତି

ଦେହ ଉଲୁସିଲା ରୋମ ଟାଙ୍କୁରି ଉଠିଲା

 

ଜୟ ଜୟ ବେଦବର ମୁଖରେ ବୋଇଲା

ଯେବେ ମୋର ତପେ ଦେଇ ହୋଇଲ ପ୍ରସନ୍ନ

 

ଅନୁଗ୍ରହ କରିମୋତେ ଦେଲ ଦରଶନ

ତୁମ୍ଭେ ତ ଦେବାଧି ଦେବ ରାୟ ପଦ୍ମଯୋନି

 

ତୁମ୍ଭର ଅଶେଷ ରୂପ ନ ଜାଣନ୍ତି ମୁନି

ମୁଁ ହୀନ ପାମର ନର କେତେ ବୁଦ୍ଧିମୋର

 

ତୁମ୍ଭ ରୂପ ବର୍ଣ୍ଣିବଇଁ ଆହେ ବେଦବର

ଶରଣ ପଶିଲି ତବ ଚରଣ କମଳେ

 

ଏତେ ବୋଲି ନରପତି ଲୋଟି ଭୂମିତଳେ

ଉଠି ପୁଣି କର ଦୁଇ ନିବେଶଇ ଶିରେ

 

ନମସ୍ତେ ନମସ୍ତେ ତାତ ତୁ ଏହି ସଂସାରେ

ନମସ୍ତେ ନମସ୍ତେ ତାତ ମରାଳ ବାହନ

 

ନମସ୍ତେ ନମସ୍ତେ ତାତ କମଳ ଆସନ

ନମସ୍ତେ ନମସ୍ତେ ତାତ ଅନେକ ତୋ ମୁଖ

 

ନମସ୍ତେ ନମସ୍ତେ ତାତ ହରୁ ପ୍ରାଣୀ ଦୁଃଖ

ନମସ୍ତେ ନମସ୍ତେ ତାତ କର ମୋତେ ତ୍ରାହି

 

ନମସ୍ତେ ନମସ୍ତେ ତାତ ବିଶ୍ୱମୁଖ ତୁହି

ଏମନ୍ତେ ଅନେକ ସ୍ତୁତି କରନ୍ତେ ନୃପତି

 

ହସ୍ତରେ ଆଉଁଷି ତାର ଅଙ୍ଗ ପ୍ରଜାପତି

ବୋଇଲେ କି ବରେ ଇଚ୍ଛା ମାଗ ତାହା ବେଗେ

 

ରହି ନ ପାରିବୁ ଆମ୍ଭେ ଯିବୁ ଉଦବେଗେ

ନୃପତି ବୋଇଲା ତାତ ଦେବୁ ଯେବେ ବର

 

ଶତ ବରଷ ରହିବ ଆହୁରି ଶରୀର

ବେଦମାତ ଗାୟତ୍ରୀକି ଜପିବି ଏ ଦେହ

 

ଆୟୁ ନଥିଲେ କି ଏହି ଦେହ ଗୋଟି ରହେ

ଦେହ ନ ରହିଲେ କାହୁଁ ଜପିବି ଏ ମନ୍ତ୍ର

 

ମନ୍ତ୍ର ନ ଜପିଲେ ସିଦ୍ଧି ହୋଇବ କି ଯନ୍ତ୍ର

ଯନ୍ତ୍ର ସାଧି ନ ପାରିଲେ ସମସ୍ତ ବିଫଳ

 

ଏଣୁ ଶତବର୍ଷ ଆୟୁ ମାଗେ ଆଦିମୂଳ

ଅସ୍ତୁ ହେଉ କହି ତହୁଁ ଗଲେ ବେଦବର

 

ବୁଦ୍ଧିମନ୍ତ ରାଜାପାଇ ବ୍ରହ୍ମାଠାରୁ ବର

ତିନିବେଳ ଜଳେ ବୁଡ଼ି ଫଳ ମୂଳ ଭକ୍ଷି

 

ମନର ମୂଳେ ପଚିଶ ପ୍ରକୃତିକି ରଖି

ଯନ୍ତ୍ର ଥାପି ମନ୍ତ୍ର ସିଦ୍ଧ କଲା ବସି ରାଜା

 

ପ୍ରତି ବର୍ଷ କଲା ପୁଣି ଗାୟତ୍ରୀକି ପୂଜା

ଘନ ଘନ ରବି ବିମ୍ବ କମ୍ପିଲା ସେ ତପେ

 

ପୁରୁଷେକ ବାହାରିଲା ତହୁଁ ଜ୍ୟୋତିରୂପେ

ଶୂନ୍ୟେ ଥାଇ ବୋଇଲେ ହେ ରାଜା ହୁଅ ସ୍ଥିର

 

ଆମ୍ଭେ ଆସିଅଛୁ ତୋତେ ଦେବାପାଇଁ ବର

ଚକ୍ଷୁମୋର ଉପରକୁ ଚାହିଁଲା ନୃପତି

 

ଦେଖିଲାକ ରୁଦ୍ରରୂପୀ ଦେବ ପ୍ରଜାପତି

ଚାରିଗୋଟି ଶିର ତାଙ୍କ ମଉଳିରେ ଜଟା

 

କଟୀତଟେ ରଙ୍ଗବସ୍ତ୍ର ଭୁଜ ଯେ ଆଠୁଟା

ତିନିଗୋଟି ନେତ୍ର ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ପ୍ରାୟ

 

ରକ୍ତ ବର୍ଣ୍ଣ ମାଳା ଏକ ଲମ୍ବିଛି ହୃଦୟ

ବାଳସୂର୍ଯ୍ୟ ପ୍ରାୟ କାନ୍ତି କଣ୍ଠ ନୀଳକର୍ଣ୍ଣ

 

ଝଟ ଝଟ ଦିଶୁଛନ୍ତି ଦେହର କିରଣ

ଅଧେକ ଯେ ନାରୀ ପୁଣି ଅଧେକ ପୁରୁଷ

 

ସୋ ଅପୂର୍ବ ରୂପ ଦେଖି ବୋଲଇ ନରେଶ

କିଏ ତୁମ୍ଭେ କାହିଁପାଇଁ ରହିଅଛ ଶୂନ୍ୟେ

 

ଚାହିଁ ନ ପାରଇ ମୁହିଁ ତୁମ୍ଭଙ୍କୁ ନୟନେ

ରାଜାର ଏ କଥା ଶୁଣି ବୋଇଲେ ସେ ଦେବ

 

ଆମ୍ଭେ ଅଟୁ ଅର୍ଦ୍ଧ ନାରୀଶ୍ୱର ମହାଦେବ

ତୋହର କଠୋର ତପ ନ ପାରିଲୁ ସହି

 

ବର ଦେବାପାଇଁ ଶୂନ୍ୟେ ଅଛୁ ଆମ୍ଭେ ରହି

ଆନନ୍ଦରେ କରଯୋଡ଼ି ରାଜା କରେ ସ୍ତୁତି

 

ଜୟ ଜୟ ନୀଳକଣ୍ଠ ଜୟ ପଶୁପତି

ନମୋ ନମୋ ମହାଯୋଗୀ ମହେଶ୍ୱର ହର

 

ନମୋ ନମୋ ତ୍ରିନୟନ ପାର୍ବତୀର ବର

ନମୋ ନମୋ ଶମଶାନବାସୀ ଭୂତପତି

 

ଦେବ ଦାନବେ ଗୋଚର ନୋହେତୋ ମୂରତି

ତୁହି ଦେବ ସନାତନ ଅନାଦି ନିଧନ

 

ଏମନ୍ତ ବହୁତ ସ୍ତୁତି କରି ସେ ରାଜନ

ଭୂମିତଳେ ଲୋଟି ବୋଲେ ତ୍ରାହି ତ୍ରାହି ହର

 

ତାହାକୁ ଆଉଁସିଦେଇ ବୋଇଲେ ଶଙ୍କର

ଉଠ ଉଠ ମହାତମା ମାଗ ଇଚ୍ଛା ଯାହା

 

ଉଠି କରଯୋଡ଼ି ପୁଣି ବୋଲେ ନରନାହା

ଯେବେ କୃପା କଲ ମୋତେ ଦିଅ ଏହି ବର

 

ଆୟୁ ବୃଦ୍ଧି ହେବ ଶତ ବରଷ ମୋହର

ହେଉ କହି ମହାରୁଦ୍ର ହୋଇଲେ ଗୁପତ

 

ପୁଣି ତପ କଲା ରାଜା ହୋଇ ଶୁଚିମନ୍ତ

ଏମନ୍ତେ ଶତ ବରଷ ବହିଗଲା ପୁଣି

 

ଗାୟତ୍ରୀ ମନ୍ତ୍ରକୁ ଜପ କରେ ନୃପମଣି

ଘନ ଘନ କମ୍ପିଲା ଯେ ବଇକୁଣ୍ଠ ପୁର

 

ରହି ନ ପାରିଲେ ତହିଁ ଦେବ ଦାମୋଦର

ଶୂନ୍ୟେଥାଇ ବୋଇଲେରେ କିମ୍ପା କରୁତପ

 

ଆତ୍ମାକୁ ତୁ କଷ୍ଟ ଦେଇ ଅରଜିଲୁ ପାପ

ଏହାଶୁଣି ଶୂନ୍ୟକୁ ଯେ ଚାହିଁଦେଲା ରାଜା

 

ଆକାଶରେ ବିରାଜୁଛି ଏକ ମହାତେଜା

ବୋଇଲା ହୋ ମହାତମା କହ ତୁମ୍ଭେ କିଏ

 

ବିରାଜୁଛ ଆକାଶରେ କୋଟି ସୂର୍ଯ୍ୟ ପ୍ରାୟେ

ବୋଇଲେ ସେ ଶୂନ୍ୟବାସୀ ଶୁଣ ନୃପବର

 

ଆମ୍ଭେ ଯେ ଅନାଦିବ୍ରହ୍ମ ଦେବ ଚକ୍ରଧର

ତୋହର କଠୋର ତପ ନ ପାରିଲୁ ସହି

 

ବର ଦେବାପାଇଁ ଆସି ଶୂନ୍ୟେ ଅଛୁଁ ରହି

ଯାହା ତୁ ମାଗିବୁ ଆମ୍ଭେ ନିଶ୍ଚେ ଦେବୁ ତାହା

 

କେମନ୍ତେ ପରତେ ଯିବି ବୋଲି ନରନାହା

ଶ୍ରୀହରି ବୋଇଲେ କାହୁଁ ଦେଖିବୁ ମୋରୂପ

 

ଦେଖି ନ ପାରନ୍ତି ତପୀ କରି ଘୋର ତପ

ଯୋଗୀ ଯୋଗ ସାଧି ସାଧି ନ ପାରନ୍ତି ଦେଖି

 

ମୋହର ଭକତ ମୋତେ ପାରେ ବାନ୍ଧିରଖି

ନୃପତି ବୋଇଲା ତେବେ ତୁମେ ଯାଅଫେରି

 

ରୂପ ନ ଦେଖିଲେ ବର କି ହେବ ମୋହରି

ଶ୍ରୀହରି ବୋଇଲେ ରାଜା ଆୟୁ ନାହିଁ ତୋର

 

ଶତବର୍ଷ ପୂର୍ଣ୍ଣ ହେଲା ପାଇ ହର ବର

ତପ କରି ନ ପାରିବୁ ଦେହ ଯିବ ସଢ଼ି

 

କରିବୁ ଯାତନା ଭୋଗ ନରକରେ ପଡ଼ି

ସିଦ୍ଧ ହୋଇଥିଲେ ସିନା ହୁଅନ୍ତୁ ଅମର

 

ମହା ବୁଦ୍ଧିମନ୍ତ ଅଟେ ସେହି ନୃପବର

ଆୟୁଷ ମୋହର ଯେବେ ନାହିଁ ତୁମ୍ଭେ ଜାଣ

 

କେମନ୍ତ ରଖିଅଛଇ ମୋତେ ଜନ୍ତୁରାଣ

ଶ୍ରୀହରି ବୋଇଲେ ତୋର ଅଛି କିଛି ଧର୍ମ

 

ଧର୍ମ ଥିବା ପ୍ରାଣୀକି ଯେ ନ ଦଣ୍ତଇ ଯମ

ନୃପତି ବୋଇଲା ଧର୍ମବନ୍ତ ପ୍ରାଣୀମାନେ

 

ମରିଗଲେ ବସନ୍ତି ଯେ ଯାଇଁ କେଉଁସ୍ଥାନେ

ଶ୍ରୀହରି ବୋଇଲେ ଯାଗ ଯଜ୍ଞ ଯେ କରଇ

 

ସ୍ୱର୍ଗପୁରେ ଦେବତାଙ୍କ ପାଖରେ ବସଇ

ବ୍ରହ୍ମ ବିଦ୍ୟା ସାଧିଲେଟି ଘୋର ତପକରି

 

ବ୍ରାହ୍ମଣ ହୋଇ ଗମଇ ଅନ୍ତେ ବ୍ରହ୍ମପୁରୀ

ଯୋଗ ସାଧି ଯୋଗୀଜନ ବସେ କଇଳାସେ

 

ପୁଣି ମର୍ତ୍ତ୍ୟେ ଜନମଇ ଆସି ପୁଣ୍ୟ ଶେଷେ

ଏହାଶୁଣି ନରପତି ବୋଇଲେକ ପୁଣି

 

ମର୍ତ୍ତ୍ୟେ ଜନ୍ମ ନ ହୁଅଇ କହ କେଉଁପ୍ରାଣୀ

ଶ୍ରୀହରି ବୋଇଲେ ବ୍ରହ୍ମଜ୍ଞାନୀ ମୋ ଭକତ

 

ଜନମ ନ ହୋଇ ସେହି ହୁଅଇ ମୁକତ

ନୃପତି ବୋଇଲେ କହ ଭକତ ଲକ୍ଷଣ

 

କେମନ୍ତେ ବ୍ରହ୍ମକୁ ଚିହ୍ନି ପାରଇଟି ଜନ

ଶ୍ରୀହରି ବୋଇଲେ ଏକ ଅକ୍ଷର ତୁ ଜପ

 

ଏକାକ୍ଷର ଜପିଲେ ତୁ ଦେଖିବୁ ମୋ ରୂପ

ମୋ ରୂପ ଦେଖିଲେ ଜନ୍ମମୃତ୍ୟୁ ତୋର ନାହିଁ

 

ଭକତ ଲକ୍ଷଣ ତୁ ହୋ ଶୁଣ ନରସାଇଁ

ଯେ ମୋର ଭକତ ସେ ମୋ ନାମ ନ ଛାଡ଼ିବ

 

ରାଗ ହିଂସା ଆଦି ତାର କିଛି ହିଁ ନ ଥିବ

ତାହାର କଥାକୁ ମୁହିଁ ଥାଏ ଅନୁସରି

 

ତା ନିମନ୍ତେ ଚକ୍ରଗୋଟା ଥାଏଁ କରେ ଧରି

ନୃପତି ବୋଇଲେ ଏବେ କରିବି ମୁଁ କିସ

 

ବ୍ରହ୍ମଜ୍ଞାନ ସାଧିବାକୁ ନାହିଁ ମୋ ଆୟୁଷ

ଏତେ କଷ୍ଟ ପାଇ ତୁମ୍ଭେ ଅଇଲ କାହିଁକି

 

ଆସିଥିଲ ଯହୁଁ ତୁମ୍ଭେ ଯାଅ ହୋ ତହିଁକି

ଶ୍ରୀହରି ବୋଇଲେ ରାଜା ଶୁଣ ଆମ୍ଭ ବାଣୀ

 

ଦିବ୍ୟଜ୍ଞାନ ଦେଉଅଛୁଁ ହୁଅ ବ୍ରହ୍ମଜ୍ଞାନୀ

ବରଷେ ଆୟୁଷ ଆଉ ଦେଲୁ ଆମ୍ଭେ ତୋତେ

 

ଜ୍ଞାନ ସାଧିଲେ ତୁ ଦେଖିପାରିବୁ ହୋ ମୋତେ

ତୋହରି ଦେହରେ ତୁହି ଦେଖିବୁ ମୋ ରୂପ

 

ଏକାକ୍ଷର ମନ୍ତ୍ର ଗୋଟି ହୃଦପଦ୍ମେ ଜପ

ଜପିଲେ ତୁ ସିଦ୍ଧଯୋଗୀ ହେବୁ ହୋ ରାଜନ

 

ମନ୍ତ୍ର କର୍ଣ୍ଣେ କହିଦେଲେ ପ୍ରଭୁ ଭଗବାନ

ମନ୍ତ୍ର ଜ୍ଞାନ ପାଇ ରାଜା ଥାପିଲା ଆସନ

 

ଓଲଟି ବହିଲା ପାଣି ଉଜାଣି ପବନ

ଷଟ କମଳରେ ମନ୍ତ୍ର ଜପି ଜପି ଗଲା

 

ଲଲାଟ ଚକ୍ରରେ ହଂସ ଗୋଟିକି ଧଇଲା

ତ୍ରିଗୁଣ ଦଉଡ଼ି କାଟି ସାଧିଲା ବଇରୀ

 

ଜ୍ୟୋତି ବ୍ରହ୍ମରୂପ ଗୋଟି ଦେଖେ ବଳେ ଧରି

ଶଙ୍ଖ ଚକ୍ର ଗଦାପଦ୍ମ ଶୋହେ ଚାରି କରେ

 

ଲକ୍ଷ୍ମୀଠାକୁରାଣୀ ସେବା କରନ୍ତି ପୟରେ

କଟୀତଟେ ପୀତାମ୍ବର ଅପୂର୍ବ ମୂରତି

 

ବକ୍ଷସ୍ଥଳେ କଉସ୍ତୁଭମଣିର ଯେ ଜ୍ୟୋତି

ଜଳ ଜଳ ଦିଶିବାରୁ ପାଉଛି କି ଶୋଭା

 

ଇନ୍ଦ୍ର ନୀଳମଣିକି ଯେ ନିନ୍ଦେ କେଶ ଗଭା

ଏମନ୍ତ ଅପୂର୍ବ ରୂପ ଦେଖି ନରପତି

 

ଆନନ୍ଦେ ବୋଲଇ ଜୟ ଜୟ ଶିରୀପତି

ଏମନ୍ତେ ଅନେକ ସ୍ତୁତି କରି ସେ ରାଜନ

 

ଜ୍ୟୋତିରେ ଦେଇ ଜ୍ୟୋତିକି ମିଶାଇ ବହନ

ଜନ୍ମ ମରଣକୁ ଜିଣି ହେଲା ଅଜ୍ରାମର

 

ପରମ ପଦ ପାଇଲା ସେହି ନୃପବର

ତାହାର ପୁତ୍ର ତ୍ରିଧନ୍ୱା ପାଳିଲାକ ମହୀ

 

ପ୍ରଜାଙ୍କୁ ଧର୍ମେ ରଖାଇ ଆପେ ଧର୍ମେ ରହି

ତାହାର ନନ୍ଦନ ନାମ ଦେଲା ତ୍ରର୍ଯ୍ୟାଋଣ

 

ତ୍ରର୍ଯ୍ୟାଋଣର ନନ୍ଦନ ସତ୍ୟବ୍ରତ ଜାଣ

ସତ୍ୟବ୍ରତର ନନ୍ଦନ ହରିଶ୍ଚନ୍ଦ୍ର ରାଜା

 

ଯଜ୍ଞରେ ଦକ୍ଷିଣା ଦେଲା ବିକି ତା ଭାରିଯା

ତାହାର ନନ୍ଦନ ନାମ ଅଟଇ ରୋହିତ

 

ଧୂନ୍ଧୁ ନାମରେ ହୋଇଲା ତାର ଏକ ସୂତ

ତା ପୁତ୍ର ବିଜୟ ତାର ପୁତ୍ର ଯେ କାରୁକ

 

କାରୁକ ନୃପତି ହେଲା ପୁତ୍ର ନାମ ବୃକ

ବୃକ ପୁତ୍ର ନାମ ବହୁ ତା ପୁତ୍ର ସଗର

 

ପ୍ରଭା ଭାନୁବତୀ ଦୁଇ ରାଣୀ ସେ ରାଜାର

ଅଗ୍ନି ପୂଜା କରିବାରୁ ରାଣୀ ଭାନୁମତୀ

 

ଅସମଞ୍ଜି ନାମେ ପୁତ୍ର ହେଲା ଉତପତ୍ତି

ଷାଠିଏ ସହସ୍ର ହେଲେ ପ୍ରଭାର କୁମର

 

ଅସମଞ୍ଜି ପୁତ୍ର ଜାଣ ଅଂଶୁମାନ ବୀର

ତା ପୁତ୍ର ଦୀଲ୍ଲିପ ତାର ପୁତ୍ର ଭଗୀରଥ

 

ତାହାଯୋଗୁଁ ଗଙ୍ଗାଧର ହେଲେ ବିଶ୍ୱନାଥ

ଭଗୀରଥ ନୃପତିର ପୁତ୍ର ନାମ ଶ୍ରୁତ

 

ନାଭାଗ ନାମରେ ହେଲା ଶ୍ରୁତର ଯେ ସୁତ

ସିନ୍ଧୁଦ୍ୱୀପ ଅଟଇ ଯେ ନାଭାଗ କୁମର

 

ସିନ୍ଧୁଦ୍ୱୀପର କୁମର ଅୟୁତାୟୁ ବୀର

ଅୟୁତାୟୁର ନନ୍ଦନ ରାଜା ଋତୁପର୍ଣ୍ଣ

 

ତା ପୁତ୍ର ସୁଦାମ ଅତିଧାର୍ମିକ ସେ ପୁଣ

କଳ୍ମଷପାଦ ନୃପତି ସୁଦାମର ପୁତ୍ର

 

ତା ପୁତ୍ର ଅଂଶକୁ ହେଲା ମହାବଳବନ୍ତ

ତାହାର ଭାରିଯା ନାମ ଉତ୍କଳ ଅଟଇ

 

ତା ଗର୍ଭୁ ନକୁଳା ନାମେ ପୁତ୍ର ଉପୁଜଇ

ପରଶୁରାମର ଡରେ ସେହି ନରସାଇଁ

 

ନାରୀକବଚ ଧଇଲା ଅରଣ୍ୟକୁ ଯାଇଁ

ତାହାର ପୁତ୍ରରନାମ ଅଟେ ଶତରଥ

 

ଇଳିବିଳି ନାମେ ଶତରଥର ସେ ସୁତ

କାର ପୁତ୍ର ବୃହଦ୍ଧର୍ମା ନାମେ ମହାବୀର

 

ବିଶ୍ୱାସହ ଅଟଇ ଯେ ତାହାର କୁମର

ବିଶ୍ୱାସହର ନନ୍ଦନ ଖଟ୍ୱାଙ୍ଗ ଅଟଇ

 

ଖଟ୍ୱାଙ୍ଗ ନନ୍ଦନ ଦୀର୍ଘ ବାହୁ ଯେ ବୋଲାଇ

ଦୀର୍ଘବାହୁ ପୁତ୍ର ରଘୁ ରଘୁ ପୁତ୍ର ଅଜ

 

ଅଜ ପୁତ୍ର ଦଶରଥ ନାମେ ମହାରାଜ

ରାମରୂପୀ ବିଷ୍ଣୁ ଦଶରଥ ନନ୍ଦନ

 

ଶ୍ରୀରାମର ପୁତ୍ର ଲବ କୁଶ ବିଚକ୍ଷଣ

କୁଶର ପୁତ୍ର ଅତିଥି ତା ପୁତ୍ର ନିଷଧ

 

ନିଷଧର ପୁତ୍ର ନଳ ଅଟେ ମହାଯୋଧ

ନଳର ନନ୍ଦନ ନଭା ନାମେ ନରପତି

 

ପୁଣ୍ତରୀକାକ୍ଷ ନାମରେ ତାହାର ସନ୍ତତି

ଚନ୍ଦ୍ରାବଲୋକ ଅଟଇ ତାହାର କୁମର

 

ତାର ପୁତ୍ର ତାରାପୀଡ଼ା ନାମେ ନୃପବର

ତାହାର ନନ୍ଦନ ନାମ ଅଟେ ଚନ୍ଦ୍ରଗିରି

 

ତାର ପୁତ୍ର ଭାନୁଚିତ୍ତ ନାମେ ଦଣ୍ତଧାରୀ

ଶ୍ରୁତାୟୁ ନାମେ ହୋଇଲା ତାହାର କୁମର

 

କହିଳୁ ଇକ୍ଷ୍ୱାକୁବଂଶୀ ଯେତେ ନୃପବର

ଦୀନ ଗୋପୀନାଥ ବୋଲେ ବୋଲହରିହରି

 

ହରିନାମ ଧରି ଯିବ ଭବକୂପୁଁ ତରି

ହରି ନାମ ଯେ ଭଜଇ ସଂସାରୁ ସେ ତରେ

 

ଅକ୍ଳେଶରେ ବସଇ ସେ ଯାଇଁ ସ୍ୱର୍ଗପୁରେ

 

ଜୟଧ୍ୱଜ ଚରିତ

 

କୂର୍ମ ବୋଇଲେ ହେ ଶୁଣ ସୁରମୁନିଗଣ

 

ମନୁର ହେଲା ନନ୍ଦିନୀ ଇଳା ନାମେ ଜାଣ

ଇଳାପୁତ୍ର ପୁରରବା ହୋଇଲା ନୃପତି

 

ପୃଥ୍ୱୀରେ ନଥିଲା ତାର କାହାକୁ ଯେ ଭୀତ

ସ୍ୱର୍ଗର ଯେ ଅପସରା ଉର୍ବଶୀ ଅଟଇ

 

ତାହାର ସଙ୍ଗେ ପୀରତି କଲା ନରସାଇଁ

ତାର ଗର୍ଭୁ ଉପୁଜିଲେ ଛଅଗୋଟି ସୁତ

 

ଜ୍ୟେଷ୍ଠ ପୁତ୍ର ଆୟୁ ଅଟେ ଅତି ବଳବନ୍ତ

ରାହୁ ଦୁହିତା ଭାରିଯା ହୋଇଲା ତାହାର

 

ତା ଗର୍ଭୁରୁ ଉପୁଜିଲେ ପାଞ୍ଚଟି କୁମର

ଜ୍ୟେଷ୍ଠ ପୁତ୍ର ନାମ ଜାଣ ଅଟଇ ନହୁଷ

 

ତାହାର ପୁତ୍ର ଯଯାତି ହେଲା ନରଈଶ

ଶୁକ୍ରାଚାର୍ଯ୍ୟ କନ୍ୟା ନାମ ଅଟେ ଦେବଯାନୀ

 

ବୃଷପର୍ବା ଅସୁରର ଏକଇ ନନ୍ଦିନୀ

ତାହାର ନାମ ଶର୍ମିଷ୍ଠା ସେ ଅତି ସୁନ୍ଦରୀ

 

ଯଯାତି ରାଜାର ହେଲେ ଏହି ଦୁଇ ନାରୀ

ଏହାଙ୍କ ଗର୍ଭୁ ସମ୍ଭୂତ ଚାରୋଟି କୁମର

 

ଚାରିଭାଗ କରି ବାଣ୍ଟି ଦେଲେ ନୃପବର

ତୁର୍ବସୁକୁ ପୂର୍ବଦିଗ ଯଦୁକୁ ଦକ୍ଷିଣ

 

ଦ୍ରୁହ୍ୟ ପୁତ୍ରକୁ ପଶ୍ଚିମ ଦିଗଦେଲେ ଜାଣ

ଅନୁକୁ ଉତ୍ତର ଦିଗ ଦେଲେ ନୃପମଣି

 

ଚାରି ଭାଇ ଚାରିଦିନ ପାଳୁଥାନ୍ତି ପୁଣି

ସହସ୍ରାଜିତ ନାମରେ ଯଦୁର କୁମର

 

ତାର ପୁତ୍ର ଶତ୍ରୁଜିତ ନାମେ ନୃପବର

ଶତ୍ରୁଜିତର ନନ୍ଦନ ହଇହୟ ରାଜା

 

ଧର୍ମ ଅନୁସାରେ ସେହି ପାଳେ ଜନପ୍ରଜା

ତାର ପୁତ୍ର ବେଣୁ ହୟେ ଦେଇ ରାଜ୍ୟଭାର

 

ଯୋଗମାର୍ଗେ ତେଜିଲା ସେ ଆପଣା ଶରୀର

ହଇହୟ ପୁତ୍ର ନାମ ଅଟଇ ଯେ ଧର୍ମ

 

ଧର୍ମପୁତ୍ରର ହୋଇଲା ଧର୍ମନେତ୍ର ନାମ

ଧର୍ମନେତ୍ର ପୁତ୍ର ନାମ ଅଟଇ ଯେ କୀର୍ତ୍ତି

 

କୀର୍ତ୍ତିର ପୁତ୍ର ସଞ୍ଜିତ ନାମେ ମହୀପତି

ସଞ୍ଜିତର ପୁତ୍ର ନାମ ଅଟେ ମହାଷ୍ମାନ

 

ଭଦ୍ରଶ୍ରେଣ୍ୟ ବୋଲି ଜାଣ ତାହାର ନନ୍ଦନ

ତା ପୁତ୍ର ଦୁର୍ମଦ ତାର ପୁତ୍ର ଯେ ଅନ୍ଧକ

 

ତାର ପୁତ୍ର କୃତବୀର୍ଯ୍ୟ ପୃଥିବୀ ନାୟକ

କୃତବୀର୍ଯ୍ୟ ପୁତ୍ର ଜାଣ କାର୍ତ୍ତବୀର୍ଯ୍ୟାର୍ଜ୍ଜୁନ

 

ଅଠରଗୋଟା ଦ୍ୱୀପର ଅଟଇ ରାଜନ

ତାର ସମ ବଳବନ୍ତ ନାହିଁ ତିନିପୁରେ

 

ପରଶୁରାମ ମାଇଲେ ତାହାକୁ ସମରେ

କାର୍ତ୍ତାବୀର୍ଯ୍ୟ ନୃପତିର ପାଞ୍ଚଗୋଟି ସୁତ

 

ପିତାତୁଲ୍ୟ ଅଟନ୍ତି ସେ ମହାବଳବନ୍ତ

ରୂପରେ ଗୁଣରେ ତାଙ୍କୁ ନାହିଁ କେହି ସରି

 

ଅସ୍ତ୍ରଶସ୍ତ୍ର ବିଦ୍ୟାରେ ସେ ଅଟେ ପିତାପରି

ମହାରଥୀ ମହାବୀର ବୋଲନ୍ତି ଜଗତେ

 

ଧାର୍ମିକ ବୋଲି ତାହାଙ୍କୁ କହନ୍ତି ସମସ୍ତେ

ତାହାଙ୍କର ନାମ ଏବେ ଶୁଣ ସୁରଦ୍ୱିଜ

 

ଶୁରସେନ ଶୁରକୃଷ୍ଣ ଧୃଷ୍ଣ ଜୟଧ୍ୱଜ

ମାହୀଷ୍ମତୀ ପୁରେ ହେଲା ବଡ଼ଭାଇ ରାଜା

 

ଚାରିଭାଇ କରୁଥାନ୍ତି ତାର ପାଦପୂଜା

ପୃଥିବୀ ରାଜାଙ୍କୁ ଆଣି ଖଟାଇଲେ ପାଦେ

 

ରାଜ୍ୟେ ରାଜ୍ୟେ ହେଲା ତାଙ୍କ ଯଶ କୀର୍ତ୍ତିଉଦେ

ଶୂର ସୁରସେନ କୃଷ୍ଣ କୃଷ୍ଣ ଭାଇ ଚାରି

 

ଶଙ୍କର ତୋଷିଲେ ହୋଇ ଫଳ ମୂଳାହାରୀ

ମହାଦେବ ବରେ ହେଲେ ମହାବଳବନ୍ତ

 

ତାହାଙ୍କ ଶରୀର ବଜ୍ର କଲେ ଉମାକାନ୍ତ

ସାନଭାଇ ଜୟଧ୍ୱଜ ନ ସେବିଲା ହର

 

ନିରନ୍ତନ ଭଜଇ ସେ ଶ୍ରୀବିଷ୍ଣୁ ପୟର

ଦିନେ ଚାରିଭାଇ ବସି ବୋଇଲେରେ ଭାଇ

 

ଧର୍ମ ଛାଡ଼ି ଅଧର୍ମରେ ଯାଉଛ କିମ୍ପାଇ

ଆମ୍ଭ ପିତା ବଳବନ୍ତ ମହାଦେବ ବରେ

 

ଯଶ କୀରତି ଥୋଇ ସେ ଗଲେ ସ୍ୱର୍ଗପୁରେ

ସମ୍ମୁଖ ସଂଗ୍ରାମେ ଦେଲେ ଆପଣା ଜୀବନ

 

ନ ଭୁଞ୍ଜନ୍ତି ନ କଲେ ସେ ଶିବ ଦରଶନ

ତୁହି ସେ ଶିବଙ୍କୁ ଛାଡ଼ି ଭଜୁଅଛୁ ହରି

 

ଏ ଅଧର୍ମ ମାର୍ଗେ ମନ ଦେଉଛୁ କିପରି

ଭାଇମାନଙ୍କର କଥା ଶୁଣି ଜୟଧ୍ୱଜ

 

ବୋଇଲା ମୋହର ପ୍ରଭୁ ଶ୍ରୀ ଗରୁଡ଼ ଧ୍ୱଜ

ଜଗତଜନ ପାଳନ କରନ୍ତି ସେ ହରି

 

ପୃଥିବୀ ରାଜା ତାହାର ଅଂଶେ ଅବତରି

ଏଣୁ ନୃପତି ଏ ନିତ୍ୟ ଶ୍ରୀ ବିଷ୍ଣୁପୂଜିବେ

 

ବିଷ୍ଣୁଙ୍କୁ ଛାଡ଼ି ଅପର ଦେବ ନ ଭଜିବେ

ଏ ଜଗତ ସୃଷ୍ଟିସ୍ଥିତି ପ୍ରଳୟ ନିମନ୍ତେ

 

ତିନିରୂପେ ବିରାଜନ୍ତି ଶ୍ରୀ ଜଗତନାଥେ

ରଜୋଗୁଣ ଧରି ହେଲେ ବ୍ରହ୍ମାରୂପେ ଜାତ

 

ତମୋଗୁଣ ବହି ପୁଣି ହେଲେ ଉମାକାନ୍ତ

ଶ୍ରୀ ବିଷ୍ଣୁରୂପ ଧଇଲେ ସତ୍ୱଗୁଣ ବହି

 

ନିରତେ ପାଳୁଅଛନ୍ତି ଚରାଚର ମହୀ

ବ୍ରହ୍ମା ସୃଷ୍ଟି କରେ ଶିବ କରନ୍ତି ସଂହାର

 

ତାହାର ଏ କଥା ଶୁଣି ଚାରି ସହୋଦର

ବୋଇଲେ ମୋକ୍ଷ ବାଞ୍ଚ୍ଥନ୍ତି ଯେବଣ ପୁରୁଷେ

 

ରୁଦ୍ର ସେବା କରି ମୋହହେବ ଅବଶେଷେ

ଯେଣୁ ଏ ଜଗତ ଯାକ ଅଟେ ଶିବମୟ

 

କଳପ ଅନ୍ତେ କରଇ ପୁଣି ସବୁ କ୍ଷୟ

ତାର ତମୋମୟୀ ମାୟା ଅଟେ ଅଗୋଚର

 

ନିରତେ କରିବ ଏଣୁ ହରସେବା ନର

ଏହା ଶୁଣି ଜୟଧ୍ୱଜ କିଛିକ୍ଷଣ ଭାଳି

 

ବୋଇଲେ ଜଗତପତି ପ୍ରଭୁ ବନମାଳୀ

ମତରେ ମୁକତି ଅଛି କହନ୍ତି ସମସ୍ତେ

 

ବେଦଶାସ୍ତ୍ର ଭାଗବତ ପୁରାଣେ ଭାରତେ

ରାମ ଗୋବିନ୍ଦ ମୁରାରୀ ଶ୍ରୀକୃଷ୍ଣ ଶ୍ରୀହରି

 

ଭାବ ସମୁଦ୍ରରୁ ସିନା ପାରନ୍ତି ଉଦ୍ଧାରି

ଏହାଶୁଣି ବୋଇଲେ ସେ ଚାରି ସହୋଦର

 

ଯେହୁ ସାତ୍ୱିକ ଭାବରେ ପୂଜିବ ଶଙ୍କର

ଦେବଦେବ ମହାଦେବ ଦେବ ତାକୁ ମୋକ୍ଷ

 

ହସି ହସି ଜୟଧ୍ୱଜ ଦେଲା ଉପଲକ୍ଷ

ଦେବତା ହରିଙ୍କ ଭଳି ହୋଇଲେ ଅମର

 

ଦାନବେ ଶିବଙ୍କୁ ଭଜି ଯାନ୍ତି ଯମଘର

ହରି ଭକତ ଯେତେକ ଲଭନ୍ତି ମୁକତି

 

ଯେତେକ ଶିବ ଭକତ ଜନମନ୍ତି କ୍ଷିତି

ଋଷି ମୁନିମାନେ ଯାହା କହିଛନ୍ତି ଶୁଣ

 

ଆପଣାର ଧର୍ମ ଏକା ମୁକତି କାରଣ

ପର ଧର୍ମ କଲେ ହୁଏ ଏ ଜୀବ ଅମୋକ୍ଷ

 

ଏଣୁ ରାଜାଏ ଭଜିବେ ଶ୍ୱେତପଦ୍ମ ଅକ୍ଷ

ଏହା ଜାଣି ଶୁଣି ମୁହିଁ ଭଜଇ ମୁରାରି

 

ତୁମ୍ଭେ କହୁଛ ଅଧର୍ମ କଲି ମୁଁ କିପରି

ମହା ବୁଦ୍ଧିମନ୍ତ କୃଷ୍ଣ ବୋଇଲେକ ହସି

 

ଆମ୍ଭର ପିତା ଅର୍ଜ୍ଜୁନ ହଇହୟ ବଂଶୀ

ଯେଉଁ ଧର୍ମ ବାଟ ଯାଇ ଅଛନ୍ତି ଦେଖାଇ

 

ଆମ୍ଭର ସ୍ୱଧର୍ମ ସେହି ସିନା ଆରେ ଭାଇ

ଅପଥେ ଯାଉଛୁ ତୁହି ସେ ପଥକୁ ଛାଡ଼ି

 

କଥା ନ ମାନି ଅମଡ଼ା ଯାଉଅଛୁ ମାଡ଼ି

ଆମ୍ଭ ପିତା କାର୍ତ୍ତବୀର୍ଯ୍ୟ ସେହି ତ୍ରିପୁରାରୀ

 

ଅଷ୍ଟାଦଶ ଦ୍ୱୀପରେ ଯେ ହେଲା ଅଧିକାରୀ

ରାବଣ ପରା ବୀରକୁ ପକାଇଲା ବାଜୀ

 

କର୍ମ ଅବଳକୁ ହେଲା ବିପ୍ରରେ ବିବାଦୀ

ଏକୋଇଶ ବାର ସେହି ବିପ୍ର ଗଲା ହରି

 

ମହା ପ୍ରତାପୀ ହୋଇଲା ରୁଦ୍ର ସେବା କରି

କୃପାକରି ପାଶୁପତ ଅସ୍ତ୍ର ଦେଲେ ହର

 

ତହିଁରେ କାଟିଲା ଆମ୍ଭ ପିତାଙ୍କର ଶିର

ବୋଇଲା ହୋ ଜୟଧ୍ୱଜ ହର ବର ପାଇ

 

ମାରି ନ ପାରିଲା କେଭେ ସେ ବିପ୍ର ଗୋସାଇ

ବିଷ୍ଣୁ କଳା ପାଇବାରୁ ହେଲା ବଳବନ୍ତ

 

ବଇଷ୍ଣବ ଧନୁ ତାକୁ ଦେଲେ ଲକ୍ଷ୍ମୀକାନ୍ତ

ତେଣୁ ସେ ଆମ୍ଭ ପିତାକୁ ଜିଣିଲା ସମରେ

 

ବିଷ୍ଣୁ ହସ୍ତେ ମରି ଗଲା ବଇକୁଣ୍ଠ ପୁରେ

ଏମନ୍ତ ଯେ ପାଞ୍ଚ ଭାଇ ବସିକଲେ କଳି

 

ବୋଲଇ ସେ ଶୂରସେନ କିଛିକ୍ଷଣ ଭାଳି

ଋଷି ମୁନିଙ୍କି ଅଣାଇଁ ସଭାଏ ଥାପିବା

 

ଯେ ଯାହା କହିବେ ଆମ୍ଭେ ତାହାହିଁ କରିବା

ସମସ୍ତଙ୍କ ମନକୁ ଯେ ଅଇଲା ସେ କଥା

 

ଆସ୍ଥାନ ସ୍ଥାପିଲେ ତହିଁ ପଞ୍ଚ ମହାରଥା

ଦୂତ ବରଗି ଡକାଇ ଆଣିଲେକ ବରି

 

ଅଇଲେକ ଗୋଟି ଗୋଟି ହୋଇ ତପଚାରୀ

ବଶିଷ୍ଠ ଯେ ମାରକଣ୍ତ ଋଷି ପରାଶର

 

ଅସିତ ଦେବଳ ଦକ୍ଷ କ୍ରତୁ ପରାଶର

କଶ୍ୟପ ଶକତି ମୁନି ଅଗସ୍ତି ଗୌତମ

 

ସତ୍ୟବତୀ ସୁତ ବ୍ୟାସ ଋଷିଙ୍କ ଉତ୍ତମ

ସମସ୍ତେ ଶିଷ୍ୟ ସହିତେ ମିଳିଲେ ସଭାରେ

 

ପାଞ୍ଚଭାଇ ଅର୍ଘ୍ୟ ନେଇ ଦେଲେ ତାଙ୍କ ଶିରେ

ଧୂପ ଦୀପ ଗନ୍ଧ ପୁଷ୍ପେ ପୂଜିଲେ ପୟର

 

ବୋଇଲେ ସଭାରେ ଶୂରସେନ ଯୋଡ଼ିକର

ଅଷ୍ଟାଦଶ ପୁରାଣ ଯେ ନବ ବ୍ୟାକରଣ

 

ରାମାୟଣ ଭାରତହିଁ କରିଛ ଆପଣ

ଚାରିବେଦ ଜାଣ ଶାଖା ସହିତରେ ପୁଣି

 

ଜଣେ ଜଣେ ଅଟ ତୁମ୍ଭେ ବ୍ରହ୍ମା ତୁଲ୍ୟ ମୁନି

ଆମ୍ଭ ପାଞ୍ଚ ଭାଇଙ୍କର ଭାଙ୍ଗିଦିଅ କଳି

 

ଆମ୍ଭେ ଚାରିଭାଇ କହୁ ପୂଜିବା ତ୍ରିଶୂଳୀ

ଏକା ଜୟଧ୍ୱଜ କହେ ହରି ସେବା ମୂଳ

 

ଆନ ଦେବତା ପୂଜିଲେ ନାହିଁ କିଛି ଫଳ

ସକଳ ମୁନି କହିଲେ ସଭାରେ ବିଚାରି

 

ବ୍ରହ୍ମାଙ୍କ କଥା ଅନ୍ୟଥା କେହୁ କରିପାରି

ରାଜାମାନଙ୍କର ଇଷ୍ଟ ବିଷ୍ଣୁ ପୁରନ୍ଦର

 

ବ୍ରହ୍ମା ରୁଦ୍ର ସୂର୍ଯ୍ୟ ଅଗ୍ନି ଇଷ୍ଟ ଦ୍ୱିଜବର

ଦେବତାମାନଙ୍କ ଇଷ୍ଟ ନାରାୟଣ ଦେବ

 

ଦାନବ ମାନଙ୍କ ଇଷ୍ଟ ଦେବ ମହାଦେବ

ଯକ୍ଷ ଗନ୍ଧର୍ବଙ୍କ ଇଷ୍ଟ ଚନ୍ଦ୍ରମା ଅଟଇ

 

ବ୍ରହ୍ମା ଯାହା କହିଛନ୍ତି ଶୁଣ ମନଦେଇ

ଏ ସଭାରେ ବସିଛନ୍ତି ଋଷି ମୁନିଯେତେ

 

ସେମାନେ ବିଚାରି ଯାହା କହିଛନ୍ତି ମୋତେ

କହୁଛନ୍ତି ଶୁଣ ତାହା କହିଲେ ବଶିଷ୍ଠ

 

ବିଦ୍ୟାଧର ଗଣଙ୍କର ସରସ୍ୱତୀ ଇଷ୍ଟ

ସିଦ୍ଧଗଣଙ୍କର ଇଷ୍ଟ ଦେବତା ଶ୍ରୀହରି

 

ରାକ୍ଷସଙ୍କ ଇଷ୍ଟ ରୁଦ୍ର ଜାଣ ଦଣ୍ତଧାରୀ

କିନ୍ନର ମାନଙ୍କ ଇଷ୍ଟ ଦେବତା ପାର୍ବତୀ

 

ଋଷିଙ୍କର ଇଷ୍ଟଦେବ ବ୍ରହ୍ମା ପଶୁପତି

ଉମାଦେବୀ ଅଟନ୍ତି ଯେ ସ୍ତିରୀଙ୍କର ଇଷ୍ଟ

 

ଶୁଣନ୍ତି ନୃପତିମାନେ କହନ୍ତି ବଶିଷ୍ଠ

ଗୃହୀମାନଙ୍କର ଇଷ୍ଟ ସୂର୍ଯ୍ୟ ହରିହର

 

ବ୍ରହ୍ମାହିଁ ଇଷ୍ଟଦେବତା ବ୍ରହ୍ମଚାରୀଙ୍କର

ସୂର୍ଯ୍ୟଦେବତା କେବଳ ଇଷ୍ଟ ସନ୍ନ୍ୟାସୀର

 

ଯତିମାନଙ୍କର ଇଷ୍ଟ ଦେବ ମହେଶ୍ୱର

ଭୂତମାନଙ୍କର ଇଷ୍ଟ ରୁଦ୍ର ଏକା ଜାଣ

 

କୁଷ୍ମାଣ୍ତଗଣର ଇଷ୍ଟ ବିନାୟକଗଣ

ସବୁ ଲୋକମାନଙ୍କର ଇଷ୍ଟ ଗଣପତି

 

ମନର ମୁଳେ ଜଗତ ଜାଣ ନରପତି

ଯାହାର ମନ ଯହିଁକି ଗଲା ସେ ତା ଇଷ୍ଟ

 

ସବୁ ଦେବତାଙ୍କ ମଧ୍ୟେ ନାରାୟଣ ଶ୍ରେଷ୍ଠ

ରାଜାମାନେ ମୁନିଙ୍କର ମୁଖୁଁ ଏହା ଶୁଣି

 

ଗଉରବ କରି ତାଙ୍କୁ ଦେଲେକ ମେଲାଣି

ଆନନ୍ଦରେ ଗଲେ ସର୍ବେ ଗଉରବ ପାଇ

 

ଯେ ଯାହା ପୁରକୁ ଉଠିଗଲେ ନରସାଇଁ

ଶୂର ଶୂରସେନା କୃଷ୍ଣ ଧୃଷ୍ଣ ଏହି ଚାରି

 

କଇଳାସ ପର୍ବତରେ ହର ସେବା କରି

ମହାବଳବନ୍ତ ହେଲେ ମହେଶ୍ୱର ବରେ

 

ଚାରିଦିଗ ସାଧ୍ୟ କଲେ ସେହି ଚାରିବୀରେ

ଚାରିଦିଗେ ଚାରିଭାଇ ହୋଇଲେ ନୃପତି

 

ମହା ପ୍ରତାପୀ ହୋଇଣ ପାଳିଲେ ସେ କ୍ଷିତି

ଜୟଧ୍ୱଜ ଅଟଇ ଯେ ଶ୍ରୀବିଷ୍ଣୁ ଭକତ

 

ନିରତେ ଶ୍ରୀହରି ପାଦପଦ୍ମେ ଥାଇ ଚିତ୍ତ

ନାରାୟଣ ପ୍ରତିମାକୁ ରଖିଥାଇ ଘରେ

 

ଗନ୍ଧ ପୁଷ୍ପଧୂପ ଦୀପ ଦେଇ ପୂଜାକରେ

ଦିନେ ଭକତବାନ୍ଧବ ପ୍ରଭୁ ଭାବଗ୍ରାହୀ

 

ଲକ୍ଷ୍ମୀଙ୍କି ଘେନି ଗରୁଡ଼ ପୃଷ୍ଠରେ ଆରୋହୀ

ଶଙ୍ଖ ଚକ୍ର ଗଦା ଧରି ତହିଁ କଲେ ବିଜେ

 

ଦେଖିଲେ ବିଷ୍ଣୁ ପ୍ରତିମା ଜୟଧ୍ୱଜ ପୂଜେ

ପାଞ୍ଚ ମନ ପ୍ରକୃତିକି ରଖି ଏକଠାବେ

 

ଗନ୍ଧ ପୁଷ୍ପ ଧୂପ ଦୀପ ଦେଇ ଶ୍ରଦ୍ଧାଭାବେ

କରଦୁଇ ଯୋଡ଼ି କରେ ଶ୍ରୀବିଷ୍ଣୁଙ୍କୁ ସ୍ତୁତି

 

କାହିଁ ଅଛ ହେ ମାଧବ କମଳାର ପତି

କାହିଁ ପାଇଁ ମୋତେ କଥା ନ କହୁଛ ହରି

 

ପୁରାଣର କଥା କି ମିଛ ଆହେ ଚକ୍ରଧାରୀ

ପ୍ରହ୍ଲାଦ କଥାରେ ଖମ୍ବୁ ହୋଇ ଅବତାର

 

ମହା ପ୍ରତାପୀ ଦଇତ ତାହାର ପିଅର

ତିନି ଭୂବନ କଣ୍ଠକ ବଳବନ୍ତ ଅତି

 

ମେରୁଗିରି ତୁଲ୍ୟ ଯାର ଅଟଇ ମୂରତି

ନଖେ ବିଦାରି ଧଇଲୁ ତାହାକୁ ତୁ ନଖେ

 

ପୁଷ୍ପପ୍ରାୟ ବିରାଜିଲା ଦେଖି ଚତୁର୍ମୁଖେ

ବେଦବର ତୋତେ ସ୍ତିତି କଲା କରଯୋଡ଼ି

 

ପ୍ରହ୍ଲାଦ ଅସୁର ତୋର ପାଦତଳେ ପଡ଼ି

କହିବାରୁ ଶାନ୍ତମୂର୍ତ୍ତି ହୋଇଲୁ ତୁ ପୁଣ

 

ବିଶ୍ୱବ୍ୟାପି ବୋଲାଇଲୁ ପ୍ରଭୁ ନାରାୟଣ

ତୁ ସ୍ୱାମୀ କାଷ୍ଠ ପାଷାଣେ ଥାଉ ବୋଲି ତୋତେ

 

ସର୍ବଜ୍ଞ ବୋଲି ବୋଲାନ୍ତି ଜଗତେ ସମସ୍ତେ

ଏମନ୍ତେ ବହୁତ ସ୍ତୁତି କଲେ ଜୟଧ୍ୱଜ

 

ଭକତ ଭାବରେ ମଜ୍ଜି ପ୍ରଭୁ ଦେବରାଜ

ଦରଶନ ଦେଲେ ତହିଁ ନିଜରୂପ ଧରି

 

ଦେବାର୍ଚ୍ଚନ ମନ୍ଦିରକୁ ଜ୍ୟୋତିରେ ବିସ୍ତାରି

କଟୀତଟେ ପୀତପଟ ଦିଶେ ଜକ ଜକ

 

ବକ୍ଷସ୍ଥଳେ ଶୋଭାପାଏ ଶ୍ରୀବତ୍ସ ପଦକ

କଉସ୍ତୁଭମଣି ଗୋଟି ଦିକି ଦିକି ଜଳେ

 

ଲକ୍ଷ୍ମୀଦେବୀ ବିରାଜନ୍ତି ଶ୍ରୀପଦକମଳେ

ଈଷତ୍ ହାସରେ ଶୋଭା ବଦନ ମଣ୍ତଳ

 

ତହିଁରେ ବିରାଜୁ ଅଛି ନୟନ କମଳ

ରଙ୍ଗିମା ଅଧର ବିମ୍ବ ଫଳକୁ ନିନ୍ଦଇ

 

ଶଙ୍ଖ ଚକ୍ର ଗଦା ପଦ୍ମ କରେ ବିରାଜଇ

ଦେଖି ସେ ଅପୂର୍ବ ରୂପ ରାଜା ଜୟଧ୍ୱଜ

 

ମନେ ବିଚାରଇ ଏତ ଶ୍ରୀ ଗରୁଡ଼ ଧ୍ୱଜ

ଏମନ୍ତ ଭାଳି ଭୂମିରେ ଲୋଟାଇଲା ଶିର

 

ଉଠି ବୋଇଲେ ହେ ପ୍ରଭୁ କରୁଣା ସାଗର

ଦୀନଜନ ବାନ୍ଧବ ହେ ଶ୍ରୀବତ୍ସଲାଞ୍ଚ୍ଥନ

 

ଏମନ୍ତବହୁତ ସ୍ତୁତି କରନ୍ତେ ରାଜନ

ଶ୍ରୀହରି ବୋଇଲେ ବାବୁ କି ଇଚ୍ଛା ତୋହର

 

ପରମ ଭକତ ତୁହି ଅଟୁରେ ମୋହର

ଏହା କହିଣ ଆଉଁସି ଦେଲେ ଆପେ ଆସି

 

ଲକ୍ଷ୍ମୀ ଘେନି ସିଂହାସନେ ବିଜେ ବ୍ରହ୍ମରାଶି

ବୋଇଲେରେ ଜୟଧ୍ୱଜ ମାଗି ଘେନବର

 

କରଯୋଡ଼ି ଶିରେ ଦେଇ ବୋଲେ ନୃପବର

ଏହି ବର ଦିଅ ମୋତେ ହେବି ତବ ଦାସ

 

ଜନ୍ମେ ଜନ୍ମେ ଭଜୁଥିବ ମୁହିଁ ପୀତବାସ

ଶ୍ରୀହରି ବୋଇଲେ ତାହା ଦେଲି ବାବୁ ତୋତେ

 

ଏ ମହୀମଣ୍ତଳେ ତୁହି ରହି ଦିନାକେତେ

ପୁଣି ଜନ୍ମ ହୋଇ ରାଜକୁଳେ ହେବୁ ରାଜା

 

ଜଗତଜନ କରିବେ ତୋର ପାଦପୂଜା

ଏହିରୂପେ ସାତଜନ୍ମ ଗଲେ ହେବୁ ମୋକ୍ଷ

 

ରହିବୁ ମୋହର ପୁରେ ହୋଇ ଭକ୍ତମୁଖ୍ୟ

ଯେତେ ଦିନଯାଏ ବାବୁ ଥିବୁ ଏହି ଦେହେ

 

ଲକ୍ଷ୍ମୀଦେବୀ ସର୍ବଦା ଯେ ଥିବେ ତୋର ଗୃହେ

ଆମ୍ଭ ବୋଲେ ବୋଲାଇବୁ ତୁହି ମହାବୀର

 

ହୋଇବୁ ତୁ ଏ ପୃଥିବୀ ମଧ୍ୟରେ ଈଶ୍ୱର

ଦେବ ଦାନବ ମାନବ ଗନ୍ଧର୍ବ କିନ୍ନରେ

 

ଜିଣି ନ ପାରିବେ ବାବୁ ତୋତେ ସଂଗ୍ରାମରେ

ନିମିଷକେ ତିନିପୁରେ ଯିବ ତୋର ରଥ

 

ନିରୋଧି ନ ପାରିବ କେ ତୋର ରଥ ରଥ

ବଜ୍ରହୁଁ କଠିନ ହେବ ତୋହର ଶରୀର

 

ଅସ୍ତ୍ର ଶସ୍ତ୍ର ନ ଭେଦିବ ଦେହରେ ତୋହର

ଦେବ ଅସୁର ଗନ୍ଧର୍ବ ନାଗଙ୍କର ମାୟା

 

ଛୁଇଁ ନ ପାରିବ ବାବୁ ଏ ତୋହର କାୟା

ବ୍ରହ୍ମଅଗ୍ନି ସୂର୍ଯ୍ୟସମ ହେବ ତୋର ବାଣ

 

ତୋହର ହୃଦୟ ହେବ ଲୁହାଠାରୁ ଟାଣ

ଦେବଶର ନାଗପାଶ ଅସୁରଙ୍କ ଶର

 

ଯମ କାଳପାଶ ବିଷ୍ଣୁ ଚକ୍ର ବ୍ରହ୍ମଶର

ପାଶୁପତ ବଜ୍ରଶର ପ୍ରାପ୍ତ ତୋତେ ହେଉ

 

ଏମନ୍ତ କହି କବଚ ଦେଲେ ମହାବାହୁ

ନାରାୟଣ କବରେ ହେଲା ମହାବଳୀ

 

ବର ଦେଇ ଅନ୍ତର୍ଦ୍ଧାନେ ଗଲେ ବନମାଳୀ

କହୁଛନ୍ତି କୂର୍ମରୂପୀ ଦେବ ଚକ୍ରଧାରୀ

 

ଶୁଣୁଛନ୍ତି ସୁର ମୁନିମାନେ ହେତୁକରି

 

ପରଶୁରାମର ଯୁଦ୍ଧ ଓ ଶୂରସେନ ପ୍ରଭୃତି ରାଜାଙ୍କର ପରାଜୟ

 

ଦିନେ ସଭା କଲେ ବସି ଚାରି ସହୋଦର

 

ଡକାଇ ଆଣି ସେ ଚାରିଦିଗୁ ନୃପବର

ଶୂରସେନ ବୋଲେ ଶୁଣ ନରପତିମାନେ

 

ଧାର୍ମିକ ନ ଥିଲା କେହି ମୋ ପିତା ସମାନେ

ବଳବନ୍ତ ପଣେ ତାକୁ ମେରୁ ନୋହେ ସରି

 

ବିଷ୍ଣୁର ସମାନ ସେହୁ ଅଟେ ଶସ୍ତ୍ରଧାରୀ

ବାସବ ତୁଲ୍ୟ ସେ ପୁଣି ଅଟେ ମହାବୀର

 

ଧନବନ୍ତପଣେ ସମ ନୋହିବ କୁବେର

ତରୁତୁଲ୍ୟ ଅଟଇ ସେ ପର ଉପକାରୀ

 

ସମୁଦ୍ର ସମାନ ଥାଟ ଥିଲାହିଁ ତାହାରି

ଯମର ପରାୟ ତାର ଶତ୍ରୁଠାରେ ଧାଡ଼ି

 

ଶତ୍ରୁ ଶରଣ ପଶିଲେ ଦିଏ ତାକୁ ଛାଡ଼ି

ସଭା ଯାହାର ସୁଧର୍ମା ସମାନ ଅଟଇ

 

ସୂର୍ଯ୍ୟ ତୁଲ୍ୟ ଯା ପ୍ରତାପ ନ ପାରନ୍ତି ସହି

ଦାନୀପଣେ ଶିବିରାଜା ନୋହିବ ସମାନ

 

ବଳିରାଜା ତୁଲ୍ୟ ସେହି ଯଜ୍ଞକାରୀ ଜନ

ପୃଥିବୀ ତୁଲ୍ୟ ଭୃତ୍ୟର ଦୋଷକୁ ସହଇ

 

ସୁରଗୁରୁ ତୁଲ୍ୟ ସେହୁ ପଣ୍ତିତ ଅଟଇ

ଶୁକ୍ରପ୍ରାୟ ନୀତିଶାସ୍ତ୍ରେ ଅଟଇ ପଣ୍ତିତ

 

ମହଦୈତ୍ୟ ତୁଲ୍ୟ ମାୟା ଜାଣଇ ବହୁତ

ବୁଦ୍ଧିରେ ସେ ବ୍ରହ୍ମା ତୁଲ୍ୟ ବିଚାରକ ଜଣେ

 

ସଂଗ୍ରାମରେ ତିନିପୁରେ କାହାକୁ ନ ଗଣେ

ଟାଣପଣେ ଭାଙ୍ଗିଯିବ ନ ଯିବ ସେ ନଇଁ

 

ଅଷ୍ଟାଦଶ ଦ୍ୱୀପରେ ସେ ଥିଲା ନରସାଇଁ

ସାମାନ୍ୟ ବ୍ରାହ୍ମଣ ଟୋକା ହାତେ ଦେଲା ପ୍ରାଣ

 

ଆମ୍ଭର ପିତୃ ବଇରୀ ଅଟେ ସେ ବ୍ରାହ୍ମଣ

ପିତୃ ବଇରୀ କି ସାଧି ନ ପାରେ ଯେ ପୁତ୍ର

 

ତାହାର ସେ ଜନ୍ମଗୋଟା ଜାଣ ଅପବିତ

ଅନ୍ତେ ସେ ନରକ ଭୋଗ କରେ ପୁଣି ଯାଇଁ

 

କୁପୁତ୍ର ମଧ୍ୟେ ଗଣନା ସେ ପୁଣି ହୁଅଇ

ଏଣୁକରି ସଭାରେ ମୁଁ କହୁଛି ତୁମ୍ଭଙ୍କୁ

 

ତୁମ୍ଭେମାନେ ସାହାହେବ ସଂଗ୍ରାମେ ଆମ୍ଭଙ୍କୁ

ଶୂରସେନ କଥା ଶୁଣି ସଭାର ନୃପତି

 

ଧନ୍ୟ ଧନ୍ୟ ଶୂରସେନ ବୋଲି ପ୍ରଶଂସନ୍ତି

ମଗଧ ଦେଶର ରାଜା ନାମ ବୃହଧ୍ୱଜ

 

ସେ ବୋଇଲା ତୁମ୍ଭ ପିତା ଥିଲେ ମହାରାଜ

ଯମଦଗ୍ନି ଋଷି ଘରେ ହୋଇଲେ ଅତିଥି

 

ଏକାକେ ନୁହଇ ସଙ୍ଗେ ଅଛି ଘୋଡ଼ା ହାତୀ

ଅରଣ୍ୟରେ ଫଳମୂଳେ ରହି ରାତିଯାକ

 

ଝଡ଼ ବରଷାରେ ଥରି ଥରି ରାଜାଲୋକ

ଋଷି ମଢ଼ିଆରେ ରହି କ୍ଷୁଧା ତୃଷା ହରି

 

ବିପ୍ରର ଧେନୁକୁ ବଳେ ଆଣିଲେକ ଧରି

ସେ କାନ୍ଦି କହିଲେ ଯେତେ ନ ଶୁଣିଲେ କାନେ

 

ଧେନୁ ବିହୁନେ ସେ ଋଷି ବଞ୍ଚନ୍ତା କେସନେ

ଏଥିଯୋଗୁଁ ଋଷି କଲା ତା ସଙ୍ଗେ ସମର

 

ଚୋରକୁ ଯେ ଶାସ୍ତି ଆଜି ଶାସ୍ତ୍ରର ବେଭାର

ତଥାପି ନ ଦେଲା ଗାଈ ଲୋଭେ ତୋର ପିତା

 

ଧର୍ମକୁ ଛାଡ଼ି ଅଧର୍ମ କଲା ବଳବନ୍ତା

ସାତବାର ହାରି ତହୁଁ ଅଇଲା ପଳାଇ

 

ବ୍ରହ୍ମ ଅସ୍ତ୍ର କଲା ଧର୍ମ ଛାଡ଼ି ନରସାଇଁ

କେଡ଼େ ବଡ଼ ଋଷି ଗୋଟା ପକାଇଲା ମାରି

 

ତେଣୁ ତା ପୁତ୍ର ହସ୍ତରେ ମଲା ଦଣ୍ତଧାରୀ

ଶୂରସେନ ବୋଇଲା ଯେ କହିଲ ଅନୀତି

 

ଗାଈରେ କି ଅଧିକାରୀ ନୁହଇ ନୃପତି

ଧନଧାନ୍ୟ ଗୋପଲକ୍ଷ୍ମୀ ରାଜ୍ୟେଅଛି ଯେତେ

 

ସେ ସମସ୍ତ ନୃପତିର ଜାଣ ଶାସ୍ତ୍ରମତେ

ମୋ ପିତା ମାଗିଲା ଯେବେ ଋଷି କି ସେ ଗାଈ

 

ନ ଦେଇ ସେ ଋଷି କିମ୍ପା ଦ୍ୱନ୍ଦ୍ୱକଲା ଯାଇଁ

ବିପ୍ର ହୋଇ ଧର୍ମ ହୁଡ଼ି ଅଧର୍ମକୁ ଗଲା

 

କରେ ଧନୁଶର ଧରି ଯୁଦ୍ଧ ଯାଇଁ କଲା

ଅଧର୍ମ ବିପ୍ର ଅଟଇ ଚାଣ୍ତାଳ ସମାନ

 

ନୃପତିର ଧର୍ମ ତାକୁ କରିବ ନିଧନ

ଯେଣେ ସାଧ୍ୟ ହେବ ଦୁଷ୍ଟଜନକୁ ସାଧିବ

 

ଧର୍ମ ଅଧର୍ମ ତହିଁରେ କିଛି ନ ଭାଳିବ

ଯୁଦ୍ଧେ ଗୋ ବ୍ରାହ୍ମଣ ଶିରଚ୍ଛେଦ ନାହିଁ ଦୋଷ

 

କ୍ଷତ୍ରିୟର ଧର୍ମ ଏହା ଜାଣ ନରଈଶ

ଦୁଷ୍ଟଜନଙ୍କୁ ସଂହାରି ସନ୍ଥକୁ ପାଳିବ

 

ଦୁଷ୍ଟ ବିପ୍ରକୁ ଆପଣା ଦେଶେ ନ ରଖିବ

ରାଜାର ଯୋଗ୍ୟ ହୋଇବ ରାଜ୍ୟେ ଯେଉଁନାରୀ

 

ତାହାକୁ ବଳେ ଆଣଇ ଯେବେ ଦଣ୍ତଧାରୀ

ତହିଁରେ ତାହାର ଦୋଷ ନ ହୁଅଇ ଜାଣ

 

ଋଷି ମୁନି କହିଛନ୍ତି ପୁରାଣେ ବଖାଣ

ଦୁହାଁଳିଆ ଗାଈ ରାଜ୍ୟେ ପାଇଲେ ରାଜନ

 

ଯାହାର ତାହାର ହେଉ ଅବା ସେ ଗୋଧନ

ବିପ୍ର କ୍ଷତ୍ରୀ ବୈଶ୍ୟ କିଛି ବାରଣ ନ କରି

 

କଳେ ବଳେ କଉଶଳେ ଆଣିପାରେ ହରି

ଯାହାର ଘରେ ବହୁତ ଥିବ ପୁଣି ଧନ

 

ସେ ଧନକୁ ବଳେ ଆଣି ପାରଇ ରାଜନ

ଏହି ରାଜନୀତି କଥା ନ ଛାଡ଼ିଲା ପିତା

 

ତହିଁରେ ତାକୁ ନ ଲାଗେ ଦୋଷ ବ୍ରହ୍ମହତ୍ୟା

କର୍ମ ଅବଳକୁ ସିନା ଏ କଥା ଘଟିଲା

 

ବ୍ରାହ୍ମଣ ଟୋକାଟା ଆସି ତା ମୁଣ୍ତ କାଟିଲା

ସେ ଟୋକା ଖଣ୍ତକ ପୁଣି ଏଡ଼େକ ପ୍ରଚଣ୍ତ

 

ଯହିଁ ଦେଖିଲା କ୍ଷତ୍ରିୟ କାଟିଲା ତା ମୁଣ୍ତ

ଭ୍ରୂଣ ହତ୍ୟା ଶିଶୁ ହତ୍ୟା ପାପକୁ ନ ଡରି

 

ଗର୍ଭେ ଥିବା ବାଳକକୁ ପକାଇଲା ମାରି

ଗର୍ଭିଣୀ ନାରୀ ମାରିଛି ପୁଣି ସେ ଯେତେକ

 

କ୍ଷତ୍ରୀ କୁଳର ହୋଇଛି ସେ ବିପ୍ର ଅନ୍ତକ

ବାଳବୃଦ୍ଧ ଯୁବା ଶିଶୁ ବିଚାରହିଁ ନାହିଁ

 

ମାରିଲା ଧରି ଯାହାକୁ ପାଇଳା ସେ ଯହିଁ

ବାରେ ନୁହେଁ ଏକୋଇଶ ବାର ଏହିପରି

 

ପୃଥ୍ୱୀଯାକ ଖୋଜି ଖୋଜି ସେ ବିପ୍ର ସଂହାର

ଗର୍ଭିଣୀ ନାରୀ ଯେ ସବୁ ଥିଲେ ଅନ୍ତଃପୁରେ

 

ସେ ଯାଇଁ ଡରେ ଲୁଚିଲେ ବିପ୍ରଙ୍କର ଘରେ

ଏଡ଼େ ଅବିଚାର କଥା କେ କରିଛି କାହିଁ

 

କ୍ଷତ୍ରିୟକୁଳେ କଳଙ୍କ ପୋତିଅଛି ସେହି

ସେ ବିପ୍ରକୁ ଯେବେ ଶାସ୍ତି ଦେଇ ନ ପାରିବ

 

ଆମ୍ଭେ ଆଉ ଧନୁଶର କିମ୍ପାଇଁ ବହିବା

ଶୂରସେନ କଥା ଶୁଣି ନରପତିଗଣ

 

ବୋଇଲେ ତୁ ଧନ୍ୟ ଧନ୍ୟ ଶୂରସେନରାଣ

ଏକାଠି ନ ହେବା ହେତୁ ପାଉଥାଏଁ ଶାସ୍ତି

 

ବ୍ରାହ୍ମଣ ଟୋକାଟା ତାର କେତେ ଅବା ଛାତି

ଆମ୍ଭ ବଳ କଳ ଯାକ କଳିବାରୁ ସିନା

 

ଘରେ ଘରେ ପଶି କରେ ହାଡ଼ ଗୋଡ଼ଚୂନା

ଏମନ୍ତ ବିଚାରି ସବୁ ରାଜା ହେଲେ ଏକ

 

ରଥ ଗଜ ଅଶ୍ୱ ସଙ୍ଗେ ଅଛନ୍ତି ପାଇକ

ଚୋଖା ଚୋଖା ତୁରଙ୍ଗମସାଜି ପଟୁଆରେ

 

ଆଗଭର ହେଲେ ଆସି କୁନ୍ତ ଘେନିକରେ

ରଥ ସାଜି ସାରଥିଏ ରଥ ଦେଲେ ଆଣି

 

ଧନୁ ଧରିଣ ବସିଲେ ତହିଁ ନୃପମଣି

ବାଜିଲା ବିବିଧ ବାଦ୍ୟ କମ୍ପିଲା ଧରଣୀ

 

ଅଶ୍ୱଙ୍କର ହ୍ରେସାରବ ସିନ୍ଧୁଘୋଷ ଜିଣି

ହସ୍ତୀଙ୍କର ଗରଜନ ନିର୍ଘାତ ପରାୟ

 

ଦେବ କି ଦାନବ ମନେ ଉପୁଜଇ ଲୟ

ଯୋଦ୍ଧାମାନେ ଛାଡ଼ୁଛନ୍ତି ଘନ ଘନ ରଡ଼ି

 

କକଡ଼ା ମାସରେ ଯେହ୍ନେ ମେଘ ଘଡ଼ଘଡ଼ି

ବୀରବାଦ୍ୟ ଟମକରେ ପୃଥିବୀ ଚମକେ

 

ସଂଗ୍ରାମରେ ମହାବଳୀ ଜାଣ ଏକୁଁ ଏକେ

ବାହାସ୍ଫୋଟ ମାରି ଶୂନ୍ୟେ ମାରୁଛନ୍ତି ଚିରା

 

ପ୍ରତିଜ୍ଞା କରନ୍ତି ଏକୁଁ ଏକ ମହାବୀରା

ଯମଦଗ୍ନି ଆଶ୍ରମରେ ରେଣୁକା ନନ୍ଦନ

 

ଟମକ ଶୁଣି ଚମକି ପଡ଼ିଲେ ବହନ

ଯଷ୍ଟି ପ୍ରହାରିଲେ ଯେହ୍ନେ ଗର୍ଜଇ ପନ୍ନଗ

 

କ୍ରୋଧେ ତାହାଙ୍କର ବେନି ଚକ୍ଷୁ ହେଲା ରଙ୍ଗ

ଥରିଲା ଅଧର ଦୁଇ ନାଚିଲା ଭ୍ରୂଲତା

 

ମନେ ପଡ଼ିଗଲା ଯମଦଗ୍ନି ମୁନି କଥା

ତପ ତେଜି ବଇଷ୍ଣବ ଧନୁକୁ ଧଇଲେ

 

ହସ୍ତରେ ପରଶୁ ଧରି ବାହାରି ଅଇଲେ

ରେରେକାର ଶବଦରେ କମ୍ପଇ ବ୍ରହ୍ମାଣ୍ତ

 

ମେରୁ ଗିରି ଶୃଙ୍ଗ କିବା ହେବ ଖଣ୍ତ ଖଣ୍ତ

ଆକାଶ ଛିଡ଼ି କି ଅବା ପଡ଼ିବ ପାତାଳେ

 

ଭୂମି କି ରହିବ ଯାଇଁ ଗଗନ ମଣ୍ତଳେ

କୂଳକୁ ଲଙ୍ଘିବ କିବା ସାତସିନ୍ଧୁ ଜଳ

 

ଧାଆଁନ୍ତେ ତାହାଙ୍କ ମୁଖ ଦିଶେ ବିକଟାଳ

ପାଦ ଭାରେ ଦଲ ଦଲ ହୁଅଇ ମେଦିନୀ

 

ଦେଖି ମହା ଭୟ କଲେ ସ୍ୱର୍ଗେ ସୁରମୁନି

ମହୀଷ୍ମତୀପୁରେ ଆସି ହୋଇଲେ ପ୍ରବେଶ

 

ରୂପ ଦେଖି ରାଜାମାନେ ପାଇ ମହାତ୍ରାସ

କେ ବୋଲଇ କାଳଯମ କେ ବୋଲେ ଅନଳ

 

କେବୋଲେ ଆଦିତ୍ୟ କେହିବୋଲେ ଆଖଣ୍ତଳ

ଭୟେ ଲଣ୍ତଭଣ୍ତ ହେଲେ ଭାଙ୍ଗିଗଲା ଟାଣ

 

ହସ୍ତୁ ଖସି ତଳେ ପଡ଼େ ଧରିଥିବା ବାଣ

ସିଂହ ଦେଖି ମୃଗ ଯୂଥ ହୁଅନ୍ତି ଯେସନେ

 

ବ୍ୟାଘ୍ର ଦେଖି ଛାଗପଲ ଯେହ୍ନେ ଛନ୍ନ ଛନ୍ନ

ଶୂରସେନ ବୋଲେ ତୁମ୍ଭେ କାହାକୁ ରେ ଡର

 

ଏହା କହି ଆଗ ହେଲେ ଚାରି ସହୋଦର

ଚକ୍ରବ୍ୟୁହ କରି ଋଣ କଲେ ଚାରିଭାଇ

 

ପରଶୁରାମଙ୍କ ଅଙ୍ଗ ବାଣେ ଦେଲେ ଛାଇ

ମହାଦେବ ବରେ ମହାବଳବନ୍ତ ଚାରି

 

ବେଢ଼ି ଗଲେ ତାହାଙ୍କୁ ଯେ ସାତପୁର କରି

ଘେରରେ ପଡ଼ିଲେ ସେହି ଯମଦଗ୍ନି ସୁତ

 

କେହି ମାରେ ବାଣ କେହି ମାରେ ଧରି କୁନ୍ତ

କେ ପରିଘ ଘେନି ପିଟେ କେ ପିଟଇ ଗଦା

 

ଆନନ୍ଦଭରେ କେ ବୀର ଶୂନ୍ୟେ ମାରେ କୁଦା

ବାଣଙ୍କର ଆତଯାତେ ଦିଗ ନ ଦିଶଇ

 

ମୁଖରାବ ଶବଦରେ ସିନ୍ଧୁ ଉଛୁଳଇ

ଧର ଧର ମାର ମାର ନ କର ବିଚାର

 

ପଳାଇ ନ ଯିବ ଯେହ୍ନେ ଆଚ୍ଛାକରି ଘେର

କ୍ଷତ୍ରିକୁଳ ଧୂମକେତୁ ସେ ପରଶୁରାମ

 

ଯମର ଉପରେ ସେହୁ ଅଟେ କାଳଯମ

ପରଶୁ କୁଠାର ଧରି ପକାଇଲା ଛେଦି

 

ବାନରପଲକୁ ଯେହ୍ନେ ଶ୍ୱାନ ଯାଏ ଖେଦି

କାହା ଶିର କାହା କର କାହାର ଚରଣ

 

କାଟନ୍ତେ କାତର ହେଲେ ନରପତିଗଣ

ଲଣ୍ତଭଣ୍ତ ହୋଇ ଭୟେ ହେଲେ ଏଣେତେଣେ

 

କେଡ଼େବଡ଼ ବୁହ୍ୟଗୋଟା ଭାଙ୍ଗିଲା ତକ୍ଷଣେ

ଆଗେ ରହି ନ ପାରିଲେ ମହାଭୟ ପାଇ

 

ବାସଭଗ୍ନ ପକ୍ଷୀ ପ୍ରାୟ ଗଲେକ ପଳାଇ

ପଛରେ ଗୋଡ଼ାଇ ଯାଇଁ କ୍ଷତ୍ରିକୂଳ ଷଣ୍ଢ

 

ଶିର କର ପାଦ କାଟି କଲେ ଖଣ୍ତ ଖଣ୍ତ

ଦେଖି ଶୂରସେନ ବୋଲେ ରହ ରହ ଭାଇ

 

ଏହିକ୍ଷଣି ଦେବି ଯମପୁରକୁ ପଠାଇ

ସାରଥିକି ବୋଲେ ମୋର ରଥ ବାହାବେଗେ

 

ସାରଥି ରଥକୁ ନେଇ ଗଲା ତାର ଆଗେ

ପବନ ପରାୟେ ରଥ କରଇ ଗମନ

 

ପରଶୁରାମକୁ ଚାହିଁ ରାଜା ଶୂରସେନ

ବୋଇଲାରେ ଦ୍ୱିଜ ତୋର ପୂରିଲାଣି କାଳ

 

ରଖି ନ ପାରିବେ ତୋତେ ଦେବ ଆଖଣ୍ତଳ

ତୋତେ ମାରି ପିତୃଋଣ ଶୁଝିବିରେ ଦ୍ୱିଜ

 

ଦେଖିବାକେ ତୋତେ ଆସି ରଖିବରେ ଆଜ

ବୋଇଲେ ପରଶୁରାମ ରେ କ୍ଷତ୍ରିୟ ଡିମ୍ବ

 

ଛାଡ଼ିଯିବ ଏହିକ୍ଷଣି ତୋର ଏହି ଦମ୍ଭ

ବାପ ତୋର ଦମ୍ଭକରି ମଲା ମୋର ହାତେ

 

ତୋତେ ନେଇ ଭେଟାଇବି ତାହାର ସଙ୍ଗତେ

ଏମନ୍ତେ ସେ ଗାଳି ଦିଆଦେଇ ହୋଇ ଦୁହେ

 

ଧନୁଧରି ବାଣ ବିନ୍ଧାବିନ୍ଧି ହେଲେ ଦୁହେଁ

ଦୁହିଁଙ୍କର ବାଣ ଦୁହେଁ ପକାନ୍ତି ଯେ ଛେଦି

 

କୋପେ ଶୂରସେନ ଦେଲା ଅଗ୍ନିବାଣ ବିନ୍ଧି

ଜଳ ଶରେ ନିବାରିଲେ ଯମଦଗ୍ନି ସୁତ

 

ଶୂରସେନ ବୀର କୋପେ ମାଇଲା ପର୍ବତ

ଆକାଶୁ ଆସିଲେ ଗିରି ଅନ୍ଧକାର କରି

 

କାଟିଲେ ପରଶୁରାମ ବଜ୍ରଶର ମାରି

ପବନ ଶର ମାଇଲେ ରାଜା ଶୂରସେନ

 

ଅଣଚାଶ ମୂରତି ଯେ ଧଇଲା ପବନ

ଆସନ୍ତେ ପରଶୁରାମ ଦୂରୁ ଦେଖିକରି

 

କ୍ରୋଧେ ସେ କୁବେର ଶର ଗୋଟା ଦେଲେ ମାରି

ଅଧବାଟୁ କାଟି ତାହା କଲା ଖଣ୍ତ ଖଣ୍ତ

 

ବେଳୁଁ ବେଳ ଶୂରସେନ କୋପରେ ପ୍ରଚଣ୍ତ

 

ବ୍ରହ୍ମଶର ଗଲା ଶୂନ୍ୟପୁର ଆଚ୍ଛାଦିଲା

 

ଗଗନୁ ଉଲକା ଖସି ଭୂମିରେ ପଡ଼ିଲା

ଦେବେ ରଣ ଦେଖୁଥିଲେ ପଳାଇଲେ ଡରେ

 

କହିଲେ ଯାଇଁକାତରେ ବ୍ରହ୍ମାଙ୍କ ଆଗରେ

ଶୂରସେନ ହେତୁ ତୋର ସୃଷ୍ଟି ଗଲା ନାଶ

 

ବ୍ରହ୍ମଶର କଲା ଘୋଟି ଅଛଇ ଆକାଶ

ଏହିକ୍ଷଣି ନାଶଯିବ ଯମଦଗ୍ନି ସୁତ

 

ଏଥିରେ ବିଚାର କର ଆହେ ଲୋକତାତ

ଏମନ୍ତ ବିଚାରୁ ଶୂନ୍ୟୁ ଘୋଟି ଆସେ ଶର

 

କ୍ଷତ୍ରିୟ ଅନ୍ତକ ଯମଦଗ୍ନିର କୁମର

ନାରାୟଣ ଶରନେଇ ବସାଇଲେ ଗୁଣେ

 

ବହୁତ ତିଆରି ତାକୁ ବୋଇଲେ ଆପଣେ

ବ୍ରହ୍ମବାଣକୁ ତୁ ବାଟ ନ ଦେବୁ ଯେ ଛାଡ଼ି

 

ପ୍ରତିଜ୍ଞାବନ୍ତ ସେ ବାଣ କରି ଘୋର ରଡ଼ି

କାଟେ ବ୍ରହ୍ମଶର ସଙ୍ଗେ ଲଗାଇଲା କଳି

 

ଦୁହେଁ ପୁଣିତେଜୋବନ୍ତ ଦୁହେଁ ମହାବଳି

ସଂଗ୍ରାମ କଲେ ଆକାଶ ମଣ୍ତଳରେ ରହି

 

ତାହାଙ୍କ ତେଜରେ କମ୍ପମାନ ହେଲା ମହୀ

ଆକାଶ କମ୍ପିଲା ଦେଖି ବେଦବର ଆସି

 

ବୋଇଲେ ହେ ବାଣରୂପୀ ପ୍ରଭୁ ବ୍ରହ୍ମରାଶି

ତୁମ୍ଭେ ଇଚ୍ଛାକଲେ କରି ପାରିବ ପ୍ରଳୟ

 

ଶାନ୍ତମୂର୍ତ୍ତି ଧରି ଯାଅ ଯେ ଯାହା ଆଳୟ

ବ୍ରହ୍ମାର ବଚନେ ଦୁଇ ବାଣ ଛାଡ଼ି କଳି

 

ଯେ ଯାହା ସ୍ଥାନକୁ ତହୁଁ ବେଗେଗଲେ ଚଳି

ଦେଖି ଶୂରସେନ ମନେ କରି ଗୁରୁ କୋପ

 

ବୋଇଲା ଦେଖିବା ତୋର ରଖିବଳେ ବାପ

ବ୍ରାହ୍ମଣ ହୋଇ କରୁଛୁ କ୍ଷତ୍ରି ତୁଲେ ରଣ

 

ଜାଣିଲି ନିକଟ ତୋର ହେଲାଣି ମରଣ

ଶୁଣିଣ ପରଶୁରାମ ବୋଇଲେକ ହସି

 

ବାପ ତ ତୋହର ତୋତେ ଡାକୁଅଛି ଆସି

କିବା ଦେହେ ପିତ୍ତ ଉଗ୍ର ହେବାରୁ ତୋହର

 

କହୁଛି ପ୍ରଳାପ ବାଣୀ ସଂଗ୍ରାମ ଭିତର

ପତଙ୍ଗ ଯେହ୍ନେ ଅଙ୍ଗରେ ଆପେ ଦିଏ ଝାସ

 

ତେସନ ମୋ ବାଣାନଳେ ଯିବୁ ଯମ ପାଶ

ଏମନ୍ତେ ସେ ଦୁଇବୀର ହେଲେ ବୋଲାବୋଲି

 

ବାଣ ମରାମରି ହେଲେ ଶରାସନ ତୋଳି

ଦୁହେଁ ତ ସମାନ ବୀର ନ ଘୁଞ୍ଚନ୍ତି ରଣେ

 

କାଟନ୍ତି ଦୁହିଁଙ୍କ ବାଣ ଦୁହେଁ ପ୍ରତିବାଣେ

କେ ମାରେ ତୋମର କେହି ମାରଇ ଶକତି

 

କେ ଚକ୍ର ମାରଇ କେହି ମାରେ ଶଲ୍ୟ କାତି

କେହି ଗଦା ମାଇଲେ କେ ମାରଇ ମୁଦ୍‌ଗର

 

ଏମନ୍ତେ ସେ ଦୁଇବୀର କରନ୍ତି ସମର

ସ୍ୱର୍ଗେ ଦେବତାଏ ଥାଇ ବୋଲନ୍ତିରେ ଧନ୍ୟ

 

ଦୁହେଁ ତୁମ୍ଭେ ଅସ୍ତ୍ରଧାରୀ ମଧ୍ୟରେ ପ୍ରଧାନ

ରାଜାମାନେ ଚାହିଁଛନ୍ତି ଆଚମ୍ବିତ ହୋଇ

 

କିବା ଯୁଦ୍ଧ କରନ୍ତି ସେ ରୁଦ୍ର ବିଷ୍ଣୁ ଦୁଇ

କିବା ଇନ୍ଦ୍ର ଗୋବିନ୍ଦର ହୁଅଇ ସମର

 

କାର୍ତ୍ତିକେୟ ସଙ୍ଗରେ କି ତାରକ ଅସୁର

ଏମନ୍ତେ ଅନେକ କଥା ବୋଲନ୍ତି ନୃପତି

 

ପରଶୁରାମ ଧଇଲେ ଅପୂର୍ବ ଶକତି

ଧରୁ ଧରୁ ହେଲା ସେହି ସହସ୍ରେକ ମୁଖ

 

ବୁଲାନ୍ତେ ତହୁଁ ବାହାର ହୋଇଲା ବିଶିଖ

ଚକ୍ରକାତି ଶୂଳ କୁନ୍ତ ପରିଘ ବାହାରେ

 

ଦେଖି ଶୂରସେନ ଶୂଳ ଶକତିକି ଧରେ

ଧରୁ ଧରୁ ବାହାରିଲା ତା ମୁଖୁ ଅନଳ

 

ପ୍ରଜ୍ୱଳିତ ହୋଇ ଶିଖା ସବୁ ହେଲା ଠୁଳ

ପୋଡ଼ିଦେଲା ଯମଦଗ୍ନି ସୁତର ଶକତି

 

କୋପେ ପ୍ରଜ୍ୱଳିତ ହେଲେ ଭୃଗୁମୁନି ନାତି

ନାରାଚରେ ଛାଇ ଦେଲେ ଗଗନମଣ୍ତଳ

 

କାଟିଦେଲା ଶୂରସେନ ସେହି ଶରଜାଲ

ଏମନ୍ତେ ଯେ ସାତଦିନ ସାତରାତି ଗଲା

 

କେହି ଯେ କାହାକୁ ରଣେ ଜିଣି ନ ପାରିଲା

ଶୂରସେନ ରୂଦ୍ର ଶର ବିନ୍ଧିଦେଲା କୋପେ

 

ପର୍ଶୁରାମ ବିଷ୍ଣୁଶର ବସାଇଲା ଚାପେ

ଦୁହିଁଙ୍କ ବାଣକୁ ଦୁହେଁ ପକାଇଲେ କାଟି

 

ଏକାଳେ ପରଶୁରାମ କୁରାଢ଼ିରେ ପିଟି

ଚୂନା କରିଦେଲେ ଶୂରସେନ ରଥଗୋଟା

 

ଡେଇଁ ତଳେ ଉଭାହେଲେ ଅର୍ଜୁନର ବେଟା

ସାରଥି ପଳାଇ ଯାଇ ଯୋଗାଇଲା ରଥ

 

ସେ ରଥରେ ବସି ପୁଣି ସେହି ମହାରଥ

ଧନୁଧରି ଶର ବୃଷ୍ଟି କଲା ଘନ ଘନ

 

ଯେସନେ ଶ୍ରାବଣ ମାସେ ବରଷଇ ଘନ

ପରଶୁରାମ ତା କାଟି କଲେ ଛିନ୍ନଭିନ୍ନ

 

ସାରଥିକି ମାଇଲେ ସେ ଦଶଗୋଟା ବାଣ

ଚାରି ଅଶ୍ୱକୁ ଯେ ଚାରି ଚାରି ବାଣ ମାରି

 

କାଟି ପକାଇଲେ କୋପେ ସେ ପରଶୁଧାରୀ

ଧନୁକୁ କାଟିଲେ ତାର ପାଞ୍ଚଗୋଟା ବାଣେ

 

ନିସତ ବିରଥ ହେଲା ଶୂରସେନ ରଣେ

ଏ ସମୟେ ଶକତିଏ ମାଇଲେ ନିଠାଇ

 

ଶୂରସେନ ପଡ଼ିଲାକ ତହିଁ ମୂର୍ଚ୍ଛାଯାଇ

ହାହାକାର ଶବଦରେ ଉଛୁଳିଲା ମହୀ

 

ଶୁର କୃଷ୍ଣ ଧୃଷ୍ଠ ଥିଲେ ତିନିଭାଇ ତହିଁ

ଭାଇକି ଆବୋରି କୋପେ କଲେ ମହାରଣ

 

ଘେରିଗଲେ ଚାରିପାଖେ ନରପତିଗଣ

କୋପେ ସେ ପରଶୁରାମ ଧଇଲେ ପରଶୁ

 

ନୃପତିମାନେ ହୋଇଲେ ଜାଣ ଯଜ୍ଞ ପଶୁ

ବଳିଦେଲେ ଶିର କାଟି ରେଣୁକାର ସୁତ

 

ଚଣ୍ତି ଚାମୁଣ୍ତା ଯେ ଆସି ପିଇଲେ ରକତ

ଖେମଟା ନାଟ ନାଚିଲେ ଦେବଗଣ ପଶି

 

ଲହ ଲହ ଜିଭ କରି କହ କହ ଭାଷି

କୁକୁର ଶୃଗାଳଙ୍କର ଭୟଙ୍କର ନାଦ

 

ନୃତ୍ୟକଲେ ସଂଗ୍ରାମରେ ବହୁତ କବନ୍ଧ

ବଢ଼ିଲା ରୁଧିର ନଈ ଭୟଙ୍କର ହୋଇ

 

ଗଜ ଅଶ୍ୱ ଭାସିଗଲେ କାଠପ୍ରାୟ ତହିଁ

ରଥଚଢ଼ି ଶୂର କୃଷ୍ଣ ଧୃଷ୍ଣ ତିନିଜଣ

 

ପରଶୁରାମଙ୍କ ସଙ୍ଗେ କଲେ ଘୋର ରଣ

ନାରାଚରେ ଦଶଦିଗ ଦେଲେ ପୁଣି ଛାଇ

 

ଡାକ ଦେଲେ ରହ ରହ ଯିବୁ ଆଜ କାହିଁ

ପରଶୁରାମ ତା ଶୁଣି କୋପେ ପରଜ୍ୱଳି

 

ଧନୁ ଧରି ବିନ୍ଧିଲେକ ଶତ ଶତ ଶୂଳୀ

ତିନି ଭାଇଙ୍କର ବାଣ କାଟି ପକାଇଲେ

 

ତିନିଙ୍କ ହାତରୁ ତିନି ଧନୁକୁ ଛେଦିଲେ

ଆନ ଧନୁ ନ ଧରଣୁ କାଟିଲେ ତାହାକୁ

 

କାଟି ପକାଇଲେ ତିନିରଥକୁ ଅଶ୍ୱଙ୍କୁ

ବିରଥ ହୋଇଲେ ସେହି ତିନିଗୋଟି ବୀର

 

ଧାଇଁଲେ ସେ ତିନିଭାଇ ହୋଇ ଗଦାକର

ଗଦା କାଟି ପକାଇଲେ ରେଣୁକା ନନ୍ଦନ

 

ଖଡ଼ଗଫାଳକୁ ଯାଇଁ ଧଇଲେ ବହନ

ଦିଶନ୍ତି ସେ ତିନିଭାଇ କାଳଯମ ପରି

 

ଧାଇଁଗଲେ ତିନିବୀରେ ଗରଜନ କରି

ଖଡ଼ଗ କାଟିଲେ ବାଣେ ଯମଦଗ୍ନି ସୁତ

 

ତିନିଗୋଟି ବାଣେ କଲେ ତିନିଙ୍କି ମୁର୍ଚ୍ଛିତ

ଭୟେ ନରପତିଗଣ ନ ରହିଲେ କେହି

 

ଶରଣ ପଶିଲେ ଯାଇଁ ଜୟଧ୍ୱଜ ତହିଁ

ବୋଇଲେ ହେ ବୀରମଣି ସରିଲା ସମ୍ପଦ

 

ଏହିକ୍ଷଣି ଯିବ ବାବୁ ତୋର ରାଜପଦ

କାଳଯମ ପ୍ରାୟ ସେହି ଆସୁଅଛି ମାଡ଼ି

 

ଅନଳ ସମାନ ବାଣ ତୂଣୀରୁ ସେ କାଢ଼ି

ପୋଡ଼ି ଦେଇଅଛି ଦେଖ ସଇନ୍ୟ କାନନ

 

ତୋର ଚାରିଭାଇ ଯୁଦ୍ଧେ ତେଜିଲେ ଜୀବନ

ଏହିକ୍ଷଣି ତାଙ୍କ ମୁଣ୍ତ ପକାଇବି କାଟି

 

ନିଦାରୁଣ ବିପ୍ର ହୃଦେ ଦୟାହିଁ ନାହିଁଟି

କେତେ ଯେ ମଲେଣି ସଂଖ୍ୟା ନାହିଁ ପୁଣି ତାର

 

ଶୁଣି ମହା କୋପ କଲା ଜୟଧ୍ୱଜ ବୀର

ରଖିନ ପାରିବେ ତାକୁ ହୋଇଲେ ଦେବତା

 

ଛିନ୍ନ ଭିନ୍ନ କରେ ସୈନ୍ୟ ହୋଇ ଉନମତ୍ତା

 

ଜୟଧ୍ୱଜର ଯୁଦ୍ଧ ଓ ପରଶୁରାମର ପରାଜୟ

 

ସାରଥିକି ବୋଇଲା ମୋ ରଥ ବାହାବେଗେ

 

ରଖିବୁ ତୁ ନେଇ ଯମଦଗ୍ନି ସୁତ ଆଗେ

ଗଜବ୍ୟୁହ ଥାପିଲା ସେ ଜୟଧ୍ୱଜ ବୀର

 

କାଶୀପତିକି ରଖିଲା ଶୁଣ୍ଢାଗ୍ରେ ତାହାର

ରହିଲା ମଗଧପତି ଗଜ କୁମ୍ଭସ୍ଥଳେ

 

କର୍ଣ୍ଣାଟ ନୃପତି ରହେ ଗଜବନ୍ତ ମୂଳେ

ନେପାଳ ଭୂପାଳ ପୁଣି ରହିଲେକ ତହିଁ

 

ଦନ୍ତଅଗ୍ରେ କନାଉଜ ରାଜା ଅଛି ରହି

ମଥୁରା ଦେଶର ରାଜା ଅଛି ଗଜପୁଚ୍ଛେ

 

ସହସ୍ରେ ରାଜା ଅଛନ୍ତି ତାର ପଛେ ପଛେ

କର୍ଣ୍ଣମୂଳେ ଦୁଇ ଦୁଇ ଶତ ନୃପବର

 

ପୃଷ୍ଠେ ରଥେ ରହିଅଛି ଜୟଧ୍ୱଜ ବୀର

ଏମନ୍ତେ ସେ ଆଚମ୍ବିତ ବ୍ୟୁହେକ ଥାପିଲା

 

ଅଶ୍ୱ ଗଜ ରଥ ସବୁ ସଜାଡ଼ି ରଖିଲା

ଗଜ କୁମ୍ଭସ୍ଥଳେ ସେହି ରଖିଅଛି ବାଟ

 

ଦେହକୁ ଦେହ ଯେ ଲାଗି ରହିଛନ୍ତି ଥାଟ

ପୂରିଯିବାକୁ ସେ ରନ୍ଧ୍ର ନ ରଖିଛି କାହିଁ

 

ପରଶୁରାମ ଯେ ତାହା ଦେଖି କୋପ ବହି

ଶୁଣ୍ଢଅଗ୍ରେ ପେଶିଲେ ଯେ ପରଶୁକୁ ଧରି

 

ଦେଖି ତାଙ୍କୁ କାଶୀପତି ମହା କୋପକରି

ଧନୁଧରି ନାରାଚରେ ଅଙ୍ଗ ଦେଲା ଛାଇ

 

ରେଣୁକା ନନ୍ଦନ ତାହା କାଟି କୋପେ ଯାଇଁ

ପରଶୁରେ ଛେଦିଲେ ସେ କାଶୀପତି ମୁଣ୍ତ

 

ଥାଟ ବାଟ ଛାଡ଼ିଦେଲେ ହୋଇ ଲଣ୍ତଭଣ୍ତ

ପ୍ରବେଶ ହୋଇଲେ ଆସି ଜୟଧ୍ୱଜ ଆଗେ

 

ପରଶୁ ମାଇଲେ ତାର ରଥେ ନେଇ ରାଗେ

ବିଷ୍ଣୁ ବରେ ତାର ରଥ ଅଭେଦ ଅତୁଟ

 

ଜୟଧ୍ୱଜ ବୋଇଲେ ହୋ ଯମଦଗ୍ନି ଚାଟ

ନୁହଇଁ ମୁଁ ଆନବୀର ଦେଖାଉ ପରଶୁ

 

ବାରମ୍ବାର ଶତବାର ଯେବେ ତୁହି ପେଷୁ

ତଥାପି ମୋହର କିଛି ନ ପାରିବ କରି

 

ଯେତେ ଅସ୍ତ୍ର ଶିଖିଅଛି ପେଷ ଧନୁଧରି

ଶୋଚନା ନ କରେ ମୁହିଁ ଆହେ ଦ୍ୱିଜବର

 

ଏହାଶୁଣି କୋପକଲେ ରେଣୁକା କୁମର

କରେଧନୁ ଧରି କଲେ ନାରାଚ ବରଷା

 

ଜୟଧ୍ୱଜ ରାଜା ତହୁଁ ହୋଇ ବଡ଼ ଘୋଷା

କାଟି ପକାଇଲା ପଞ୍ଚବାଣେ ତାର ବାଣ

 

ପରଶୁରାମ ଯେ କୋପେ କରି ଗରୁଟାଣ

ଘନ ଘନ ବାଣ ତାକୁ ମାଇଲେ ନିଠାଇ

 

କାଟି ପକାଇଲା ସବୁ ମହୀଷ୍ମତୀ ସାଇଁ

ଏକଦିନ ଏକରାତି ଅବିଶ୍ରାମ ରଣ

 

କରି ପରଶୁରାମର ଖାଲି ହେଲା ତୂଣ

ଭୟେ ଯମଦଗ୍ନି ସୁତ କଲେ ହର ସ୍ତୁତି

 

ଜୟ ଜୟ ପଶୁପତି ଜୟ ଉମାପତି

ମୁଁ ତୁମ୍ଭ ନନ୍ଦନ ମୋତେ ପଡ଼ିଲା ବିପଦ

 

ଦିଅ ପାଶୁପତ ବାଣ ଏ ଶତ୍ରୁ ଅସାଧ୍ୟ

ଏମନ୍ତେ ହରଙ୍କୁ ବାଣ ମାଗନ୍ତେ ସେ ଦେଲେ

 

ପରଶୁରାମ ତା ପାଇ ଗୁଣେ ବସାଇଲେ

ବୋଇଲେରେ କ୍ଷତ୍ରି ଡିମ୍ବ ଯିବୁ ଆଜ କାହିଁ

 

ଏହିକ୍ଷଣି ତୋ ଶରୀର ପକାଇବି ଦହି

ନ ଜାଣୁ କି ମୋର ନାମ କ୍ଷତ୍ରିକୁଳ ହନ୍ତା

 

ଯାହାର ବାଣକୁ ଦେଖି ଯମ କରେ ଚିନ୍ତା

ତୁ ତାହାର ଆଗେ ରହି କରୁଅଛୁ ରଣ

 

ପ୍ରତିଜ୍ଞା କରି ଦେଖାଉଅଛୁ ବୀରପଣ

ମରଣ ନିକଟ ତୋର ହେବାରୁ ତୁ ସିନା

 

ଯୁଦ୍ଧକରୁ ମୋର ସଙ୍ଗେ ଘେନି ନିଜସେନା

ଦେଖିବା ତୋତେ କେ ଆଜି ରଖିବରେ ଆସି

 

ଏହିକ୍ଷଣି ତୋତେ ଯମପୁରେ ଦେବି ପେଶି

ଜୟଧ୍ୱଜ ବୋଇଲେ ତୁ ପାଗଳ ହେଲୁଣି

 

ନୋହିଲେ କହନ୍ତୁ କିମ୍ପା ଏ ପ୍ରଳାପ ବାଣୀ

କିବା ବ୍ୟାଧିଗ୍ରସ୍ତ ତୋତେ ହୋଇଛି ରେ ଦ୍ୱିଜ

 

ନୋହିଲେ କି ଏହିପରି କହନ୍ତୁ ତୁ ଆଜ

ମାରୁ କିନା ଯେତେ ଶର ଗୁରୁ ଅଛି ଦେଇ

 

ଏହା ଶୁଣି କୋପଭରେ ସେ ଦ୍ୱିଜ ଗୋସାଇଁ

ମନ୍ତ ପଢ଼ି ପାଶୁପତ ବାଣ ଦେଲେ ବିନ୍ଧି

 

ବିଷ୍ଣୁ ଚକ୍ରେ ଜୟଧ୍ୱଜ ପକାଇଲା ଛେଦି

ତା ଦେଖି ପରଶୁରାମ କଲେ ବ୍ରହ୍ମଶର

 

କାଟିଲେ ତା ନାରାୟଣ ଶରେ ନୃପବର

କୋପେ ଇନ୍ଦ୍ର ଅସ୍ତ୍ର କଲେ ରେଣୁକା ନନ୍ଦନ

 

କୁବେରାସ୍ତ୍ରେ ନିବାରିଲା ତାହାକୁ ରାଜନ

କାଳପାଶ ମାଇଲେକ ଯମଦଗ୍ନି ସୁତ

 

ଯମପାଶେ ନିବାରିଲେ ରାଜା ତା ତୁରିତ

ବରୁଣପାଶ ମାଇଲେ ସେ ପରଶୁପାଣି

 

ପବନାସ୍ତ୍ରେ ଉଡ଼ାଇଲେ ତାହା ନୃପମଣି

ନାଗପାଶ ମାଇଲେକ କୋପେ ଦ୍ୱିଜବର

 

ଗରୁଡ଼ାସ୍ତ୍ରେ ନିବାରିଲେ ଜୟଧ୍ୱଜ ବୀର

ଦେଖି ପରଶୁରାମଙ୍କୁ ନ ସ୍ଫୁରଇ କିଛି

 

ଜୟଧ୍ୱଦ ବୋଇଲେରେ ଶୁଣ ଦ୍ୱିଜବତ୍ସି

କାତର ହେଲେ କି ଯମ ଛାଡ଼ିଦେବ ତୋତେ

 

ତାହାର ଜୀବନ ଅଛି ଜାଣ ମୋର ହାତେ

ମାଇଲେ ମାରିବି ମୁହିଁ ରଖିଲେ ରଖିବି

 

ଦ୍ୱିଜବୋଲି ତୋତେ କେଭେ ଦୟା ନ କରିବି

ଜାଣୁଜାଣୁ ଧର୍ମଛଡ଼ା ହୋଇଲୁ କିମ୍ପାଇଁ

 

ବ୍ରାହ୍ମଣର ବୃତ୍ତି ସିନା ଭିକମାଗି ଖାଇ

ପୁଣ୍ତରୀକ ବସୁଦେବ ପରି ହେବୁ ପଛେ

 

ଯେ ଯେମନ୍ତ ବାସୁଦେବ ହେଲା ମିଛେ ମିଛେ

କାଠର ଗରୁଡ଼ ଚଢ଼ି କାଠଚକ୍ର ଧରି

 

କାଠର ଯେ ଦୁଇହାତ କାନ୍ଧେ ବାନ୍ଧିକରି

ବାସୁଦେବ ବୋଲାଇଲା ଅକାରଣେ ମଲା

 

ଯେଣୁ ବାସୁ ଦେବଙ୍କୁ ସେ ଜାଣି ଥଟ୍ଟା କଲା

ତୁ କେମନ୍ତ ଧନୁଧରି ବୋଲାଉ କ୍ଷତ୍ରିୟ

 

ସାମାନ୍ୟ କ୍ଷତ୍ରିଙ୍କି ପୁଣି ଯୁଦ୍ଧେ କରି କ୍ଷୟ

ସ୍ତ୍ରୀ ବୃଦ୍ଧିବାଳକ ବଧି ଅହଙ୍କାର ବହି

 

ଯୁଦ୍ଧ କରୁଅଛୁ ତୁହି ଲାଜ ମାଡୁ ନାହିଁ

ସାପଲାଞ୍ଜେ ହାତ ଦେଉ ଗାରେଡ଼ି ନ ଜାଣି

 

ଲୁହାକୁ ପିତ୍ତଳ କଲେ ହେବ କି ସେ ପୁଣି

ତୁ ଏବେ ମୋହର ବୋଲକର ଆରେ ଦ୍ୱିଜ

 

ଶରଣ ପଶ ତୁ ମନୁ ଅଭିମାନ ତେଜ

ଦନ୍ତରେ ତିରଣ ଘେନ ବସ୍ତ୍ର ଦେଇ ଗଳେ

 

ଶରଣୁ କୁଠାର ଧନୁ ଶର ରଖ ତଳେ

ନୋହିଲେ ପ୍ରତିଜ୍ଞା ତୋର ହୋଇବ ବିଫଳ

 

ବୀରପୁରୁଷର ସିନା ପ୍ରତିଜ୍ଞା ହିଁ ମୂଳ

ତୁ ନୋହୁଁ କ୍ଷତ୍ରିୟ ପୁଣି ଜାତିରେ ବ୍ରାହ୍ମଣ

 

ତୁ ପ୍ରତିଜ୍ଞା କରୁ କରେ ଧରି ଧନୁର୍ବାଣ

ଜୟଧ୍ୱଜର ଏମନ୍ତ କଟୁବାଣୀ ଶୁଣି

 

କ୍ଷତ୍ରିୟକୁଳ ଅନ୍ତକ ବୀର ଚୂଡ଼ାମଣି

କ୍ରୋଧରେ ବୋଇଲେରେ ସତ ମୁହିଁ ଦ୍ୱିଜ

 

ମୋହର ପ୍ରତିଜ୍ଞାଗୋଟି ଦେଖିବୁ ତୁ ଆଜ

ଯେବେ ଏକାବାଣେ ତୋର ନ ଘେନିବି ପ୍ରାଣ

 

ଆଜିଠାରୁ ନ ଧରିବି ଏହି ଧନୁର୍ବାଣ

ନ ଧରିବି ଅସ୍ତ୍ର ଆଉ ନ କରିବି ରଣ

 

ଯେବେ ତୋତେ ନ ମାରିବି ଏ ମୋହର ପଣ

ଚନ୍ଦ୍ର ସୂର୍ଯ୍ୟଙ୍କୁ ମୁଁ ଏଥେ କରୁଅଛି ସାକ୍ଷୀ

 

ଦଶଦିଗପାଳ ତୋତେ ନ ପାରିବେ ରଖି

ପ୍ରତିଜ୍ଞା ବିଅର୍ଥ କେବେନୋହିବ ମୋହର

 

କ୍ଷତ୍ରୀ ବୃତ୍ତି ଛାଡ଼ି ନିଶ୍ଚେ ହେବି ଦ୍ୱିଜବର

ଜୟଧ୍ୱଜ ବୋଇଲେ ହେ ଶୁଣ ବିପ୍ରମଣି

 

ତୋହର ବାଣକୁ ମୁହିଁ ପକାଇବି ହାଣି

ନ ପାରିଲେ ଅସ୍ତ୍ରଧାରୀ ନୋହିବି ଏ ସତ

 

ରାଜ୍ୟ ଛାଡ଼ି ଭିକ୍ଷାଷୀ ମୁଁ ହୋଇବି ନିୟତ

ଦିଗପାଳମାନେ ସାକ୍ଷୀ ରହିଲେ ଏଥିରେ

 

କାଟିକି ତୋହର ଶସ୍ତ୍ର ମୁହିଁ ଏକଶରେ

କ୍ଷତ୍ରିୟ ପ୍ରତିଜ୍ଞା ତୁହୋ ଦେଖ ଦ୍ୱିଜବର

 

ଏହାଶୁଣି ମହାକୋପେ ରେଣୁକା କୁମର

କରଯୋଡ଼ି କଲେ ଦେବୀ ଭଗବତୀ ସ୍ତୁତି

 

ପ୍ରସନ୍ନ ହୁଅ ଗୋ ମାତ ତୋ କୁମର ପ୍ରତି

ତୋହର ଶକତି ମାତ ଦିଅ ମୋତେ ଆଣି

 

ଜୟଧ୍ୱଜ ଶିର ମୁହିଁ ପକାଇବି ହାଣି

ପ୍ରସନ୍ନେ ଶକତି ଆଣି ଦେଲେ ଭଗବତୀ

 

ଦେଖଣାହାରୀ ହୋଇଲେ ସର୍ବ ନରପତି

ଅପୂର୍ବ ସମର ଗୋଟା ଦେଖିବା ମାନସେ

 

ଇନ୍ଦ୍ର ଆଦି ଦେବତାଏ ରହିଲେ ଆକାଶେ

ସୁର ସିଦ୍ଧ ମୁନି ଆସି ଶୂନ୍ୟପୁରେ ରହି

 

ଦେଖନ୍ତି ଅପୂର୍ବ ରଣ ଏକମୁଖେ ଚାହିଁ

ମଇଁଷି ବାହନେ ବିଜେ ସଂଯମନୀ ନାଥ

 

ଐରାବତ ପୃଷ୍ଠେ ବିଜେ ପୁଲୋମଜାଳାନ୍ତ

ଗରୁଡ଼ ବାହନେ ବିଜେ କମଳା ବିଳାସ

 

ବୃଷଭ ବାହନେ ବିଜେ କଲେ କୃତ୍ତିବାସ

ଅନଳ ଅନିଳ ଚନ୍ଦ୍ର ସୂର୍ଯ୍ୟ ଗ୍ରହଗଣ

 

ଦେଖନ୍ତି ଗଗନେ ରହି ସେ ଅପୂର୍ବ ରଣ

ଧଇଲେ ପରଶୁରାମ ଅପୂର୍ବ ଶକତି

 

ବୋଇଲେରେ ଜୟଧ୍ୱଜ କୃତବୀର୍ଯ୍ୟ ନାତି

ଅକାରଣେ କିମ୍ପାଦେବୁ ଏ ତୋର ଜୀବନ

 

ଚରଣେ ଶରଣ ଆସି ପଶରେ ରାଜନ

ଦୟାକରି ଛାଡ଼ିଦେବି ଭୋଗକର ମହୀ

 

ମୋର ବଳ ପରାକ୍ରମ ଦେଖୁ ଦେଖୁ ତୁହି

ଅନ୍ଧପ୍ରାୟ ହୋଇ କରୁ ମୋ ସଙ୍ଗେ ସମର

 

ଜଗତେ ତୋ ପିତା ସମ କିଏ ଥିଲା ବୀର

ଏକୋଇଶ ବାରେ ପୃଥ୍ୱୀ ନିକ୍ଷତ୍ରିୟ କଲି

 

ତୋର ଚାରି ଭାଇଙ୍କି ଏ ସଂଗ୍ରାମେ ମାଇଲି

ଭାଗ୍ୟବଳେ ପୁଣି ସେହି ପାଇଛନ୍ତି ପ୍ରାଣ

 

ତଥାପି ତୁ ଛାଡୁନାହୁଁ କରୁ ଏଡ଼େ ଟାଣ

ଜୟଧ୍ୱଜ ବୋଇଲେ ରେ ପ୍ରତିଜ୍ଞା ମୋହର

 

ବିଅର୍ଥ ନୋହିବ କେବେ କାଟିବି ତୋ ଶିର

ପୂର୍ବଦିଗେ ଉଦେ ହୋଇପାରନ୍ତି ତ ରବି

 

ମହୀକି ବା ଆସିପାରେ ଆକାଶର ଛବି

ମୋହର ପ୍ରତିଜ୍ଞା କେବେ ନୋହିବ ବିଫଳ

 

ଦେଖୁଥିବେ ଶୂନ୍ୟେ ରହି ଦଶଦିଗପାଳ

କଳିପ୍ରିୟ ନାରଦ ଯେ ଥିଲେ ଏ ସମୟେ

 

ମୁଣିକି ଫିଟାଇ ଦେଇ ବୋଇଲେ ରେ ରାୟେ

ତୁହି କାର୍ତ୍ତବୀର୍ଯ୍ୟ ପୁତ୍ର ଡରିବୁ କିମ୍ପାଇଁ

 

ତୁ ହୋ ପର୍ଶୁରାମ ମହାବୀର ଯେ ବୋଲାଇ

ଦୁହେଁ ତ ପ୍ରତିଜ୍ଞା କରି କରୁଅଛ ରଣ

 

ଦେଖିବା ଦେଖିବା ଆଜ ଦୁହିଁଙ୍କର ଟାଣ

ଏହା କହି ଆକାଶରେ କଲେ ମୁନି ନୃତ୍ୟ

 

ଶକତି ଗୋଟାକୁ ଧରି ଯମଦଗ୍ନି ସୁତ

ବୁଲାଇଲେ ସାତବାର ମୁଖେ ମନ୍ତ୍ର ପଢ଼ି

 

ବେଳୁ ବେଳ ଶକତିର ତେଜଗଲା ବଢ଼ି

ଦିଶିଲା ଅନଳଗଦା ପ୍ରାୟ ଚାହୁଁ ଚାହୁଁ

 

ବେଳୁଁ ବେଳ ଭୟଙ୍କର ହେଲା କହୁଁ କହୁଁ

ସାତଦ୍ୱୀପ ସାତସିନ୍ଧୁ ହେଲା ଟଳମଳ

 

ପାତାଳରେ ଥାଇ ଭୟ କଲେ ନାଗବଳ

ପ୍ରଳୟ ଅନଳ ପ୍ରାୟ ଦେଖି ଦେବତାଏ

 

ବିଚାରନ୍ତି ନାଶଯିବ ଜୟଧ୍ୱଜ ରାୟେ

ଶକତିର ତେଜ ଆମ୍ଭେ ନ ପାରୁଛୁ ସହି

 

ଏହିକ୍ଷଣି ନୃପତିକି ପକାଇବ ଦହି

ଜୟଧ୍ୱଜ ମନେ ମନେ ସୁମରଇ ହରି

 

ଏତେବେଳେ ମୋ ଜୀବନ ରଖ ଦଇତାରି

ମୁହିଁ ତବ ପାଦତଳେ ଦାସର ଯେ ଦାସ

 

ଜୟଧ୍ୱଜ ମନକଥା ଜାଣି ପୀତବାସ

ଚକ୍ର ଆଣି ଦେଲେ ତାହା ନ ଦେଖିଲେ କେହି

 

ତାର ନାମ ବିଷ୍ଣୁ ଚକ୍ର ବଇଷ୍ଣବୀ ସେହି

ସେ ଶକତି ଗୋଟା ପାଇ ଜୟଧ୍ୱଜ ବୀର

 

ନିର୍ଭୟରେ ରହିଅଛି ନାହିଁ ତାର ଡର

ଶକତି ମାରନ୍ତେ କୋପେ ରେଣୁକାନନ୍ଦନ

 

ପବନହୁଁ ବେଗେ ଯାଇଁ ଘୋଟିଲା ଗଗନ

ହାହାକାର ଶବଦରେ ପୂରିଲା ମେଦିନୀ

 

ଜୟଧ୍ୱଜ ବଇଷ୍ଣବୀ ଚକ୍ର କରେ ଘେନି

କାଟି ପକାଇଲା ସେହି ଶକତିକି ବଳେ

 

ଖଣ୍ତ ଖଣ୍ତ ହୋଇ ଆସି ପଡ଼ିଲା ସେ ତଳେ

ସାଧୁ ସାଧୁ ଶବଦରେ ପୂରିଲା ଆକାଶ

 

ଜୟ ଜୟ ଶବଦରେ ପୂର୍ଣ୍ଣ ଦଶଦିଶ

ଧନ୍ୟ ଜୟଧ୍ୱଜ ତୁହି ଧନ୍ୟ ତୋର ପିତା

 

ଧନ୍ୟ ଧନ୍ୟ ବାବୁ ତୋର ଗର୍ଭଧାରୀ ମାତା

ଏମନ୍ତେ ପ୍ରଶଂସା ବାଣୀ ଶୁଣି ଜୟଧ୍ୱଜ

 

ବୋଇଲା ପ୍ରତିଜ୍ଞା ମୋର ଶୁଣ ଆହେ ଦ୍ୱିଜ

ତିନିଦିନ ତିନିରାତି ମାଇଲୁଣି ବାଣ

 

ମୋହର ନାରାଚ ତୁହୋ ସହ କିଛିକ୍ଷଣ

ସହି ପାରିଲେ ମୁଁ ତୋତେ ବୋଲିବିନା ବୀର

 

ଏହାକହି ପାଶଅସ୍ତ୍ର ମାଇଲା ସତ୍ୱର

ବାନ୍ଧି ପକାଇଲା କର ଚରଣ ତାଙ୍କର

 

ବହୁତ ପ୍ରଶଂସା କଲେ ସ୍ୱର୍ଗରେ ଅମର

ରଥୁଁ ଡେଇଁ ଯାଇଁ ବେଗେ ରାଜା ଜୟଧ୍ୱଜ

 

ପରଶୁରାମଙ୍କ ଦେହେ ଦେଇ ବେନିଭୁଜ

ତୋଳି ଆଣି ବସାଇଲା ଆପଣାର ରଥେ

 

ଜୟ ପତାକା ଉଡ଼ାଇ ଦେଲା ରାଜପଥେ

ଅନ୍ତରୀକ୍ଷେ ଭୃଗୁମୁନି ଦେଖୁଥିଲେ ରଣ

 

ଜୟଧ୍ୱଜ ପାଶେ ଆସି ମିଳିଲେ ତକ୍ଷଣ

ଦେଖି ନୃପବର ତାଙ୍କୁ କଲା ପାଦପୂଜା

 

କି କାର୍ଯ୍ୟେ ଆସିଛି ବୋଲି ପଚାରିଲେ ରାଜା

ମୁନି ବୋଇଲେ ଅଟଇ ଏ ମୋହର ନାତି

 

ଏହାଙ୍କୁ ତୁ ଛାଡ଼ିଦିଅ ଆହେ ନରପତି

ତୋହର ଯେ ବୀରପଣ ଦେଖିଲୁଁ ନୟନେ

 

ଏ ପରଶୁରାମ ବୀର ଏ ତିନି ଭୁବନେ

ବିଷ୍ଣୁ ଅଂଶେ ଜନମି ଏ ନିବାରିଲା ଦୁଷ୍ଟ

 

ବୀରଙ୍କ ମଧ୍ୟେ ଅଟଇ ଏ ପୁଣି ଗରିଷ୍ଠ

ବିଷ୍ଣୁ ଅବତାର ମଧ୍ୟେ ଏକ ଅବତାର

 

ତୋହ ବିନା ବାନ୍ଧିବାକୁ ସମର୍ଥ କାହାର

ଭକତ ବାନ୍ଧି ପାରଇ ବିଷ୍ଣୁଙ୍କୁ କେବଳ

 

ବନ୍ଧନୁ ମୁକତ କରିଦିଅ ମହୀପାଳ

ଜୟଧ୍ୱଜ ବୋଲଇ ହେ ମୁନିବର ଶୁଣ

 

ମହତର ବାକ୍ୟ ହାତୀଦାନ୍ତ ଠାରୁ ଟାଣ

ଅସ୍ତ୍ରତ୍ୟାଗ କରିବାକୁ କରିଛନ୍ତି ପଣ

 

ମୋତେ ମାରି ନ ପାରିଲେ କରି ମହାରଣ

ଏବେ କ୍ଷତ୍ରୀ ବୃତ୍ତି ଛାଡ଼ି ହୁଅନ୍ତୁସେ ମୁନି

 

ଭୃଗୁମୁନି ବୋଇଲେ ଯେ ଏ ବଚନ ଶୁଣି

ଆଜିଠାରୁ ତପ ଯାଇଁ କରିବଟି ଜାଣ

 

ଭାଙ୍ଗି ଦେଲୁଣି ତୁ ରାଜା ସବୁ ତାର ଟାଣ

ପରଶୁରାମଙ୍କ ପାଦେ ଜୟଧ୍ୱଜ ଲୋଟି

 

କର ଦୁଇ ଯୋଡ଼ି ସ୍ତୁତି କଲା ପୁଣି ଉଠି

ବିଷ୍ଣୁ ଅବତାର ତୁମେ ଯମଦଗ୍ନି ସୁତ

 

ମୋର ଦୋଷ କ୍ଷମାକର ମୁହିଁ ତୁମ୍ଭ ଭକ୍ତ

ଏମନ୍ତେ ବହୁତ ସ୍ତୁତି କଲେ ତାଙ୍କୁ ରାଜା

 

ଧୂପ ଦୀପ ଦେଇ କଲେ ତାଙ୍କ ପାଦ ପୂଜା

ପ୍ରସନ୍ନେ ପରଶୁରାମ ଗଲେ ତହୁଁ ଚଳି

 

ତପୋବନେ ରହି ତପ କଲେ ମହାବଳୀ

ଆନନ୍ଦରେ ରାଜାମାନେ ଗଲେ ଯେଝାପୁରେ

 

ଜୟଧ୍ୱଜର ପ୍ରଶଂସା କରି ସବୁଠାରେ

ଶୂରସେନ ଆଦି ଚାରିଭାଇ ତହୁଁ ଗଲେ

 

ଆପଣା ଆପଣା ରାଜ୍ୟେ ପ୍ରବେଶ ହୋଇଲେ

ପୃଥିବୀର ରାଜା ତାଙ୍କୁ ଦେଲେ ଡରେ କର

 

ଭାର୍ଗବଙ୍କୁ ଜୟକରି ହେଲେ ମହାବୀର

ଦୀନ ଗୋପୀନାଥ ଭଜେ ଅଚ୍ୟୁତ ଶରଣ

 

ଅନ୍ତିମ କାଳକୁ ପ୍ରଭୁ ତୁମେ ହିଁ କାରଣ

 

Unknown

ବିଦେହ ରାଜାର ତପସ୍ୟା ଓ ଦିଗ୍‌ବିଜୟ

 

କହୁଛନ୍ତି କୂର୍ମରୂପୀ ଦେବ ମଧୂହାରୀ

 

ଜୟଧ୍ୱଜ ଚରିତ ଯେ ପାପନାଶକାରୀ

ଆବର ତା ବୀରପଣ କହୁଅଛି ଶୁଣ

 

ଶୁଣିଲେ ଯମଦେବତା ନ ଦଣ୍ତିବ ଜାଣ

କଶ୍ୟପ ଭାରିଯା ତନୁ ଉଦରୁ ସଂଭୂତ

 

ଭୃନ୍ଧୁ ନାମରେ ରାକ୍ଷସ ମହା ବଳବନ୍ତ

ତ୍ରିବିକ୍ରମ ରୂପେ ତାକୁ ମାଇଲେ ଶ୍ରୀହରି

 

ତାର ପୁତ୍ର ରମ୍ଭା ହେଲା ଦେବଙ୍କ ବଇରୀ

ଜୁମ୍ଭ ନାମେ ହେଲା ତାର ପ୍ରତାପୀ କୁମର

 

ତାହାର ପୁତ୍ରର ନାମ ଜୟ ମହାବୀର

ବାସବ ତାହାକୁ ମାରି ଦେଲେ ଜମ୍ଭଭେଦୀ

 

ଜୁମ୍ଭର ପୁତ୍ର ବିଜୟ ହୋଇଲା ବିବାଦୀ

ତାହାର ପୁତ୍ର କୁଜୁମ୍ଭ ପାଇଲା ମୂଷଳ

 

ତାକୁ ମହାଭୟ କଲେ ଦେବ ଆଖଣ୍ତଳ

ମୁଦ୍ରାବତୀ କନ୍ୟାକୁ ସେ ବଳେ ନେଲା ହରି

 

ବତ୍ସପି ମାଇଲା ତାକୁ ଭେଦୀ ବସୁନ୍ଧରୀ

ତାହାର ପୁତ୍ରକୁ ଦେହ ଅତି ବଳବନ୍ତ

 

ତାହାର ପୁତ୍ର ବିଦେହ ନାମରେ ଦଇତ

ଶୋଭାବତୀପୁର ତାର କଟକ ଅଟଇ

 

ସୁବୁଦ୍ଧି ନାମେ ତାହାର ମନ୍ତ୍ରୀଏ ଅଛଇ

ବହୁତ କାଳରୁ ସେହିକରେ ମନ୍ତ୍ରୀପଣ

 

ବୁଦ୍ଧିରେ ଶୁକ୍ର ସମାନ ବଳବନ୍ତ ପୁଣ

ଦିନେ ବିଦେହ ଦାନବ ମନ୍ତ୍ରୀ ସଙ୍ଗତରେ

 

ଭ୍ରମଣ କରୁଁ ପଶିଲା ନନ୍ଦନ ବନରେ

ଇନ୍ଦ୍ର ଦେବତାର ସେହି ଅପୂର୍ବ କାନନ

 

ବିଜେ କରିଛନ୍ତି ତହିଁ ଦେବ ମଘବାନ

ସ୍ୱର୍ଗ ଅପସରା ଆଗେ କରୁଛନ୍ତି ନୃତ୍ୟ

 

ନାନାବିଧ ଅଳଙ୍କାରେ ହୋଇଣ ମଣ୍ତିତ

ଇନ୍ଦ୍ରର ସମ୍ପଦ ଦେଖି ବିଦେହ ଅସୁର

 

ମନ୍ତ୍ରୀକି ପୁଚ୍ଛଇ ଏହି ଉଦ୍ୟାନ କାହାର

କିଏ ଏଥି ବସିଅଛି କହ ମନ୍ତ୍ରୀବର

 

ସୁବୁଦ୍ଧି ଦାନବ ବୋଲେ ଶୁଣ ଦୈତ୍ୟବର

ମଧ୍ୟରେ ଯେ ବସିଅଛି ସ୍ୱର୍ଗର ମଘବା

 

ତାହାର ସମ୍ପଦ କଥା ତୋତେ କି କହିବା

ଇନ୍ଦ୍ର ସମ୍ପଦରୁ ଆଉ ଅଛି କି ସମ୍ପଦ

 

ନୃତ୍ୟ ଯେ କରନ୍ତି ସେହି ଅପସରା ବୃନ୍ଦ

ସଭାରେ ଯେ ବସିଛନ୍ତି ସେମାନେ ଦେବତା

 

ନନ୍ଦନବନ ଏହାର ନାମ ମହାରଥା

ଶୁଣି ବିଦେହ ଦାନବ ବୋଇଲେ ଯେ ହସି

 

ଚାଲ ଏ ନନ୍ଦନବନ ମଧ୍ୟେ ଯିବା ପଶି

ଇନ୍ଦ୍ରକୁ ମାରି ଘେନିବା ଏହାର ସମ୍ପଦ

 

ଆମ୍ଭ ପୁରେ ରହିବେ ଏ ଅପସରା ବୃନ୍ଦ

ସୁବୁଦ୍ଧି ଦାନବ ଶୁଣି ବୋଲଇ ଏମନ୍ତ

 

ତିନିପୁରେ ନାହିଁ ଇନ୍ଦ୍ର ତୁଲ୍ୟ ବଳବନ୍ତ

ତୋହର ଉପର ବଂଶେ ମହାବଳୀ ଜମ୍ଭ

 

ସ୍ୱର୍ଗକୁ ସେ ଧାଡ଼ି ଦେଲା ମନେ ବହି ଦମ୍ଭ

ଏହି ଇନ୍ଦ୍ର ବଜ୍ରେ ତାକୁ ପକାଇଲା ମାରି

 

ତେଣୁ ଜମ୍ଭଭେଦୀ ନାମ ହୋଇଲା ଏହାରି

ଯେବେ ଏହାର ସମ୍ପଦ ନେବାକୁ ତୋମନ

 

ତପସ୍ୟାରେ ତୋଷ ଯାଇଁ କମଳ ଆସନ

ପ୍ରସନ୍ନ କରାଇ ତାଙ୍କଠାରୁ ପାଇ ବର

 

ଦେବଇନ୍ଦ୍ର ହୋଇ ସୁଖେ ସ୍ୱର୍ଗ ଭୋଗକର

ମନ୍ତ୍ରୀ ବଚନେ ଦାନବ ବୀର ତହୁଁ ଗଲା

 

ମନ୍ତ୍ରୀର ହସ୍ତେ ଆପଣା ରାଜ୍ୟ ସମର୍ପିଲା

ହିମାଳୟ ପର୍ବତର ଗଙ୍ଗାନଦୀ ତୀରେ

 

ଘୋର ତପ କଲା ବସି ରହି ଅନାହାରେ

ଖରାବେଳେ ପଞ୍ଚଅଗ୍ନି ଥାପି କରେ ଜପ

 

ଶୀତ ବରଷା ସହିଣ କରଇ ସେ ତପ

ଏମନ୍ତେ ଗଲା ସହସ୍ର ବରଷ ଯେ ବହି

 

ହଂସ ପୃଷ୍ଠେ ବିଜେ କଲେ ବ୍ରହ୍ମା ଆସି ତହିଁ

ବୋଇଲେ ଦାନବ କିମ୍ପା କରୁଅଛୁ ତପ

 

ଅନାହାରେ ରହି ମହାମନ୍ତ୍ର କରୁ ଜପ

ପ୍ରସନ୍ନ ହୋଇଲୁ ଆମ୍ଭେ ଅଟୁ ବେଦବର

 

ତୋହର ଇଚ୍ଛାରେ ତୁହି ମାଗି ଘେନ ବର

ଆଖି ମେଲି ସେ ଦାନବ ଶୂନ୍ୟକୁ ଚାହିଁଲା

 

ମରାଳ ବାହନେ ବିଜେ ବ୍ରହ୍ମାଙ୍କୁ ଦେଖିଲା

ଚାରିମୁଖେ ଚାରିବେଦ କରୁଛନ୍ତି ଗାନ

 

ଚରଣେ ପ୍ରଣମି ବୋଲେ ଦାନବରାଜନ

ନିସ୍ତରିଲି ନିସ୍ତରିଲି ଦେଖିଲି ନୟନେ

 

ଏହି ବରଗୋଟି ମୋତେ ଦିଅ ସୁପ୍ରସନ୍ନେ

ତିନିପୁରେ ବୋଲାଇବି ମୁହିଁ ମହାବୀର

 

ବଜ୍ରହୁଁ ଆଣ୍ଟ ହୋଇବ ମୋହର ଶରୀର

କାମରୂପୀ ହେବି ମୁହିଁ ଜିଣିବି ଜଗତ

 

ମୋହର ଦେହରେ ବଳ ହେବ ଅପ୍ରମିତ

ରୁଦ୍ର ଶର ବିଷ୍ଣୁଶର ଇନ୍ଦ୍ର ଶର ଆଦି

 

ଉପୁଡ଼ି ପଡ଼ିବ ଦେହେଁ ତିଳେହେଁ ନ ଭେଦି

ବ୍ରହ୍ମଶର ଅଗ୍ନିଶର ଆଦି ଯେତେ ଶର

 

ମୁନି ବଙ୍କା ହୋଇଯିବ ଶରୀରେ ମୋହର

ଶକତି ତ୍ରିଶୂଳ ଚକ୍ର ନ ଭେଦିବ ଅଙ୍ଗେ

 

ହାରିଯିବେ ଦେବେ ରଣ କରି ମୋର ସଙ୍ଗେ

ଦାନବ ଗନ୍ଧର୍ବ ଯକ୍ଷ ହସ୍ତେ ନ ମରିବି

 

ଅନଳ ମଧ୍ୟରେ ପଡ଼ି ପୋଡ଼ି ମୁଁ ନ ଯିବି

ଜଳରେ ବୁଡ଼ିଲେ ପ୍ରାଣ ନ ଯିବ ମୋହର

 

ମାୟାବଳେ ସାଧିବି ମୁଁ ଏହି ତିନି ପୁର

ବ୍ରହ୍ମା ବିଷ୍ଣୁ ରୁଦ୍ର ଯୁଦ୍ଧେ ନ ପାରିବେ ମୋତେ

 

ଇନ୍ଦ୍ର ଆଦି ଦିଗପାଳେ ଦେବତା ସହିତେ

ଅସ୍ତୁ ହେଉ କହି ତହୁଁ ଗଲେ ବେଦବର

 

ବାଟେ ଭେଟିଲେ ଇନ୍ଦ୍ରାଦି ଦେବତା ନିକର

ବୋଇଲା ଭୋ ପିତାମହ କଲ ତ ଅନୀତି

 

ଅମର ବର ପାଇଲା କଉଣପ ପତି

କାହିଁରେ ତ ନ ମରିବ ଦେଲ ଏହିବର

 

ବ୍ରହ୍ମା ବୋଇଲେ ମୋ ସଙ୍ଗେ ଆସ ବଜ୍ରଧର

ଶ୍ରୀହରିଙ୍କି କହିବା ସେ କରିବେ କାରଣ

 

ଶୁଣି ପୁରୁହୂତ ଗଲେ ଘେନି ଦେବଗଣ

କ୍ଷୀର ସିନ୍ଧୁରେ ଶ୍ରୀହରି ପାଶେ ଯାଇଁ ମିଳି

 

ଲକ୍ଷ୍ମୀଠାକୁରାଣୀ ଘେନି ବିଜେ ବନମାଳୀ

 

 

ଦେବତାଙ୍କ ସ୍ତୁତି ଶୁଣି ପଚାରିଲେ ହରି

 

କି ନିମନ୍ତେ ଆସିଅଛ କହ କୁଶଧାରୀ

ବୋଇଲେ ଯେ କୁଶଧାରୀ ଶୁଣ ତୁ ଅଚ୍ୟୁତ

 

ବିଦେହ ଦାନବ ତପେ ତୋଷିଲା ମୋ ଚିତ୍ତ

ତାହାକୁ ଅମର ବର ଦେଲି ନ ବିଚାରି

 

ଏଥକୁ କି ପ୍ରତିକାର କର ଦଇତ୍ୟାରି

ଶ୍ରୀହରି ବୋଇଲେ ତୁମ୍ଭେ ନିଜ ପୁରେ ଚଳ

 

ବ୍ରାହ୍ମଣ ବେଶ ଧଇଲେ ପ୍ରଭୁ ଆଦିମୂଳ

ବର ପାଇ ଆନନ୍ଦରେ ଆସୁଛି ଦଇତ

 

ଶ୍ରୀବଷ୍ଣୁ ମାୟାରେ କଲେ ତାହାକୁ ମୋହିତ

ଦଇବ ଦେଖିଲା ବାଟେ ଏକ ଦ୍ୱିଜବର

 

ଅତି ବୃଦ୍ଧ ନାହିଁ କର ଚରଣ ତାହାର

ଦଇତ୍ୟ ବୋଇଲା ବିପ୍ର ଏମନ୍ତ କେ କଲା

 

ହାତ ଗୋଡ଼ କାଟି ତୋତେ ବାଟେ ପକାଇଲା

ଶ୍ରୀହରି ବୋଇଲେ ଶୁଣ ଆହେ ବୀରମଣି

 

ବହୁତ କାଳ ସେବିଲି ମୁହିଁ କୁଶପାଣି

ଖରା ବରଷା ଶୀତ ମୁଁ ଅଛି କଷ୍ଟେ ସହି

 

ସହସ୍ର ବରଷେ ମୋତେ ଦେଖାଇଲେ ବିହି

ବୋଇଲେ କି ଇଚ୍ଛା ତୋର ମାଗି ଘେନ ବର

 

ମୁଁ ବୋଇଲି ମୋତେ ପ୍ରଭୁ କର ଯେ ଅମର

ହେଉ କହି ମୋ ପାଶରୁ ହୋଇଲେ ଅନ୍ତର

 

ବର ପାଇବାରୁ ମୋର ଆନନ୍ଦ ଅପାର

ତୀର୍ଥ କରିବା ନିମନ୍ତେ ଘେନି କିଛି ଧନ

 

ଯାଉଥିଲି ବାଟେ ମୋତେ ଧରି ଦୁଇଜଣ

ଧନଯାକ ନେଇ ହାତ ଗୋଡ଼ କାଟିଦେଇ

 

ଏଠାରେ ପକାଇ ଦେଲେ ନ ପାରଇ ଯାଇ

ଯେତେ ମାଡ଼ ମାରିଛନ୍ତି କି କହିବି ତାହା

 

କଥା କହି ପାରୁ ନାହିଁ ଆହେ ଦୈତ୍ୟ ନାହା

ନାସାବାଟେ ଆତଯାତ ହେଉଛି ନିଃଶ୍ୱାସ

 

ଦେଖ ମୋତେ ଧଇଲାଣି ଆସି ଅଣଞ୍ଚାଶ

ଏହିକ୍ଷଣି ପ୍ରାଣ ଯିବ ଦେଖୁ ଦେଖୁ ତୁମ୍ଭେ

 

ଅମର ବର ପାଇ ମୁଁ ମରୁଅଛି ଏବେ

ଏହା କହୁଁ କହୁଁ ମଲା ବୃଦ୍ଧ ଦ୍ୱିଜବର

 

ଦେଖି ଆଚମ୍ବିତ ହେଲା ଦାନବ ଈଶ୍ୱର

ମନେ ବିଚାରିଲା ମୁହିଁ କରିବି କେମନ୍ତ

 

ଜନମ ହେଲେ ମରଣ ଅଟଇ ନିୟତ

ଜାଣିଥିଲେ ଅବା ହୋଇପାରେ ସାବଧାନ

 

ଏମନ୍ତ ବିଚାରି ତହୁଁ ଗଲା ତପ ସ୍ଥାନ

ପୁଣି ତପ କଲା ବସି ଜାଣି ବେଦବର

 

ବୋଇଲେ କିମ୍ପାଇଁ ତପକରୁ ପାଇ ବର

ଦାନବ ବୋଇଲା ମୋର ମୃତ୍ୟୁ ଭେଦ କହ

 

ହସି ବୋଇଲେକ ତାକୁ ଲୋକ ପିତାମହ

ମାନବ ହସ୍ତରେ ତୋର ମରଣ ନିୟତ

 

ସେ ମାନବ ହୋଇଥିବ ବିଷ୍ଣୁର ଭକତ

ରାଜବଂଶେ ଜାତ ହୋଇଥିବ ସେହି ପୁଣି

 

ଅନ୍ୟ ବାଣେ ନ ମରିବୁ ଆରେ ବୀରମଣି

ବ୍ରହ୍ମା ବିଷ୍ଣୁ ଶିବ ଅଂଶୁ ଜାତ ଯେଉଁବାଣ

 

ସେ ବାଣ ଘେନିବ ବାବୁ ତୋହର ପରାଣ

ଶିର କାଟିଲେ ତୋହର ନ ଯିବ ଜୀବନ

 

ନାଭି ଭେଦି ପ୍ରାଣଲିଙ୍ଗ କଲେଟି ଛେଦନ

ମରିବୁ ଏ କଥା ସତ ଆରେ ଦୈତ୍ୟରାଜ

 

ରାତ୍ରେ ତୋତେ ନେଇ ନ ପାରିବ ଯମରାଜ

ଦିବସରେ ନ ମରିବୁ ଏକଥା ପ୍ରମାଣ

 

ସଞ୍ଜ ସକାଳେ ମାରିବ ଯେବେ ପୁଣି ବାଣ

ତେବେ ତୁ ମରିବୁ ଏହି ତୋର ମୃତ୍ୟୁଭେଦ

 

ଆନ ନୋହିବ କଦାପି ଏ ବଚନ ସିଦ୍ଧ

ଏହା କହି ବେଦବର ଗଲେ ଅନ୍ତର୍ଦ୍ଧାନେ

 

ଦାନବମଣି ମିଳିଲା ଆପଣା ଭୁବନେ

ସୁବୁଦ୍ଧି ମନ୍ତ୍ରୀର ଆଗେ କହିଲା ସମସ୍ତ

 

ମନ୍ତ୍ରୀବର ବୋଇଲା ତୁ କଲୁ ମନ୍ଦକୃତ୍ୟ

ବିଷ୍ଣୁଚକ୍ର ମାଟାରେ ତୁ ପଡ଼ିଗଲୁ ମୋହ

 

ଜାଣି ନ ପାରି ନାଶିଲୁ ଆପଣାର ଦେହ

ସେ ବୃଦ୍ଧ ବ୍ରାହ୍ମଣ ଅଟେ ସାକ୍ଷାତରେ ହରି

 

ବୁଝି ନ ପାରିଲୁ ବୀର ମାୟାକୁ ତାହାରି

ବ୍ରହ୍ମାର ବଚନ ହୋଇ ପାରଇ କି ଆନ

 

ବିପ୍ର କଥାରେ ତୁ ପଡ଼ି ହରାଇଲୁ ଜ୍ଞାନ

ଆପଣା ଇଚ୍ଛାରେ ଆପେ ବାଞ୍ଚ୍ଥିଲୁ ମରଣ

 

ଶୁଣି ସେ ଦାନବମଣି ମନ୍ତ୍ରୀର ବଚନ

କୋପରେ ବୋଇଲା ମୁହିଁ ବିଷ୍ଣୁଙ୍କୁ ମାରିବି

 

ପଛେ ଯାଇ ବାସବର ପୁର ଉଜାଡ଼ିବି

ମନ୍ତ୍ରୀ ବୋଇଲେ ଏମନ୍ତ ନୁହଇଁ ବେଭାର

 

ମହୀକ୍ଷୀର ସମୁଦ୍ରରେ ଶ୍ରୀ ବିଷ୍ଣୁର ଘର

ଆଗ ସାଧିବା ଅସୁରବଳ ଚାଲ ଯାଇ

 

ମହାମୁହା ସୁରମାନେ ଅଛନ୍ତି ଯେ ତହିଁ

ତାହାଙ୍କୁ ଆଣି ଆମ୍ଭର ଥାଟେ ମିଶାଇବା

 

ବହୁତ ଥାଟ ହୋଇଲେ ସ୍ୱର୍ଗପୁର ନେବା

ପାତାଳ ସାଧି ବିଷ୍ଣୁଙ୍କୁ କରିବା ନା ଜୟ

 

କଇଳାସ ସାଧିନେବା ଶିବର ଆଳୟ

ସମୁଦ୍ର ସାଧି ବରୁଣପୁର ଆମ୍ଭେ ନେବା

 

ବହୁତ ରତ୍ନ ଭଣ୍ତାରେ ଆଣି ତା ଥୋଇବା

ପୃଥିବୀ ସାଧିବା ତହୁଁ ଶୁଣ ମହାବୀର

 

ତିନିପୁର ଦାନବଙ୍କ ହେବ ଅଧିକାର

ମନ୍ତ୍ରୀ ବଚନେ ଅସୁର କଲା ସନମତ

 

ବୋଇଲା ଥାଟ ଆମ୍ଭର ସାଜ ହୋ ତୁରିତ

ମନ୍ତ୍ରୀ ବୋଇଲା ଶ୍ରୀମୁଖ ଗୋଟିଏ ଲେଖିବା

 

ଦାନବ ବୀରମାନଙ୍କୁ ପାଖେ ପଠାଇବା

ଯେ ଆସିବେ ତାଙ୍କୁ ଆମ୍ଭେ କରିବା ଆଦର

 

ନ ମାନିବା ଲୋକ ସଙ୍ଗେ କରିବା ସମର

ଦାନବପତି ବୋଲଇ ନ କର ବିଳମ୍ବ

 

ଶ୍ରୀମୁଖ ଲେଖିବା ପାଇଁ କଲା ସେ ଆରମ୍ଭ

ଲେଖନ ପତର ଧରି ଲେଖଇ ସେ ଆଗ

 

ବିଦେହ ନାମେ ଦାନବ କୁଳର ଯେ ବାଘ

ଧୁନ୍ଦୁବଂଶେ ଜନମ ଯେ ଗୁଣର ସାଗର

 

ଶୋଭାବତୀ ପାଟଣାରେ ଅଟଇ ତା ଘର

ଯେଉଁ ଶୋଭାବତୀପୁରେ ପ୍ଲକ୍ଷଦ୍ୱୀପେ ସାର

 

ଅତିଯତ୍ନେ ଗଢ଼ିଥିଲା ଯାହା ବେଦବର

ଘର ସବୁ ସ୍ଫଟିକରେ ହୋଇଛି ନିର୍ମାଣ

 

ଜଳ ଜଳ ଦିଶୁଛନ୍ତି ଯହିଁ ଖମ୍ବମାନ

ଶୋଭାରେ ଅମରାବତୀ ନିନ୍ଦଇ ସେ ପୁର

 

ତେଣୁ ଶୋଭାବତୀ ନାମ ଦେଲେ ବେଦବର

ବ୍ରହ୍ମାର ବର ପାଇ ସେ ଦନୁଜ ରାଜନ

 

ବଳେ ଘେନିଣ ବିଚାର ଅମର ଭୂବନ

ଯାହାର ପ୍ରତାପ ସହି ନ ପାରଇ ମହୀ

 

ତାହାର ଶ୍ରୀମୁଖ ଆଜ୍ଞା ଯେ ଦାନବ ପାଇ

ଆସିବ ତାହାକୁ ସେହି କରିବେ ଆଦର

 

ନ ଆସିଲେ ତାହା ସଙ୍ଗେ କରିବେ ସମର

ଏମନ୍ତ ଦେଖି ଦୁତଙ୍କ ହସ୍ତେ ପଠାଇଲା

 

ଦାନବମାନଙ୍କ ହସ୍ତେ ଦୂତ ନେଇ ଦେଲା

ଆନନ୍ଦେ ଅସୁରବଳ ଅଇଲେକ ମାଡ଼ି

 

ଶୋଭାବତୀ ପାଟଣାକୁ ଘରଦ୍ୱାର ଛାଡ଼ି

ପାତାଳରେ ଥିଲେ କେତେ ନାରାୟଣ ଡରେ

 

କେତେ ଶୁଣି ଲୁଚିଥିଲେ ସମୁଦ୍ର ଭିତରେ

ସେମାନଙ୍କ ନାମ ପୁଣ ଆହୋ ସୁରମୁନି

 

ସୁମୁଖ ଦୁର୍ମୁଖ ନାମେ ଏ ଅସୁର ବେନି

କଙ୍କ ଧଙ୍କ ଦୁଇ ବୀର ମହା ବଳବନ୍ତ

 

ଶଙ୍କଟ ନିକଟ ଦୁଇ ଅସୁର ଧୂମାନ୍ତ

ହୟଶିରା ଗଜଶିରା ଶଙ୍ଖନାଭି ବୀର

 

ବିକରାଳ ଶ୍ରୀକଟାଳ କଟାଳ ଆବର

ସୁଜଙ୍ଘ ପ୍ରଜଙ୍ଘ ସ୍ଥୂଳଜଙ୍ଘ ଏହି ତିନି

 

କ୍ଷଣକେ ବୁଲିପାରନ୍ତି ସକଳ ମେଦିନୀ

ନାଗାନ୍ତକ ଯାଗାନ୍ତକ ଏ ବେନି ଅସୁର

 

କ୍ଷଣକେ ସାଧିପାରନ୍ତି ଅମର ନିକର

ଖୁରଣସ ଖୁରଚକ୍ଷୁ ବିକୃତ ଲୋଚନ

 

ସ୍ଥୂଳକାୟା ବୃହତ୍କାୟ ତ୍ରିକୁଟନୟନ

ଏମନ୍ତେ ଯେ ବୀରମାନେ ଶୋଭାବତୀ ପୁରେ

 

ଖଟିଲେ ବିଦେହ ଦୈତ୍ୟ ପାଦେ ପ୍ରାଣଡରେ

ଗଉରବ କରି ତାଙ୍କୁ ରଖିଲେ ବିଦେହ

 

ସେନାପତିପଦେ ଶାଢ଼ୀ ଦେଇ କଲା ସ୍ନେହ

ହୋଇଲେ ଦାନବବଳ ବତିଶ ପରାର୍ଦ୍ଧ

 

ମହାବଳ ମହାବୀର ସର୍ବେ ମହାଯୋଧ

ଆନନ୍ଦ ହୋଇ ବିଦେହ ମନ୍ତ୍ରୀକି କହଇ

 

ଆମ୍ଭର ଥାଟକୁ ଦେଖି ଯମହିଁ ଡରଇ

ସ୍ୱର୍ଗ ଭୂବନକୁ ଆମ୍ଭେ ଯିବା ଚାଲ ବାହି

 

ଶୁଣି ମନ୍ତ୍ରୀ ଥାଟ ସଜକଲା ବେଗେ ଯାଇଁ

ଚଳିଲେ ଅସୁରବଳ ଦଶଯୁଣ ମାଡ଼ି

 

ଋଷିମୁନିଙ୍କି ଖାଇଲେ ବାଟେ ଧରିଗୋଡ଼ି

ଗୋରୁ ବ୍ରାହ୍ମଣ ଦେଖିଲେ ହୁଅନ୍ତି ଆନନ୍ଦ

 

ଗୋଟା ଗୋଟା ଧରି ଗିଳିଦିଅନ୍ତି ସେ ମନ୍ଦ

କାହାର ଆଖି ଦିଶଇ ଗିରିକ୍ରୋଟ ପରି

 

ଗଜଦନ୍ତଠାରୁ ବଡ଼ ଦାନ୍ତ ବା କାହାରି

ପର୍ବତପ୍ରାୟ ଦିଶଇ କେଉଁ ଦୈତ୍ୟଗୋଟା

 

କାହାର ବା ଜଙ୍ଘ ଦୁଇ ହୋଇଅଛି ମୋଟା

କାହାର ଶିର ଲାଗଇ ସୂର୍ଯ୍ୟରଥେ ଯାଇ

 

କାହା ଦେହ ଶିରାମୟ ଭୀଷଣ ଦିଶଇ

କାହା ନାକ ଖୁର ପରି କୁଲା ପରି କାନ

 

କାହାର ନଖ ଦିଶଇ ଖୁରୂପୀ ସମାନ

କାହାର କେଶ ଖାଙ୍କର ଭୟଙ୍କର ଅତି

 

ଦେଖିଲେ ଡର ମାଡ଼ିବ କାହାର ମୂରତି

ଘଡ଼ଘଡ଼ି ପରି ଶୁଭେ ରଡ଼ି ତାହାଙ୍କର

 

ତର୍ଜନ ଗର୍ଜନ କରି ଧାମନ୍ତି ଅସୁର

ଛୁରୀ ଖଣ୍ତା ତରବାରୀ କୁନ୍ତ ଯେ ଶାବଳ

 

ଘେନି ଧାମନ୍ତି ଅସୁରେ ହୋଇ କୁତୁହଳ

ଶକତି ମୁଦ୍‌ଗର ଧରି ମାରଇ କେ ଚିରା

 

କାହା ପାଦଭରେ କମ୍ପି ଯାଉଅଛି ଧରା

କେହି ଧନୁଶର ଧରି ଯାଏ ରଥ ଚଢ଼ି

 

ବାହାସ୍ଫୋଟ ମାରି କେହି ଯାଉଛି ଦଉଡ଼ି

କେହି ଗଜପୃଷ୍ଠେ ବସି ଧରିଛନ୍ତି ଖଣ୍ତା

 

ଅଶ୍ୱପୃଷ୍ଠେ ବସିଛନ୍ତି କେବଣ ପ୍ରଚଣ୍ତା

ଶାର୍ଦ୍ଦୂଳ ଚଢ଼ି ଯାଉଛି କେଉଁ କଉଣପ

 

କେ ଗଧ ଚଢ଼ି ଯାଉଛି କରେ ଧରି ଚାପ

ଏମନ୍ତେ ଅସୁରବଳ ନିର୍ଭୟେ ଗମନ୍ତି

 

ଦେଖି ଆନନ୍ଦ ମନରେ ସେ ଦାନବ ପତି

ସାରଥିକି ବୋଲେ ମୋର ରଥ ଆଣ ସାଜି

 

ସାରଥି ଯୋଚଲା ରଥେ ଚାରିଗୋଟି ବାଜୀ

 

 

ଉଡ଼ି ପାରନ୍ତି ସେ ଘୋଡ଼ା ଅନ୍ତରୀକ୍ଷ ମାର୍ଗେ

 

ବିଦେହ ଦୈତ୍ୟ ସେ ରଥେ ବସିଲାକ ବେଗେ

ସୁବୁଦ୍ଧି ମନ୍ତ୍ରୀ ବସିଲା ଆନରଥେ ଯାଇଁ

 

ଟମକ ନିଶାଣ ବାଦ୍ୟେ ମହୀ ଚମକଇ

ଧାମନ୍ତେ ଗଗନମାର୍ଗେ ଦେଖିଲେ ଆଦିତ୍ୟ

 

ସହସ୍ରେ କିରଣ ଧରି ହୋଇଲେ ଉଦିତ

ଦୂତ ଯାଇଁ ଜଣାଇଲା ବାସବର ଆଗେ

 

ଆହୋ ସୁରପତି ଦୈତ୍ୟ ପଶିଲେ ତୋ ସ୍ୱର୍ଗେ

ବିଦେହ ଦଇତ ଜମ୍ଭୁଦୈତ୍ୟ ପଣନାତି

 

ଶୋଭାବତୀ ପାଟଣାର ଅଟେ ଅଧିପତି

ବ୍ରହ୍ମାର ବରେ ଅତୁଟ ଅକାଟ ତା କାୟ

 

ବଡ଼ ପ୍ରତାପୀ ଅଟଇ ସେ ଦାନବ ରାୟ

ବତିଶ ପରାର୍ଦ୍ଧ ଦୈତ୍ୟ ଅଛନ୍ତି ତା ସଙ୍ଗେ

 

ଏକୁଁ ଏକ ମହାବଳୀ ପଶିଲେଣି ସ୍ୱର୍ଗେ

ବିଚାରି କାର୍ଯ୍ୟ କରିବା ହେଉ ସୁର ରାୟ

 

ଶୁଣି ଇନ୍ଦ୍ରଦେହେ ହେଲା କୋପ ଯେ ଉଦୟ

ଆଦିତ୍ୟଗଣଙ୍କୁ ଚାହିଁ ବୋଇଲେ ତୁରିତ

 

ବାଟ ଓଗାଳ ପୁରକୁ ନ ପଶୁ ଦଇତ

ଦ୍ୱାଦଶ ଆଦିତ୍ୟଗଣ ଘେରିଗଲେ ଧାଇଁ

 

ଅନଳକୁ ଆଜ୍ଞା ପୁଣି ଦେଲେ ସୁରସାଇଁ

ପ୍ରଚଣ୍ତ ହୋଇ ଶିଖାରେ ପୋଡ଼ିପକା ତାଙ୍କୁ

 

ଯେମନ୍ତେ ସେ ନ ଆସନ୍ତି ଅମର ପୁରକୁ

ପବନକୁ ବୋଇଲେ ତୁ ସାହା ହୁଅ ଯାଇଁ

 

ଯେମନ୍ତେ ଅଗ୍ନି ଦେବତା ଅସୁର ପୋଡ଼ଇ

ବାଟ ନ ଛାଡ଼ିବ ସ୍ୱର୍ଗଦ୍ୱାର ଥିବ ରୁନ୍ଧି

 

ମୁହିଁ ଯାଉଅଛି ତୁମ୍ଭ ପଛେ ସୈନ୍ୟସାଜି

ଏମନ୍ତ କହି ବାସବ ରଥରେ ବସିଲା

 

ମାତଳି ସାରଥି ସେହି ରଥକୁ ବାହିଲା

ରୁଦ୍ର ଦେବତା ଅଇଲେ ରୁଦ୍ରଗଣ ଘେନି

 

ଦେବସୈନ୍ୟ ସେନାପତି ଅଟଇ ସେନାନୀ

ଯମ କାଳଦଣ୍ତ ଘେନି ହୋଇଲେ ବାହାର

 

ଯକ୍ଷଙ୍କୁ ଘେନି ଅଇଲା ମହାତ୍ମା କୁବେର

ବରୁଣ ଦେବତା ଜଳପାଶ ଘେନି ଧାଇଁ

 

ଚିତ୍ରସେନ ଗନ୍ଧର୍ବ ସେ ରଥ ଚଢ଼ି ଯାଇ

ଶୂନ୍ୟରେ ଥାଇ ତେତିଶକୋଟି ଯେ ଦେବତା

 

ଅସୁର ସଙ୍ଗେ ଯୁଝିବା ପାଇଁ କଲେ କଥା

ଯାଇ ନ ପାରି ଦାନବ ରହିଲା ଆକାଶେ

 

ଆଦିତ୍ୟ ଦେବତା ତେଜ ବିକାଶିଲେ ରୋଷେ

ଅସୁରେ ବୋଇଲେ ଆଉ ନ ପାରିବୁ ସହି

 

ପ୍ରଚଣ୍ତ ଅନଳ ଦେଖ ଆସୁଅଛି ଦହି

ବିକଳ ଦେଖି ବିଦେହ ଦାନବ ଧାଇଁଲା

 

ବାର ଆଦିତ୍ୟଙ୍କୁ ବାର ବିଧା ଯେ ମାଇଲା

ବଜ୍ରସମ ମଣି ତାହା ପଳାଇଲେ ଡରେ

 

ଅସୁର ତହୁଁ ମିଳିଲା ଅଗ୍ନି ସମ୍ମୁଖରେ

ଦୈତ୍ୟକୁ ଦେଖି ପ୍ରଚଣ୍ତ ଅଗ୍ନିଶିଖା ଉଠେ

 

ପୋଡ଼ି ନ ଯାଇ ଦାନବ ବୀର ଅଗ୍ନିପୃଷ୍ଠେ

ବିଧାଏ ମାଇଲା ବହ୍ନି ନ ପାରିଲା ସହି

 

ପଳାଇଲା ଦାନବର ଆଗରେ ନ ରହି

ତାହା ଦେଖି ଆଗଭର ହୋଇଲା ପବନ

 

ଅଣଞ୍ଚାଶ ମୂରତିରେ ବହେ ଘନ ଘନ

ଅଟଳ ଦାନବଙ୍କୁ ସେ ନ ପାରିଲା ଟାଳି

 

ଚାପୋଡ଼େ ମାଇଲା ଦୈତ୍ୟଦେଇ ତାଙ୍କୁ ଗାଳି

ପବନ ଦେବତା ତହୁଁ ପଳାଇଲେ ଡରେ

 

ଚାରି ମେଘ ସୈନ୍ୟସାଜି ଅଇଲେ ସତ୍ୱରେ

ଘଡ଼ଘଡ଼ି ଚଡ଼ଚଡ଼ି ମାରି ଘନ ଘନ

 

ଘୋଟିଗଲେ ଚାରିମେଘ ଆଚ୍ଛାଦି ଗଗନ

ଘୋର ଅନ୍ଧକାର ହେଲା ନ ଦିଶିଲା କିଛି

 

ମନ୍ଦର ପର୍ବତ ପ୍ରାୟ ଦୈତ୍ୟ ରହିଅଛି

ଘନ ଘନ ମାରୁଅଛି ଶୂନ୍ୟରେ ବିଜୁଳି

 

କରକା ପଥର ବୃଷ୍ଟି କେ ପାରିବ କଳି

ମୂଷଳ ଧାରା ପ୍ରମାଣେ ବରଷନ୍ତି ନୀର

 

ନିର୍ଭୟରେ ରହିଅଛି ସେ ଦାନବ ବୀର

ନିର୍ଘାତ ପ୍ରାୟ ଶୁଭୁଛି ଦେଖି ଲାଗେ ଭୟ

 

ଅସୁରେ ବୋଇଲେ ରଖ ରଖ ଦୈତ୍ୟରାୟ

ଏମନ୍ତ କାତର ବାଣୀ ଶୁଣି ବୀରମଣି

 

ମେଘମଣ୍ତଳରେ ପୁଣି କୋପେ ଶିର ଝୁଣି

ଚାରି ମେଘକୁ ଯେ ଚାରି ଗୋଟା ମାରେ ମୁଖି

 

ଡରେ ଛାଡ଼ି ପଳାଇଲେ ଗଗନ ଉପେକ୍ଷି

ମେଘେ ଭାଙ୍ଗିଗଲେ ଯହୁଁ ତୁଟିଲା ଅନ୍ଧାର

 

ଦିଗ ପରଳ ହୋଇଲା ଧାଇଁଲେ ଅସୁର

ଦେବ ସୈନ୍ୟସଙ୍ଗେ ଯାଇ ହେଲେ ଭେଟାଭେଟି

 

ଗୁରୁଜ ଶାବେଳୀ କୋପେ ହେଲେ ପିଟାପିଟି

ବଳିଷ୍ଠ ଦାନବେ ତିଳେ ନ ଘୁଞ୍ଚନ୍ତି ରଣେ

 

ପିଠି କଲେ ଦେବସୈନ୍ୟ ଅସୁରଙ୍କ ବାଣେ

କୋପେ କାର୍ତ୍ତିକେୟ ଚଢ଼ି ମୟୂର ଉପରେ

 

ମାଇଲେ ଅସୁର ବଳ ତୀକ୍ଷ୍‌ଣ ନାରାଚରେ

ପଡ଼ିଲେ ବହୁତ ଦୈତ୍ୟ ଖଣ୍ତ ଖଣ୍ତ ହୋଇ

 

ଦେଖି ସୁମୁଖ ଦୁର୍ମୁଖ ଏହି ଦୁଇ ଭାଇ

ବେଢ଼ିଲେ ସଇନ୍ୟ ଘେନି ସେନାନୀଙ୍କ ବଳେ

 

କୋପେ ଶକତି ଧଇଲେ ଅସୁରଙ୍କ ରୋଳେ

ଶକତିର ତେଜ ସହି ନ ପାରିଲେ ସେହି

 

ପଛଘୁଞ୍ଚା ଦେଲେ ଦୁହେଁନ ପାରିଲେ ସହି

ଶକଟ ବିକଟ ଦୁଇ ବୀର କଲେ ରୋଷ

 

ଦୁହେଁ ଦୁଇ ଗଦାଧରି କରିଣ ଆକ୍ରୋଶ

ମୟୂରକୁ ମାରିବାକୁ ମାଇଲେ ନିଠାଇ

 

ଶକତିରେ ବେନିଖଣ୍ତ ହେଲେ ଗଦା ଦୁଇ

ଦେଖି ଭୟକରି ଦୁହେଁ ପଛଘୁଞ୍ଚା ଦେଲେ

 

ଆନବୀର ଭୟ ପାଇ ଆଗକୁ ନ ଗଲେ

ଦାନବ ଈଶ୍ୱର ଦେଖି କଲା ମହାକୋପ

 

ଶରବୃଷ୍ଟି କଲା କରେଘେନି ଲୁହାଚାପ

ଶକତିର ତେଜେ ସବୁ ଶର ଗଲା ଜଳି

 

ଧାଇଁଗଲା କୋପଭରେ ଦୈତ୍ୟ ମହାବଳୀ

ଦେଖି କାର୍ତ୍ତିକେୟ ତାକୁ ମାଇଲେ ଶକତି

 

ତିଳେ ନ ଭେଦିଲା ଖସିପଡ଼େ ଯାଇଁ କ୍ଷିତି

ଭୟେ କାର୍ତ୍ତିକେୟ ତହୁଁ ଆଡ଼ ହୋଇଗଲେ

 

ରୁଦ୍ରଗଣ ଆସି କୋପେ ଦୈତ୍ୟଙ୍କୁ ବେଢ଼ିଲେ

ବାଣେ ଛାଇଦେଲେ ଘୋର ଦାନବର ଅଙ୍ଗ

 

ନିର୍ଭୟେ ସେ ବେଳୁବେଳ ହୁଏ ପୁଣି ଆଗ

ଦେଖି ରୁଦ୍ରଗଣଙ୍କୁ ଯେ ନ ସ୍ପୁରଇ କିଛି

 

ବିଚାରନ୍ତି ଏ କାହିଁରେ ଗଢ଼ା ହୋଇଅଛି

ପର୍ବତ ଫୁଟାଇ ଲୁହା ତୁଟଇ ଯେ ବାଣେ

 

ଦୈତ୍ୟଅଙ୍ଗେ ନ ଭେଦଇ କି ପେଶିବୁ ରଣେ

ଏମନ୍ତ ବିଚାରୁ ଦୈତ୍ୟ ଗଦା ଏକ ଧରି

 

ପିଟନ୍ତେ ସେ ରୁଦ୍ରଗଣ ଗଲେ ଅପସରି

ଧାଇଁଲେ ଗନ୍ଧର୍ବ ବଳ ଚିତ୍ରସେନ ଘେନି

 

ମାଇଲେ ଦନୁଜ ବଳ ଗଲେ ସଂଯମନୀ

ତା ଦେଖି ବିଦେହ ଦୈତ୍ୟ କୋପେ ପ୍ରଜ୍ଜ୍ୱଳିତ

 

ଗଦାଧରି ମାଇଲା ସେ ବଳ ଅପ୍ରମିତ

ଚିତ୍ରସେନ ଓଗାଳିଲା ବଡ଼ ଟାଣ କରି

 

ଗଦାରେ ପିଟନ୍ତେ ସେହୁ ଗଲା ଅପସରି

ମଇଁଷି ଉପରେ ଚଢ଼ି ଅଇଲାକ ଯମ

 

କାଳଦଣ୍ତ ଧରିଅଛି କରି ମହାତମ

ଗଦା ଧରି ସେ ଦାନବ ଯାଉଅଛି ଧାଇଁ

 

ଯମ କାଳଦଣ୍ତ ଶିରେ ପିଟିଲାକ ନେଇ

ନ ଭେଦିଲା ତେତେବଡ଼ ଅସ୍ତ୍ରଗୋଟା ତିଳେ

 

ଯମ ଛାଡ଼ି ପଳାଇଲା ଡରି ଦୈତ୍ୟରାଜେ

ବସୁଗଣ ଓଗାଳିଲେ ଦାନବକୁ ଯାଇ

 

ପ୍ରତାପୀ ଦୈତ୍ୟ ଗଦାରେ ପିଟିଲା ନିଠାଇ

ସହି ନ ପାରି ସେ ତହୁଁ ହୋଇଲେ ଅନ୍ତର

 

ବରୁଣ ଆସି ପାଶକୁ କଲାକ ବିସ୍ତାର

ପାଶରେ ପଡ଼ି ଦାନବ ଦେଲା ତା ଛିଣ୍ତାଇ

 

ଯେମନ୍ତେ କୁମ୍ଭୀର ଜାଲ ଚିରିଦେଇ ଯାଇ

ଦେଖି ବରୁଣ ଦେବତା ପଳାଇଲେ ଡରେ

 

କୁବେର ପିଟିଲା ଗଦା ଦାନବର ଶିରେ

ଗଦା ଭାଙ୍ଗିଗଲା ଦୈତ୍ୟ ତିଳେ ନ ଘୁଞ୍ଚିଲା

 

ଭୟେ କୁବେର ଦେବତା ଛାଡ଼ି ପଳାଇଲା

ବାସବ ଧାଇଁଲା କୋପେ ବଜ୍ର ଧରି କରେ

 

ବସିଅଛି ଐରାବତ ଗଜର ଉପରେ

ଦାନବ ଯାଇଁ ତାହାକୁ ଓଗାଳିଲା ବାଟ

 

ପର୍ବତ ଆଗରେ କିବା ପର୍ବତର ଭେଟ

ଥୋରେ ହସ୍ତ ବୁଲାଇଲା ଐରାବତ ଗଜ

 

ଦେଖି ତାହାକୁ ଧଇଲା ସେ ଦାନବରାଜ

କୋପେ ଦେବରାଜ ବଜ୍ରେ ପିଟିଲା ଦୈତ୍ୟକୁ

 

ଟହ ଟହ ହୋଇ ହସି ଧଇଲା ଗଜକୁ

ଦାନବ ବିକ୍ରମ ଦେଖି ଇନ୍ଦ୍ର ଗଲା ଖସି

 

ଦାନବର ବେକମୂଳେ ପ୍ରହାରିଲା ଆସି

ଦୁଇଖଣ୍ତ ହୋଇ ଭାଙ୍ଗିଗଲା ସେ ଖଡ଼୍‌ଗ

 

କୋପଭରେ ଗରଜଇ ସେ ମତ୍ତମାତଙ୍ଗ

ମହାପ୍ରତାପୀ ଦଇତ ଧରିଅଛି ଥୋର

 

ଚଳି ନ ପାରଇ ତେଡ଼େ ବଡ଼ ଗଜ ବର

ଇନ୍ଦ୍ର ଆଣି ଶକତିଏ ମାଇଲା ନିଠାଇ

 

ପଡ଼ିଲା ଦାନବବୀର ତଳେ ମୂର୍ଚ୍ଛାଯାଇ

ପଳାଇଲା ଗଜବର ନ ରହିଲା ଆଗେ

 

ଚେତାପାଇ ଦୈତ୍ୟବୀର ଧାମଇଁ ସେ ବେଗେ

ଇନ୍ଦ୍ର ଯେ ପଳାଇ ଗଲେ ମହାଭୟ ପାଇ

 

ବ୍ରହ୍ମାଙ୍କ ଆଗେ ନାରଦ କହିଲେକ ଯାଇଁ

ବିଦେହ ଦାନବ କଲା ସ୍ୱର୍ଗପୁର ଧ୍ୱଂସ

 

ଦାନବ ଭୟରେ ଦେବେ ଛାଡ଼ିଯିବେ ବାସ

ବେଦବର ଶୁଣି ତହୁଁ ଅଇଲେକ ଧାଇଁ

 

ବିଦେହ ଦାନବ ପାଶେ ମିଳିଲେକ ଯାଇଁ

ବ୍ରହ୍ମାଙ୍କୁ ଦେଖି ଦାନବ ପାଦେ ଓଳିଗଲା

 

କରଯୋଡ଼ି ଉଭା ହୋଇ ସ୍ତୁତି ଆରମ୍ଭିଲା

କଲ୍ୟାଣକଲେ ତାହାକୁ ହସ୍ତକୁ ପ୍ରସାରି

 

ବୋଇଲେ ବାବୁରେ ସ୍ୱର୍ଗ ନାଶୁ ନବିଚାରି

ଜିଣିଲୁ ତୁ ସ୍ୱର୍ଗପୁର ଇନ୍ଦ୍ର ହେଲା ଦାସ

 

ଯାହା ତୁ ମାଗିବୁ ତାହା ଦେବ ସୁରଈଶ

ଦାନବ ବୋଇଲା ବାଛି ବାଛି ରତ୍ନ ଦେଉ

 

ଯମ ଦେବତା ମୋ ପୁରେ ନ ପଶିବ ଆଉ

ବ୍ୟାଧି ପୀଡ଼ା ନ କରିବ ମୋହର ନଗରେ

 

ମୃତ୍ୟୁ ମୁଖେ ନ ପଡ଼ିବେ କେହି ମୋର ପୁରେ

ଭଲ ଭଲ ଅପସରା ଦେଉ ପୁରନ୍ଦର

 

ଦେବାଙ୍ଗ ପାଟ ବସନ ଦେଉ ଯେ ଆବର

ତାହା ଘେନି ମୁହିଁ ଯିବି ମୋହର ଭୁବନେ

 

ଡରେ ତାହା ଆଣିଦେଲେ ସହସ୍ର ଲୋଚନେ

ଦନୁଜ ପାଇ ଆନନ୍ଦେ ଅଇଲାକ ଫେରି

 

ରୁଦ୍ର ପୁରକୁ ବାହିଲା ମନ୍ତ୍ରୀଙ୍କି ପଚାରି

କଇଳାସେ ଥିଲେ ଶିବ ଦାନବର ଧାଡ଼ି

 

ଜାଣିପାରି ପଳାଇଲେ କଇଳାସ ଛାଡ଼ି

ଖୋଜି ଖୋଜି ନ ପାଇଲା ତାହାଙ୍କୁ ଦାନବ

 

କଇଳାସ ଭାଙ୍ଗନ୍ତେ ତା ଜାଣି ମହାଦେବ

ନାରାୟଣ ଦେବତାଙ୍କୁ କଲେ ସୁମରଣ

 

ଗରୁଡ଼ ପୃଷ୍ଠେ ଆରୋହୀ ବିଜେ ଜନାର୍ଦ୍ଦନ

ହରିହର ଦୁହେଁ ମିଳି କଲେ ଯାଇଁ ରଣ

 

ତାହାଙ୍କ ସଙ୍ଗେ ଅଛନ୍ତି ପ୍ରମଥ ଯେ ଗଣ

ବିନାୟକ କାର୍ତ୍ତିକେୟ ବୀରଭଦ୍ର ଆଦି

 

ସମସ୍ତଙ୍କ ଆଗେ ଅଛି ବୀରବର ନନ୍ଦୀ

ଦାନବ ବଳକୁ ମାରି କରିଦେଲେ ପଦା

 

ଦେଖି ବିଦେହ ଦାନବ କରେ ଧରି ଗଦା

ବୁଲାଇ ପିଟନ୍ତେ ନନ୍ଦୀ ପଳାଇଲେ ଡରେ

 

ବୀରଭଦ୍ର ଶୂଳ ନେଇ ମାଇଲା ତା ଉରେ

ନଭେଦିଲା ତିଳେ ମାତ୍ର ହୋଇଲା ବିଅର୍ଥ

 

ଭୟେ ବୀରଭଦ୍ର ଗଲା ନ କରି ଅନର୍ଥ

ବିନାୟକ ଦେବତା ଯେ ମାଇଲେ ଅଙ୍କୁଶ

 

ହସଇ ଯେ ଟହ ଟହ ହୋଇ ଦୈତ୍ୟଈଶ

ଦେଖି ରୁଦ୍ରଗଣ ଭୟେ ଗଲେ ଅପସରି

 

ଗରୁଡ଼ ପୃଷ୍ଠରେ ବିଜେ କଲେ ଦଇତାରି

ମନ୍ତ୍ରୀକି ଚାହିଁ ବୋଲଇ ଦାନବ ରାଜନ

 

ଏହି କି ରୁଦ୍ର ଦେବତା କଲା ଆଗମନ

ମନ୍ତ୍ରୀ ବୋଲଇ ଏ ରୂଦ୍ର ନୁହଁନ୍ତି ଶ୍ରୀହରି

 

ଦଇତ ମାରି ବୋଲନ୍ତି ନାମ ଦଇତାରି

ଏହାର ଯେ ଚିତ୍ରକୁଟ ମାୟାରେ ତୁ ପଡ଼ି

 

ମୃତ ବାଞ୍ଚ୍ଥିଲୁ ଅମର ପାଦକୁ ତୁ ଛାଡ଼ି

ଏହି ଜନାର୍ଦ୍ଦନ ଅଟେ ମହାବଳବନ୍ତ

 

ଅସୁର କୁଳର ଧୂମକେତୁ ଏ ଦୁର୍ଦ୍ଦାନ୍ତ

ଶୁଣି କୋପେ ଗରଜିଲା ସେ ଦାନବ ମଣି

 

ଗଦାବର ବୁଲାଇଲା ବେଗେ ଶିର ଝୁଣି

ଗରୁଡ଼ ଉପରେନେଇ ପିଟିଲା ତା ଭାଗେ

 

ଖଗବର ମୂର୍ଚ୍ଛାଗଲା ଶ୍ରୀହରିର ଆଗେ

ଦେଖି ଭାବଗ୍ରାହୀ ଶଙ୍ଖ ଛୁଇଁ ଦେଲେ ପ୍ରାଣ

 

ବୋଇଲେ ତୋ ଘରେ ତୁ ହୋ ଯାଅ ଖଗରାଣ

ଏହା କହି ଗଦା ଧରି ଧାଇଁଲେ ଶ୍ରୀହରି

 

ଦାନବ ଧଇଲା ଗଦା ବକ୍ରଗତି କରି

ଦୁହେଁ ଗଦାଯୁଦ୍ଧ କଲେ ନାହିଁ ଦିନରାତି

 

ଦାନବର ଗଦା ଭାଙ୍ଗିଦେଲେ ଶିରୀପତି

ଦାନବ ଶ୍ରୀହରି ହସ୍ତୁ ଗଦା ନେଲା କାଢ଼ି

 

ପିଟନ୍ତେ ଶ୍ରୀହରି ପୁଣି ନେଲେ ତା ଉଛୁଡ଼ି

ପିଟିଲେ ଦାନବ ଶିରେ ପ୍ରଭୁ ଜନାର୍ଦ୍ଦନ

 

ହସି ଦାନବ ବୋଲଇ ନେବି ତୋ ଜୀବନ

ଆନ ଦଇତ୍ୟ ପରି କି ମଣିଛୁ ତୁ ମୋତେ

 

ତୋହର ଜୀବନ ଜାଣ ଅଛି ମୋର ହାତେ

କୋପେ ଶ୍ରୀହରି ଧଇଲେ ଚକ୍ର ସୁଦର୍ଶନ

 

ମାରନ୍ତେ ଦନୁଜ ଅଙ୍ଗେ ବାଜିଳା ବହନ

ତିଳେମାତ୍ର ନ ଭେଦିଲା ଦେଖି ଚକ୍ରଧର

 

ଭୟେ ଅନ୍ତର୍ଦ୍ଧାନ ହେବାଦେଖି ଦେବ ହର

ତ୍ରିଶୂଳ ପିଟିଲେ ନେଇ ଦାନବର ଉରେ

 

ଉପୁଡ଼ି ତ୍ରିଶୂଳ ଯାଇଁ ପଡ଼େ ଖଣ୍ତେଦୂରେ

ରୁଦ୍ର ଦେବତା ଅନ୍ତର ହେଲେ ଭୟ ପାଇ

 

ସୁବୁଦ୍ଧି ମନ୍ତ୍ରୀ ବୋଲଇ ଶୁଣ ଦୈତ୍ୟସାଇଁ

ଜୟ କଲୁ ଚାଲ ଯିବା ପୃଥିବୀ ଜିଣିବା

 

ପାତାଳେ ଯାଇ ବାସୁକୀ ପୁରରେ ପଶିବା

ମନ୍ତ୍ରୀର ବଚନେ ଦୈତ୍ୟ ପଶିଲେ ପାତାଳେ

 

ମହାଭୟ ପାଇଲେକ ଦେଖି ନାଗବଳେ

ଡରେ ବାସୁକୀ ପଶିଲା ଶରଣ ତା ପାଦେ

 

ମଣି ଏକ ଦେଲା ଦୈତ୍ୟ ଘେନିଲା ତା ହୃଦେ

ଅନେକ ଯେ ଧନରତ୍ନ ଆଣିଲେ ଅସୁରେ

 

ମାନବ ହୋଇଣ ତାହା କିଏ କହିପାରେ

ପାତାଳ ଜିଣି ମିଳିଲେ ଆସି ମର୍ତ୍ତ୍ୟପୁର

 

ମନେ ମନେ ଆନନ୍ଦିତ ହୋଇଲେ ଅପାର

 

ବିଦେହ ଦୈତ୍ୟ ବଧ

 

ଏମନ୍ତ ବେଳେ ନାରଦ ମିଳିଲେକ ଆସି

 

ଦେଖି ଗଉରବ କରି ଦାନବ ଯେ ଭାଷି

କାହିଁଥିଲ ମୁନିବର କହ ମୋର ଆଗେ

 

ନାରଦ ମୁନି କହନ୍ତି ଥିଲି ମୁହିଁ ସ୍ୱର୍ଗେ

ଦାନବ ବୋଲଇ ତହିଁ ହୁଏ କି ବିଚାର

 

ମୁନି ବୋଇଲେ ସଭାରେ ଦେବ ପୁରନ୍ଦର

ବହୁତ ପ୍ରଶଂସା ତୋତେ କଲେ ବୀରମଣି

 

ବୋଇଲେ ବିଦେହ ଦୈତ୍ୟ ତିନିପୁର ଜିଣି

ମହା ପ୍ରତାପୀ ହୋଇଲା ନାହିଁ ତାକୁ ସରି

 

ହରିହର ସଂଗ୍ରାମରେ ଗଲେ ତାକୁ ହାରି

ପାତାଳେ ବସୁକୀ ଡରେ ପଶିଲା ଶରଣ

 

ଯମ କାରାଦଣ୍ତେ ତାର ନ ଗଲା ପରାଣ

ଏବେ ସେ ଜିଣିପାରିଲେ ମର୍ତ୍ତ୍ୟପୁର ରାଜା

 

ଶ୍ରୀହରିଠାରୁ ପାଇବ ସେ ଅଧିକ ପୂଜା

ଏହିପରି କହୁଥିଲେ ଅଇଲି ମୁଁ ଶୁଣି

 

ପୃଥିବୀ କିମ୍ପା ଭ୍ରମିବ ଦୈତ୍ୟ ଚୂଡ଼ାମଣି

ମାହିଷ୍ମତୀପୁରେ ଅଛି ରଜା ଶୂରସେନ

 

ତାହାର ଭୃତ୍ୟ ଅଟନ୍ତି ପୃଥିବୀ ରାଜନ

ତାହାକୁ ଜିଣିଲେ ସବୁ ହେବେ କରଗତ

 

ବଡ଼ ପ୍ରତାପୀ ଅଟଇ କାର୍ତ୍ତବୀର୍ଯ୍ୟ ସୁତ

ହର ବରେ କାହାକୁ ସେ ନ ମାନନ୍ତି ରଣେ

 

ଚାରିଭାଇ ଧନୁର୍ଦ୍ଧର ତାର ଜଣେ ଜଣେ

ଦୁହିତା ଏକ ଅଛଇ ସେ ଅତି ସୁନ୍ଦରୀ

 

ତାହାକୁ ସମ ନୋହିବେ ସ୍ୱର୍ଗ ଅପସରୀ

ଶଚୀ ରମ୍ଭା ଲକ୍ଷ୍ମୀ ଉମା ନୋହିବେ ଯେ ସରି

 

ତିନି ଭୁବନରେ ନାହିଁ ଉପମା ତାହାରି

ସେ ଯେବେ ତୋ ପୁରେ ଆସି ରହିବ ରାଜନ

 

ବିରାଜିବ ତୋର ପୁର ଅଳକା ସମାନ

ଯୁବତୀରତ୍ନ ବୋଇଲେ ବୋଲିବ ନା ତାକୁ

 

ତିନିପୁରେ ରତ୍ନ ଆମ୍ଭେ ନ ବୋଲୁ କାହାକୁ

ତାର ମୁଖକମଳ ଯେ ଦେଖୁଥିବ ନିତି

 

କି ହେବ ତାହାର ଇନ୍ଦ୍ର ଗୋବିନ୍ଦ ସମ୍ପତ୍ତି

ତା ମଧୁର କଥା ଯେହୁ ଶୁଣୁଥିବ ବସି

 

ଅପସରା ଗୀତରେ କି ତାର ଚିତ୍ତ ରସି

ଭାଗ୍ୟେ ଥିଲେ ତୁ ତାହାର ହୋଇବୁନା ବର

 

ସେ ଯେମନ୍ତେ ସୁନ୍ଦର ତୁ ତେମନ୍ତ ସୁନ୍ଦର

ଉଚ୍ଚାଟ କଲେ ଦାନବ ମନକୁ ଯେ ମୁନି

 

ବୋଇଲା ଆଣିବି ସେହି ଅପୂର୍ବ କାମିନୀ

ମୁନି ବୋଇଲେ ତା ନାମ ଅଟେ କାନ୍ତିମାଳା

 

ପଦ୍ମଫୁଲ ପୁଟଇ କି ହସିଲେ ସେ ବାଳା

ଶୁଣି ଦାନବ ବୋଇଲା ସୁମୁଖକୁ ରାଇ

 

ମାହୀଷ୍ମତିପୁରକୁ ତୁ ଏହିକ୍ଷଣି ଯାଇ

ଶୂରସେନ ନୃପତିକି କହିବୁ ଏମନ୍ତ

 

ଶୋଭାବତୀ ପୁରୁଁ ମୁହିଁ ଆସିଅଛି ଦୂତ

ସୁନ୍ଦର ଯୁବା ପୁରୁଷ ଦାନବ ଅଦେହ

 

ଯାହାର ରୂପକୁ ସରି ନୋହିବ ଅଦେହ

ତ୍ରଇଲୋକ୍ୟ ଅଧିପତି ହେଲା ବ୍ରହ୍ମା ବରେ

 

ହରିହର ନ ପାରିଲେ ତାହାକୁ ସମରେ

ନାରଦ ମୁଖରୁ ଶୁଣି ପଠାଇଲେ ମୋତେ

 

ତୋହର ଦୁହିତା ହସ୍ତ ଦିଅ ତାଙ୍କ ହସ୍ତେ

ନଦେବୁ ଯେବେ ତୁ ମୋର କଥାରେ ହେ ରାଜା

 

ବଳେ ଘେନିଯିବେ ତୁହି ପାଇବୁନ ଲଜ୍ଜା

ଶୁଣି ଶୂରସେନକୋପେ ହେଲା ପ୍ରଜ୍ଜ୍ୱଳିତ

 

ବୋଇଳା କି କହୁ ଆସି ମୋତେରେ ଦଇତ

ଦୂତ ନୋହିଥିଲେ ତୋର ଘେନନ୍ତି ଜୀବନ

 

ମାରି ଘଉଡ଼ାଇ ଦିଅ ଯାଉରେ ବହନ

ଶୁଣି ବୀର ମହାବୀର ଧଇଲେ ତାହାକୁ

 

ହାବୁକା ମାରି ତାହାର ଭାଙ୍ଗି ଦେଲେ ବୁକୁ

ପଳାଇଲା ସେ ଦାନବ ଶୋଭାବତୀ ପୁରେ

 

କହିଲା ଯାଇଁ ବିଦେହ ଦାନବ ଆଗରେ

ଶୁଣି ପ୍ରଚଣ୍ତ ଦଇତ ସାଜିଲାକ ଥାଟ

 

ନ ମାନନ୍ତି ସେ ଅସୁରେ ବାଟ କି ଅବାଟ

ବାଜିଲାକ ବିଜିଘୋଷ ଦାଉଣ୍ତି ଟମକ

 

ସ୍ୱର୍ଗେ ଦେବଙ୍କ ସଭାରେ ପଡ଼ିଲା ଚମକ

ସଭାକରି ବସିଥିଲେ ବାସବ ଦେବତା

 

ଦେବଦୂତବେଗେ ଯାଇଁ କହିଲା ବାରତା

ବୀରବାଦ୍ୟ ବାଜୁଅଛି ଶୋଭାବତୀ ପୁରେ

 

ଏଗାର ଯୋଜନ ମାଡ଼ି ଧାମନ୍ତିଅସୁରେ

ସ୍ୱର୍ଗ ପୁରକୁ କି ଅବା ଆସିବ ଆମ୍ଭର

 

ବିଚାରି କାର୍ଯ୍ୟ କରିବା ହେଉ ପୁରନ୍ଦର

ଦୂତ ମୁଖୁ ଏ ବଚନ ଶୁଣି ଶଚୀପତି

 

ବୋଇଲେ ଏଥିର କଥା କୁହ ବୃହସ୍ପତି

ଗୁରୁ ବୋଇଲେ ସ୍ୱର୍ଗକୁ ନ ଆସିବ ଦୈତ୍ୟ

 

ଶୂରସେନ ନୃପତି ଯେ ଅର୍ଜ୍ଜୁନର ସୁତ

ଦୁହିତା ପାଇଁ ତା ପୁରେ ପଠାଇଲା ଚାର

 

କୋପେ ମାରି ଗୋଡ଼ାଇଲା ତାକୁ ନୃପବର

ଦୁହିତା ନ ଦେବା ଯୋଗୁଁ କୋପେ ଥାଟଘେନି

 

ଯାଉଅଛି ସେ ପ୍ରତାପୀ କମ୍ପାଇଁ ମେଦିନୀ

ଇନ୍ଦ୍ର ବୋଇଲେ ଦାନବେ ମରିବେକେମନ୍ତେ

 

ଖଟାଇଲା ତିନିପୁର ଯାକ ପାଦଗତେ

ରଣେ ତାକୁ ନପାରିଲେ ହରିହର ବେନି

 

ଅସୁରଙ୍କ ଭୟେ ଯାଗ ଛାଡ଼ିଲେକ ମୁନି

ଯଜ୍ଞ ନ କରିବା ଯୋଗୁଁ ଆମ୍ଭେ ତ ଦୁର୍ବଳ

 

ବଳେ ଧରି ଗୋ ବ୍ରାହ୍ମଣ କରନ୍ତି କବଳ

ସ୍ୱର୍ଗ ଅପସରା ତାର ପାଦରେ ଖଟନ୍ତି

 

ସୁନ୍ଦରୀ ସ୍ତିରୀକି ବଳେ ଧରିଣ ନିଅନ୍ତି

କେତେକାଳ ଦୁଃଖ ସହି ରହିଥିବା ଆମ୍ଭେ

 

ଯମକୁ ଜିଣିଲା ସେହୁ ନ ମରିବ କେଭେ

ପୃଥିବୀ ନିତି ମୋ ଆଗେ କରଇ ରୋଦନ

 

ଅସୁରଙ୍କ ପାଦଭାରା ହେଲା ଦିନୁଦିନ

ଏମନ୍ତେ ଦୁଃଖ କହନ୍ତେ ଦେବ ଶଚୀସାଇଁ

 

ବୃହସ୍ପତି ବୋଇଲେ ଯେ ପାଞ୍ଜିକି ଫିଟାଇ

ତାହାର ମୃତ୍ୟୁ ଅଟଇ ଜୟଧ୍ୱଜ ହାତେ

 

ସେହି ରାଜା ମହାବୀର ହୋଇଲା ଜଗତେ

ଶ୍ରୀବିଷ୍ଣୁର ଭକତ ସେ ପରମ ଧାର୍ମିକ

 

ତୁମ୍ଭେ ଶ୍ରୀହରିଙ୍କି ଯାଇଁ କହ ଦେବଲୋକ

ହରିହର ତେଜେ ଗଢ଼ୁ ବିଶ୍ୱକର୍ମା ଅସ୍ତ୍ର

 

ଜୟ ଧ୍ୱଜକୁ ତା ନେଇ ଦିଅ ହେ ତୁରିତ

ସେ ଅସ୍ତ୍ର ଧରି ନୃପତି ଫୋଡ଼ୁ ନାଭି ତାର

 

ପାଣ ଲିଙ୍ଗକୁ ତାହାର ଛେଦୁ ଅସ୍ତ୍ରବର

ତେବେ ଯାଇ ମରିବ ଯେ ପ୍ରତାପୀ ଦଇତ

 

ଏସନ ବର ଦେଇଛି ତାକୁ କୁଶହସ୍ତ

ମୃତ୍ୟୁ ତାହାକୁ କଢ଼ାଇ ନେଉଅଛି ପଥ

 

ବେଗେ ତୁ ଏଥିରେ ଯତ୍ନକର ଶଚୀନାଥ

ଗୁରୁ ବଚନେ ଦେବଙ୍କୁ ଘେନି ପୁରୁହୁତ

 

ଶ୍ୱେତଦ୍ୱୀପେ ସ୍ତୁତି କଲା ଯୋଡ଼ି ବେନି ହସ୍ତ

ଦେବଙ୍କ ଆତୁରେ ହରି ଜାଣି କଲେ ବିଜେ

 

ଇନ୍ଦ୍ର ବୋଇଲେ ପ୍ରବଳ ହୋଇଲେ ଦନୁଜେ

କି ବୁଦ୍ଧି କରିବୁଁ ଆମ୍ଭ ବୁଦ୍ଧିବଳ ତୁମ୍ଭେ

 

ଯଜ୍ଞ କରାଇ ନଦେଲେ ପୃଥିବୀରେ କେଭେ

ତାହାଙ୍କର ଅତ୍ୟାଚାର କହିଲେ ନ ସରେ

 

ଲୁଚିଲେଣି ଋଷି ମୁନି ଅସୁରଙ୍କ ଡରେ

ଯଜ୍ଞରୁ ଭାଗ ନ ପାଇ ଆମ୍ଭେ ତ ଦୁର୍ବଳ

 

ବିଦେହ ଦାନବ ଘେନି ଆପଣାର ବଳ

ଶୂରସେନ ଦୁହିତାକୁ ଆଣିବା ନିମନ୍ତେ

 

ଏ ସମୟେ ବୃହସ୍ପତି ଜଣାଇଲେ ମୋତେ

ଜୟଧ୍ୱଜ ହସ୍ତେ ତାର ମରଣ ନିୟତ

 

ହରି ହର ତେଜେ ହେଲେ ଅସ୍ତ୍ରେକ ନିର୍ମିତ

ସେ ଅସ୍ତ୍ର ଜୟଧ୍ୱଜର ହାତେ ଦେଲେ ନେଇ

 

ମରିବ ଦାନବ ବୀର ଆହେ ଲକ୍ଷ୍ମୀସାଇଁ

ଏଣୁ ଏହା ଜଣାଇବା ପାଇଁ ମୁଁ ଅଇଲି

 

ବେଳେ ବେଳେ ବିପଦରୁ ରଖ ତୁମ୍ଭେ ବୋଲି

ଶୁଣି ହରି ଗରୁଡ଼କୁ କଲେ ସୁମରଣ

 

ରମ୍ୟକ ଦ୍ୱୀପରେ ଥିଲା ସେହି ପକ୍ଷୀରାଣ

ଆସନ କମ୍ପିଲା ଯହୁଁ ଜାଣିଲା ସେ ଧ୍ୟାନେ

 

ପ୍ରବେଶ ହୋଇଲା ଆସି ବିଷ୍ଣୁ ସନ୍ନିଧାନେ

ଗରୁଡ଼ ଆରୋହୀ ତହୁଁ ଗଲେ ଭଗବାନ

 

ଯହିଁ ବିଜେ କରିଛନ୍ତି ଦେବ ତ୍ରିଲୋଚନ

ସେହି କଇଳାସ ପୁରେ ମିଳିଲେ ଶ୍ରୀହରି

 

ଦେଖି ତାଙ୍କୁ ଗଉରବ କଲେ ତ୍ରିପୁରାରି

କହିଲେ ଦାନବ କଥା ସଦାଶିବ ଆଗେ

 

ପୁଣି ଆପଣାର ତେଜ କାଢ଼ିଲେ ସେ ବେଗେ

ଶ୍ରୀହରି ଆପଣା ଦେହୁଁ କାଢ଼ିଲେକ ତେଜ

 

ନିଜ ଦେହୁ ତେଜ କାଢ଼ିଲେକ ଦେବରାଜ

ସୂର୍ଯ୍ୟ ଅଗ୍ନି ବିଶ୍ୱାବସୁ ମରୁତ କୁବେର

 

ତେତିଶ କୋଟି ଅଟନ୍ତି ସ୍ୱର୍ଗର ଅମର

ସମସ୍ତଙ୍କ ଦେହୁଁଜାତ କାଢ଼ିଦେଲେ ଥୋଇ

 

ବିଶ୍ୱକର୍ମା ଅସ୍ତ୍ର କଲା ସବୁ ତେଜ ନେଇ

ସେ ମହତ ଚକ୍ର ଆଣି ଦେଲେ ବିଷ୍ଣୁକରେ

 

ଶୁଣ ସୁର ମୁନିଗଣ ଏଥୁ ଅନନ୍ତରେ

ବିଦେହ ଦାନବବଳ ହୋଇଲେ ବାହାର

 

କେହି ଚଢ଼ିଛନ୍ତି ଅଶ୍ୱ କେହି ରହୁବର

କେହି ଗଜ ଚଢ଼ିଯାଏ କେ ଚଢ଼ିଛି ଗଧ

 

ଶାର୍ଦ୍ଦୂଳ ଉପରେ କେହି ଧରି ପରଶ୍ୱଧ

କେହି ମାର୍ଜ୍ଜାର ବାହନେ କରଇ ଗମନ

 

କେହି ଦାନବେ କରନ୍ତି ଘୋର ଗରଜନ

ମେଘ ଘଡ଼ଘଡ଼ିପ୍ରାୟେ ଶୁଭେ କାହା ରଡ଼ି

 

କାହାର ଚରଣ ବାଜି ଗିରି ପଡ଼େ ଝଡ଼ି

ସିନ୍ଧୁ ଘୋଷ ଜିଣି ଶୁଭେ ମୁଖରାବ ଗୋଳ

 

ମାର ମାର ଧର ଧର ପଡ଼ଇ ଚହଳ

କେ ବୋଲଇ ତାର ପୁର ପକାଇବା ଭାଙ୍ଗି

 

କେ ବୋଲଇ ନରମାଂସ ବଡ଼ ସ୍ୱାଦୁ ଲାଗି

କେ ବୋଲେ ପୋଡ଼ିଖାଇବା ଗୋଟି ଗୋଟି ଧରି

 

କେ ବୋଲେ ରକ୍ତ ପିଇବାକିଛି ନ ବିଚାରି

ଏମନ୍ତେ ଯାଉ ଯାଉ ସେ କରନ୍ତି ବିଚାର

 

ପାଦଧୂଳିରେ ଗଗନମାର୍ଗ ଅନ୍ଧକାର

ନାରଦ ମୁନି ଯେ ଥିଲେ ଗଲେ ତହୁଁ ବେଗେ

 

କହିଲେ ଏ କଥା ଯାଇ ଶୂରସେନ ଆଗେ

ଶୁଣି କୋପେ ଶୂରସେନ ପଠାଇଲେ ଦୂତ

 

ପୃଥିବୀର ରାଜାଯାକ ଅଇଲେ ତୂରିତ

ଅଶ୍ୱ ରଥ ଗଜ ସାଜି ବୀର ମହାବୀର

 

ନିର୍ବନ୍ଧ କରି ଜଗିଲେ ଆୟୁଷ୍ମତୀ ପୁର

ଅକଳିତ ବଳ ତାର କେ ପାରିବ ଗଣି

 

ପୃଥ୍ୱୀ ନରପତିଙ୍କର ସେ ମଉଡ଼ମଣି

କମ୍ପୁଅଛି ଭୂମଣ୍ତଳ ବୀର ବାଦ୍ୟ ନାଦେ

 

ନିର୍ଭୟରେ ଅସ୍ତ୍ର ଧରି ରହିଛନ୍ତି ଯୁଦ୍ଧେ

ନାରଦ ରହି ଆକାଶେ ଦେଖୁଛନ୍ତି କଳି

 

ଶୂନ୍ୟପୁରେ ରହିଛନ୍ତି ଦେବେ ହୋଇ ମେଳି

ମାନବ ଦାନବ ବଳ ଭେଟ ହେଲେବାଟେ

 

ଶଙ୍କଟ ବିକଟ ଦୁଇ ଆଗୁଆଣି ଥାଟେ

ଅସ୍ତ୍ର ଧରି ମରାମତି ହେଲେ ଦୁଇ ବଳ

 

ପାଟି ବିସ୍ତାରି ଅସୁରେ କରନ୍ତି କବଳ

ଗୋଟି ଗୋଟି ଧରି ଦାନ୍ତେ ପକାନ୍ତି ରକଟି

 

ପର୍ବତର ଗୁହାପରି ଦିଶେ କାହା ପାଟି

କାହାର କେଶ ଖାଙ୍କର ମହା ଭୟଙ୍କର

 

କୋରଡ଼ ପ୍ରାୟ ଦିଶଇ ନୟନ କାହାର

ଗିରି ପ୍ରାୟ ବଡ଼ ବଡ଼ ଦିଶନ୍ତି ଦଇତେ

 

ରଡ଼ିଘାତେ ଝଡ଼ି ତଳେ ପଡ଼ନ୍ତି ପର୍ବତେ

ଆନନ୍ଦରେ ନୃତକରି ଦେଉଛନ୍ତି ଗିଳି

 

ଦାବନେ ଅଟନ୍ତି ଏକୁ ଏକ ମହାବଳୀ

ଅସ୍ତ୍ର ଶସ୍ତ୍ର ପଡ଼ି ତାଙ୍କ ଦେହେଁ ହୁଏ ଚୂନା

 

ଅସ୍ତ୍ର ଶସ୍ତ୍ରକୁ ତାଙ୍କର ନାହିଁ ଯେ ଶୋଚନା

ଡରେ ଶୂରସେନ ଥାଟ ଦେଲେ ପଛଘୁଞ୍ଚା

 

ଡାକି ରାଜାଏ ବୋଇଲେ ନିଜ ଦେହ ବଞ୍ଚା

ବଡ଼ ପ୍ରତାପୀ ଅଟନ୍ତି ବଳିଷ୍ଠ ଅସୁରେ

 

ଗୋଟା ଗୋଟା ଧରି ଜାଳି ଦିଅନ୍ତି ସମରେ

ଦେଖି ନରପତିମାନେ କଲେକ ବିଚାର

 

ଅକାରଣେ କିମ୍ପା ଆମ୍ଭେ ଯିବା ଯମଘର

ଏମନ୍ତ ଭାଳି ରାଜାଏ ଗଲେ ତହୁଁ ଭାଙ୍ଗି

 

ମାହୀଷ୍ମତୀପୁରକୁ ସେ ରହିଥିଲେ ଜଗି

ବାସଭଗ୍ନ ପକ୍ଷୀପ୍ରାୟ ପଳାଇଲେ ଡରେ

 

କେହି ବୀର ନ ରହିଲେ ଦୈତ୍ୟଙ୍କ ଆଗରେ

ଶୂର ଶୂରସେନ କୃଷ୍ଣ ଧୃଷ୍ଣ ଭାଇ ଚାରି

 

ରଥ ଚଳାଇଲେ କରେ ଧନୁଶର ଧରି

କକଡ଼ା ମାସରେ ଯେହ୍ନେ ବରଷଇ ଘନ

 

ତେସନେ ନାରାଚ ବୃଷ୍ଟିକଲେ ଘନ ଘନ

ଅନଳ ସମାନ ବାଣ ପଡ଼ଇ ନିରତେ

 

ସହି ନ ପାରିଲେ ତାହା ପ୍ରତାପୀ ଦଇତେ

ଡରେ ପଛଘୁଞ୍ଚା ଦେଲେ ନ ରହିଲେ ଆଗେ

 

ଶକଟ ବିକଟ ଆଦି ଓଗାଳିଲେ ବେଗେ

କଙ୍କ ଧଙ୍କ ଆଦି ବଡ଼ ବଡ଼ ସେନାପତି

 

କରେ ଅସ୍ତ୍ର ଧରି ଯୁଦ୍ଧ କଲେ ନାହିଁ ଭୀତି

ହର ବରେ ବଳୀୟାର ଅଟନ୍ତି ସେ ଚାରି

 

ପରିଘ ଶକତି ଶୂଳ କୁନ୍ତ ଯଷ୍ଟି ମାରି

ସଂଗ୍ରାମେ ବିମୁଖ କଲେ ଅସୁରଙ୍କୁ ବଳେ

 

ପୋଡ଼ି ପକାଇଲେ ତାଙ୍କୁ ନାରାଚ ଅନଳେ

ଭୟେ ପିଠି ଦେଲେ ରଣେ କେଡେ଼ କେଡ଼େ ବୀରେ

 

ବିଦେହ ଦାନବ ଆସେ ଶୂଳ ଧରି କରେ

ବିକଟାଳ ଦନ୍ତ ତାର ଅତି ଭୟଙ୍କର

 

ଜ୍ୱଳନ୍ତ ଅନଳ ପ୍ରାୟ ଦିଶଇ ଶରୀର

ପ୍ରଳୟ ଅନଳ ଜାଣି ତା ନୟନ ବେନି

 

ବିକଟ ଯେ ଭଟଙ୍କର ତାର ମୁଖ ଧ୍ୱନି

ଭୟେ ଶୁଣି ମୋହ ଗଲେ କେତେକ ନୃପତି

 

କେହୁ ପଳାଇ ଯାଆନ୍ତି କରି ମହାଭୀତି

ଚାରିଭାଇ ଓଗାଳିଲେ ଦାନବକୁ ଆଗେ

 

ରହ ରହ ପାମର ରେ ପଡ଼ିଲୁଣି ଆଗେ

ଆସିଛୁ ମାରିବା ପାଇଁ ଯିବୁ ଯମଘର

 

କ୍ଷଣେ ମାତ୍ର ରହି ସହ ତୁ ଆମ୍ଭର ଶର

ଏହାକହି ଚାରିଭାଇ ବରଷିଲେ ବାଣ

 

ଅଗ୍ନି ବାଣ ଜଳବାଣ ନାଗପାଶ ବାଣ

ପବନ ତପନ ଶର ଇନ୍ଦ୍ର ଯମପାଶ

 

କାଳପାଶ ଆବର ଯେ ବରୁଣର ପାଶ

ଏମନ୍ତେ ବହୁତ ଅସ୍ତ୍ର ଘେନି ଚାରିଭାଇ

 

ଦାନବର ଉପରକୁ ମାରନ୍ତି ନିଠାଇ

ବଦନ ବିସ୍ତାରି ଦୈତ୍ୟ ଦିଏ ସବୁ ଗିଳି

 

ଘନ ଘନ ଗରଜଇ ରଣେ ମହାବଳୀ

ଆରେରେ ମାନବ ବୋଲିବୋଲେ ଉଚ୍ଚସ୍ୱରେ

 

ଆରେ ରେ ମାନବାକ୍ଷଣେ ରହ ମୋ ଆଗରେ

ଏହିକ୍ଷଣି ଯମଘରେ ଯିବ ତୁମ୍ଭେ ଚାରି

 

ନ ଜାଣ କି ମୋର ବାନା ଶତ୍ରୁ କ୍ଷୟକାରୀ

ଏହା କହି ଶୂଳଧରି ଧାଇଁଲା ଦାନବ

 

ଦେଖି ଭୟରେ କମ୍ପିଲେ ସ୍ୱର୍ଗେ ସୁରଦେବ

ନାରଦ ଯେ ତାଳିମାରି କରୁଛନ୍ତି ନୃତ୍ୟ

 

କଳିପ୍ରିୟ କଳି ଦେଖି ମନରେ ଉଷତ

ଦେଖି ଶୂର ରୁଦ୍ର ଅସ୍ତ୍ର ପ୍ରହାରିଲା ରାଗେ

 

ଶୂଳ ପ୍ରହାରି ଦାନବ ନିବାରିଲା ବେଗେ

ଶୂରସେନ ବରୁଣାସ୍ତ୍ର ପ୍ରହାରିଲା ଧରି

 

ଦାନବ ବୀର ତାହାକୁ ଶୂଳରେ ନିବାରି

ଦେଖି କୃଷ୍ଣ ପ୍ରଜାପତ୍ୟ ଅସ୍ତ୍ରକୁ ମାଇଲା

 

ଶୂନ୍ୟରେ ସେ ବାଣଗୋଟା ଦାନବ କାଟିଲା

ଧୃଷ୍ଟ ବାୟବ ଅସ୍ତ୍ରକୁ ମାଇଲା ନିଠାଇ

 

ଦାନବ ତା ନିବାରିଲା ଶୂଳକୁ ବୁଲାଇ

କୃଷ୍ଣ ଏକ ଭୟଙ୍କର ଗଦା ଧରି କରେ

 

ବୁଲାଇ ପିଟିଲା ନେଇ ଦାନବ ଉପରେ

ପାଷାଣଠାରୁ କଠିନ ଦାନବର ଛାତି

 

କାଳାନ୍ତକ ଗଦା ବାଜି ପଡ଼ିଲାକ କ୍ଷିତି

ରଣ ଛାଡ଼ି ଚାରିଭାଇ ପଳାଇଲେ ଡରେ

 

ଦାନବ ଗର୍ଜନ କରି ପଶଇ ଯେ ପୁରେ

ଦେଖି ବୀର ଜୟଧ୍ୱନି ରେରେକାର କରି

 

ବାଟ ଓଗାଳିଲା ରଥେ ଧନୁଶର ଧରି

ଏକାକେ ସେ ବୀର ଅଛି ସଙ୍ଗେ ନାହିଁ କେହି

 

ଗୁଣ ଟଙ୍କାର ନାଦରେ କମ୍ପାଉଛି ମହୀ

ପାଣିପରି ଯାଉଥିଲେ ଦାନବର ଥାଟ

 

ଜୟଧ୍ୱଜ ରଥ ବନ୍ଧେ ନ ପାଇଲେ ବାଟ

ରହିଲେ ଚକିତ ହୋଇ ଅସ୍ତ୍ରଧରି କରେ

 

ଜୟଧ୍ୱଜ ବସିଅଛି ରଥର ଉପରେ

ଧନୁ ଧରି ସୁମରିଲା ମନେ ନାରାୟଣ

 

ଅସୁରଙ୍କ ଶିରେ କଲା ବାଣ ବରଷଣ

କାହାର କାଟିଲା ହାତ କାହାର ବା ଶିର

 

କାହାର ଚରଣ ଦୁଇ କାଟେ ମାରି ଶର

ଯେସନେ କଦଳୀ ବନ ଭାଙ୍ଗଇ ପବନ

 

ତେସନ ଅସୁର ବଳ କଲା ସେ ଚ୍ଛେଦନ

ବହିଲା ରୁଧିର ନଈ ଭାସିଗଲେ ମଡ଼ା

 

ପଡ଼ନ୍ତି ରାକ୍ଷସବୀରେ ହୋଇ ଯୋଡ଼ା ଯୋଡ଼ା

ତଥାପି ସେ ନ ଘୁଞ୍ଚନ୍ତି ପ୍ରତାପୀ ଦଇତେ

 

ପରିଘ ନାରାଚ କୁନ୍ତ ମାରନ୍ତି ନିରତେ

ଶରେ ନିବାରଇ ତାହା ଜୟଧ୍ୱଜ ବୀର

 

ଛେଦଇ ସେ କୋଟି କୋଟି ଦାନବଙ୍କ ଶିର

ବିଷ୍ଣୁବରେ ବଳୀୟାର ଅର୍ଜ୍ଜୁନ ନନ୍ଦନ

 

ନିର୍ଭୟେ କରଇ ସେହି ଅସୁର ନିଧନ

କୋଟି କୋଟି କବନ୍ଧ ଯେ ନାଶିଲା ସେ ରଣେ

 

ଉପସ୍ଥିତ ହେଲେ ତହିଁ ଆସି ଶିବାଗଣେ

ଚଣ୍ତୀ ଚାମୁଣ୍ତା ବେତାଳୀ କଙ୍କାଳୀ ଧାଇଁଲେ

 

ଦାନବ ରୁଧିର ପିଇ ଆନନ୍ଦ ହୋଇଲେ

ଟହ ଟହ କହ କହ ନାଦକରି ତହିଁ

 

ଜିଭ ଲହ ଲହ କରି ଅଇଲେକ ଧାଇଁ

ରୁଧିର ପିଇ ଆନନ୍ଦେ କଲେ ତହିଁ ନୃତ୍ୟ

 

ଶ୍ୱାନ ଶୃଗାଳ ବାୟସ ଗୃଧ୍ରହିଁ ବହୁତ

ଅସ୍ଥି ଚର୍ମ ମାଂସ ଭକ୍ଷି ଲଗାଇଲେ କଳି

 

ଦାନବେ ଅଟନ୍ତି ଏକୁ ଏକ ମହାବଳୀ

ସାତପୁର କରି ଜୟଧ୍ୱଜକୁ ଘେରିଲେ

 

ପରିଘ ମୂଷଳ ଧରି ରଥରେ ପିଟିଲେ

ଦେଖି ଜୟଧ୍ୱଜ ବୀର ଦିବ୍ୟ ଅସ୍ତ୍ର କଲା

 

ଅସୁରଙ୍କ ହସ୍ତୁ ଅସ୍ତ୍ର କାଟି ପକାଇଲା

ବ୍ରହ୍ମଶର ଦାନବଙ୍କ ଘେନିଲା ଜୀବନ

 

କୋଟି କୋଟି ଦୈତ୍ୟଗଲେ ଯମର ଭୁବନ

ଭୟେ କେହି ନ ଆସିଲେ ତାହାର ଆଗକୁ

 

ବଡ଼ ବଡ଼ ବୀର ସବୁ ଗଲେ ଯେ ପଛକୁ

ଦେଖି ବିଦେହ ଦାନବ କରେ ଧରି ଶୂଳ

 

ରେରେ ମାନବା ତୋହର ପୂରିଲାଟି କାଳ

ଏହାକହି ଧାମନ୍ତେ ସେ ଦେଖି ଜୟଧ୍ୱଜ

 

କୁବେରାସ୍ତ୍ର ବିନ୍ଧିଲାକ ବହି ମହାତେଜ

ଶୂଳେ ତାହା ନିବାରିଲା ସେ ଦାନବ ମଣି

 

ଇନ୍ଦ୍ର ଅସ୍ତ୍ର ପ୍ରହାରିଲା ଜୟଧ୍ୱଜ ପୁଣି

ଦାନବ ତା ଶୂଳେ କାଟି କଲା ଖଣ୍ତ ଖଣ୍ତ

 

ଜୟଧ୍ୱଜ ଭାଳଇ ଏ ଦାନବ ପ୍ରଚଣ୍ତ

ପ୍ରଚଣ୍ତ ଅନଳ ଅସ୍ତ୍ର ବିନ୍ଧିଲାକ ବୀର

 

ଶୂନ୍ୟେ ତାହା ନିବାରିଲା ପ୍ରତାପୀ ଅସୁର

ଦେଖି ଜୟଧ୍ୱଜ ମନେ ସୁମରଇ ହରି

 

ନାରାୟଣ ଅସ୍ତ୍ର ଗୋଟି ବିନ୍ଧେ କୋପକରି

ଦାନବ ଶୂଳକୁ କାଟି କଲା ଖଣ୍ତ ଖଣ୍ତ

 

ନିରସ୍ତ୍ର ହୋଇ ଦାନବ କୋପରେ ପ୍ରଚଣ୍ତ

ବୋଲଇ ମାନବ ତୋର ଅଛି କେତେବାଣ

 

ବିନ୍ଧୁକିନା ଖାଲି ହୋଇ ଯାଉ ତୋର ତୂଣ

ଏହାକହି ଗିରିପ୍ରାୟ ହୋଇଲା ଅଟଳ

 

ନାରାଚ ବିନ୍ଧଇ କୋପେ ଅର୍ଜ୍ଜୁନର ବାଳ

ପଡ଼ି ସବୁ ଚୂନା ହୋଇ ଯାଉଛନ୍ତି କାୟେ

 

ରହିଛି ଦାନବ ଲୌହ ପରବତ ପ୍ରାୟେ

କୋପେ ବ୍ରହ୍ମଶର କଲା ଅର୍ଜ୍ଜୁନ କୁମର

 

ଗିଳିଦେଲା ଦାନବ ଯେ ତେଡ଼େବଡ଼ ଶର

ପାଶୁପାତ ଶୂଳ ଶକ୍ତି ଗଦା ହୁଏ ବ୍ୟର୍ଥ

 

କୋପେ ଜୟଧ୍ୱଜକୁ ଯେ ବୋଲଇ ଦଇତ୍ୟ

ଏତେ ତୁହି ମାଇଲୁଣି ସହୁଅଛି ମୁହିଁ

 

ମୋହର ଆଘାତ ବାରେସହ କିନା ତୁହି

ଏମନ୍ତ କହି ପ୍ରଚଣ୍ତ ଗଦାକୁ ଧଇଲା

 

ଜୟଧ୍ୱଜକୁ ମାରିବା ପାଇଁ ସେ ଧାଇଁଲା

କତୁରୀବାଣେ ମାଇଲା ଅର୍ଜ୍ଜୁନ କୁମର

 

ଅସୁର ହସ୍ତରୁ କାଟିଦେଲା ଗଦାବର

କୋପେ ପରିଘ ଧଇଲା ସେ ଦାନବମଣି

 

ଧାମନ୍ତେ ତା ପାଦଭରେ କମ୍ପଇ ଧରଣୀ

ଜୟଧ୍ୱଜ କାଟିଲା ତା କରି ଖଣ୍ତ ଖଣ୍ତ

 

ପରିଘ ବିଅର୍ଥ ଦେଖି ଦାନବ ପ୍ରଚଣ୍ତ

ରଥ ଚଢ଼ି ଧନୁ ଧରି ବିନ୍ଧିଲା ନାରାଚ

 

ଇନ୍ଦ୍ର ଆଦି ଦେବତାଏ ବସିକଲେ ପାଞ୍ଚ

କେମନ୍ତେ ମରିବ ଏହି ପ୍ରତାପୀ ଅସୁର

 

ବେଳୁଁ ବେଳ ତେଜ ପୁଞ୍ଜ ବଢ଼ୁଛି ଏହାର

ଜୟଧ୍ୱଜ ଦାନବର ବାଣକୁ କାଟଇ

 

ଅର୍ଜୁନ ସୁତର ଶର ଦଇତ ଚ୍ଛେଦଇ

ଏମନ୍ତେ ସଂଗ୍ରାମ ହେଲା ଘଡ଼ିକ ପର୍ଯ୍ୟନ୍ତେ

 

ପ୍ରଶଂସା କରନ୍ତି ଦୁଇବୀରକୁ ସମସ୍ତେ

କୋପେ ଜୟଧ୍ୱଜ ବିନ୍ଧିଦେଲା ଇନ୍ଦ୍ରଶର

 

କାଟି ପକାଇଲା ସେହି ଦାନବର ଶିର

ତଳେ ପଡ଼ି ପୁଣି ଯାଇଁ ଲାଗିଲା ସେ କନ୍ଧେ

 

ପୁଣି ନାରାୟଣ ବାଣ ଜୟଧ୍ୱଜ ବିନ୍ଧେ

ହାତଗୋଡ଼ କାଟି ଶର ଗଲା ଶୂନ୍ୟେ ଚଳି

 

ପୁଣି ସେ ଲାଗିଲା ଯାଇଁ ଥିଲା ଯେଉଁଭଳି

ଦେଖି ଜୟଧ୍ୱଜର ଯେ ମନେ ହେଲା ଭୟ

 

ମାଇଲେ ଏ ନ ମରଇ କି ଅଛି ଉପାୟ

ଦେବତାମାନେ ତା ମନ ଜାଣି ପବନକୁ

 

ବୋଇଲେ ତୁ ଯାଇଁ କହ ସେ ଜୟଧ୍ୱଜକୁ

ହରିଙ୍କି ସେ ସୁମରଣା କରୁ ଏତେବେଳେ

 

ତୋହର ସମାନ ବୀର ନାହିଁ ଭୂମଣ୍ତଳେ

ତୁ ଯେବେ ଏ ଦାନବକୁ ଛାଡ଼ିବୁ ହେ ବୀର

 

ଆଜିଠାରୁ ହୋଇବ ଏ ନିଶ୍ଚୟେ ଅମର

ହରିହରଙ୍କୁ ଏ ରଣେ ଜିଣିଲାଟି ଜାଣ

 

ଦେବତାମାନଙ୍କ ଭାଙ୍ଗି ଦେଲା ପୁଣି ଟାଣ

ବାସବ ଦେବତା ମୋତେ ଦେଲେକ ପଠାଇ

 

ହରି ଯେଉଁ ଅସ୍ତ୍ର ଦେବେ ତୁ ତାହାକୁ ନେଇ

ନାଭିରେ ମାଇଲେ ପ୍ରାଣଲିଙ୍ଗ ଯିବ ଫୁଟି

 

ତେବେ ଯାଇଁ ଏ ଦାନବ ବୀର ମରିବଟି

ପବନ ବହିଲା ଆସି ଜୟଧ୍ୱଜ କର୍ଣ୍ଣେ

 

ଦାନବର ମୃତ୍ୟୁଭେଦ ପାଇ ବୀର ଟାଣେ

ହାବୁଡ଼ା ବାଣେ ତା ରଥ ଚକ ଦେଲା ଭାଙ୍ଗି

 

ପରିଘ ଏକ ଦାନବ ଉପରକୁ ପିଙ୍ଗି

ବାବଲବାଣେ ତା ସାରଥିର ମୁଣ୍ତ ହାଣି

 

ଦାନବ ହାତରୁ ଧନୁକାଟିଲାକ ପୁଣି

ଲକ୍ଷ ଲକ୍ଷ କୋଟି କୋଟି ନାରାଚ ବିନ୍ଧିଲା

 

ଅସୁରଥାଟେ ରୁଧିର ନଦୀ ବୁହାଇଲା

ପ୍ରତାପୀ ଦଇତ ଦେଖି ତାର ବୀରପଣ

 

ବୋଲଇ ମାନବା ତୁହି ଅଟୁ ବଡ଼ ଜଣ

ଏହାକହି ଗଦା ଧରି ଅଇଲାକ ଧାଇଁ

 

ଜୟଧ୍ୱଜ ବୀର ରଥେ ପିଟିଲାକ ନେଇ

ଜାଣି ଜୟଧ୍ୱଜ ଗଦା ଧଇଲାକ କରେ

 

ରଥୁଁ ଡେଇଁଯାଇଁ ଉଭା ହୋଇଲା ଭୂମିରେ

ଦୁହେଁ ପୁଣି ଗଦା ଯୁଦ୍ଧ କଲେ କିଛିକ୍ଷଣ

 

ଦୁହିଁଙ୍କର ଗଦାଦୁହେଁ ଭାଙ୍ଗିଦେଲେ ପୁଣ

ମାଲ ଯୁଦ୍ଧ ଆରମ୍ଭିଲେ ହୋଇ ଧରାଧରି

 

ଜୟଧ୍ୱଜକୁ ଦାନବ ବୀର ତଳେ ପାରି

ଛାତିରେ ବସି ପ୍ରତିଜ୍ଞା କରଇ ବହୁତ

 

ରେ ରେ ମାନବା ତୋହର ପ୍ରାଣ ମୋରହସ୍ତ

ରଖିଲେ ରଖିବି ମୁହିଁ ମାଇଲେ ମାରିବି

 

ବିଧାଏ ମାରିଲା ଶିରେ ପଡ଼ିଲା କି ପବି

ସ୍ୱର୍ଗେ ଥାଇ ଦେବଗଣ କଲେ ହାହାକାର

 

ରୋଦନ ଶବଦେ ପୂର୍ଣ୍ଣ ମାହୀଷ୍ମତୀପୁର

ଅସୁରଙ୍କ ଆନନ୍ଦ ଯେ କେ ପାରିବ କହି

 

ଚେତନା ପାଇଣ ଜୟଧ୍ୱଜ ବୀର ତହିଁ

ଅସୁରକୁ ଲେଉଟାଇ ବସିଲାକ ମାଡ଼ି

 

ବିଧାଏ ମାରିଲା ଦୈତ୍ୟ ଛାଡ଼ିଲାକ ରଡ଼ି

ମତ୍ତଗଜ ଉପରେକି ବସିଅଛି ସିଂହ

 

ମନ୍ଦର ଗିରି ଉପରେ କିବା ମେରୁଶୃଙ୍ଗ

ବୋଇଲା ଦାନବ ତୁରେ ଯିବୁ ଆଜ କାହିଁ

 

ଏହିକ୍ଷଣି ଯମପୁରେ ଦେବଇଁ ପଠାଇ

ଏହା କହି ମନେ ମେନ ସୁମରଇ ହରି

 

ଘୋର ବିପଦରୁ ମୋତେ ରଖ ଦଇତାରି

ପୁରାଣ ପୁରୁଷ ଆହେ ପ୍ରଭୁ ପୀତାମ୍ବର

 

ଏ ଘୋର ବିପଦୁଁ ମୋତେ ବାରେ ରକ୍ଷାକର

ଭାବଗ୍ରାହୀ ନାଥ ପ୍ରଭୁ ଭକତବତ୍ସଳ

 

ଗରୁଡ଼ ପୃଷ୍ଠରେ ତହିଁ ବିଜେ ଆଦିମୂଳ

ବିଶ୍ୱକର୍ମା ଗଢ଼ିଥିବା ଚକ୍ରଗୋଟି ଆଣି

 

ଜୟଧ୍ୱଜ ହସ୍ତେନେଇ ଦେଲେ ଚକ୍ରପାଣି

ଜୟଧ୍ୱଜ ଚକ୍ର ଧରି ଚକ୍ରଧାରୀ ପ୍ରାୟ

 

ବିରାଜିଲା ଦେଖି ଦୈତ୍ୟକୁଳ କଲେ ଭୟ

ଦାନବର ନାଭିଚକ୍ରେ ମାଇଲା ନିଠାଇ

 

ପ୍ରାଣଲିଙ୍ଗ ବାହାରିଲା ଦୈତ୍ୟ ଗରଜଇ

କୋପେ ତାର ମୁଣ୍ତକାଟି କଲା ଖଣ୍ତ ଖଣ୍ତ

 

ପକାଇଗଲେ ଅସୁରେ ହୋଇ ଲଣ୍ତ ଭଣ୍ତ

ତିନିପୁର କମ୍ପିଗଲା ଜୟ ଜୟ ନାଦେ

 

ଆନନ୍ଦ ହୋଇ ନାଚିଲେ ଆକାଶେ ନାରଦେ

ଦେବ ଦୁନ୍ଦୁଭି ବାଜିଲା ଗାଇଲେ ଗନ୍ଧର୍ବେ

 

ଜୟଧ୍ୱଜ ଶିରେ ପୁଷ୍ପ ବରଷିଲେ ଦେବେ

ଦାନବକୁ ମାରି ଚକ୍ର ଗଲା ବଇକୁଣ୍ଠେ

 

ରାଜାଙ୍କର ଶିରେ ଜୟଧ୍ୱଜ ପାଦେ ଲୋଟେ

ଚାରିଭାଇ ଗଉରବ କରି ନେଲେ ତାକୁ

 

ମେଲାଣି ପାଇଣ ଗଲେ ଯେ ଯାହା ପୁରକୁ

ଜୟଧ୍ୱଜ ନିଜପୁରେ ମିଳିଲାକ ଯାଇଁ

 

ଦେଶେ ଦେଶେ ଦେଲେ ଜୟପତାକା ଉଡ଼ାଇ

ମହାମୁନି ବିଶ୍ୱମିତ୍ର ଗାଧିରେ ନନ୍ଦନ

 

ଜୟଧ୍ୱଜ ପରାକ୍ରମ କରିଣ ଶ୍ରବଣ

ଦେଖିବା ନିମନ୍ତେ ଗଲେ ମାହୀଷ୍ମତୀ ପୁରେ

 

ମିଳିଲେ ସେ ଜୟଧ୍ୱଜ ନୃପତି ଛାମୁରେ

ଦେଖି ଜୟଧ୍ୱଜ ତାଙ୍କୁ କଲା ପାଦପୂଜା

 

ସନ୍ତୋଷେ ଗାଧିନନ୍ଦନ ବୋଇଲେ ହେ ରାଜା

ତୋ ସମାନ ବୀର କେହି ନାହିଁ ତିନିପୁରେ

 

ବିଦେହ ଦାନବକୁ ତୁ ମାଇଲୁ ସମରେ

ବଡ଼ ପ୍ରତାପୀ ଅଟଇ ସେ ଦାନବ ବୀର

 

ବ୍ରହ୍ମାବରେ ଜିଣିଲା ସେ ଇନ୍ଦ୍ର ହରିହର

ତାହାକୁ ତୁ ବଧକଲୁ ଯେ ବିଷ୍ଣୁ ପ୍ରସାଦେ

 

ସର୍ବଦା ତୁ ଚିତ୍ତ ରଖ ତାର ପଦ୍ମପାଦେ

ଜୟଧ୍ୱଜ ବୋଲେ ପ୍ରଭୁ ତୁମ୍ଭେ ମହାମୁନି

 

ତୁମ୍ଭ ତୁଲ୍ୟ ଜଗତରେ ନାହିଁ କେହି ଜ୍ଞାନୀ

ଦ୍ୱିତୀୟ ବିଧାତା ବୋଲି ବୋଲନ୍ତି ତୁମ୍ଭଙ୍କୁ

 

କେମନ୍ତ କରି ପୂଜିବି କହ ଶ୍ରୀହରିଙ୍କୁ

କାହିଁରେ ସନ୍ତୋଷ ହେବେ ଦେବ ଜନାର୍ଦ୍ଦନ

 

ତାହାଙ୍କ ସ୍ୱରୂପ ମୋତେ କହ ତପୋଧନ

ତାଙ୍କ ପ୍ରଭାବ ମହିମା କହିବ ବିସ୍ତାରି

 

ଶୁଣିବାକୁ ମନ ପୁଣି ବଳିଛି ମୋହରି

ରାଜାର ଏ କଥା ଶୁଣି ବିଶ୍ୱାମିତ୍ର ଋଷି

 

କହିଲେ ସେ ନୃପତିର ଆଗେ ହସି ହସି

ଆରେ ବୀର କି କହିବି ମହିମା ତାହାର

 

ଦେବ ମାନବ ଦାନବେ ଯାହା ଅଗୋଚର

କେତେବେଳେ କେଉଁରୂପ ଧରଇ ସେ ପୁଣି

 

ନ ପାରଇ ଚାରିମୁଖେ ବିଧାତା ବଖାଣି

ଗୁଣି କହି ପାରିବ ବା ବରଷାରେ ଧାରା

 

କହି ପାରିବ ବା କେତେ ଗଗନର ତାରା

ସମୁଦ୍ରର ବାଲି ଅବା ପାରିବ କେ ଗଣି

 

ନ ପାରିବ ଶ୍ରୀବିଷ୍ଣୁର ରୂପ କେ ବଖାଣି

ଯେ ରୂପେ ଭଜଇ ଯେହୁ ସେ ରୂପେ ସେ ପାଇ

 

ପୁରୁଷଉତ୍ତମ ସେହି ଜଗତ ଗୋସାଇଁ

ଯେ ତାର ଭକତ ସେହି ପାରେ ତାକୁ ବାନ୍ଦି

 

କେହି ଅବା ପବନକୁ କରିପାରେ ବନ୍ଦୀ

ତାକୁ ବନ୍ଦି ତରି ରଖି ନ ପାରିବେ କେହି

 

ଭକତ ଭାବରେ ଏକ ବନ୍ଦି ଭାବଗ୍ରାହୀ

ଅନିତ୍ୟ କି ନିତ୍ୟ ସେହି କେ ଅବା ନ ଜାଣେ

 

ଧନ୍ଦି ହେଉଥାନ୍ତି ଲୋକେ ପଶି ଭବବଣେ

କେ ବୋଲଇ ବ୍ରହ୍ମ କେହି ବୋଲଇ ଯେ ହରି

 

କେହି ଲୀନ ହୋଇଯାନ୍ତି ତପ କରି କରି

କେହି ଯୋଗୀ ହୋଇଯାନ୍ତି କଉପୁନି ମାରି

 

କେହି ଭିକ ମାଗୁଥାନ୍ତି ଥାଳ କରେ ଧରି

କେହି କାଷ୍ଠ ପାଷାଣକୁ ପୁଜୁଥାନ୍ତି ନୃପ

 

ଆତ୍ମାକୁ କଷ୍ଟ ଦିଅନ୍ତି ଅରଜନ୍ତି ପାପ

ବ୍ରହ୍ମା ରୁଦ୍ର ଆଦି ଯେତେ ଦେବତା ଅଛନ୍ତି

 

ଚାରିଖାନି ଜୀବ ଯାହା ଦେଖୁଛ ନୃପତି

ସବୁ ସେହି ଜାଣେ ନାହିଁ ତହିଁ ଭିନ୍ନାଭିନ୍ନ

 

ବିଷ୍ଣୁ ଯଜ୍ଞ ଯେବେ କରି ପାରିବୁ ରାଜନ

ତହିଁରେ ଶ୍ରୀହରି ତୋଷ ହୋଇବେ ନିଶ୍ଚୟ

 

ମୁନି ପାଦେ ପଡ଼ି କହେ ଅର୍ଜ୍ଜୁନ ତନୟ

କେମନ୍ତେ ସେ ଯଜ୍ଞହେବ କୃପାକରି ମୁନି

 

କରାଇ ଦିଅ ଧରୁଛି ତବ ପାଦ ବେନି

ବିଶ୍ୱାମିତ୍ର ନୃପତିର ବିନୟ ବଚନେ

 

ଯଜ୍ଞ ଆରମ୍ଭିଲେ ରହି ରାଜାର ଭୁବନେ

ଯଜ୍ଞରୂପୀ ଭଗବାନ କଲେ ତହିଁ ବିଜେ

 

ପରମ ପଦକୁ ଦେଇ ଗଲେ ଜୟଧ୍ୱଜେ

ଶୁର ଶୂରସେନ ଆଦି ଚାରି ସହୋଦର

 

ଡକାଇ ଆଣିଲେ ଚାରିଗୋଟି ମୁନିବର

ବଶିଷ୍ଠ ଅତ୍ରି ଗୌତମ ଅଗସ୍ତି ଏ ଚାରି

 

ଯଜ୍ଞ ଆରମ୍ଭିଲେ ତହିଁ ମହେଶ୍ୱର ବରି

ସନ୍ତୋଷେ ତାହାଙ୍କୁ ବର ଦେଲେ ଉମାକାନ୍ତ

 

ଇହ ପରଲୋକ ସୁଖ ଭୁଞ୍ଜ ଚାରିଭ୍ରାତ

ଜୟଧ୍ୱଜ ପରାକ୍ରମ ଯେ ଜନ ଶୁଣଇ

 

ତାହାର ଶରୀରେ କେଭେ ପାପ ନ ରହଇ

କୂର୍ମ ପୁରାଣରେ ଏହି ଅପୂର୍ବ ଚରିତ

 

ଯେ ଜନ ଶୁଣଇ ସେହି ହୁଅଇ ପବିତ୍ର

ଦେହ ଅନ୍ତେ ବଇକୁଣ୍ଠପୁରକୁ ସେ ପାଇ

 

ଦୀନ ଗୋପୀନାଥ ଲେଖେ ବିଷ୍ଣୁ ପାଦ ଧ୍ୟାୟି

ମୁଁ ଅତି ପତିତ ଲୋକ ଆହେ ନରହରି

 

ଏ ଭବସାଗରୁ ମୋତେ ନିଅ ପାରିକରି

 

Unknown

ଜୟବଂଶାନୁ ଚରିତ

 

କହୁଛନ୍ତି ସୁତ ବସି ଶୁଣୁଛନ୍ତି ମୁନି

 

ଶତପୁତ୍ର ଜାତକଲେ ଜୟଧ୍ୱଜ ରାଣୀ

ସମସ୍ତଙ୍କ ନାମ ରାଜା ଦେଲା ତାଳଜଙ୍ଘ

 

ଜ୍ୟେଷ୍ଠପୁତ୍ର ବିତୀହୋତ୍ର ହେଲା ବୀରସିଂହ

ବୀତିହୋତ୍ର ନୃପତିର ପୁତ୍ର ନାମ ବୃଷ

 

ତାହାର ନନ୍ଦନ ମଧୂ ସେ ହେଲା ନରେଶ

ମଧୂର ପୁତ୍ର ବୃଷଣ ତା ପୁତ୍ର ବିଶ୍ରୁତ

 

ତାହାର ପୁତ୍ର ଦୁର୍ଜୟ ଜଗତେ ବିଖ୍ୟାତ

ତାହାର ଭାରିଯା ରୂପ କେ ପାରିବ କହି

 

ତା ତୁଲ୍ୟ ସୁନ୍ଦରୀ ତିନିପୁରେ ନାହିଁ କେହି

ଧର୍ମବିନା ଅଧର୍ମରେ ନ ଯାଇ ତା ମତି

 

ଜଗତ ଜନେ ବୋଲନ୍ତି ତାକୁ ମହାସତୀ

ଉତ୍ତମଗୁଣ ତାହାର ଅଟଇ ଭୂଷଣ

 

ଏକ ଦିନକର କଥା ଶୁଣ ମୁନିଗଣ

କାଳିନ୍ଦୀ ନଦୀର ତୀରେ ଦୁର୍ଜୟ ନୃପତି

 

ଶୁଣିଲା ଅପୂର୍ବ ଗୀତ ମନୋହର ଅତି

ତାହାର ସ୍ୱରକୁ ବୀଣା ନୋହିବ ତ ସରି

 

କୋକିଳଠାରୁ ତାହାର ସୁଉତ୍ତମ ନାରୀ

ମନେ ବିଚାରଇ ରାଜା ସାରୀକି ଏ ନାରୀ

 

ଏମନ୍ତ ଭାବି ସେ ଗଲା ସ୍ୱର ଅନୁସରି

ଦେଖିଲା ଉର୍ବଶୀ ବସି ଗାଉଅଛି ଗୀତ

 

ଯେ ନେତ୍ରେ ମୋହି ପାରଇ ଏ ତିନି ଜଗତ

ଲାବଣ୍ୟର ନିଧି ସେହି ଅପସରୀ ହୀରା

 

ଇନ୍ଦ୍ର ଆଦି ଦେବଙ୍କର ନୟନର ତାରା

ମୋହିତ ହୋଇଲା ରାଜା ସେ ଅପୂର୍ବ ରୂପେ

 

ଲାଜ ଭୟ ଦୂରକରି କହେ ବହୁରୂପେ

ମୋ ସଙ୍ଗେ ବିହାର କର ରମଣୀ ରତନ

 

ରାଜାର ଉପରେପଡ଼େ ଉର୍ବଶୀ ନୟନ

ବିଚାରଇ ଅଟଇ ଏ କନ୍ଦର୍ପ ମୂରତି

 

ଏହାକୁ ସରି ନୋହିବ ରୂପେ ଶଚୀପତି

ଏମନ୍ତ ବିଚାରି କଲା ତା ସଙ୍ଗେ ବିହାର

 

ବହୁତ ଦିବସ ଅନ୍ତେ ଦିନେ ନୃପବର

ଉର୍ବଶୀକି ବୋଇଲା ମୁଁ ଯିବି ନିଜପୁରେ

 

ଉର୍ବଶୀ ଅଳପ କହି କହେ ଧୀରେ ଧୀରେ

ସୁନ୍ଦର ପୁରୁଷ ଯୁବା ଅଟେ ନରପତି

 

ବରଷେ ଆବର ରହି ତୋଷ ମୋର ମତି

ବୁଦ୍ଧିମନ୍ତ ନ ପଡ଼ି ସେ ଅତ୍ୟନ୍ତ ଚତୁର

 

ବୁଝିପାରି ଉର୍ବଶୀର ମାୟାମୟ ଗୀର

ବୋଇଲା ମୁଁ ପୁରେଯାଇଁ ଆସେବେଗେ ଫେରି

 

ଅନୁମତି ଦେଉ କିନା ପରମ ସୁନ୍ଦରୀ

ଉର୍ବଶୀ ବୋଇଲା ନୃପ ଯାଅ ତେବେଘର

 

ଯାହା ମୁଁ କହୁଛି ରଖିଥିବ ତା ମନରେ

ଆନ ଅପସରା ସଙ୍ଗେ ନ କରିବ ପ୍ରୀତି

 

ହେଉ ହେଉ କହି ତହୁଁ ଦୁର୍ଜ୍ଜୟ ନୃପତି

ପ୍ରବେଶି ଆପଣା ପୁରେ ଗଲେ ରାଣୀପାଶେ

 

ଛୁଇଁ ନ ପାରିଲି ତାକୁ ପୁଣି ରାଜା ତ୍ରାସେ

ଭୟରେ କାତର ହେବା ନୃପତିକି ଦେଖି

 

ଧୀରେ ଧୀରେ କୋମଳରେ କହିଲେ ସୁମୁଖୀ

ଆହେ ନାଥ ତୁମ୍ଭ ମନେ କାହାକୁ ଯେ ଭୟ

 

କପଟ ନ କରି ସତ ମୋ ଆଗରେ କହ

ନୃପତି ଭୟାଳୁ ହେଲେ ରାଜ୍ୟକି କରିବ

 

ଲାଜେ କିଛି ନ କହିଲେ ତହୁଁ ନରଦେବ

ସତୀ ଶିରୋମଣି ଜ୍ଞାନମାର୍ଗେ ଜାଣିପାରି

 

ବୋଇଲେ କାହିଁକି ଭୟ କର ଦଣ୍ତଧାରୀ

ଯାହା କଲେ ତୁମ୍ଭ ଦେହୁଁ ପାପ ଯିବ ଛାଡ଼ି

 

ତାହା ତୁମ୍ଭେ କର ଇଚ୍ଛା ତୁମ୍ଭ ରାଜ୍ୟ ବାଡ଼ି

ଭାରିଯା କଥାରେ ରାଜା ବେଗେ ତହୁଁ ଗଲେ

 

ମୁନିବର କଣ୍ୱଙ୍କର ଆଶ୍ରମେ ମିଳିଲେ

କହିଲେ ସମସ୍ତ କଥା ପ୍ରଣମି ପୟରେ

 

ପାପର ଯେ ପ୍ରାୟଶ୍ଚିତ ଶୁଣି ଶ୍ରବଣରେ

ବାଟେ ଆସୁ ଆସୁ ରାଜା ଦେଖିଲେ ଆକାଶେ

 

ବିମାନେ ବସି ଯାଉଛି ଅପୂର୍ବ ପୁରୁଷେ

ଦିବ୍ୟ ମାଲ୍ୟ ଅଳଙ୍କାରେ ହୋଇଛି ମଣ୍ତିତ

 

ଗନ୍ଧର୍ବରାଜ ଯେ ବସି ଗାଉଅଛି ଗୀତ

ଦେଖିଲା ମାତ୍ରେ ରାଜାର ପଡ଼ିଲା ମନରେ

 

ଗାଉଥିଲା ସେ ଉର୍ବଶୀ କେମନ୍ତ ସୁସ୍ୱରେ

ଏ ସୁନ୍ଦର ପୁରୁଷର କଣ୍ଠେ ଯେଉଁ ହାର

 

ଉର୍ବଶୀ ଗଳାରେ ଥିଲେ ଦିଶନ୍ତା ସୁନ୍ଦର

ଭାଳୁ ଭାଳୁ କାମଶରେ ହେଲା ଜର ଜର

 

ମାଳାର ନିମନ୍ତେ କଲା ତା ସଙ୍ଗେ ସମର

ଦୁହିଁଙ୍କର ଘୋର ଯୁଦ୍ଧ ହେଲା ମାଳା ଲାଗି

 

ଦୁର୍ଜ୍ଜୟ ନୃପତି ତାର ରଥ ଦେଲା ଭାଙ୍ଗି

ବଳେ ତାହାଠାରୁ ମାଳା ଆଣିଲା ଛଡ଼ାଇ

 

ଉର୍ବଶୀକି ଦେବାପାଇଁ ଗଲା ବେଗହୋଇ

କାଳିନ୍ଦୀ ନଦୀର ତୀରେ ଖୋଜିଲା ବହୁତ

 

ଉର୍ବଶୀକି ନ ପାଇ ସେ କାମେ ବିହ୍ୱଳିତ

ସାତଦ୍ୱୀପ ସାତସିନ୍ଧୁ ଖୋଜିବାକୁ ଗଲା

 

ହିମାଳୟ ପର୍ବତର ପାରୁଶେ ମିଳିଲା

ତହୁଁ ଯାଇ ହେମକୂଟ ପର୍ବତେ ପ୍ରବେଶି

 

ଦେଖିଲା ସେଠାରେ ରାଜା ବହୁତ ସୁକେଶୀ

ଦିବ୍ୟ ଅଳଙ୍କାର ଅଙ୍ଗେ କଣ୍ଠେ ଦିବ୍ୟମାଳ

 

ସମସ୍ତେ ଅଟନ୍ତି ସ୍ୱର୍ଗ ଭୂବନର ବାଳ

ତାହାଙ୍କ ସୃଷ୍ଟି ପଡ଼ିଲା ନୃପତି ଉପରେ

 

ବିକ୍ରମକେଶରୀ ଟାଣି ମାଳା ଅଛି କରେ

କୋଟି କାମ ଜିଣି ରୂପ ଅତି ମନୋହର

 

ଦେଖି କାମଶରେ ପୀଡ଼ା ପାଇ ରାମାବର

ତାହାଙ୍କୁ କହିଲେ ଆସି ବହୁତ ପ୍ରକାରେ

 

ନୃପତିର ମନ ଅଛି ଉର୍ବଶୀ ଉପରେ

ନ ଚାହିଁଲା ତାହାଙ୍କୁ ସେ ପୂର୍ବ କଥା ସ୍ମରି

 

ଉର୍ବଶୀ କହିଛି ମୋତେ ଆହୋ ଦଣ୍ତଧାରୀ

ଆନ ଅପସରା ସଙ୍ଗେ ନ କରିବୁ ପ୍ରୀତି

 

ସେ ସତ୍ୟ ଲଙ୍ଘିଲେ ହେବ ନରକରେ ଗତି

ଏମନ୍ତ ଭାଳି ନୃପତି ଗଲା ତହୁଁ ବେଗେ

 

ମେରୁ ପରବତେ ଯାଇଁ ଖୋଜେ ବଇରାଗେ

ଦେବତାଙ୍କ ବାସସ୍ଥାନ ଯେଉଁ ଗିରିବର

 

ବାହୁବଳେ ଖୋଜିଲା ତା ଶୃଙ୍ଗ ନୃପବର

ତହିଁ ଥିବା ପବିତ୍ର ଯେ ମାନସରୋବର

 

ଉର୍ବଶୀକି ତାର ତୀରେ ଦେଖି ମହାବୀର

ମାଳ ଗୋଟି ନେଇ ତାର କଣ୍ଠେ ଲମ୍ବାଇଲା

 

ତାହାର ଶୋଭାକୁ ଚାହିଁ କୃତାର୍ଥ ହୋଇଲା

ବିହରିଲା କିଛିକାଳ ତା ସଙ୍ଗରେ ରହି

 

ଉର୍ବଶୀ ସେ ନୃପତିକି ଦିନେ ପଚାରଇ

ନଗରକୁ ଯାଇ ତୁମ୍ଭେ କି କଲ ହେ ରାଜା

 

ନୃପତି କହିଲେ ଯା କହିଲା ଭାରିଯା

କଣ୍ୱମୁନି ଆଶ୍ରମରେ ହେଲା ଯାହା ଯାହା

 

ବାଟେ ଆସୁ ଆସୁ ଦେଖି ଗନ୍ଧର୍ବର ନାହା

ମାଳା ଲାଗି ଯୁଦ୍ଧ ହେଲା ତାସଙ୍ଗେ ଯେମନ୍ତେ

 

ସମସ୍ତ କଥା କହିଲେ ଉର୍ବଶୀ ଅଗ୍ରତେ

ଉର୍ବଶୀ ବୋଇଲା ଶୁଣ ଆହେ ନୃପବର

 

ବେଗେ ଏଥୁଁ ଯାଅ କ୍ଷଣେ ବିଳମ୍ବ ନ କର

ଜାଣିଲେଟି ମହାମୁନି କଣ୍ୱ ହେବେ କୋପ

 

ମହାସତୀ ତୁମ୍ଭ ରାଣୀ ଦେବ ମୋତେ ଶାପ

ଏମନ୍ତେ ଉର୍ବଶୀ ଯେତେ କହିଲା ଡରାଇ

 

ବହୁତ କହିଲା ପୁଣି ରାଜାକୁ ବୁଝାଇ

ନ ଶୁଣିଲା ନ ବୁଝିଲା ସେହି ନୃପବର

 

ନ ଆସିଲା ଉର୍ବଶୀକି ଛାଡ଼ି ନିଜପୁର

ଜାଣିପାରି ସେ ଉର୍ବଶୀ ନୃପତିର ହିତେ

 

ଧଇଲା ବିକଟ ରୂପ ରାଜାର ଦେଖନ୍ତେ

ଦିନୁ ଦିନ ଅସୁନ୍ଦର ରୂପ ଦେଖି ତାର

 

ବିରକ୍ତ ହୋଇ ତାହାକୁ ଛାଡ଼ି ନୃପବର

କଣ୍ୱଋଷି କହିଥିବା କଥାଯାକ ହେଜି

 

ଆପଣାକୁ ନିନ୍ଦାକରି ତପେ ଚିତ୍ତ ମଜ୍ଜି

କନ୍ଦମୂଳ ଫଳ ଖାଇ ବାର ବର୍ଷ ରହି

 

ବାର ବରଷ ରହିଲା ପବନକୁ ପିଇ

ଡରି ଡରି କଣ୍ୱମୁନି ନିକଟକୁ ଗଲା

 

ସତକଥା ଯାକ ତାଙ୍କ ଆଗରେ କହିଲା

ପ୍ରସନ୍ନ ହୋଇ କହିଲେ ସେହି ମୁନିବର

 

ବାରାଣସୀ ପୁରେ ଯାଇ ସେବାକର ହର

ସୁପତୀକ ନାମେ ହେଲା ତାହାର ନନ୍ଦନ

 

ସେହି ନୃପତି ହୋଇଲା ଜାଣ ମୁନିଗଣ

ଉର୍ବଶୀ ଗର୍ଭରୁ ଜାତ ହେଲେ ସାତ ସୁତ

 

ଗନ୍ଧର୍ବ କନ୍ୟାକୁ ବିଭା ହୋଇଲେ ସେ ସାତ

କହିଲୁ ସହସ୍ରାଜିତ ବଂଶର ଚରିତ

 

ଶୁଣିଲା ମାତ୍ରେ ପାପରୁ ହୋଇବ ମୁକତ

ଦୀନ ଗୋପୀନାଥ ବୋଲେ ବୋଲ ହରି ହରି

 

ହରିନାମ ତରୀ କରି ଭବୁ ଯିବ ତରି

 

କ୍ରୋଷ୍ଟୁ ବଂଶାନୁ ଚରିତ

 

ସୁତ କହନ୍ତି ଶୁଣନ୍ତି ବସି ମୁନିବରେ

 

ବୃଜିନ ନାମେ କ୍ରୋଷ୍ଟୁର ଥିଲାଟି କୁମରେ

ତା ପୁତ୍ର ଖ୍ୟାତି ତା ପୁତ୍ର ଅଟଇ କୁଶିକ

 

ତାର ପୁତ୍ର ଚିତ୍ରନାଥ ସେ ବଡ଼ ଧାର୍ମିକ

ତାର ପୁତ୍ର ଶଶବିନ୍ଦୁ ନାମେ ନୃପବର

 

ପୃଥୁଯଶା ନାମେ ହେଲା ତାହାର କୁମର

ତାର ପୁତ୍ର ପୃଥୁକର୍ମା ନାମେ ନରପତି

 

ପୃଥୁଜୟ ନାମେ ହେଲା ତାହାର ସନ୍ତନ୍ତି

ପୃଥୁକୀର୍ତ୍ତି ନାମେ ହେଲା ତାହାର ନନ୍ଦନ

 

ତାହାର ତନୟ ନାମ ଅଟେ ପୃଥୁବାନ

ପୃଥୁଶ୍ରବା ନାମେ ହେଲା ତାହାର କୁମର

 

ପୃଥୁସତ୍ତମ ନାମରେ ପୁତ୍ରେକ ତାହାର

ତା ପୁତ୍ର ଗଣନା ହେଲା ଶିତେକ୍ଷୁ ତା ସୁତ

 

ରୁକ୍ମ କବଚ ନାମରେ ହେଲା ତାର ପୁତ୍ର

ତାର ପୁତ୍ର ପରାବୃତ୍ତ ତା ପୁତ୍ର ଜ୍ୟାମଥ

 

ତା ପୁତ୍ର ନାମ ବିଦର୍ଭ ତାର ପୁତ୍ର କ୍ରଥ

ଲୋମପାଦ କଉଶିକି ହେଲେ ଏହି ଦୁଇ

 

ଲୋମପାଦ ପୁତ୍ର ବଭ୍ରୁ ନାମକୁ ବହଇ

ବଭ୍ରୁ ପୁତ୍ର ଧୃତି ଜାଣ ଧୃତି ପୁତ୍ର ଶ୍ୱେତ

 

ତାର ପୁତ୍ର ବିଶ୍ୱମହ ମହା ବଳବନ୍ତ

ତାହାର ପୁତ୍ର କୌଶିକ ତା ସୁତ ସୁମନ୍ତ

 

ତାହାର ପୁତ୍ର ସେ ନଳ ଅତି ବୁଦ୍ଧିମନ୍ତ

କଉଶିକ ପୁତ୍ର ନାମ ଚେଦି ଯେ ଅଟଇ

 

ଚଇତ୍ୟ ନାମେ ଅନେକ ପୁତ୍ର ତାର ହୋଇ

ତାହାଙ୍କ ମଧ୍ୟେ ପ୍ରଧାନ ଅଟେ ଦ୍ୟୁତିମାନ

 

ତାହର ନନ୍ଦନ ନାମ ହେଲା ବପୁଷ୍ମାନ

ବ୍ରହ୍ମନ୍ମେଧା ନାମେ ହେଲା ତାହାର କୁମର

 

ଶ୍ରୀଦେବ ନାମେ ହୋଇଲା ପୁତ୍ରେକ ତାହାର

ତାର ପୁତ୍ର ବୀତରଥ ରୁଦ୍ରର ଭକତ

 

ଆହେ ଦ୍ୱିଜ ବିଦର୍ଭର ସୁତ ନାମ କ୍ରଥ

ତାର ପୁତ୍ର କୁନ୍ତି ତାର ପୁତ୍ର ଧୃଷ୍ଟି ଜାଣ

 

ତାହାର ପୁତ୍ର ନଧୃତି ଆହେ ଋଷିଗଣ

ଦଶାର୍ହ ନାମରେ ହେଲା ତାହାର କୁମର

 

ତାହାର ନନ୍ଦନ ହେଲା ବ୍ୟୋମନାମେ ବୀର

ତା ପୁତ୍ର ଜୀମୁତ ତାର ପୁତ୍ର ଭୀମରଥ

 

ଭୀମରଥର ତନୟ ନାମ ନରରଥ

ଦାନଶୂର ମାନଶୂର ଧର୍ମବନ୍ତ ଅତି

 

ବଳବନ୍ତ ଶତ୍ରୁହନ୍ତା ସତ୍ୟେ ଥାଏ ମତି

ଦିନେ ସେ ମୃଗୟା କରି ଗଲା ବ୍ୟାଧବେଶେ

 

ଘୋର ଅରଣ୍ୟକୁ ଯାଇ ଭେଟିଲା ରାକ୍ଷସେ

ପର୍ବତ ପରାୟ କାୟ ମହାଭୟଙ୍କର

 

ଡରେ ପଳାଇଲା ଦେଖି ତାକୁ ନୃପବର

ସେହି ରାକ୍ଷସର ନାମଅଟେ ଦୁର୍ଯ୍ୟୋଧନ

 

ହସ୍ତେ ଏକ ଶୂଳ ଅଛି ଅନଳ ସମାନ

କୋପେ ତାକୁ ଗୋଡ଼ାଇଲା ଭକ୍ଷିବା ମାନସେ

 

ଆଗେ ଯାଏ ନରନାଥ ଅଣ ନିଶୁଆସେ

ପଛରେ ଗୋଡ଼ାଇ ଅଛି ପ୍ରତାପୀ ଅସୁର

 

ନୃପତି ଯାଇଁ ଦେଖିଲା ଏକଇ ମନ୍ଦିର

ଭୟେ ଭିତରେ ପଶି ଦ୍ୱାର ଦେଲା ରୁନ୍ଧି

 

ଦେଖିଲା ଦେବୀ ପ୍ରତିମା ତାଙ୍କ ପାଦ ବନ୍ଦି

କରଯୋଡ଼ି ସ୍ତୁତିକଲା ସରସ୍ୱତୀ ଜାଣି

 

ଜୟ ତୁ ଜୟ ତୁ ମାଗୋ ବ୍ରହ୍ମାର ଦୁଲଣୀ

ତୋହର ଚରଣେ ମାତ ପଶିଲି ଶରଣ

 

ରାକ୍ଷସ ଗୋଡ଼ାଇ ଅଛି କରିବ ଭକ୍ଷଣ

ଜଗତ ଜନନୀ ମୋତେ କର ଗୋ ସୁଦୟା

 

ତୁହି ଯେବେ ନ ରଖିବୁ ମାତ ଗୋ ଅଭୟା

ଗିଳିବି ରାକ୍ଷସ ମୋତେ ଆସେ ଆଁ ଆଁ କରି

 

ରଖ ସ୍ୱେତପଦ୍ମାସନା ଶ୍ରୀହରିର ନାରୀ

ଏ ସମୟେ ସେ ରାକ୍ଷସ ମିଳିଲାତ ତହିଁ

 

ଦ୍ୱାର ଭାଙ୍ଗି ଭିତରକୁ ଗଲା ଭୟ ନାହିଁ

ଦେଖିଲା ନୃପତିଦେବୀ ପାଦେ ଅଛି ପଡ଼ି

 

ଶୂଳ ଉଞ୍ଚାଇ ରାକ୍ଷସ ଦେଲା ଘୋର ରଡ଼ି

ରଡ଼ିଘାତେ ନୃପବର ହୋଇଲା ଅଜ୍ଞାନ

 

କାହୁଁ ପୁରୁଷେକ ଆସି ମିଳିଲା ବହନ

କୋଟି ସୂର୍ଯ୍ୟପ୍ରାୟ କାନ୍ତି ଦିଶେ ଝଟ ଝଟ

 

ରାକ୍ଷସକୁ ଚାହିଁ କରି ଦାନ୍ତ କଟ ମଟ

ରାକ୍ଷସ ହାତରୁ ଶୂଳ ନେଲାକ ଛଡ଼ାଇ

 

ଦୈତ୍ୟ ବେକ ମୂଳେ ଶୂଳପ୍ରହାରିଲା ନେଇ

ମୁଣ୍ତ ଛିଣ୍ତିଗଲା ତଳେ ପଡ଼ିଲା ଅସୁର

 

ରାଜାକୁ ବୋଇଲା ଉଠ ଉଠ ନୃପବର

ମଲାଣି ତୋହର ଶତ୍ରୁ ଦେଖ ତୁ ନୟନେ

 

ଉଠି ନରପତି ଦେଖି ଆନନ୍ଦ ବଦନେ

ଦେବୀଙ୍କ ଚରଣେ ନମି ଗଲା ତହୁଁ ଚଳି

 

ଦେବୀଙ୍କର ମନ୍ଦିରକୁ ରାଜା ଦେଲା ତୋଳି

ଯାଗ ଯଜ୍ଞ କରି ତହିଁ ଭୋଗ ଦେଲା ଖଞ୍ଜି

 

ଦେବୀ ପ୍ରସାଦେ ତାହାର ଶତ୍ରୁ ହୋଇ ଗଞ୍ଜି

ଡରେ ଆସି ରାଜାପାଦେ ପଶିଲେ ଶରଣ

 

ବଡ଼ ପ୍ରତାପୀ ହୋଇଲା ସେହି ନରରାଣ

ତାହାର ପୁତ୍ରର ନାମ ହେଲା ଦଶରଥ

 

ହେଲା ସେହି ସରସ୍ୱତୀ ଦେବୀର ଭକତ

ତାର ପୁତ୍ର ଶକୁଳି ଯେ ତା ପୁତ୍ର କରମ୍ଭ

 

କାର୍ଯ୍ୟ କାଳରେ ତାହାର ଛାତି ବଡ଼ ଦମ୍ଭ

ତାର ସୁତ ଦେବରାତ ଅଶ୍ୱମେଧ କରି

 

ପୃଥିବୀ ରାଜାଙ୍କୁ ଜିଣି ହେଲା ଦଣ୍ତଧାରୀ

ତାହାର ନନ୍ଦନ ନାମ ଅଟେ ଦେବଦତ୍ତ

 

ମଧୁ ନାମରେ ହୋଇଲା ତାର ଏକ ସୁତ

କୁରୁନାମ ବୋଲାଇଲା ମଧୁର ନନ୍ଦନ

 

ମଧୂର ପୁତ୍ର ସୁତ୍ରମା ହୋଇଲା ରାଜନ

ତାର ପୁତ୍ର ପୁରୁକୁସ୍ଥ ନାମେ ହେଲା ଖ୍ୟାତ

 

ତାର ପୁତ୍ର ଅଂଶୁ ତାର ପୁତ୍ର ଯେ ସାତ୍ୱତ

ସେ ସାତ୍ୱର ନାରଦଙ୍କଠାରୁ ଜ୍ଞାନ ପାଇ

 

ବାସୁଦେବ ପୂଜା କରି ହେଲା ନରସାଇଁ

ଶାସ୍ତ୍ର ଏକ ଭିଆଇଲା ସେହି ନରପତି

 

କୁଣ୍ତ ଆଉ ଗୋଲକ ସେ ଶାସ୍ତ୍ରକୁ ପଢ଼ନ୍ତି

କୁଣ୍ତ ବୋଇଲା ସାଧବ ଜାରଜ କୁମର

 

ବିଧବା ଜାରଜସୁତ ଗୋଲକ ଆବର

ତାର ନାମ କୁଣ୍ତା ଗୋଳ ଶାସ୍ତ୍ର ପୁଣି ଦେଲେ

 

ତାହାଙ୍କର ଭଲ ହୁଏ ସେ ଶାସ୍ତ୍ର ପଢ଼ିଲେ

ସାତ୍ୱର ଭାରିଯା ନାମ କୌଶଲ୍ୟା ଅଟଇ

 

ସେ ନାରୀ ଗର୍ଭରୁ ପାଞ୍ଚପୁତ୍ର ଉପୁଜଇ

ଭଜମାନ ଅନ୍ଧକ ଯେ ମହାଭୋଜ ତିନି

 

ପାଞ୍ଚହେଲେ ବୃଷ୍ଣି ଦେବାବୃଧକୁ ଯେ ଘେନି

ଅପୁତ୍ରିକ ଦେବାବୃଧ ଘୋର ତପ କରି

 

ଗୁଣବନ୍ତ ପୁତ୍ର ଏକ ପାଇ ଦଣ୍ତଧାରୀ

ତାର ନାମ ବଭ୍ର ହେଲା ସେହି ମହାଜ୍ଞାନୀ

 

ତାହାର ନନ୍ଦନ ହେଲେ ନିମି ବୃକ ବେନି

ମହାଭୋଜ ପୁତ୍ରଗଣ ବୋଇଲାରେ ଭୋଜ

 

ସୁମିତ୍ରା ନାମରେ ହେଲା ବୃଷ୍ଣିର ତନୁଜ

ତା ତନୟ ଅନମିତ୍ର ସୁମିତ୍ର ଯେ ଶିନି

 

ଏମନ୍ତେ ତାହାର ହେଲେ ଜାଣ ପୁତ୍ର ତିନି

ନିଘ୍ନନାମେ ହେଲା ଅନମିତ୍ରର ନନ୍ଦନ

 

ନିଘ୍ନର ତନୟ ନାମ ଅଟଇ ପ୍ରସେନ

ଆବର ହୋଇଲା ସତ୍ରାଜିତ ନାମେ ସୁତ

 

ଅଟନ୍ତି ସେ ଦୁଇଭାଇ ପୁଣି ଗୁଣବନ୍ତ

ବୃଷ୍ଣିର ମଝିଆଁ ପୁଅ ନାମ ଜାଣ ଶିନି

 

କାହାର ପୁତ୍ର ସତ୍ୟକ ନାମେ ମହାଜ୍ଞାନୀ

ତାହାର ନନ୍ଦନ ନାମ ଅଟେ ଯୁଯୁଧାନ

 

ସାତ୍ୟକି ନାମ ହେବାରୁ ସତ୍ୟକ ନନ୍ଦନ

ଅସଙ୍ଗ ନାମ ବହିଲା ସାତ୍ୟକି କୁମର

 

ତାର ପୁତ୍ର କୁଣି ତାର ପୁତ୍ର ଯୁଗନ୍ଧର

ମାଦ୍ରୀର ଗର୍ଭରୁ ଜାତ ବୃଷ୍ଣି ନାମେ ସୁତ

 

ବୃଷ୍ଣି ଗର୍ଭୁ ଉପୁଜିଲା ଯଦୁ ନାମେ ପୁତ୍ର

ଶଭଳ୍‌କ ଶକ୍ରକ ଦୁଇ ବୃଷ୍ଣିର କୁମର

 

ଗାନ୍ଧିନୀ ନାମରେ କନ୍ୟା କାଶୀ ନୃପତିର

ଶଭଳ୍‌କ ହେଲା ସେହି ରାଜକନ୍ୟା ପତି

 

ତାର ଗର୍ଭୁ ଉପୁଜିଲା ଅକ୍ରୂର ସୁମତି

ଉପମଙ୍ଗୁ ମଙ୍ଗୁନାମେ ହେଲେ ପୁତ୍ର ଦୁଇ

 

ବିଷ୍ଣୁ ଭକତ ଅକ୍ରୂର ଅଟେ ବଡ଼ଭାଇ

ଅକ୍ରୂର ତନୟ ନାମ ଉପଦେବ ଜାଣ

 

ଦ୍ୱିତୀୟ ପୁତ୍ରର ନାମ ଅଟେ ବେବବାନ

ଦୁଇଗୋଟି ପୁତ୍ର ହେଲା ଦୁଇ ଭାଇଙ୍କର

 

ବିଶ୍ୱ ଆଉ ପ୍ରମାର୍ଥୀ ଯେ ନାମ ତାହାଙ୍କର

ଚିତ୍ରକ ନନ୍ଦନ ପୃଥୁ ବିପୃଥୁ ଏ ଦୁଇ

 

ଅଶ୍ୱଗ୍ରୀବ ସୁବାହୁ ଯେ ଜାଣ ବେନିଭାଇ

ସୁପାର୍ଶ୍ୱବ ଗବେଷଣ ଏମନ୍ତେ ଏ ଛଅ

 

କାଶ୍ୟପ ଦୁହିତା ଗର୍ଭୁ ହେଲା ଏକ ପୁଅ

ତା ନାମ କୁକୁର ସେହି ଅନ୍ଧକ ନନ୍ଦନ

 

କୁକୁରର ଭାଇ ନାମ ଅଟେ ଭଜମାନ

ଆବର ଶମୀକ ବଳ ଗର୍ବିତ ଏ ଦୁଇ

 

ଏମନ୍ତେ ଏ ହେଲେ ଜାଣ ଚାରିଗୋଟି ଭାଇ

କୁକୁର ପୁତ୍ରର ନାମ ହୋଇଲା ଯେ ଦୁଷ୍ଟ

 

ତାହାର ମୂତ୍ର କପୋତରୋମା ଅତି ଧୃଷ୍ଟ

ସ୍ୱଳେକମ ନାମେ ହେଲା ତାହାର ନନ୍ଦନ

 

ତାମତମ ନାମେ ହେଲା ପୁତ୍ରେକ ବିଦ୍ୱାନ

ତୁମ୍ବୁରୁ ଗନ୍ଧର୍ବ ସଖା ଅଟଇ ଯେ ତମ

 

ତାହାର ନନ୍ଦନ ହେଲା ତାତହୁଁ ଉତ୍ତମ

ଆନକଦୁନ୍ଦୁଭି ନାମ ହୋଇଲା ତାହାର

 

ଆନକ ଦୁନ୍ଦୁଭି କଥା ଶୁଣି ମୁନିବର

ଗୋବର୍ଦ୍ଧନ ପର୍ବତରେ ବସି କଲା ତପ

 

ମୂଳ କମଳକୁ ଥାପି କଲା ମନ୍ତ୍ର ଜପ

ପ୍ରସନ୍ନେ ତାହାକୁ ବର ଦେଲେ ବେଦବର

 

ଜାଣିଲା ସେ ନୃତ୍ୟ ଗୀତ ବାଦ୍ୟ ଲୟକର

ତହୁଁ ଯାଇ କଇଳାସ ପର୍ବତେ ମିଳିଲା

 

ନୃତ୍ୟ କରି ଗୀତ ଗାଇ ଶିବଙ୍କୁ ତୋଷିଲା

ସୁପ୍ରସନ୍ନେ କନ୍ୟାରତ୍ନ ଦେଲେ ତାକୁ ବର

 

ସେ କନ୍ୟା ଗୋଟି ହୋଇଲା ଭାରିଯା ତାହାର

ତାକୁ ନୃତ୍ୟ ଗୀତ ମାନ ଶିଖାଇଲା ରାଜା

 

ତାର ଗର୍ଭୁ ଉପୁଜିଲା ଏକଇ ଆତ୍ମଜା

ଲାବଣ୍ୟର ନିଧି ସେହି ପରମା ସୁନ୍ଦରୀ

 

ହ୍ରୀମତୀ ତାହାର ନାମ ଦେଲେକ ବିଚାରି

ଶୋଭନ ନାମରେ ହେଲା ଏକଇ ନନ୍ଦନ

 

ବାଳକାକୁ ଶିଖିଲେ ସେ ଗୀତ ତାନମାନ

ଧନୁର୍ବେଦ ଆଦି ଚାରି ବେଦ ପଢ଼ିସାରି

 

ପୃଥିବୀରେ ସେ ଶୋଭନ ହେଲା ଦଣ୍ତଧାରୀ

ଗନ୍ଧର୍ବ କନ୍ୟା ମାନସୀ ଭାରିଯା ତାହାର

 

ତାର ଗର୍ଭୁ ଉପୁଜିଲେ ପାଞ୍ଚୋଟି କୁମର

ଗନ୍ଧର୍ବ ବିଦ୍ୟାରେ ହେଲେ ସେମାନେ ନିପୁଣ

 

ଆନକ ଦୁନ୍ଦିଭି ଘେନି ପୁତ୍ର ନାତିଗଣ

ଭାରିଯା ବଧୂ ଆବର ଅଛନ୍ତି ସଙ୍ଗତେ

 

ନୃତ୍ୟ ଗୀତ ଆରମ୍ଭିଲେ କୈଳାସ ପର୍ବତେ

ସୁବାହୁ ନାମେ ଗନ୍ଧର୍ବ ସେଠାରେ ମିଳିଲା

 

ହ୍ରୀମତୀ କନ୍ୟାକୁ ତହୁଁ ହରି ଘେନିଗଲେ

ତା ଗର୍ଭରୁ ଉପୁଜିଲେ ପାଞ୍ଚୋଟି ନନ୍ଦନ

 

ତାହାଙ୍କର ନାମ ଏବେ ଶୁଣ ମୁନିଗଣ

ସୁଷେଣ ବେଣ ସୁଗ୍ରୀବ ସୁଭୋଜ ଆବର

 

ନର ବାହନକୁ ଘେନି ଏ ପାଞ୍ଚ କୁମର

ଅନଳ ଦୁନ୍ଦୁଭିର ଯେ ହେଲା ପୁତ୍ର ଏକ

 

ତାର ନାମ ଅଭିଜିତ ସେ ପୃଥ୍ୱୀ ନାୟକ

ତାହାର କୁମର ନାମ ପୁନର୍ବସୁ ହେଲା

 

ତାହାର ସୁତ ବାହୁକ ନାମ ବୋଲାଇଲା

ତାର ପୁତ୍ର ଉଗ୍ରସେନ ଦେବକ ଏ ଦୁଇ

 

ଦେବକର ଚାରିପୁତ୍ର ଶୁଣ ମନଦେଇ

ଦେବଦାନ ଉପଦେବ ସୁଦେବ ଏ ତିନି

 

ଚାରିଗୋଟି ପୁତ୍ର ଦେବ ରକ୍ଷତକୁ ଘେନି

ଏ ଚାରି ଭାଇର ଜାଣ ସାତଟି ଭଉଣୀ

 

ତାହାଙ୍କର ନାମ ଶୁଣ କହୁଅଛି ପୁଣି

ଧୃତଦେବା ଉପଦେବା ଆବର ଶ୍ରୀଦେବା

 

ଦେବରକ୍ଷିତା ଯେ ସିହଦେବା ଶାନ୍ତିଦେବା

ସାନ ଭଉଣୀର ନାମ ଦେବକୀ ଅଟଇ

 

ବସୁଦେବକୁ ସେ କନ୍ୟା ଗୋଟି ଦେଲାନେଇ

ଉଗ୍ରସେନର ଯେ ପୁତ୍ର ହେଲେ ଛଅଗୋଟି

 

ତାହାଙ୍କର ନାମ ତୁମ୍ଭେ ଶୁଣ ଗୋଟି ଗୋଟି

ନ୍ୟଗ୍ରୋଧ କଂଶ ସୁଭୂମି ରାଷ୍ଟ୍ରପାଳ ଚାରି

 

ରାଷ୍ଟ୍ରପାଳ ଶଙ୍କୁ ଏହି ଛଅ ତପଚାରୀ

ବିଦୁରଥ ନାମେ ଭଜମାନର କୁମର

 

ତାହାର ନନ୍ଦନ ନାମ ଅଟଇ ଯେ ଶୂର

ତାର ପୁତ୍ର ଶମୀ ତାର ପୁତ୍ର ପ୍ରତିକ୍ଷେତ୍ର

 

ସ୍ପଶମ୍ଭୋଜ ନାମେ ହେଲା ତାର ଏକ ପୁତ୍ର

ହୃଦିକ ନାମରେ ହେଲା ତାହାର ନନ୍ଦନ

 

ତାର ପୁତ୍ର କୃତବର୍ମା ନାମେ ବୁଦ୍ଧିମାନ

ତାହାର ପୁତ୍ରର ନାମ ଦେବକ ଅଟଇ

 

ଶୁର ନାମରେ ତାହାର ପୁତ୍ରେକ ହୁଅଇ

ଶୁରର ପୁତ୍ରର ନାମ ଜାଣ ବସୁଦେବ

 

ଯାହାଙ୍କର ପୁତ୍ର ହେଲେ ପ୍ରଭୁ ବାସୁଦେବ

ଜ୍ୟେଷ୍ଠ ଭାରିଯା ତାହାର ଅଟଇ ରୋହିଣୀ

 

ତାର ଗର୍ଭୁ ଉତପନ୍ନ ପ୍ରଭୁ ହଳପାଣି

ସାକ୍ଷାତେ ସେ ଶେଷଦେବ ନରରୂପେ ଜାତ

 

ଭୃଗୁ ମୁନି ଶାପେ ହେଲେ ବସୁଦେବ ସୁତ

ଲକ୍ଷ୍ମୀପତି ମୁନିଶାପେ ହୋଇଲେ ମାନବ

 

ପୂର୍ବତପେ ତାଙ୍କ ପିତା ହେଲେ ବସୁଦେବ

ଦେବକୀ ଦେବୀ ଗର୍ଭରୁ ଜନମିଲେ ହରି

 

ଶୁଣ ଇନ୍ଦ୍ର ଆଦି ଦେବମାନଙ୍କ ଗୁହାରି

ପୃଥ୍ୱୀଭାରା ନିବାରଣ କରିବା କରିବା ନିମନ୍ତେ

 

କହିଲେ ଯୋଗନିଦ୍ରାକୁ ଶ୍ରୀ ଜଗତନାଥେ

ଉମା ଦେହରୁ ସମ୍ଭୁତ ନାମ କଉଶିକୀ

 

ଦାନବକୁଳ ଦଳିନୀ କଳାକରମୁଖୀ

ଯଶୋଦା ଦେବୀର ଗର୍ଭୁ ହେଲେ ଉତପତ୍ତି

 

ଭାରା ନିବାରଣ ଅର୍ଥେ ମାନବ ମୂରତି

କୃଷ୍ଣ ବଡ଼ ଭାଇଙ୍କର ନାମ ଏବେ ଶୁଣ

 

ଯାହାଙ୍କୁ ଧରି ମାଇଲା କଂସ ନୃପରାଣ

ସୁଷେଣ ଉଦାପି ଭଦ୍ରାସେନ ଋଜୁଦାସ

 

ମହାବଳ କୀର୍ତ୍ତିମାନ ଷଷ୍ଠ ଭଦ୍ରଦାସ

ଏମନ୍ତେ ଏ ସାତପୁତ୍ର କଂସ କଲା ହତ

 

ତଦନ୍ତେ ରୋହିଣୀ ଗର୍ଭୁ ବଳରାମ ଜାତ

ତହୁଁ ଦେବକୀ ଗର୍ଭରୁ ଜନମିଲେ ହରି

 

ବଳରାମଙ୍କ ଭାରିଯା ରେବତୀ ସୁନ୍ଦରୀ

ତାଙ୍କ ଗର୍ଭୁ ଉପୁଜିଲେ ଦୁଇଗୋଟି ସୁତ

 

ନିଶଠ ଉଲ୍ଲୁକ ଏହି ନାମେ ହେଲେ ଖ୍ୟାତ

ଶ୍ରୀହରିର ଜାଣ ଷୋଳ ସହସ୍ର ଯୁବତୀ

 

ତାଙ୍କ ଗର୍ଭୁ ଶତଶତ ପୁତ୍ର ଉତପତ୍ତି

ରୁକ୍ମଣୀ ଦେବୀର ହେଲେ ଆଠଟି ନନ୍ଦନ

 

ଚାରୁଦେଷ୍ଣ ସୁଚାରୁ ଯେ ଚାରୁଯଶ ଜାଣ

ଯଶୋଧର ଚାରୁଶ୍ରବା ଚାରୁଯଶ ଏହି

 

ପ୍ରଦ୍ୟୁମ୍ନ ଶଙ୍ଖ ନାମରେ ପୁତ୍ର ଆଉ ଦୁଇ

ମହାବଳବନ୍ତ ଏହି ଆଠଗୋଟି ବୀର

 

ବାସୁଦେବଙ୍କର ଥିଲେ ଯେତେକ କୁମର

ତାହାଙ୍କ ମଧ୍ୟେ ପ୍ରଧାନ ଅଟନ୍ତି ଏ ଆଠ

 

ରୁକ୍ମିଣୀର ପୁତ୍ର ଯହୁଁ ହୋଇଲେ ଗରିଷ୍ଠ

ଦେଖି ଜାମ୍ବବତୀ ଦେବୀ ମନେ ବହି ଖଙ୍ଗ

 

ଦିନେ ହରିଙ୍କି ବୋଇଲେ ଆହେ ଶିରୀରଙ୍ଗ

କୃପା କରି ଶିବତୁଲ୍ୟ ପୁତ୍ର ଦିଅ ମୋତେ

 

ହେଉ କହିଣ ତାହାଙ୍କୁ ଗଲେ ଜଗନ୍ନାଥେ

ଦାନବ ସୁଦୟା ହରି ଅଭୟ ଚରଣ

 

ଦୀନ ଗୋପୀନାଥ ସଦା ମାଗଇ ଶରଣ

 

Unknown

ଶ୍ରୀକୃଷ୍ଣ ତପସ୍ୟା

 

ଶୁଣୁଛନ୍ତି ମୁନିଗଣ କହୁଛନ୍ତି ସୁତ

 

ଗରୁଡ଼କୁ ସୁମରିଲେ ପ୍ରଭୁ ଯେ ଅଚ୍ୟୁତ

ଜାଣ ପକ୍ଷୀରାଜ ଆସି ପ୍ରବେଶ ହୋଇଲା

 

ପାଦେ ପଡ଼ି କି କରିବି ବୋଲି ସେ ବୋଇଲା

ପିଠିକି ଦେଖାଇ ଦେଲା ବସିଲେ ଶ୍ରହରି

 

ବିନତା ସୁତ ଉଡ଼ିଲା ପକ୍ଷକୁ ବିସ୍ତାରି

ମହାମନ୍ୟୁ ଉପମନ୍ୟୁ ଆଶ୍ରମେ ମିଳିଲେ

 

ଅନେକ ମୁନି ଆଶ୍ରମ ସେଠାରେ ଦେଖିଲେ

ସ୍ୱର ଧରି ବିପ୍ରମାନେ ପଢ଼ୁଛନ୍ତି ବେଦ

 

ପଶୁ ପକ୍ଷୀ ବେଦ ଶୁଣି ହୋଇ ଉଦ୍‌ବେଗ

ତାଙ୍କ ସଙ୍ଗେ ମୃଗଖେଳେ ବ୍ୟାଘ୍ରସଙ୍ଗେ ଛାଗ

 

ମାର୍ଜାର ସଙ୍ଗତେ ମୂଷା ମୟୂର ଉରଗ

ଏମନ୍ତେ ସେ ବନେ ପଶୁ ପକ୍ଷୀଙ୍କର କ୍ରୀଡ଼ା

 

କରୁଛନ୍ତି ଆନନ୍ଦରେ ହୋଇ ଯୋଡ଼ା ଯୋଡ଼ା

ମାଧବୀ କେତକୀ ମଲ୍ଲୀ ମାଳତୀ ଫୁଟିଛି

 

ଗୁଣୁ ଗୁଣୁନାଦେ ଭୃଙ୍ଗ ଉଡୁଛି ବସୁଛି

ବହୁଅଛି ସୁଶୀତଳ ଦକ୍ଷିଣା ପବନ

 

ତା ମଧ୍ୟରେ ଅଛି ଦିବ୍ୟ ପୁଷ୍କରିଣୀ ମାନ

ନିର୍ମଳ ଜଳ ସୁନ୍ଦର ଦିଶଇ ତା ତୀର

 

ଫୁଟିଛି ତହିଁରେ ପଦ୍ମ କୁମୁଦ କହ୍ନାର

କ୍ଷୁଦ୍ର ବଗିଟା ଅଛଇ ସେ ବନ ଭିତରେ

 

ତାହା ଦେଖି ଦେଖି ଗଲେ ଗରୁଡ଼ ଉପରେ

ଦେଖିଲେ ଦେଉଳ ଅଛି ସେ ବନରେ କେତେ

 

କାହିଁଯୋଗ ସାଧୁଛନ୍ତି ବସି ଋଷି ସୁତେ

କାହିଁ ବେଦ ପଢ଼ୁଛନ୍ତି ପୋଥିକି ଫିଟାଇ

 

କେହି କେହି ହୋମକାଠ ଆଣୁଛନ୍ତି ବହି

କେହି ଫୁଲ ତୋଳୁଛନ୍ତି ବଗିଚାରେ ପଶି

 

କାହିଁ ହୋମ କରୁଛନ୍ତି ବିପ୍ରମାନେ ବସି

ଦେଉଳରେ ପଶି କେହି ଶିବଙ୍କୁ ପୂଜଇ

 

କେହି ସ୍ନାନ କରି ଜଳେ ତର୍ପଣ କରଇ

କେହି ପୁରାଣ ଫିଟାଇ କହୁଛି ପୁରାଣ

 

ତପ କରୁଅଛି ବସି କେବଣ ବ୍ରାହ୍ମଣ

ଅତି ପବିତ୍ର ଆଶ୍ରମେ ନାହିଁ ରୋଗ ଶୋକ

 

ଦେଖିଲେ ଆଚାରବନ୍ତ ସେ ଆଶ୍ରମ ଲୋକ

ସତ୍ୟବିନା ମିଥ୍ୟା କେହି ନ କହନ୍ତି ତହିଁ

 

ଆଶ୍ରମର ଚାରିପାଖେ ବହୁଅଛି ନଈ

କାହାର ପିଙ୍ଗଳ ଜଟା ଦିଶଇ ଶୋଭନ

 

କାହାର ସର୍ବାଙ୍ଗ ଯାକ ଭସ୍ମ ବିଲେପନ

କାହାର କଣ୍ଠେ ରୁଦ୍ରାକ୍ଷ ମାଳ ବିରାଜଇ

 

କରିମାଳା ଧରି ରୁଦ୍ରମନ୍ତ୍ର କେ ଜପଇ

କାହାର ଶିର ମୁଣ୍ତନ ଅଛି ମାତ୍ର ଶିଖା

 

କାହା ଲଲାଟେ ବିରାଜେ ଚନ୍ଦନର ରେଖା

ସର୍ବଦା ସେ ଆଶ୍ରମରେ ଗଙ୍ଗାଦେବୀ ବିଜେ

 

ଗରୁଡ଼ ପୃଷ୍ଠେ ଉତୁରି ପ୍ରଭୁ ଦେବରାଜେ

ଗୋଟି ଗୋଟି ବିପ୍ରଙ୍କର ଚରଣେ ପ୍ରଣାମି

 

ମଧୁର ବାକ୍ୟେ ତାହାଙ୍କ ଚିତ୍ତ ତୋଷି ସ୍ୱାମୀ

ପ୍ରତି ତୀର୍ଥେ ବୁଲି ଦେବ କରୁଛନ୍ତି ସ୍ନାନ

 

ତହିଁଥିବା ଶିବଲିଙ୍ଗ କରନ୍ତି ଦର୍ଶନ

ଶିରେ ବେଲପତ୍ରି ଦେଇ ପଢ଼ନ୍ତି ସେ ସ୍ତବ

 

ସମସ୍ତେ ଜାଣିଲେ ଏହି ପ୍ରଭୁ ବାସୁଦେବ

ଶଙ୍ଖ ଚକ୍ର ଗଦାଧର ଅନାଦି ପୁରୁଷ

 

ଜଗତ କରତା ନାଥ ହୋଇଛି ମାନୁଷ

ଏହା ଦରଶନେ ପାପୀମାନେ ଯାନ୍ତି ତରି

 

ମହୀଭାଗ ଉଶ୍ୱାସଇ ଏହି ଦେବ ହରି

ଏହାର ମହିମା କେହି ନ ପାରନ୍ତି କହି

 

ଚିତ୍ରକୂଟ ମାୟାରେ ଏ ପାଳୁଅଛି ମହୀ

ଅନ୍ତର୍ଯ୍ୟମୀ ନାଥ ଏହି ପୁରୁଷ ଉତ୍ତମ

 

ପରମ ପବିତ୍ର ଅଟେ ଏହାର ଯେ ନାମ

ଏହିରୂପେ କୁହାକୁହି ହୋଇ ମୁନିଗଣ

 

ବେଢ଼ି ଦେଖନ୍ତି ମଧ୍ୟରେ ଦେବ ନାରାୟଣ

କେହି ବଇଦିକ ମନ୍ତ୍ରେ କରୁଅଛି ସ୍ତୁତି

 

କେହି ବୋଲଇ ଦେବକୀନନ୍ଦନ ଶ୍ରୀପତି

କେହି ବୋଲଇ ମାଧବ ଗୋବିନ୍ଦ ଗୋପାଳ

 

କେହି ବୋଲଇ ହେ ସ୍ୱାମୀ ପ୍ରଭୁ ଆଦିମୂଳ

କେହି ତାହାଙ୍କୁ ବଦନ ନିରେଖି ଚାହାଁନ୍ତି

 

କେହି ଅଭୟ ତରଣେ ରଖିଅଛି ମତି

ଏମନ୍ତେ ତାହାକୁ ବେଢ଼ି କରୁଛନ୍ତି ସ୍ତୁତି

 

ଗଙ୍ଗାଜଳେ ସ୍ନାନକରି ଜଗତର ପତି

ଦେବତା ଋଷି ପିତୃଙ୍କୁ କଲେ ଜଳଦାନ

 

ଭଲ ଭଲ ଫୁଲ ଧରି ପ୍ରଭୁ ଭଗବାନ

ମୁନିବର ଆଶ୍ରମରେ ମିଳିଲେକ ଯାଇଁ

 

ଦେଖିଲେ ହେ ବସିଛନ୍ତି ଯୋଗୀନ୍ଦ୍ର ଗୋସାଇଁ

ଶିରେ ଶୋହେ ଜଟାଭାର ପ୍ରଫୁଲ୍ଲ ବଦନ

 

ଭସ୍ମବୋଳି ହେବା ହେତୁ ଅଙ୍ଗ ସୁଶୋଭନ

ଏମନ୍ତେ ଏ ଉପମନ୍ୟୁ ମୁନିଙ୍କ ଚରଣ

 

ପ୍ରଣମି ଆଗରେ ଉଭା ହେଲେ ନାରାୟଣ

କୃଷ୍ଣଙ୍କୁ ନୟନେ ଦେଖି ସେ ମୁନିଗୋସାଇଁ

 

ଗଉରବେ ବସାଇଲେ ଆସନରେ ନେଇ

ବୋଇଲା କୋମଳ ବାକ୍ୟେ ଆହେ ହୃଷୀକେଶ

 

ପରମ ମଙ୍ଗଳମୟ ତୁମ୍ଭେ ପୀତବାସ

ତୁମ୍ଭ କୁଶଳ ପୁଚ୍ଛିବା ଉଚିତ ନୁହଇ

 

ଆଜି ମୋହର ପରମ ଭାଗ୍ୟ ଉଦେ ହୋଇ

ବହୁତ କାଳର ତପ ହେଲା ଆଜି ସିଦ୍ଧ

 

ମୋର ଆଶ୍ରମ ପବିତ୍ର ହେଲାହେ ଗୋବିନ୍ଦ

ନେତ୍ର ସଫଳ ହୋଇଲା ଦେଖିଲି ନୟନେ

 

ଯାହାକୁ ଦେଖିବାପାଇଁ ବସି ମୁନିଜନେ

ଯୋଗ ସାଧି ସାଧି କେତେ ଯୁଗ ଯାଏ ବହି

 

ତପୀ ତପ ଅନଳରେ ଶରୀରକୁ ଦହି

ଦେଖି ନ ପାରନ୍ତି ଆଜି ଦେଖିଲି ମୁଁ ତାଙ୍କୁ

 

ଏଣୁ କୃତାର୍ଥ ମଣଇ ମୁଁ ମୋର ଦେହକୁ

କି ନିମନ୍ତେ ଆସିଛନ୍ତି କୁହ ଭାବଗ୍ରାହୀ

 

କିବା କୃପାକରି ମୋତେ ଦେଖାଦେବା ପାଇଁ

ଉପମନ୍ୟୁ କଥା ଶୁଣି ଦେବକୀ ନନ୍ଦନ

 

ଉଠି ପୁଣି କଲେ ତାଙ୍କ ଚରଣ ବନ୍ଦନ

ପ୍ରସନ୍ନ କରି ବୋଇଲେ ଆହେ ମୁନିବର

 

ଆସିଅଛି ତବପାଶେ କାର୍ଯ୍ୟ ଅଛି ମୋର

ଦେବଦେବ ମହାଦେବ ଦରଶନ ପାଇଁ

 

କେମନ୍ତେ ଦେଖିବି କୁହ ହେ ମୁନିଗୋସାଇଁ

କାହିଁ ଶୀଘ୍ର ଭେଟିବି ସେ ଉମାପତି ଶିବ

 

ଉପମନ୍ୟୁ ବୋଇଲେ ହେ ପ୍ରଭୁ ବାସୁଦେବ

ଅତି କଠୋର ତପସ୍ୟା କଲେ ତାଙ୍କୁ ପାଇ

 

ଚିତ୍ତକୁ ନିରୋଧି ତପ କର ଏଥେ ଥାଇ

ବ୍ରହ୍ମଜ୍ଞାନୀ ମୁନି ଯୋଗୀ କରୁଛନ୍ତି ତପ

 

ଏହି ପୁଣ୍ୟସ୍ଥାନେ ତୁମ୍ଭେ ରୁଦ୍ରମନ୍ତ ଜପ

ଭାରିଯାକୁ ବେନି ହର କ୍ରୀଡ଼ନ୍ତି ଏ ବନେ

 

ପୂର୍ବେ ଯେ ବଶିଷ୍ଠ ଋଷି ଆସି ଏହି ସ୍ଥାନେ

ଦାରୁଣ ତପସ୍ୟା କରି ପାଇଥିଲେ ଯୋଗ

 

ମହେଶ୍ୱର ଦରଶନେ ହେଲେ ମହାଭାଗ

ବ୍ୟାସଦେବ ଏଥେଁ ରହି ଘୋର ତପ କରି

 

ଶିବ ଦରଶନେ ଜ୍ଞାନୀ ହେଲେ ତପଚାରୀ

ଅପୁତ୍ରିକ ପୁତ୍ରବନ୍ତ ହୁଅନ୍ତି ଏ ସ୍ଥାନେ

 

ଭୟ ଜାତ ହୁଏ ଯେବେ ଦେବତାଙ୍କ ମନେ

ଏଥେଁ ତପକରି ଦେଖି ଶିବଙ୍କ ମୂରତି

 

ନିର୍ଭୟ ହୋଇ ଅମରପୁରକୁ ଗମନ୍ତି

ସାବର୍ଣ୍ଣ ମନୁ ଏଠାରେ ରହିକରି ତପ

 

ଶିବ ଦରଶନ କରି ଛଡ଼ାଇଲେ ପାପ

ପରମଯୋଗ ପାଇଲେ ସଦାଶିବଠାରୁ

 

ଗ୍ରନ୍ଥ ବାହାର କଲେ ସେ ଆପଣା ମନରୁ

ପୁରାଣ ସଂହିତା ଶାସ୍ତ୍ର କଲେ ପୁଣି କେତେ

 

ପ୍ରଚାର କଲେ ତାହାକୁ ଲୋକଙ୍କର ହିତେ

କାପେୟ ଶାଂଶପାୟନ ଏହି ଋଷି ଦୁଇ

 

ତପ କରି ଶିବ ଏଥେ ଦରଶନ ପାଇ

ତାହାଙ୍କ ଆଜ୍ଞାରେ କଲେ ପୁରାଣ ସଂହିତା

 

ପ୍ରଚାର କରି ହୋଇଲେ ପ୍ରଧାନ ବକତା

ବାୟୁ ପୁରାଣ ଉତ୍ତରଖଣ୍ତ କଲେ ସେହି

 

ତାହାଙ୍କ ଶିଷ୍ୟ ପଚାର କଲେ ତାହା ନେଇ

ଯୋଗୀ ଯାଜ୍ଞବଳ୍‌କ ମୁନିକଲେ ଏଥେ ତପ

 

ପବିତ୍ର ନେତ୍ରରେ ଦେଖି ମହାଦେବ ରୂପ

ତାହାଙ୍କ ଆଜ୍ଞାରେ କଲେ ଯୋଗଶାସ୍ତ୍ରମାନ

 

ଭୃଗୁମୁନି କଲେ ଏଥି ତପସ୍ୟା ସାଧନ

ମହାଦେବ ପ୍ରସାଦରୁ ସେହି ମୁନିବର

 

ପାଇଲେ ଯେ ଗୁଣବନ୍ତ ଗୋଟିଏ କୁମର

ତାଙ୍କ ନାମ ଶୁକ୍ରାଚାର୍ଯ୍ୟ ପରମ ପଣ୍ତିତ

 

ଏଣୁ ମୁଁ କହେ ତୁମ୍ଭଙ୍କୁ ଆହେ ଲକ୍ଷ୍ମୀକାନ୍ତ

ଘୋର ତପେ କର ମହାଦେବ ଦରଶନ

 

ଏମନ୍ତ କହି କୃଷ୍ଣଙ୍କୁ ସେହି ତପୋଧନ

ପାଶୁପତ ନାମେ ବ୍ରତ ଯୋଗ ଦେଲେ କହି

 

ଘୋରତପ ଆରମ୍ଭିଲେ ପ୍ରଭୁ ଭାବଗ୍ରାହୀ

ଅଙ୍ଗେ ଭସ୍ମ ବୋଳିଦେଲେ ମୁଣ୍ତ କଲେ ଲଣ୍ତା

 

ବକଳ ପିନ୍ଧି ରୁଦ୍ରାକ୍ଷ ମାଳା ଗଳେ ଧଣ୍ତା

ଚାରିଦିନ ଏକଲୟେ କଲେ ମନ୍ତ୍ରଜପ

 

ବହୁତ ଦିବସ ଗଲା କରୁ ଘୋର ତପ

ଦିନେ ଗଗନେ ଦେଖିଲେ ଆଚମ୍ବିତ ରୂପ

 

ଗଳାମାଳା ହୋଇଅଛି ଏକ ମହାସର୍ପ

ଚନ୍ଦ୍ରରେଖା ବିରାଜଇ ଲଲାଟେ ତାଙ୍କର

 

ତା ଉପରେ ଫଣା ଟେକି ଅଛି ଅହିବର

ତିନିଗୋଟି ନେତ୍ର କିସେ ଚନ୍ଦ୍ର ସୂର୍ଯ୍ୟ ଅଗ୍ନି

 

ଜଟା ମଧ୍ୟେ ଗଙ୍ଗା କଲେ କଳ କଳ ଧ୍ୱନି

ହାତୀ ଚମର ଲେଙ୍ଗୁଟି କଟୀତଟେ ଅଛି

 

ବ୍ୟାଘ୍ର ଚର୍ମକୁ ପଇତା କରି ପକାଇଛି

ବାମଅଙ୍ଗ ନାରୀ ପୁଣି ଦକ୍ଷିଣ ପୁରୁଷ

 

ବାହନ ଗୋଟି ତାଙ୍କର ଅଟେ ଧଳା ବୃଷ

କରେ ତ୍ରିଶୂଳ ଡମ୍ବରୁ ଧନୁ ବିରାଜଇ

 

ଏମନ୍ତେ ରୂପ ନୟନେ ଦେଖି ଯଦୁସାଇଁ

ଆଶ୍ଚର୍ଯ୍ୟ ହୋଇ ନିରୀକ୍ଷି ଚାହିଁଲେକ ପୁଣି

 

ଶିର ଉପର ମୁକୁଟେ ଶୋହେ ଦିବ୍ୟମଣି

ନୃସିଂହ ଚମକୁ କରି ଅଛନ୍ତି ଉତ୍ତରୀ

 

ପ୍ରଣବ ମନ୍ତ୍ର ଜପନ୍ତି ମୁଖେ ଦୃଢ଼କରି

ପରଶ୍ୱଧ ଅସ୍ତ୍ରଗୋଟି ବିରାଜଇ କରେ

 

ସହସ୍ର ସୂର୍ଯ୍ୟର ଜ୍ୟୋତି ଦେହରୁ ବାହାରେ

ତେତିଶକୋଟି ଦେବତା ଅଙ୍ଗେ ବିରାଜନ୍ତି

 

ବ୍ରହ୍ମା ଇନ୍ଦ୍ରଅଗ୍ନି ଯମ ବରୁଣ ଅଛନ୍ତି

ଆବର ଅଦ୍ଭୁତ କଥା ଦେଖିଲେ ସେ ବାମେ

 

ଆପଣାର ବଇଷ୍ଣବୀ ମୂରତିକି ପ୍ରେମେ

ଶଙ୍ଖଚକ୍ର ଗଦାପଦ୍ମ ଧାରୀ ବାସୁଦେବ

 

କରଯୋଡ଼ି ପଢ଼ୁଛନ୍ତି ମହାଦେବ ସ୍ତବ

ତାହାଙ୍କ ପଛେ ଗରୁଡ଼ କରୁଅଛି ସ୍ତୁତି

 

ଦକ୍ଷିଣେ ଦେଖିଲେ ଏକ ଅପୂର୍ବ ମୂରତି

ହଂସର ଉପରେ ବସି ପଢ଼ୁଅଛି ସ୍ତବ

 

ଚାରିଗୋଟା ମୁଖ ତାର ଅତୁଳ ପ୍ରଭାବ

ଷଡ଼ ମୁଖ ଗଜାନନ ଘେନି ରୁଦ୍ରଗଣ

 

ରହିଛନ୍ତି ତାଙ୍କୁ ଚାରି ପାରୁଶେ ଘେରିଣ

ମରୀଚି ଅତ୍ରି ପୁଲହ ପୁଲ୍ୟସ୍ତ ପ୍ରଚେତା

 

ଦକ୍ଷ କଣ୍ୱ ପରାଶର ମୁନିବ୍ରହ୍ମବେତ୍ତା

ବଶିଷ୍ଠ ମୁନି ସହିତେ ମନି ସ୍ୱାୟମ୍ବୁବ

 

କରଯୋଡ଼ି ପଢୁଛନ୍ତି ମହାଦେବ ସ୍ତବ

ଏମନ୍ତ ଅପୂର୍ବ ରୂପ ଦେଖି ବାସୁଦେବ

 

ମନେ ମନେ ବିଚାରିଲେ ଏହି ମହାଦେବ

ସ୍ତବ ଆରମ୍ଭିଲେ ତହିଁ ଯୋଡ଼ଇ ଦୁଇକର

 

ନମସ୍ତେ ନମସ୍ତେ ଶମ୍ଭୁ ମହାଦେବ ହର

ନମୋ ନମୋ ଆଦିଦେବ ଦେବ ଧବଳାଙ୍ଗ

 

ନମୋ ନମୋ ହର ତୋର ହସ୍ତରେ ଖଟ୍ୱାଙ୍ଗ

ନମୋ ନମୋ ରୁଦ୍ର ଭବ ଭୀମ ପଶୁପତି

 

ନମୋ ନମୋ ପ୍ରଭୁ ଗଙ୍ଗାଧର ବ୍ରହ୍ମଜ୍ୟୋତି

ନମୋ ନମୋ ସଦାନନ୍ଦ ଚରଣେ ଶରଣ

 

ଏମନ୍ତେ ବହୁତ ସ୍ତୁତି କଲେ ନାରାୟଣ

ଭୂମିରେ ଲୋଟନ୍ତି ପ୍ରଭୁ ଦେଖି ସଦାଶିବ

 

ତୋଳି ସ୍ୱହସ୍ତେ ବୋଇଲେ କହ ହେ ମାଧବ

କି ନିମନ୍ତେ ଘୋର କଷ୍ଟ ସହି କରୁ ତପ

 

ପୁରୁଷଉତ୍ତମ ତୋର ମହିମା ଅମାପ

ନାରାୟଣ ମୂରତି ତୁ ଅଟୁ ଯେ ମୋହର

 

ତୋହର ଅଭାବ ନାଶ ଯିବ ଏ ସଂସାର

ଶ୍ରୀହରି ବୋଇଲେ ତୁମ୍ଭେ ସର୍ବଜ୍ଞ ପୁରୁଷ

 

ତୁମ୍ଭର ମହିମା ଦେବ ଅଟଇ ଅଶେଷ

ତୁମ୍ଭ ତୁଲ୍ୟ ପୁତ୍ର ଏକ ଦିଅ ଆହେ ହର

 

ଯେବେ ସୁପ୍ରସନ୍ନ ହେଲ ଦିଅ ଆହେ ବର

ହେଉ କହି ଶ୍ରୀକୃଷ୍ଣଙ୍କୁ କଲେ ଆଲିଙ୍ଗନ

 

ହିମାଳୟ ନନ୍ଦିନୀ ଯେ ବୋଇଲେ ଏସନ

ହେ ଅନନ୍ତ ହେ ଅଚ୍ୟୁତ ହେ କେଶବ ହରି

 

ଦେବଙ୍କ ନିମନ୍ତେ ଆସି ମର୍ତ୍ତ୍ୟେ ଅବତରି

ଦେବକୀ ଦେବୀର ପୁତ୍ର ବୋଲାଉଛ ସିନା

 

ମୋହର ବରକୁ ପ୍ରଭୁ କର ଏବେ ଘେନା

ଇଷ୍ଟଜ୍ଞାନୀ ହରିଭକ୍ତ ବଳବନ୍ତ ହୁଅ

 

ତୋହର ସମାନେ ତୁହି ତନୟେକ ପାଅ

ଏହା କହି ଆଶୀର୍ବାଦ କଲେ ହୈମବତୀ

 

ଶ୍ରୀକୃଷ୍ଣଙ୍କୁ ଘେନିଗଲେ ଶଙ୍କର ପାର୍ବତୀ

କଇଳାସ ଗିରିଶିଖେ ହୋଇଲେ ପ୍ରବେଶ

 

କହିଛନ୍ତି ସୁତମୁନି ବ୍ୟାସଦେବ ଶିଷ୍ୟ

ରହିଲେ ସେ କଇଳାସେ ଦେବକୀନନ୍ଦନ

 

କରନ୍ତି ସେ ଗିରିବର ଶୋଭା ଦରଶନ

କି ଅପୂର୍ବ ଶୋଭା ତାହା କେ ପାରିବ କହି

 

ରୋଗ ଶୋକ ଜରାମୃତ୍ୟୁ ଦୁଃଖ ଯହିଁ ନାହିଁ

କେତେ ଜାତି ଫୁଲ ଫଳ କେ ପାରିବ ଗଣି

 

ସବୁବେଳେ ଶୁଣାଯାଏ କୋକିଳର ବାଣୀ

କିନ୍ନର କରନ୍ତି କ୍ରୀଡ଼ା ଯହିଁ ରାତି ଦିନ

 

ଗନ୍ଧର୍ବ କନ୍ୟା କରନ୍ତି ସୁମଧୂର ଗାନ

ଅପସରାଗଣଙ୍କର ନୃତ୍ୟଗୀତ ଧ୍ୱନି

 

ବୀଣା ବିପଞ୍ଚି ଧରିଛି କେବଣ କାମିନୀ

ଏମନ୍ତ ଯେ ଗିରି ଶୋଭା ଦେଖୁ ଦେଖୁ ହରି

 

କାମିନୀ ଦୃଷ୍ଟି ପଡ଼ିଲା ତାହାଙ୍କ ଉପରି

ଦେଖି ସେ କାମିନୀମାନେ ଅପୂର୍ବ ମୂରତି

 

ଲାଜ ଭୟ ଛାଡ଼ିହେଲେ ବିହ୍ୱଳିତ ମତି

ଧଇଲା କେ ବଳେ ଆସି ଶ୍ରୀହରିର କର

 

କେବଣ ସୁନ୍ଦରୀ ଆସି ଧରଇ ପୟର

କାହାର ବସନ ଖସି ପଡୁଅଛି ତଳେ

 

କେଉଁ ବାମା ବୁଡ଼ିଗଲା କୃଷ୍ଣ ପ୍ରେମଜଳେ

ବିପଞ୍ଚି ଧରି କେ ବସି ଗାଉଥିଲା ଗୀତ

 

ଶ୍ରୀହରିଙ୍କ ରୂପ ଦେଖି ହୋଇଲା ମୋହିତ

ଏମନ୍ତ ସେ ସ୍ୱର୍ଗପୁର ଯୁବତୀଏ ମିଳି

 

ଦେବକୀ ନନ୍ଦନ ସଙ୍ଗେ ଆରମ୍ଭିଲେ କେଳି

ତାଙ୍କ ପ୍ରେମ ଭକତିରେ ମଜ୍ଜି ଦେବହରି

 

ଅନେକ ରୂପେ ତାହାଙ୍କ ଚିତ୍ତ ତୋଷ କରି

ହୋଇଲେ ସେ କଇଳାସେ ତାଙ୍କ ପ୍ରେମଭୋଳ

 

ଦ୍ୱାରକା ନଗରଯାକ ପଡ଼ିଲା ଚହଳ

ହରି ବିରହରେ ସବୁ ହେଲା ବିଷ ପିତା

 

ସବୁବେଳେ ବସି କଲେ କୃଷ୍ଣନାମ ଚିନ୍ତା

ଅତ୍ୟନ୍ତ ବିକଳ ହୋଇ ରୋହିଣୀ ନନ୍ଦନ

 

ଖଗରବ ଗରୁଡ଼କୁ କଲେ ସୁମରଣ

ମିଳିଲା ସେ ପକ୍ଷିମଣି ଦ୍ୱାରକାରେ ଆସି

 

କୃଷ୍ଣକୁ ଖୋଜିବା ପାଇଁ ରାମ ଦେଲେ ପେଶି

ଗରୁଡ଼ ସେଠାରୁ ଗଲା ପ୍ରଭୁ ଆଜ୍ଞା ପାଇ

 

ଉପମନ୍ୟୁ ମୁନିଙ୍କର ଆଶ୍ରମ ଖୋଜଇ

ତହିଁ ନ ପାଇଲା ଯହୁଁ ଗଲା ସ୍ୱର୍ଗପୁରେ

 

ନ ପାଇ ତହୁଁ ସେ ଗଲା ଦୁଃଖିତ ମନରେ

ଖୋଜଇ ସେ ବଇକୁଣ୍ଠ ନ ପାଇଲା ଯହୁଁ

 

ଫେରି ଅଇଲା ଗରୁଡ଼ ଦୁଃଖମନେ ତହୁଁ

ଦ୍ୱାରକାରେ ଆସି ବଳରାମଙ୍କୁ କହିଲା

 

ଶୁଣି ବଳରାମଙ୍କର ବୁଦ୍ଧି ହଜିଗଲା

ଏକାଳେ ରାକ୍ଷସ ଭୟ ହେଲା ଦ୍ୱାରକାରେ

 

ଅତ୍ୟନ୍ତ କାତର ହେଲେ ପୁରବାସୀ ଡରେ

ନାରଦ ମୁନି ମିଳିଲେ ଏ ସମୟେ ଆସି

 

ଘେନି ତାହାଙ୍କୁ ପୁଚ୍ଛିଲେ ଦ୍ୱାରକାନିବାସୀ

ଦେଖିଛ କି ମୁନିବର ଆବର ଜୀବନ

 

ଯଦୁକୁଳ ଚନ୍ଦ୍ରମା ଯେ ଯଶୋଦା ନନ୍ଦନ

ନାରଦ ବୋଇଲେ ମୁହିଁ ଦେଖିଛି ଦେଖିଛି

 

କଇଳାସ କନ୍ଦରେ ଯେ ଅଛି ଶିରୀବତ୍ସି

ଅପସରା ସଙ୍ଗତରେ କରୁଅଛି କ୍ରୀଡ଼ା

 

ତାହାର ମୁଖରୁ ଛାଡ଼ିଗଲାଣି ଯେ ବ୍ରୀଡ଼ା

ଶୁଣି ଗରୁଡ଼କୁ ଦେଲେ ପଠାଇ ତୁରିତେ

 

ସୁପର୍ଣ୍ଣ ମିଳିଲା ଯାଇ କୈଳାସ ପର୍ବତେ

ଦିବ୍ୟ ଆସନରେ ବିଜେ ଦେବକୀ ନନ୍ଦନ

 

ପକ୍ଷୀରାଜ କରି ପଦ୍ମପାଦକୁ ବନ୍ଦନ

କରଯୋଡ଼ି ଜଣାଇଲା ଦ୍ୱାରକାର କଥା

 

ଯେମନ୍ତେ ନାରଦ ମୁଖୁ ପାଇଲେ ବାରତା

ରାକ୍ଷସର ଭୟ ଶୁଣି ଉଠି ଯଦୁପତି

 

ବନ୍ଦି ଦେବ ସଦାଶିବ ଦେବୀ ହୈମବତୀ

ଗରୁଡ଼ ପୃଷ୍ଠେ ବସନ୍ତେ ଉଡ଼ିଲା ସେ ପକ୍ଷୀ

 

କ୍ଷଣକେ ଦ୍ୱାରକା ପୁରେ ବିଜେ ପଦ୍ମ ଆଖି

ଦ୍ୱାରକାର ଆନନ୍ଦ କେ କହିପାରେ ମୁଖେ

 

ଚାତକ ପରାୟେ ଚାହିଁଥିଲେ ଅତି ଦୁଃଖେ

କୃଷ୍ଣ ଆଗମନେ ଜନେ ଲଭିଲେ ତୃପତି

 

ଦ୍ୱାରକାପୁରେ ଆନନ୍ଦ କରି ଯଦୁପତି

ଜାମ୍ବବତୀପୁରେ ଦେବ ରହିଲେକ ଯାଇଁ

 

ଶାମ୍ବନାମେ ପୁତ୍ର ତାଙ୍କ ଗର୍ଭେ ଉପୁଜଇ

ତାହାଙ୍କର ମନ ତୋଷ କରି ଆଦିମୂଳ

 

ସଭାକରି ବସିଛନ୍ତି ପ୍ରଭୁ କାମପାଳ

ଏମନ୍ତ ବେଳେ ପ୍ରବେଶ ହେଲେ ତହିଁ ହରି

 

ସଭାରେ ଯେ ବସାଇଲେ ଗଉରବ କରି

ପ୍ରଦ୍ୟୁମ୍ନର ପୁତ୍ର ନାମ ଅଟେ ଅନିରୁଦ୍ଧ

 

ସୁନ୍ଦର ବଦନ ତାର ନିନ୍ଦେ ପୂର୍ଣ୍ଣଚନ୍ଦ୍ର

ଶାମ୍ବ ଅନିରୁଦ୍ଧ ଦୁହେଁ ଅଛନ୍ତି ସଙ୍ଗରେ

 

ବସିଲେ ଯାଇ ସଭାରେ କୃଷ୍ଣଙ୍କ ପାଖରେ

ତିନିଜଣଙ୍କର ରୂପ ଅଟଇ ସମାନ

 

ଆନନ୍ଦ ହୋଇଲେ ତାଙ୍କୁ ଦେଖି ସଭାଜନ

ଶାମ୍ବ ଅନିରୁଦ୍ଧ ଦୁହେଁ ସବୁହୁଁ ସୁନ୍ଦର

 

ସଭାରେ ପ୍ରଶଂସା ଯହୁଁ ପାଇଲେ କୁମର

ଜାମ୍ବବତୀ ମନେ ମନେ ହଇଲା ଆନନ୍ଦ

 

ଦୀନ ଗୋପୀନାଥ ଭଜେ କୃଷ୍ଣ ପଦ୍ମପାଦ

 

ଲିଙ୍ଗୋତ୍ପତ୍ତି କାରଣ

 

ସୁତମୁନି ବୋଇଲେକ ଶୁଣ ମୁନି ବାରେ

 

ଶିଷ୍ୟ ଗେନି ମାରକଣ୍ତ ମୁନି ଦିନକରେ

ଦ୍ୱାରକାପୁରେ ଅତିଥି ହୋଇଲେକ ଆସି

 

ଋଷିଙ୍କି ଦେଖି ଆନନ୍ଦ ଦ୍ୱାରାବତୀ ବାସୀ

ଗଉରବ କରି ତାଙ୍କୁ ଅଧବାଟୁ ନେଲେ

 

ବାସୁଦେବ ଆସି ବାଟେ ଋଷିଙ୍କି ଭେଟିଲେ

ଆପଣା ଗୃହକୁ ନେଲେ କରି ସମାଦର

 

ସୁବାସ ଜଳେ ଧୋଇଲେ ଋଷିଙ୍କି ପୟର

ବସିବାକୁ ଦେଲେ ଦିବ୍ୟ ଆସନେକ ଆଣି

 

ଗନ୍ଧ ପୁଷ୍ପ ଦେଇ ପୂଜା କଲେ ଚକ୍ରପାଣି

ଉତ୍ତମ ଭୋଜନେ ତୋଷ କରାଇଲେ ତାଙ୍କୁ

 

ଭୋଜନ ଶେଷେ ଅଇଲେ ଦ୍ୱାରକା ସଭାକୁ

ଶିଷ୍ୟକୁ ଘେନି ବସିଲେ ତହିଁ ମୁନିବର

 

ସଭାରେ ବସିଅଛନ୍ତି ପ୍ରଭୁ ନୀଳାମ୍ବର

ବସୁଦେବ ନନ୍ଦ ପୁଣି ରାଜା ଉଗ୍ରସେନ

 

ସାତ୍ୟକି ଆଦି ଯେତେକ ଯାଦବ ପ୍ରଧାନ

ମୁନିଙ୍କି ଦେଖି ସଭାରୁ ଉଠି ଜଣେ ଜଣେ

 

ପ୍ରଣାମ କଲେ କଳପୀ ଋଷିଙ୍କ ଚରଣେ

ଏ ସମୟେ ସେ ସଭାରେ ବୋଇଲେ ଶ୍ରୀହରି

 

ବ୍ରହ୍ମାର ସମାନ ତୁମ୍ଭେ ଅଟ ତପଚାରୀ

ମହା ପ୍ରଳୟ ଦେଖିଛ ତୁମ୍ଭେ ମୁନିବର

 

କଳପେ କଳପେ ଅଛି ଏ ତୁମ୍ଭ ଶରୀର

କୃପାକରି ଆତ୍ମଯୋଗ କଥା କିଛି କୁହ

 

ଶୁଣି ଯୋଗ ଆରମ୍ଭିଲେ ମୃକୁଣ୍ତର ପୁଅ

ଆତ୍ମଯୋଗ କଥା ତହିଁ କହିଲେ ବୁଝାଇ

 

ବୋଇଲେ କି ଯୋଗେ ତୋତେ କହିବି ଗୋସାଇ

କର୍ମଯୋଗୀ ଜ୍ଞାନଯୋଗୀ ଆନଯୋଗୀ ଯେତେ

 

ସବୁ ଯୋଗ ସାଧନ ହିଁ ତୋହର ନିମନ୍ତେ

ଯୋଗମାୟା ପୁରୁଷ ତୁ କି କହିବି ତୋତେ

 

ହସି ମୁନିଙ୍କି କହିଲେ ପ୍ରଭୁ ଜଗନ୍ନାଥେ

ଉପମନ୍ୟୁ ମୁନିଠାରୁ ପାଇ ଯୋଗ ଜ୍ଞାନ

 

ବହୁତ କାଳ ତପ ମୁଁ କଲି ତପୋଧନ

ତପସ୍ୟା ଫଳେ ପାଇଲି ଶାମ୍ବ ନାମେ ସୁତ

 

ହସି ମାରକଣ୍ତ ମୁନି ବୋଇଲେ ଅଚ୍ୟୁତ

ତୋହର ଏକଥା ଶୁଣି ଆଚମ୍ବିତ ମଣେ

 

ତୋହର ଦର୍ଶନ ପାଇଁ ଋଷି ମୁନିଗଣେ

ତପ ଜପ ଧ୍ୟାନ ଲୟ ଯୋଗ ଆଦି ସାଧି

 

ତୁ ପ୍ରଭୁ ଅନାଦି ତୋର ନାହିଁ ଅନ୍ତ ଆଦି

ତୁ କାହାକୁ ତପ କରି ତୋଷିଲୁ ହେ ହରି

 

ଆଚମ୍ବିତ କଥା କୃଷ୍ଣ କହୁ କେଉଁପରି

ଶ୍ରୀହରି ବୋଇଲେ ମୁନି କହିଲ ତ ସତ

 

ମହେଶ୍ୱରଙ୍କୁ ପୂଜା ମୁଁ କରଇ ନିରତ

ତାଙ୍କର ପ୍ରସାଦେ ମୁନି ପାଇଲି କୁମର

 

ଦେବାଧି ଦେବରାୟ ସେ ମହାଦେବ ହର

ଶିବଲିଙ୍ଗର ମହିମା ଲୋକେ ନ ଜାଣନ୍ତି

 

ମୁହିଁ ନ ପୂଜିଲି କାହୁଁ ଜାଣିବେ ହୋ ଯତି

ଶିବଙ୍କଠାରୁ ଅପର ଦେବ ନାହିଁ ମୁନି

 

ଅଘୋର ମନ୍ତ୍ରୁ ଅଧିକ ମନ୍ତ୍ର ନାହିଁ ପୁଣି

ଶିବଲିଙ୍ଗ ଦରଶନେ ଅଛି ଯେତେ ଫଳ

 

ଉପମନ୍ୟୁ ମୁନି ତାହା ଜାଣଇ କେବଳ

ଯାଗ ଯଜ୍ଞ ତୀର୍ଥ ବ୍ରତ ଦାନ ପୁଣ୍ୟ ଯେତେ

 

ତହିଁର ଫଳ ପାଇବ ଲିଙ୍ଗ ପୂଜି ନିତ୍ୟେ

ସ୍ନାନକରି ଶିବଲିଙ୍ଗ ପୂଜଇ ଯେ ଜନ

 

ତାହାକୁ ସମ ନୋହିବେ ଋଷି ତପୋଧନ

ଏହା ଶୁଣି ବୋଇଲେ ସେ ମାରକଣ୍ତ ଯତି

 

କେମନ୍ତେ ସେ ଶିବ ଲିଙ୍ଗ ହେଲା ଉତପତ୍ତି

ତାର ପରିମାଣ ବେତେ କହ ଯଦୁନାଥ

 

ତୋହର ମୁଖରୁ ସିନା ଶୁଣିବା ଯଥାର୍ଥ

ଏହାଶୁଣି ବୋଇଲେକ ଦେବକୀ ନନ୍ଦନ

 

ସାବଧାନ ହୋଇ ଶୁଣ ସର୍ବ ସଭାଜନ

ଯେତେବେଳେ ପ୍ରଳୟରେ ସବୁଗଲା ନାଶ

 

ମହାଭୟଙ୍କର ଜଳ ନ ଦିଶଇ ଦିଶ

ଘୋର ଅନ୍ଧକାର ଦେଖି ନିଦ୍ରାଗଲି ମୁହିଁ

 

ବିରାଟ ରୂପରେ ଜଳେ ଅଛଇ ଯେ ଶୋଇ

ସହସ୍ର ବାହୁ ମୋହର ସହସ୍ର ଯେ ଶିର

 

ସହସ୍ର ମୁଖ ସହସ୍ର ନୟନ ମୋହର

ଏମନ୍ତେ ସମୟେ ଦୂରେ ଏକଇ ପୁରୁଷ

 

କୋଟି ସୂର୍ଯ୍ୟ ପ୍ରାୟ ତେଜ ପାଉଛି ପ୍ରକାଶ

ସୁନ୍ଦର ମୂରତି ତାର ଚାରୋଟି ବଦନ

 

ମହାଯୋଗୀ ଅଟଇ ସେ ଜଗତ କାରଣ

କୃଷ୍ଣାଜିନଧାରୀ ମୁଖେ ବେଦ ଉଚ୍ଚାରଇ

 

ନିମିଷକେ ମୋ ନିପଟେ ଆସି ସେ ମିଳଇ

ବିସ୍ମୟେ ବୋଇଲେ ମୋତେକିଏ ତୁମ୍ଭେ କୁହ

 

କାହୁଁ ଅଇଲ ଏଠାରେ କିମ୍ପା ଆସି ରହ

ଜଗତ କରତା ମୁହିଁ ସ୍ୱୟମ୍ଭୁ ଅଟଇ

 

ବ୍ରହ୍ମାର ମୁଖୁଁ ଏମନ୍ତ ଶୁଣି ବୋଇଲଇଁ

ସୃଜଇ ଏ ଜଗତକୁ ମୁହିଁ ବାର ବାର

 

ପାଳନ କରି ମୁଁ ପୁଣି କରଇ ସଂହାର

ମୋହିତ ହୋଇ ମୋହର ମାୟାରେ ଯେ ବିଧି

 

ମୋର ସଙ୍ଗେ କଳି କଲା ହଜିବାରୁ ବୁଦ୍ଧି

ଆମ୍ଭ ଦୁହିଙ୍କର କଳି ଭାଙ୍ଗିବା ନିମନ୍ତେ

 

ଲିଙ୍ଗ ଏକ ଉପୁଜିଲା ସେଠାରୁ ଅଦ୍‌ଭୁତେ

କାଳାନଳ ତୁଲ୍ୟ ତାର ତେଜ ବିକାଶଇ

 

କ୍ଷୟ ବୃଦ୍ଧି ଆଦିଅନ୍ତ ମଧ୍ୟ ତାର ନାହିଁ

ସେହି ମହାଲଙ୍ଗି ଦେଖି ଚତୁର୍ମୁଖ ବ୍ରହ୍ମା

 

ବୋଇଲେ ଏହାର ମୂଳଖୋଜ ମହାତମା

ମୁହିଁ ଏହାର ଉପର କରୁଅଛି ସ୍ଥିର

 

ଏମନ୍ତ କହି ସେ ମୋତେ ଗଲେ ବେଦବର

ଶିବ ମାୟାରେ ମୋହିତ ହୋଇ ଆମ୍ଭେ ଦୁଇ

 

ଖୋଜି ଖୋଜି ଆଦିଅନ୍ତ ମଧ୍ୟହିଁ ନ ପାଇ

ବିସ୍ମୟ ହୋଇ ବସିଲୁ ମୁଣ୍ତେ ହାତ ଦେଇ

 

ଧ୍ୟାନବଳେ ଜାଣିଲୁ ଏ ଜଗତ ଗୋସାଇଁ

ଏ ସମୟେ ମହାନାଦ ସମ୍ଭାଇଲା କର୍ଣ୍ଣ

 

ଓଁକାର ଶବଦ ଶୁଣି ଆମ୍ଭେ ଦୁଇ ଜଣ

କରଯୋଡ଼ି କଲୁ ମହାଶମ୍ଭୁଙ୍କର ସ୍ତୁତି

 

ଲିଙ୍ଗରୂପୀ ଶମ୍ଭୁପାଦେ ଆମ୍ଭର ପ୍ରଣତି

ନମସ୍ତେ ନମସ୍ତେ ଲିଙ୍ଗରୂପୀ ମହେଶ୍ୱର

 

ମହାଯୋଗୀ କୋଟିସୂର୍ଯ୍ୟ ପ୍ରାୟ ପ୍ରଭା ତୋର

ସହସ୍ରେ ସହସ୍ରେ କୋଟି କୋଟି ମୁଖ ଘେନି

 

ଆକାଶ ମଣ୍ତଳ ଗ୍ରାସ କରୁ ବ୍ରହ୍ମଯୋନି

ଆଦି ନାହିଁ ଅନ୍ତ ନାହିଁ ମଧ୍ୟ ନାହିଁ ତୋର

 

ଏମନ୍ତେ ସ୍ତୁତି କରନ୍ତେ ଦେବ ମହେଶ୍ୱର

ନିଜରୂପେ ଉଭା ହେଲେ ସେ ପ୍ରଳୟ ଜଳେ

 

ତିନିଗୋଟି ନେତ୍ରେ ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ଜଳେ

ତ୍ରିଶୂଳ ପିନାକ ଧନୁ କରେ ପାଏ ଶୋଭା

 

ବ୍ରହ୍ମାଣ୍ତଯାକ ବ୍ୟାପିଛି ଦେହର ଯେ ପ୍ରଭା

ପଇତା ହୋଇ ଲମ୍ବିଛି କନ୍ଧେ ମହା ଅହି

 

ସ୍ୱର ମେଘ ଗରଜନ ପରାୟ ଶୁଭଇ

ବୋଇଲେ ପ୍ରସନ୍ନ ହେଲୁ ମନୁ ତେଜ ଭୟ

 

ତୁମ୍ଭେ ଦୁଇ ଦେବ ମୋର ଶରୀରୁ ଉଦୟ

ମୋର ଦକ୍ଷିଣ ପାରୁଶେ ଦେଖ ବେଦବର

 

ବାମ ପାରୁଶେ ପାଳନକାରୀ ଚକ୍ରଧର

ହୃଦୟ ମଧ୍ୟରେ ଦେଖ ହର ବିରାଜଇ

 

ଇଚ୍ଛା ଅନୁସାରେ ବର ମାଗ ତୁମ୍ଭେ ଦୁଇ

ଆମ୍ଭେ ବୋଇଲୁ ଯଦ୍ୟପି ହୋଇଲୁ ପ୍ରସନ୍ନ

 

ସଦା ତୁମ୍ଭପାଦେ ଭକ୍ତି ଥାଉ ତ୍ରିଲୋଚନ

ହେଉ କହି ହସିହସି ବୋଇଲେକ ପୁଣି

 

କଳପାନ୍ତେ ଏହି ବିଶ୍ୱରୂପୀ ଚକ୍ରପାଣି

ଆମ୍ଭ ଦୁହିଁଙ୍କର ପିତା ହେବେ ଏହା ଜାଣ

 

ବ୍ରହ୍ମା ବିଷ୍ଣୁ ଶିବ ହେବ ତାହାଙ୍କର ନାମ

ଆମ୍ଭେ ତିନିଜଣ ହେବା ଏହାଙ୍କ କୁମର

 

ଏହାଙ୍କ ମୁଖରୁ ଜାତ ହେବୁ ଆମ୍ଭେ ହର

ନାଭି କମଳରୁ ବ୍ରହ୍ମା ହେବେ ଉତପତ୍ତି

 

ହୃଦୟରୁ ଜାତ ହେବେ ଶ୍ରୀବିଷ୍ଣୁ ମୂରତି

ସତ ରଜ ତମ ତିନିଗୁଣେ ତିନିରୂପ

 

ଉତପତ୍ତି ପାଳନ ଯେ ସଂସାର ସ୍ୱରୂପ

ଏହା କହି କେଣେ ଗଲେ ନ ପାରିଲୁ ଦେଖି

 

ବ୍ରହ୍ମା କେଣେଗଲେ ଆମ୍ଭେ ରହିଲୁ ଏକାକୀ

ନିଶ୍ଟିନ୍ତ ହୋଇ ଶୋଇଲୁ ସେ ପ୍ରଳୟ ଜଳେ

 

ନିଦ୍ରା ଘାରିଲା ଆମ୍ଭର ନୟନ କମଳେ

ଶୁଣିଲତ ମାରକଣ୍ତ କଳପାନ୍ତ ମୁନି

 

ଶିବଲିଙ୍ଗ ଅଟେ ଏହି ଜଗତର ଯୋନି

ଏଣୁ ମୁହିଁ ପୂଜାକରେ ସେହି ଶିବଲିଙ୍ଗ

 

ଲିଙ୍ଗ ପୂଜି ଉପମନ୍ୟୁ ସାଧିଲେଟି ଯୋଗ

କୂର୍ମ ପୁରାଣେ ଏ ଅଧ୍ୟା ଯେ ଜନ ପଢ଼ଇ

 

ଧନ ଜନ ଗୋପଲକ୍ଷ୍ମୀ ତାହାର ବଢ଼ଇ

ଶୁଣିବା ଲୋକ ବସଇ ଯାଇଁ ଶିବ ଲୋକେ

 

ଆଶ୍ଚର୍ଯ୍ୟ ହୋଇଲେ ଏହା ଶୁଣି ସଭାଲୋକେ

କୃତ୍ୟ କୃତ୍ୟ ହୋଇ ମୁନି ମେଲାଣି ମାଗିଣ

 

ଆପଣାର ଆଶ୍ରମକୁ ଗଲେ ମୁନିଗଣ

ହରି ହରିବୋଲ ଭାଇ ବୋଲ ଗୋପୀନାଥ

 

ଅଚ୍ୟୁତ ପାଦୁକା ଦୁଇ ଭଜି ଦିବାରାତ୍ର

ବିପ୍ରକୁଳେ ଜନ୍ମ ମୋର ମୁଁ ଅତି ପାମର

 

ଏ ଭବସାଗରୁ ପାରିକର ଚକ୍ରଧର

 

ଦୈତ୍ୟ ବଂଶାନୁଚରିତ ଓ ହିରଣ୍ୟକଶିପୁ ବଧ

 

ପଚାରିଲେ ଋଷିଗଣ ଆହେ ବ୍ୟାସଶିଷ୍ୟ

 

କେମନ୍ତେ ବର୍ଦ୍ଧିତ ହେଲେ କହ ଦୈତ୍ୟ ବଂଶ

ଶୁଣିବାକୁ ଇଚ୍ଛା ବଡ଼ ବଳିଛି ଆମ୍ଭର

 

ପୁରାଣ କଥା ତୁମ୍ଭଙ୍କୁ ଜଣା ମୁନିବର

ଏହା ଶୁଣି ବୋଇଲେ ସେ ସୁତ ପୌରାଣିକ

 

ଆଦି ପୁରୁଷର ପୁତ୍ର ବ୍ରହ୍ମାବିଶ୍ୱସୃକ

ବ୍ରହ୍ମାର ମାନସ ପୁତ୍ର କଶ୍ୟପ ଅଟଇ

 

ବ୍ରହ୍ମା ଡାକି ଦକ୍ଷ ପ୍ରଜାପତିକି କହଇ

ପ୍ରଜା ସୃଷ୍ଟି କର ବାବୁ ଭାରିଯାକୁ ଘେନି

 

ଦକ୍ଷ ପ୍ରଜାପତିର ଯେ ଭାରିଯା ଅସିଳ୍ଣୀ

ସହସ୍ରେକ ପୁତ୍ର ହେଲେ ତା ଗର୍ଭୁ ଉତ୍ପତ୍ତି

 

ତାଙ୍କୁ ମାରି ପକାଇଲେ ନାରଦ ଯେ ଯତି

ପୁତ୍ରଶୋକେ ନାରଦଙ୍କୁ ଶାପ ଦେଲେ ଦକ୍ଷ

 

ଆଜିଠାରୁ ତୁ ନାରଦ ହୁଅ ଅପୁତ୍ରିକ

ବଇରିଣୀ ସଙ୍ଗେ ପ୍ରୀତି କଲେ ପ୍ରଜାପତି

 

ଷାଠିଏ କନ୍ୟା ତା ଗର୍ଭୁ ହେଲେ ଉତପତ୍ତି

କଶ୍ୟପ ଭାରିଯା ହେଲେ ତା ମଧ୍ୟର ତେର

 

ସତାଇଶ କନ୍ୟାଙ୍କର ଚନ୍ଦ୍ର ହେଲେ ବର

ଅରିଷ୍ଟନେମିଙ୍କି ଦେଲେ ତା ମଧ୍ୟରୁ ଚାରି

 

ବହୁ ପୁତ୍ରକୁ ଯେ ଦେଲେ ଦିଓଟି କୁମାରୀ

କୃପାଶ୍ୱକୁ ଦୁଇ ଦେଲେ ଅଙ୍ଗିରାକୁ ଦୁଇ

 

ଧର୍ମ ଦେବତାଙ୍କୁ ଦଶଗୋଟି କନ୍ୟା ଦେଇ

ସେ କନ୍ୟାମାନଙ୍କ ପୁତ୍ର ନାମ ଏବେ ଶୁଣ

 

ବିଶ୍ୱାଗର୍ଭୁ ଉପୁଜିଲେ ବିଶ୍ୱଦେବଗଣ

ସାଧ୍ୟ ଗର୍ଭୁ ସାଧ୍ୟଗଣ ହେଲେ ଉତପନ୍ନ

 

ମରୁତ୍ୱତୀ ଦେବୀ ଗର୍ଭୁ ମରୁତ୍ୱତଗଣ

ବସୁର ଗର୍ଭୁ ଉତ୍ପନ୍ନ ହେଲେ ଅଷ୍ଟବସୁ

 

ଭାନୁଗର୍ଭୁ ଜାତ ଭାନୁଗଣ ଧର୍ମ ଅଂଶୁ

ମୁହୂର୍ତ୍ତା ଗର୍ଭରୁ ଜାତ ମୁହୂର୍ତ୍ତକଗଣ

 

ଲମ୍ବାଦେବୀ ଗର୍ଭୁ ହେଲେ ଘୋଷ ଉତପନ୍ନ

ଯମୀ ଗର୍ଭୁ ନାଗବଳୀ ହେଲେ ଉତପତ୍ତି

 

ପୃଥ୍ୱୀର ସବୁ ବିଷୟ ମାତା ଅରୁନ୍ଧତୀ

ସଂକଳ୍ପା ଗର୍ଭୁ ସଂକଳ୍ପ ହେଲା ଉତପନ୍ନ

 

ଏ ସମସ୍ତେ ଜାଣ ହେଲେ ଧର୍ମର ନନ୍ଦନ

ଆପଧ୍ରୂବସୋମ ଧର ଅନିଳ ଅନଳ

 

ପ୍ରତ୍ୟୁଷ ପ୍ରଭାସ ଏହି ଆଠବସୁମୂଳ

ଆଟବସୁର ଯେ ପୁତ୍ର ହେଲେ ଚାରି ଜଣ

 

ବଇତଣ୍ତ୍ୟ ଶ୍ରମ ଶାନ୍ତି ଧ୍ୱନି ଚାରିଜଣ

ଧ୍ରୁବ ବସୁର ନନ୍ଦନ କାଳ ଯେ ଅଟଇ

 

ସୋମବତ୍ସୁ ପୁତ୍ର ବର୍ଚ୍ଚ ନାମକୁ ବହଇ

ଧରବସୁ ପୁତ୍ର ନାମ ଅଟଇ ଦ୍ରବିଣ

 

ଅନଳବସୁର ହେଲେ ଦୁଇ ପୁତ୍ର ଜାଣ

ମନୋଜବ ଅବିଜ୍ଞାତ ଗତି ଏହି ଦୁଇ

 

ଅନଳବସୁର ପୁତ୍ର କୁମାର ଅଟଇ

ଦେବଳ ନାମେ ପ୍ରତ୍ୟୁଷ ବସୁର ନନ୍ଦନ

 

ପ୍ରଭାସବସୁର ପୁତ୍ର ବିଶ୍ୱକର୍ମା ଜାଣ

କଶ୍ୟପ ଋଷିର ତେର ଭାରିଯାର ପୁଅ

 

ଗୋଟି ଗୋଟି କହୁଅଛୁଁ ସର୍ବେ ମନ ଦିଅ

ଦ୍ୱାଦଶ ଆଦିତ୍ୟ ଜିଣି ଅଦିତି ନନ୍ଦନ

 

ତାହାଙ୍କର ନାମ ଏବେ ଶୁଣ ମୁନିଜନ

ଅଂଶ ଧାତା ଭଗତ୍ୱଷ୍ଟା ମିତ୍ର ଯେ ବରୁଣ

 

ଅର୍ଯ୍ୟମା ଯେ ବିବସ୍ୱାନ ସବିତା ଏ ଜାଣ

ପୁଷା ଅଂଶୁମାନ ବିଷ୍ଣୁ ଏମନ୍ତେ ଏ ବାର

 

ଦିତି ଗର୍ଭୁ ଉପୁଜିଲେ ଦୁଇଟି କୁମର

ହିରଣ୍ୟକଶିପୁ ବଡ଼ ହିରଣାକ୍ଷ ସାନ

 

ଦୁଇଭାଇ ଅତି ଗର୍ବୀ ଅତି ବଳବାନ

କଶ୍ୟପର ଅଉରସ ପୁତ୍ର ଜାଣ ଦୁଇ

 

ଘୋର ତପସ୍ୟା ସେ କଲା ହିମାଳୟେ ଯାଇଁ

ବ୍ରହ୍ମାଣ୍ତ କମ୍ପିଲା ତାଙ୍କ ତପର ପ୍ରଭାବେ

 

ସ୍ୱର୍ଗେ ରହି ନ ପାରିଲେ ଇନ୍ଦ୍ର ଆଦି ଦେବେ

ଘନ ଘନ କମ୍ପିଲା ଯେ ବ୍ରହ୍ମାଙ୍କ ଆସନ

 

ପୁରେ ରହି ନ ପାରିଲେ ମରାଳ ବାହନ

ହିମାଳୟ ପର୍ବତରେ ମିଳିଲେ ସେ ଆସି

 

ଦେଖିଲେ ତପ କରନ୍ତି ଦୁହେଁ ତହିଁ ବସି

ବ୍ରହ୍ମା ବୋଇଲେ କିପାଇଁ ତପକର ତୁମ୍ଭେ

 

ବର ଦେବାପାଇଁ ଏଥେ ଆସିଅଛୁଁ ଆମ୍ଭେ

ଇଚ୍ଛା ଅନୁସାରେ ପୁତ୍ରେ ମାଗିଘେନ ବର

 

ହିରଣ୍ୟକଶିପୁ ବୋଲେ ଶୁଣ ବେଦବର

କଶ୍ୟପ ଋଷିର ପୁତ୍ର ଅଟନ୍ତି ସମସ୍ତେ

 

ମାତା ଭିନ୍ନ ଭିନ୍ନ ସିନା ବିଚାରନ୍ତୁ ଚିତ୍ତେ

ଆମ୍ଭେ ସମସ୍ତେ ତୁମ୍ଭର ଅଟୁ ସିନା ନାତି

 

ଇନ୍ଦ୍ର ଆଦି ଦେବତାଏ ଅଦିତି ସନ୍ତତି

ଦନୁଗର୍ଭରୁ ବାନରମାନେ ଉପୁଜିଲେ

 

କଦ୍ରୂଦେବୀ ଗର୍ଭୁ ନାଗମାନେ ଜାତହେଲେ

ବିନତା ଗର୍ଭୁ ଉତ୍ପନ୍ନ ଅରୁଣ ଗରୁଡ଼

 

ଗରୁଡ଼ ଯେ ସାନ ପୁଣି ଅରୁଣ ଯେ ବଡ଼

ଏମନ୍ତେ ଆମ୍ଭେ ସମସ୍ତେ ଅଟୁସିନା ଭାଇ

 

ଦେବଙ୍କୁ ଅମର କଲେ ବିଷ୍ଣୁ କାହିଁପାଇଁ

ଇନ୍ଦ୍ର କିମ୍ପାଇଁ ଅମରପୁର କରେ ଭୋଗ

 

ଆମ୍ଭର କି ସେ ସମ୍ପଦେ ନାହିଁ କିଛିଭାଗ

ଆମ୍ଭେ ମାଇଲେ ଦେବତାମାନେ ନ ମରିବେ

 

ସେମାନେ ମାଇଲେ ଆଉ କେହି ନ ବଞ୍ଚିବେ

ଯେବେ ଆମ୍ଭେ ଭାଇ ଭାଇ ମିଳି କରୁ କଳି

 

ନ ଭାଙ୍ଗି ଦିଅଇ କିମ୍ପା ତାହା ବନମାଳୀ

ଦେବତାଙ୍କ ପକ୍ଷ ହୋଇ ମାରଇ ଆମ୍ଭଙ୍କୁ

 

କାଳେ କାଳେ ଆସି ସେହି ରଖଇ ଦେବଙ୍କୁ

ବିଚାର କରନ୍ତୁ ପିତାମହ ହୃଦଗତେ

 

ଆମ୍ଭମାନେ ଦୁଷ୍ଟ ହେଲୁ କହ କେଉଁମତେ

ବଳବନ୍ତ ଲୋକଙ୍କୁ ଯେ ସମସ୍ତେ ଡରନ୍ତି

 

ସେ ଅନୀତି କଲେ ତାକୁ କେହି ନ କହନ୍ତି

ଦୁର୍ବଳ ଲୋକ ଅନୀତି ବାଛନ୍ତି ସମସ୍ତେ

 

ଏଣୁ ତୁ ଅମର ବର ଦିଅ ପିତା ମୋତେ

ଅମର ହେଲେ ତ ମୁହିଁ ଜିଣିବି ଦେବଙ୍କୁ

 

ବିଷ୍ଣୁ ମାରି ନ ପାରିବ କଦାପି ଆମ୍ଭଙ୍କୁ

ହିରଣ୍ୟକଶିପୁ କଥା ଶୁଣି ବେଦବର

 

ଦେଇ ନ ପାରିବି ବାବୁ ମୁଁ ଅମର ବର

 

 

ଏହା ଭିନ୍ନ ଆଉ ଯାହା ମାଗିବୁ ତା ଦେବି

 

ହିରଣ୍ୟକଶିପୁ ଦୈତ୍ୟ ମନମଧ୍ୟେ ଭାବି

ବୋଲଇ ଅମର ବର ନ ଦେବୁ ତୁ ଯେବେ

 

ମୋତେ ଜିଣି ନ ପାରିବେ ସଂଗାମରେ କେବେ

ଅତୁଟ ହେବ ମୋ କାୟା ଅସ୍ତ୍ରେ ନ ଛାଡ଼ିବ

 

ବିଷ୍ଣୁର ଚକ୍ର ମୋ ଦେହେ ତିଳେ ନଭେଦିବ

ବିଷ୍ଣୁ ମୋତେ ସଂଗ୍ରାମରେ ନ ପାରିବ ଜିଣି

 

ନ ପାରିବେ ମୋତେ ଯୁଦ୍ଧେ ଦେବ ଶୂଳପାଣି

ପବନ ବରୁଣ ଅଗ୍ନି ଯମ ନଇଋତ

 

କୁବେର ଆଦି ଯେତେକ ସ୍ୱର୍ଗ ଦଇବତ

ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ଅଛନ୍ତିଟି ଯେତେ

 

ସଂଗ୍ରାମରେ ନ ପାରିବେ କେହି ଜାଣ ମୋତେ

ଯକ୍ଷ ଦାନବ ମାନବ ହସ୍ତେ ନ ମରିବି

 

ଅସ୍ତ୍ରେ ନ ଛିଡ଼ିବି ପୁଣି ଜଳେ ନ ବୁଡ଼ିବି

ଅଗ୍ନି ପୋଡ଼ି ନ ପାରିବ ମୋ ଦେହକୁ କେଭେ

 

ସୂର୍ଯ୍ୟ ଶୋଷି ନ ପାରିବ ମୋତେ ଶତ୍ରୁଭାବେ

ପଶୁ ପକ୍ଷୀ କୀଟ ହସ୍ତେ ନ ମରିବି ମୁହିଁ

 

ଚାରିଖାନେ ଜୀବେ ଯୁଦ୍ଧେ ନ ପାରିବେ କେହି

ତୋହର ସୃଷ୍ଟି ଯେତେକ ଜୀବଜନ୍ତୁ ଜାଣ

 

ନ ମରିବି କାହା ହସ୍ତେ ଏ କଥା ପ୍ରମାଣ

ଜଳେ ସ୍ଥଳେ ଅନଳରେ ନ ଯିବ ମୋ ପ୍ରାଣ

 

ଦିବସେ ରାତିରେ ମୋତେ ନୋହିବ ମରଣ

ସ୍ତିରୀ ପୁରୁଷର ହସ୍ତେ ନ ମରିବି ମୁହିଁ

 

ବଜ୍ରହୁଁ କଠିନ ହେବ ଏ ମୋହର ଦେହୀ

ପର୍ବତ ପଡ଼ି ମୋ ଦେହେ ଚୂର୍ଣ୍ଣ ହୋଇଯିବ

 

ହୀରା ଲୁହା ବଜ୍ର ପଡ଼ି ମୋ ଦେହ ଭାଙ୍ଗିବ

ଆକାଶ ପାତାଳେ ମୋତେ ନୋହିବ ମରଣ

 

ଚଉଦ ବ୍ରହ୍ମାଣ୍ତ ଲୋକ ହାରିଯିବେ ପୁଣ

ପ୍ରସନ୍ନ ହୋଇଲ ଯେବେ ଦିଅ ଏହି ବର

 

ପ୍ରାପତ ହେଉ କହିବେ ତାକୁ ବେଦବର

ହିରଣାକ୍ଷ ବୋଲେ ମୁହିଁ ଅସ୍ତ୍ରେ ନ ମରିବି

 

ବିଷ୍ଣୁର ଚକ୍ରେ କଦାପି ମୁହିଁ ନ ଛିଡ଼ିବି

ଦେବ ଦାନବ ମାନବ ନ ପାରିବେ ରଣେ

 

ନାଗ ଯକ୍ଷ ଗନ୍ଧର୍ବ ଯେ କିନ୍ନର ଚାରଣେ

କେହି ମୋତେ ନ ପାରିବେ ଦିଅ ଏହି ବର

 

ତୋହ ସାର୍ଜିଲା ପଦାର୍ଥ ଯେତେ ବ୍ରହ୍ମାଣ୍ତର

କାହାରି ହସ୍ତେ ମରଣ ନୋହିବ ମୋହର

 

ଏହି ବର ଦିଅ ମୋତେ ବ୍ରହ୍ମାଣ୍ତ ଠାକୁର

ରଜନୀ ଦିବସେ ମୋର ନୋହିବ ମରଣ

 

ବଜ୍ରହୁଁ ମୋହର ଦେହ ଗୋଟି ହେବ ଟାଣ

ତାକୁ ସେହିବର ଦେଇଗଲେ ପିତାମହ

 

ବିଷ୍ଣୁ ମାୟାରେ ସେ ଦୁହେଁ ହୋଇଛନ୍ତି ମୋହ

ବିଚାରିଲେ ଆମ୍ଭେ ହେଲୁ ଜଗତେ ଅମର

 

ଆମ୍ଭର କଥା ଅନ୍ୟଥା କେ କରିବ ଛାର

ବଳେ ତିନି ଭୁବନକୁ ନେଲେ କରି ଜୟ

 

ହିରଣ୍ୟକଶିପୁ ହେଲା ତ୍ରିଭୂବନ ରାୟ

ଋଷି ବିପ୍ରଙ୍କୁ ମାଇଲେ ବଳେ ମତ୍ତ ହୋଇ

 

ବିଷ୍ଣୁ ଭକତ ଧାର୍ମିକ ନ ଥୋଇଲେ ମହୀ

ତାହାର ଅନୀତି ଦେଖି ଦେବେ କଲେ ଭୟ

 

ସ୍ୱର୍ଗ ଛାଡ଼ି ପଳାଇଲେ ଦେବ ସୁରରାୟ

ତିନିପୁର ପ୍ରାଣିଙ୍କି ସେ ଦେଲେ ବହୁପୀଡ଼ା

 

ଭୟେ ଦେବୀ ବସୁନ୍ଧରା ହେଲା କରଛଡ଼ା

ଇନ୍ଦ୍ରଙ୍କ ସଭାରେ ଯାଇ କାନ୍ଦିଲା ବହୁତ

 

ବ୍ରହ୍ମାଙ୍କ ଆଗେ ଗୁହାରି କଲେ ଶଚୀକାନ୍ତ

ବ୍ରହ୍ମା ଦେବତାଙ୍କୁ ଘେନିଗଲେ ବିଷ୍ଣୁପୁରେ

 

ଦେବଋଷି ବ୍ରହ୍ମଋଷି ଘେନି ସଙ୍ଗତରେ

କ୍ଷୀର ସିନ୍ଧୁ ମଧ୍ୟେ ଯହିଁ ବିଜେ ଦେବ ହରି

 

ସମସ୍ତେ ରୋଦନ କଲେ ତାଙ୍କ ପାଦ ଧରି

ବୋଇଲେ ଭୋ ନାଥ ତୁମ୍ଭେ ଅନାଥର ନାଥ

 

ଦାନବ ଭୟରୁ ତ୍ରାହି କର ଜଗନ୍ନାଥ

ଅନ୍ତର୍ଯ୍ୟାମୀନାଥଙ୍କୁ କି ଅଛଇ ଅଜଣା

 

ତୋହର ହୃଦରେ ନାହିଁ ପର କେ ଆପଣା

ପରମାନ୍ଦ ପୁରୁଷ ପରଦୁଃଖେ ଦୁଃଖୀ

 

ଜଗତଜନ ବନ୍ଧନ ପ୍ରଭୁ ଚକା ଆଖି

କରୁଣା ସାଗର ଯେବେ ନ କରିବୁ ଦୟା

 

ମାୟାଧର ନାଥ ଯେବେ କରିବୁଟି ମାୟା

ଅନାଥ ହୋଇବୁ ଆମ୍ଭେ ନାହିଁ ପରିତ୍ରାଣ

 

ଅଭୟ ଚରଣେ ଆସି ପଶିଲୁ ଶରଣ

ଏମନ୍ତେ ଅନେକ ମତେ କହିଲେକ ଯହୁଁ

 

ନିଦ୍ରା ତେଜି ଉଠିଲେକ ଦେବ ମହାବାହୁ

ଦେଖିଲେ ଆଗରେ ଉଭା ହୋଇ ବେଦବର

 

ମୁଖେ ସ୍ତୁତି କରୁଅଛି ଯୋଡ଼ିଅଛି କର

ଇନ୍ଦ୍ର ଆଦି ଦେବତାଏ ଅଛନ୍ତି ତା ପଛେ

 

ରଖ ରଖ ନାରାୟଣ କହୁଅଛି ଉଚ୍ଚେ

ଋଷି ମୁନି ଗାଉଛନ୍ତି ସାମବେଦ ଗାଥା

 

ଶ୍ରୀହରି ବୋଇଲେ କହ କିହୋ ଚଉମଥା

କି ନିମନ୍ତେ ଆସିଅଛ କି ଦୁଃଖ ତୁମ୍ଭର

 

ଏହା ଶୁଣି ଆଗ ହେଲେ ଦେବ ପୁରନ୍ଦର

କରଯୋଡ଼ି ବୋଇଲେକ ହେ ଦେବାଧିରାୟ

 

ହିରଣ୍ୟକଶିପୁ ନାମେ ଦିତିର ତନୟ

ବ୍ରହ୍ମାଠାରୁ ବର ପାଇ ଘାଣ୍ଟୁଅଛି ମହୀ

 

ଧାର୍ମିକ ହୋଇ ମହୀରେ ଜଣେ ନାହିଁ କେହି

ସମସ୍ତଙ୍କୁ ଧରି ଦୁଷ୍ଟେ କଲେଣି ସଂହାର

 

ଯାଗ ଯଜ୍ଞ ଭାଙ୍ଗି ସବୁ କଲେ ନାରଖାର

ତୋହର ଭକତ ହୋଇ ନାହିଁ ଜଣେ କେହି

 

ତାହାର ପ୍ରତାପ ମହୀ ନ ପାରଇ ସହି

ବଳେ ସ୍ୱର୍ଗପୁର ତୋର କଲେଣି ସେ ଜୂର

 

ତାର ଭୟେ ପଳାଇଲୁ ଛାଡ଼ି ସ୍ୱର୍ଗପୁର

କଳପବୃକ୍ଷ ତୋ ପାଦ ଜାଣି ଆଶ୍ରାକଲୁ

 

ସକଳ ଛାଡ଼ି ଚରଣେ ଶରଣ ପଶିଲୁଁ

ରଖିଲେ ରଖ ତୁ ହରି ମାଇଲେ ବା ମାର

 

ଦେବଙ୍କ କାତର ବାଣୀ ଶୁଣି ଚକ୍ରଧର

ଶରୀରୁ ଜାତ କଲେ ସେ ଏକଇ ପୁରୁଷ

 

ଦିଶିଲା ସେ କୋଟି କୋଟି ଆଦିତ୍ୟ ସଦୃଶ

ଚାରିଗୋଟି କର ତାର ଅତିଦୀର୍ଘ ପୁଣି

 

ଶଙ୍ଖ ଚକ୍ରଗଦାଧାରୀ ସେ ପୁରୁଷମଣି

କଟୀତଟେ ପୀତାମ୍ବର ଦିଶଇ ସୁନ୍ଦର

 

ପୁରୁଷଉତ୍ତମ ସେହି ମହା ଭୟଙ୍କର

ଶ୍ରୀହରି ଚରଣ ବନ୍ଦି ବୋଲେ କହ ତାତ

 

କାହାର ବଂଶକୁ ମାରି କରିବି ନିପାତ

ଶ୍ରୀହରି ବୋଇଲେ ବାବୁ ଯିବୁ ମର୍ତ୍ତ୍ୟପୁରେ

 

ହିରଣ୍ୟକଶିପୁ ନାମେ ଏକ ଦୈତ୍ୟବରେ

ମୋର ସ୍ୱର୍ଗପୁର ଜୂର କରେ ବ୍ରହ୍ମାବରେ

 

ତାହାର ଶିର ତୁ କାଟି ଦେବୁ ମୋର କରେ

ଶୁଣି ସେ ପୁରୁଷବର କଲା ସିଂହନାଦ

 

ବ୍ରହ୍ମାଙ୍କ ହସ୍ତରୁ ଖଲି ପଡ଼ିଲାକ ବେଦ

ଇନ୍ଦ୍ରଧରି ନ ପାରିଲା ବଜ୍ର ଗୋଟି କରେ

 

ଯମର କର ତରଣ ହୃଦୟହିଁ ଥରେ

ଆଉ ଯେତେ ଦେବେ ଥିଲେ ହେଲେ ସେ ମୂର୍ଚ୍ଛିତ

 

ସମୁଦ୍ରର ଜଳ ସବୁ ହେଲା ବିପ୍ଲାବିତ

ଘନ ଘନ କମ୍ପିଲାକ ଚରାଚର ମହୀ

 

ପର୍ବତହିଁ ସ୍ଥିର ହୋଇ ନ ପାରିଲା ରହି

ଦାନବର କର୍ଣ୍ଣେ ଯାଇ ସମ୍ଭାଇଲା ନାଦ

 

କ୍ଷଣକେ ଦାନବମଣି ହୋଇଲେ ନିସ୍ତବ୍‌ଧ

ବଧିର ହୋଇଲା କିଛି ନ ଶୁଭିଲା ପୁଣି

 

ଶିରେ ବଜ୍ରାଘାତ ପ୍ରାୟ ସେ ନାଦକୁ ମଣି

ବିପ୍ରଚିତ୍ତ ଆଦି ଯେତେ ଦାନବ ପ୍ରଧାନ

 

ଭୟେ କାହାରି ମୁଖରେ ନ ଆସେ ବଚନ

ଅନହ୍ଲାଦ ଯେ ପ୍ରହ୍ଲାଦ ସଂହ୍ରାଦ ଯେ ହ୍ରାଦ

 

ଶୁଣିଣ ସେ ଘୋରତର ଭୟଙ୍କର ନାଦ

ପିତାର ପାଶରେ ଆସି ମିଳିଲେ ସେ ଚାରି

 

ଦେଖିଲେ ସଭାରେ ଚେତା ନାହିଁ ଯେ କାହାରି

ସମସ୍ତଙ୍କ ଚିତ୍ତେ ଜାତ ହୋଇଅଛି ଭୟ

 

କେ ବୋଲଇ କି ନାଦ ଏ ଶୁଣ ହୋଇଥୟ

କେ ବୋଲଇ ଯୁଗଶେଷ ହୋଇଲାକି ଆସି

 

କେ ବୋଲଇ ବ୍ରହ୍ମାଣ୍ତ ଏ ପକାଇବ ନାଶି

କେ ବୋଲଇ ନିର୍ଘାତ ଏ ହୁଅଇ କାତର

 

ହିରଣ୍ୟକଶିପୁ ବୋଲେ କାହାକୁରେ ଡର

ମୁହିଁ ତ ସଂହାରକାରୀ ମୁହିଁ ରକ୍ଷାକାରୀ

 

ମୋଠାରୁ ଆନ କି ଜଣେ ଅଛି ବସୁନ୍ଧରୀ

ମୁହିଁ ଇଚ୍ଛାକଲେ ହେବ କ୍ଷଣକେ ପ୍ରଳୟ

 

ତିନିଭୁବନକୁ ମୁହିଁ କରିପାରେ କ୍ଷୟ

ଏମନ୍ତ ଶୁଣି ଦାନବେ କଲେ ସିଂହନାଦ

 

ପିତାଙ୍କୁ ଚାହିଁ ବୋଇଲା ପୁତ୍ର ପ୍ରହଲ୍ଲାଦ

ବହୁତ ଉତ୍ପାତ ଦେଖା ଯାଉଛି ଗଗନେ

 

ଦିବସେ ଦୃଶ୍ୟ ହୁଅନ୍ତି ଦେଖ ତାରାମାନେ

ପୂର୍ବଦିବେ ଧୂମକେତୁ ହେଉଅଛି ଉଦେ

 

ଉଲୁକା ପଡ଼ଇ ଖସି ଦେଖନ୍ତୁ ସମୁଦ୍ରେ

ବିନାମେଘେ ଶୁନୁ ପଙ୍କ ଶୋଣିତ ବରଷେ

 

କୁହୁଡ଼ି ଆଚ୍ଛାଦି ଅଛି ଦେଖ ଦଶଦିଶେ

ଖଣ୍ତିଉଡ଼ା ଦେଉଛନ୍ତି କାକ ଗୃଧ୍ର ଚିଲ

 

ବିକୃତ ସ୍ୱରେ ରାବନ୍ତି ଦେଖ ଶ୍ୱାନପଲ

ଶୃଗାଳ ବିକୃତ ଧ୍ୱନି ଶୁଣି ମାଡ଼େ ଡ଼ର

 

ଏଥୁ ଜଣାଉଛି ମୋତେ ରଖ ହେ ପିଅର

ଦେବତାଏ ମିଳି ଯାଇ ଶ୍ରହରିର ପାଶେ

 

କହିବାରୁ ପେଷନ୍ତି ସେ ଏକଇ ପୁରୁଷେ

ଜଣାଯାଏ ହେବ ସେହି ସ୍ୱୟଂ ଭଗବାନ

 

ବିଚାର କରିବା କାର୍ଯ୍ୟ ହୋଇ ସାବଧାନ

ହିରଣ୍ୟକଶିପୁ ବୋଲେ ହରି ମୋ ବଇରୀ

 

ତାହାକୁ ମୁଁ ଖୋଜୁଅଛି ଦିବସ ସର୍ବରୀ

ପଡ଼ିଲେ ମୋ ମୁଖେ ସେହି ଯିବ କି ଉତୁରି

 

ସାଙ୍ଗେ ସାଙ୍ଗେ ପଠାଇବି ଶମନ ନଗରୀ

ଏହା କହି ସେ ପ୍ରତାପୀ ଦେଲା ସିଂହରଡ଼ି

 

ଆଷାଢ଼ ମାସରେକି ସେ ମେଘ ଘଡ଼ଘଡ଼ି

ବୋଇଲା ବିଳମ୍ବ କିମ୍ପା କରୁଛ ଦନୁଜେ

 

ଅସ୍ତ୍ରଧରି ସଜ ହୁଅ ରଥ ଅଶ୍ୱଗଜେ

ନାରାୟଣ ପୁତ୍ର ବିଜେ ଗରୁଡ଼ର ପୃଷ୍ଠେ

 

କ୍ରୋଧଭରେ ଆପଣାର ଦନ୍ତ ଚାପି ଓଷ୍ଠେ

ବାଳ ଆଦିତ୍ୟ ପରାୟ କରି ନେତ୍ର ଦୁଇ

 

ଘୋର ଗରଜନ କରି ଶୂନ୍ୟରେ ଆସଇ

ସଜ ହୋଇ ରହିଥିଲେ ବଡ଼ ବଡ଼ ବୀରେ

 

ଶୂନ୍ୟକୁ ଅନାଇ ଦେଲେ ଗରୁଡ଼ ଉପରେ

ପର୍ବତ ପରାୟ କାୟା ବିସ୍ତାରି ଆସୁଛି

 

କୋଟି କୋଟି ସୂର୍ଯ୍ୟପ୍ରାୟତେଜ ବିକାଶୁଛି

ଚାରିଗୋଟି ଭଜେ ଶୋହେ ଚାରିଗୋଟି ଶର

 

ଗଦା ସୁଦର୍ଶନ ଚକ୍ର ଅତି ଭୟଙ୍କର

ଦେଖି ଡରେ ପଳାଇଲେ କେତେକ ଦାନବ

 

ଏହିଟି ପରମ ଶତ୍ରୁ ସାକ୍ଷାତେ ମାଧବ

ଦେବଙ୍କ ପାଇଁ ଗରୁଡ଼ ଚଢ଼ି ଆସୁଅଛି

 

ଏହାରି କୋପରେ କେହି ନ ପାରିବା ବଞ୍ଚି

କେ ବୋଲଇ କାହିଁ ପାଇଁ କରୁଅଛ ଭୟ

 

ଅସଂଖ୍ୟ ସୈନ୍ୟ ଆମ୍ଭର ପର୍ବତ ପରାୟ

ରଥ ଅଶ୍ୱଗଜ କେତେ କେ ପାରିବ ଗଣି

 

ସମସ୍ତେ ତ ଶସ୍ତ୍ରଧାରୀ ବୀର ଚୂଡ଼ାମଣି

ଜଣ ଜଣକରେ ସ୍ୱର୍ଗ ପାରନ୍ତି ଯେ ଲଙ୍ଘି

 

ବିଧାଘାତେ ହିମାଳୟ ଗିରି ଦେବେ ଭାଙ୍ଗି

ଶୋଷି ଦେବେ ସାତସିନ୍ଧୁ ଜଳକୁ କ୍ଷଣକେ

 

ଏଡ଼େ ବଡ଼ ଥାଟ ଲଙ୍ଘିପାରେ କି ଜଣକେ

ଏକାବେଳେ ଶର ମାରି ପକାଇବା ପୋତି

 

ନିକଟ ମରଣ ତାର ହେବାରୁ ସଂପ୍ରତି

ଆସୁଅଛି ମରିବାକୁ ପତଙ୍ଗ ପରାୟ

 

ପତାକା ବାନ୍ଧିବା ଆମେ ଆଜି ଶତ୍ରୁଜୟ

ଏହାକହି ସେ ପ୍ରଚଣ୍ତ ଦାନବେ ଧାଇଁଲେ

 

ଗଦା ମୁଦୁଗର କୁନ୍ତ ଶକତି ମାଇଲେ

ରାକ୍ଷସଙ୍କ ଗରଜନେ ସମୁଦ୍ର ଉଲ୍ଲୋଳ

 

ପାଦଭରେ ବସୁମତୀ ହେଲା ଟଳମଳ

ଧନୁଧରି କେଉଁ ବୀର ମାରୁଅଛି ଶର

 

କକଡ଼ା ମାସେ କି ଶୂନ୍ୟୁପଡ଼େ ଜଳଧାର

ଅନଳ ସମାନ ବାଣ କେ ଦେଉଛି ମାରି

 

ବିନ୍ଧନ୍ତି ସେ ନାରାୟଣ ପୁତ୍ର ଧନୁ ଧରି

ଯେସନେ ମୃତ୍ତିକାଭାଣ୍ତ ପ୍ରହାରକେ ତୁଟେ

 

କେଶରୀ ଯେସନେ ମୃଗପଲ ଦେଖି ଛୁଟେ

ଯେସନକ ପଦ୍ମବନ ଭାଙ୍ଗେ କରିବର

 

ତେସନେ କାଟନ୍ତି ଏକଶରେ ସବୁ ଶର

ଏକ ମାତ୍ର ନ ବାଜଇ ତାହାଙ୍କର ଅଙ୍ଗେ

 

ଦୈତ୍ୟ ପଳାଇଲେ ଭୟେ ତହୁଁ ପୃଷ୍ଠଭଙ୍ଗେ

ବିପ୍ରଚିତ୍ତ ଆଦି ଯେତେ ବଡ଼ ବଡ଼ ବୀର

 

ନିରସ୍ତ୍ର ହୋଇଲେ ବାଣ ନାହିଁ ଯେ ତୁଣୀରେ

ଯୁଦ୍ଧ ଛାଡ଼ି ନ ଯାଇ ସେ ହୋଇଲେ ନିସତ

 

ଦାନବ ରାଜାର ଯେଉଁ ଚାରିଗୋଟି ସୁତ

ଚାରିଗୋଟି ଅସ୍ତ୍ର ଚାରି ବୀରେ ଧରି କରେ

 

ମେଘ ପ୍ରାୟ ଗରଜନ କରି ଉଚ୍ଚସ୍ୱରେ

ସେ ପୁରୁଷ ସଙ୍ଗତରେ କଲେ ଘୋର ରଣ

 

ପ୍ରହ୍ଲାଦ ବୀର ଧରିଛି କରେ ବ୍ରହ୍ମବାଣ

ବଇଷ୍ଣବ ଅସ୍ତ୍ର ଅଛି ଅନୁହ୍ଲାଦ କରେ

 

ସଂହ୍ରାଦ କୁମାର ଅସ୍ତ୍ର ଯୋଚିଛି ଧନୁରେ

ହ୍ରାଦ ବୀର ଅଗ୍ନି ଅସ୍ତ୍ର ଧରି କରେ ଟାଣ

 

ଏକାବେଳେ ମାଇଲେ ସେ ଚାରିଗୋଟା ବାଣ

ଚାରି ବୀରଙ୍କର ଶର ଏକାବେଳେ ଯାଇ

 

କିଛି କରି ନ ପାରି ସେ ଗଲେକ ପଳାଇ

ମହାବାହୁ ମହାବଳ ସେ ପୁରୁଷବର

 

ଚାରିଙ୍କର ଅଙ୍ଗେ କଲା ପାଦକୁ ପ୍ରହାର

ଶୁଖିଲା ପତର ପରି ଉଡ଼ିଲେକ ଚାରି

 

ଖଣ୍ତେ ଦୂରେ ପଡ଼ି ମୂର୍ଚ୍ଛାଗଲେ ଜ୍ଞାନ ହାରି

ପୁତ୍ରଙ୍କର ଏ ଦୁର୍ଦ୍ଦଶା ଦେଖି ଦୈତ୍ୟରାଜ

 

କ୍ରୋଧଭରେ ବିକାଶିଲା ତାର ନିଜ ତେଜ

ପର୍ବତଠାରୁ ଅଧିକ ଦିଶିଲା ସେ ମୋଟା

 

ପୃଥିବୀରେ କି ବିଜେ କଲା କଳାନାଗ ଗୋଟା

ଆକାଶରେ ଶିରତାର ମେଘ ଗତି ରୋଧେ

 

ବ୍ରହ୍ମାଣ୍ତ କମ୍ପିଲାତାର ଗରଜନ ନାଦେ

ଧାମନ୍ତେ ପୃଥିବୀ ଦେବୀ ଶିର ଗଲା ଲଇଁ

 

କ୍ରୋଧଭରେ ଗୋଇଠାଏ ମାଇଲା ନିଠାଇ

ଛାତିରେ ବାଜିଲା ଯାଇ ବଜ୍ରାଘାତ ପ୍ରାୟ

 

ସହି ନ ପାରି ପୁରୁଷବର ପାଇ ଭୟ

ପଳାଇଲା ଗରୁଡ଼କୁ ଘେନି ଅନ୍ତରୀକ୍ଷେ

 

ହିରଣ୍ୟକଶିପୁ ତାକୁ ନ ଦେଖି ସ୍ୱଚୁକ୍ଷେ

ସିଂହନାଦ କରି ମୁଖେ ବୋଲେ ଜୟ ଜୟ

 

ଦନୁଜ ଥାଟ ତା ଦେଖି ହୋଇଲେ ନିର୍ଭୟ

ଜୟ ଜୟ ଶବଦରେ କମ୍ପାଇଲେ ମହୀ

 

ସେ ପୁରୁଷବର ଗଲେ ନାରାୟଣ ଯହିଁ

କହିଲେ ତାହାଙ୍କ ଆଗେ ଯୁଦ୍ଧସମାଚାର

 

ଶୁଣିସେ ଅନାଦି ପ୍ରଭୁ ହୋଇ କୋପଭର

ଧଇଲେକ ମହାବଳ ନୃସିଂହ ମୂରତି

 

ଯେଉଁ ଜୀବ ସୃଷ୍ଟି କରିନାହିଁ ପ୍ରଜାପତି

ନାଭିଠାରୁ ପାଦଯାଏ ମନୁଷ୍ୟ ଶରୀର

 

ଉପର ଭାଗ ଦିଶଇ ସିଂହର ଆକାର

ହିରଣ୍ୟକଶିପୁ ଆଗେ ହୋଇଲେକ ଉଭା

 

ଗଜ ସିଂହ ଭେଟ ହେଲା ପାଏ ଶୋଭା

କରାଳ ଦଶନରାଗେ କରେ କଟ ମଟ

 

ଅନଳ ନୟନେ ଚାହୁଁ ଅଛି ମଟ ମଟ

ସୂର୍ଯ୍ୟସମ ତେଜରାଶି ଝଟ ଝଟ ଦିଶେ

 

ପ୍ରଖର ନିଃଶ୍ୱାସ କିବା ଅନଳ ବରଷେ

କେଶର ଛଟା କି ତାର କାଳଯମ ଦୂତ

 

ବଦନ ଛଟା କି ରୂଦ୍ର କ୍ରୋଧରୁ ସମ୍ଭୂତ

କୁଜଛଟା ସାକ୍ଷାତେ କି ସଂଯମନୀ ପାଶ

 

ପାଦଛଟା କି ପ୍ରଳୟ ପବନ ସଦୃଶ

ତର୍ଜନ ଗର୍ଜନ ତାର ଯୁଗାନ୍ତ ନିର୍ଘାତ

 

ଏ ଅଦ୍ଭୁତ ରୂପ ଦେଖି ହେଲେ ଆଚମ୍ବିତ

ଡରେ କରେ ଅସ୍ତ୍ର ଧରି ନ ପାରିଲେ ବୀରେ

 

ହିରଣ୍ୟକଶିପୁ ବୀର ରହିଛି ଆଗରେ

ନିର୍ଭୟରେ ରହିଅଛି ନାହିଁ ତାର ଶଙ୍କା

 

ବ୍ରହ୍ମାର ପ୍ରସାଦେ ସେହି ଅଟେ ରଣରଙ୍କା

ଜ୍ୟେଷ୍ଠ ପୁତ୍ର ପ୍ରହ୍ଲାଦକୁ କହେ ଡାକି କରି

 

ସେ ପୁରୁଷ ଆସିଥିଲା କରେ ଅସ୍ତ୍ରଧରି

ସେହି ହାରି ପଳାଇଲା ନ ରହିଲା ଆଗେ

 

ଏ ଅପୂର୍ବ ଜୀବ ଗୋଟା କାହୁଁ ଆସି ବେଗେ

ଭୟ ଦେଖାଉଛି ତାକୁ ଅସ୍ତ୍ର ଧରି ମାର

 

ଅରଣ୍ୟ ମଧ୍ୟରେ ବଣପଶୁ ପରକାର

ନ ଜାଣଇ ଅସ୍ତ୍ର ବଳ ଏହି ମୂର୍ଖ ଜୀବ

 

ଯଜ୍ଞ ପଶୁ ପ୍ରାୟ ରଣ ଯଜ୍ଞେ ହଣାଯିବ

ଚାରି ଭାଇଯାକ ମିଳି ପକାଅ ଯେ ମାରି

 

ପିତା ଆଜ୍ଞାକୁ ପ୍ରହ୍ଲାଦ ଶିରାଗ୍ରତ କରି

ଧନୁଶର ଧରି କଲା ଶର ବରଷଣ

 

ଚତୁର୍ମାସ୍ୟାରେ ଯେମନ୍ତେ ମହାମେଘ ଦ୍ରୋଣ

ଗିରିଶୃଙ୍ଗେ ବରଷଇ କରକା ପଥର

 

ଜଳଧାରା ବରଷଇ ଯେସନେ ପୁଷ୍କର

ଲୁହା ଗିରିଶୃଙ୍ଗେ ପଡ଼ି ଯାଏ ଯେହ୍ନେ ଗଡ଼ି

 

ପ୍ରହ୍ଲାଦ ଶିର ନୃସିଂହ ଶିରେ ତେହ୍ନେ ପଡ଼ି

ଉପୁଡ଼ି ପଡ଼ଇ ତିଳେ ନ ଭେଦଇ ଅଙ୍ଗେ

 

ପୁଷ୍ପବୃଷ୍ଟି ହୁଅଇ କି ନୃସିଂହ ସର୍ବାଙ୍ଗେ

ଏମନ୍ତେ ନାରାଚ ଯେତେ ଥିଲା ତା ତୂଣୀରେ

 

ସ୍ମରନ୍ତେ ପ୍ରହ୍ଲାଦ ଅପସରି ଗଲା ଡରେ

ପ୍ରହ୍ଲାଦ ବାହାର ଦେଖି ଦାନବ ରାଜନ

 

ହିରଣାକ୍ଷ ନାମେ ତାର ଭାଇ ଯେହୁ ସାନ

ତାହାକୁ ବୋଇଲା ତୁହି ଏ ଜୀବକୁ ମାର

 

ସେ ଯାଇଁ ନୃସିଂହ ସଙ୍ଗେ କଲାକ ସମର

ଦେବ ଅସ୍ତ୍ର ଦାନବାସ୍ତ୍ର ପ୍ରହାରିଲା ରାଗେ

 

ନୃସିଂହ ପ୍ରତାପ ସହି ନ ପାରି ସେ ବେଗେ

ଅନଳେ ପତଙ୍ଗ ଭସ୍ମ ହେଲା ପ୍ରାୟ ହେଲେ

 

ନିସ୍ତେଜ ହୋଇ ଭୂମିରେ କେହି ବା ପଡ଼ିଲେ

ନାରାଚ ବିଅର୍ଥ ହେବା ଦେଖି ହିରଣାକ୍ଷ

 

ମନେମନେ ସୁମରିଲା ଦେବ ବିରୂପାକ୍ଷ

ପାଶୁପତ ଅସ୍ତ୍ର ତାଙ୍କୁ ମାଗନ୍ତେ ସେ ଦେଲେ

 

ଯାହା ତେଜ ସୂର୍ଯ୍ୟ ଅଗ୍ନି ସହି ନ ପାରିଲେ

ସେହି ମହା ଅସ୍ତ୍ରଗୋଟା ମାଇଲା ଦାନବ

 

ସାକ୍ଷାତରେ ସେହି ଅସ୍ତ୍ର ଅଟେ ମହାଦେବ

ନୃସିଂହ ପ୍ରତାପ ସହି ନ ପାରି ସେ ଗଲା

 

ପ୍ରହ୍ଲାଦ ଏସବୁ ଦେଖି ମନେ ବିଚାରିଲା

ନିଶ୍ଟୟ ଏ ସନାତନ ବାସୁଦେବ ହରି

 

ଜାଣି ଅସ୍ତ୍ରତ୍ୟାଗ କରି ମନେ ମନେ ସ୍ମରି

ବେଦଉକ୍ତ ସ୍ତୁତିପାଠ କଲା ମନେ ମନେ

 

ହରିଙ୍କି ଦେଖେ ହୃଦୟରେ ପ୍ରଫୁଲ୍ଲ ନୟନେ

ଯେଉଁ ରୂପ ହୃଦୟରେ ଦେଖିଲା କୁମର

 

ବାହାରେ ଦେଖେ ସେ ରୂପେ ପ୍ରଭୁ ଅବତାର

ଜଳ ସ୍ଥଳ ଅନଳରେ କାଷ୍ଠ ପାଷାଣରେ

 

ଭୂମି ମୃତ୍ତିକା ଆକାଶ ପାତାଳ ମଧ୍ୟରେ

ବିରାଜଇ ଶ୍ରୀହରିର ସେ ଅପୂର୍ବ ରୂପ

 

ସେ ପ୍ରଭୁ ଛପନ କୋଟି ଜୀବନ ସ୍ୱରୂପ

ଯହିଁ ଦେଖେ ତହିଁ ହରି ଭିତରେ ବାହାରେ

 

କୃତାର୍ଥ ହେଲା ପ୍ରହ୍ଲାଦ ବୋଲଇ ଅନ୍ତରେ

କେବେ ମୁଁ ମୋ ପିତାମାତା ଖୁଡୁତା ଭାଇଙ୍କି

 

ରୂପ ଦେଖାଇ କୃତାର୍ଥ କରିପାରେ ନିକି

ସୁପୁତ୍ର ମଧ୍ୟେ ଗଣନା ହୋଇବଇଁ ସିନା

 

ପୁତ୍ର କରଇ ପିତାର ଉତ୍ତମ କାମନା

ଯେତେ କଷ୍ଟ ପିତାମାତା ସହିଲେ ମୋ ପାଇଁ

 

ମୁହିଁ ଯେବେ ତାଙ୍କୁ ନର୍କୁ ତାରି ନ ପାରଇ

ଧିକ ଧିକ ଏ ଜୀବନେ କିସ ପ୍ରୟୋଜନ

 

ମଳମୂତ୍ର କୀଟ ପ୍ରାୟ ସିନା ଏ ଜନମ

ଏମନ୍ତ ବିଚାରି ସେହି ପୁତ୍ର ପ୍ରହଲାଦ

 

ପିତା ଭ୍ରାତା ଖୁଡୁତାଙ୍କୁ ବୋଲେ ଛାଡ଼ବାଦ

ଦିବ୍ୟ ଚକ୍ଷୁରେ ଅନାଇ ଦେଖ ଏ ଦେହରେ

 

ବିରାଜୁଅଛି ଏ ରୂପ ଗୋଟି କି ରୂପରେ

ତରୁଲତା ଗିରି ଗୁହା ଯହିଁ ତହିଁ ଦେଖ

 

ବିରାଜୁ ଅଛି ହରିର ଏହି ସିଂହ ମୁଖ

ଜଳସ୍ଥଳ ଅନଳରେ କାଷ୍ଠ ପାଷାଣରେ

 

ଏ ଅପୂର୍ବ ରୂପଗୋଟି ବାହାରେ ଅନ୍ତରେ

ଦେଖିଲେ ଏ ଭବ ପାରାବାରୁ ଯିବ ତରି

 

ଜଗତନାଥ ପୁରାଣ ପୁରୁଷ ଶ୍ରୀହରି

ମହାଯୋଗୀ ବିଷ୍ଣୁ ଧାତା ବିଧାତା ଅଟଇ

 

ଚଉଦ ବ୍ରହ୍ମାଣ୍ତେ ଜ୍ୟୋତିରୂପେ ବିରାଜଇ

ନିରଞ୍ଜନ ଦେବତା ଏ ଜଗତର ମୂଳ

 

ଅନ୍ତର୍ଯ୍ୟମୀ ଠାକୁର ଏ ବ୍ରହ୍ମମୟ ଠୂଳ

ଅନାଦି ଅନନ୍ତ ଏହି ଅଚ୍ୟୁତ ଗୋସାଇଁ

 

ଏହାଙ୍କ ପାଦେ ଶରଣ ପଶିବାନା ଯାଇଁ

ଶରଣ ପଶିଲେ ସିନା କାରଣ ପାଇବା

 

ଭବ ଘୋର ଯାତନାରୁ ସୁଖେ ତରିଯିବା

ଆସ ଆସ ବିଳମ୍ବ ଯେ ନ କର ଗୋ କେହି

 

ବିଜେ କରିଛନ୍ତି ଦେଖ ପ୍ରଭୁ ଭାବଗ୍ରାହୀ

ପୁତ୍ର କଥା ଶୁଣି ବୋଲେ ଦାନବ ରାଜନ

 

ଯେବେ ଏ ଜୀବକୁ ହରି ବୋଲୁରେ ନନ୍ଦନ

ପରମ ବଇରୀ ମୋର ଅଟଇ ସେ ହରି

 

ଯାହା ଯୋଗୁଁ ସିନା ଭାଗ ଯାଉଛି ଆମ୍ଭରି

ତାହାକୁ ମାଇଲେ ଆମ୍ଭେ ହେବା ନା ଈଶ୍ୱର

 

ଏଣୁ ପୁତ୍ର ଏ ଜୀବକୁ ବେଗେ ଯାଇ ମାର

ନୁହଇ ସେ ବୀର ପୁଣି ନୁହେଁ ଅସ୍ତ୍ରଧାରୀ

 

ମାରିବାକୁ ଆସିଅଛି ଗୃହକୁ ଆମ୍ଭରି

ମହାବୁଦ୍ଧିମନ୍ତ ପୁତ୍ର ପ୍ରହଲାଦ ହସି

 

ବୋଲାଇ ହେ ତାତ ଏହି ପ୍ରଭୁ ବ୍ରହ୍ମରାଶି

ଛପନ କୋଟି ଜୀବଙ୍କୁ ସୃଷ୍ଟି କରିଛନ୍ତି

 

ଏହା ଭିନ୍ନ ଆନ ଜୀବ ଗଢ଼ି ସେ ପାରନ୍ତି

ତାହାଙ୍କ ମନର ମୂଳେ ସିନା ଏ ଜଗତ

 

କୋଟି କୋଟି ବ୍ରହ୍ମାଣ୍ତର ନାଥ ସେହି ତାତ

କାଳରୂପୀ ଏହି ହରି କାଳକୁ ମାରଇ

 

କାଳ ମୁଖରୁ ଏ ପୁଣି ଲୋକକୁ ତାରଇ

କାଳର ବଇରୀ ଆମ୍ଭେ ଦେଲେ କି ବର୍ତ୍ତିବା

 

କାଳିମୂଳେ ପଡ଼ି ଆମ୍ଭେ କାହୁଁ ଉତୁରିବ

ଏମନ୍ତେ ପୁତ୍ରର ବାଣୀ ନ ଶୁଣିଲା ଦୈତ୍ୟ

 

ବିଷ୍ଣୁ ମାୟାରେ ଦାନବ ହୋଇଛି ମୋହିତ

ଗଦାଧରି କୋପଭରେ କମ୍ପାଇଲା ମହୀ

 

ଗିରି ପ୍ରାୟ ବିକଶିଲା ଆପଣାର ଦେହୀ

ସିନ୍ଦୁଘୋଷ ପ୍ରାୟ କୋପେ ଗର୍ଜିଲା ଦଇତ

 

ଭୂମି କମ୍ପିଲା କମ୍ପିଲେ ସ୍ୱର୍ଗେ ଦଇବତ

ବିକଟ ବଦନ କରି ବୁଲାଇଲା ଗଦା

 

ଚରଣ ବୁଲାଇ ଶୂନ୍ୟେ ମାରୁଅଛି କୁଦା

ଗଦାର ପବନଘାତେ ଉଡ଼ିଲେ ପର୍ବତ

 

ନୃସିଂହ ଉପରେ କୋପେ ପିଟିଲା ଦଇତ

ଭାଙ୍ଗିଗଲା ଗଦାବର ନୃସିଂହର ଦେହେ

 

ଦୈତ୍ୟରାଜ ଗରଜଇ ବିଷ୍ଣୁ ମାୟା ମୋହେ

ପରିଘ ଏକ ବୁଲାଇ ପିଟିଲାକ ନେଇ

 

ନୃସିଂହ ତାହାକୁ ଫୁଲ ପ୍ରାୟ ଯେ ମଣଇ

ପରିଘ ବିଅର୍ଥ ହେବା ଦେଖି ଦୈତ୍ୟରାଜ

 

ଶୂଳ ଏକ ପ୍ରହାରିଲା କରି ମହାତେଜ

ଶୂଳ ହିଁ ବିଅର୍ଥ ହେଲା ନୃସିଂହ ଶରୀରେ

 

ବେଳୁ ବେଳ କୋପବଢ଼େ ଦାନବ ଦେହରେ

ଶକତି ଏକ ଧାଇଁଲା ଦିଶେ ଦାଉ ଦାଉ

 

ଭୟେ ଆଦିତ୍ୟର ରଥ ନ ଚଳିଲା ଆଉ

ଦେବତାଏ ତାର ତେଜ ନ ପାରିଲେ ସହି

 

ଦାନବ ବଳ ପାଖରେ ନ ପାରିଲା ରହି

ପଳାଇଲେ ଏଣେ ତେଣେ କରି ସିଂହନାଦ

 

କେବଳ ଏକାକେ ରହି ଅଛଇ ପ୍ରହ୍ଲାଦ

ଶକତି ମାଇଲା କୋପେ ଦାନବ ରାଜନ

 

କୋଟି କୋଟି ସୂର୍ଯ୍ୟ କିବା ଉଇଁଲେ ଗଗନ

ନୃସିଂହ ଉପରେ ଯାଇ ପଡ଼ିଲା ଶକତି

 

ମଣିଲେ କୁସୁମ ପ୍ରାୟ ନୃସିଂହ ମୂରତି

ଶକତି ବିଅର୍ଥ ହେବା ଦେଖି ଦୈତ୍ୟବର

 

ନୃସିଂହ ଛାତିରେ କଲା ଚରଣ ପ୍ରହାର

ସନ୍ଧ୍ୟା ସମୟରେ ବୀର ଗୋଇଠା ମାଇଲା

 

ମରଣ ସମୟ ଯହୁଁ ଉପସ୍ଥିତ ହେଲା

ଦଶନଖେ ବିଦାରିଲେ ଦଇତକୁ ହରି

 

ତୋଳି ଧଇଲେ ତାହାକୁ ଛତ୍ରପ୍ରାୟ କରି

ଆକାଶରେ ରଖି ତାର ପ୍ରାଣନେଲା ଶୋଷି

 

ଗିରି ପ୍ରାୟ ବିରାଜଇ ସେହି ମହାଦୋଷୀ

ଜୟ ଜୟ ଶବଦରେ ପୂରିଲା ଗଗନ

 

ସ୍ୱର୍ଗରେ ଉତ୍ସବ କଲେ ସହସ୍ର ଲୋଚନ

ପାରିଜାତ ପୁଷ୍ପବୃଷ୍ଟି କଲେ ଧରଣୀରେ

 

ଗାଇଲେ ଗନ୍ଧର୍ବ ଗୀତ ମଧୁର ସୁସ୍ୱରେ

ଅପସରାଙ୍କର ନୃତ୍ୟ କେ ପାରିବ କହି

 

ନୃସିଂହର ଭୟଙ୍କର ରୂପ ବିରାଜଇ

ଦାନବ ଅଛଇ ନଖେ ମେରୁଗିରି ପ୍ରାୟ

 

ବେଳୁବେଳ ବଢ଼ୁଅଛି ନୃସିଂହର କାୟ

ହିରଣ୍ୟାକ୍ଷ ଦୈତ୍ୟ ଭୟେ ପଳାଇଲେ ଛାଡ଼ି

 

ଅନୁହ୍ଲାଦ ଆଦି ତିନିପୁତ୍ରେ ମୋହେ ପଡ଼ି

ପିତାର ବଇରୀ ଜାଣି କଲେ ଯାଇଁ ରଣ

 

ସଙ୍ଗେ ଅଛନ୍ତି ତାଙ୍କର ଅନୁଚର ଗଣ

ନୃସିଂହ ତେଜରେ ଦଗ୍‌ଧ ହୋଇ ପୁତ୍ରତିନି

 

ଅନୁଚରଣଗଣଙ୍କୁ ସେ ସଙ୍ଗତରେ ଘେନି

ବଡ଼ ବଡ଼ ଦାନବେ ଯେ ପଳାଇଲେ ଡରି

 

ନୃସିଂହ ମୂରତି ଅଛି ତ୍ରିଭୁବନେ ପୂରି

ଦେଖି ମହାଭୟ କଲେ ଇନ୍ଦ୍ରାଦି ଦେବତା

 

ନୃସିଂହଙ୍କୁ ସ୍ତୁତି କଲେ ଆସିଣ ବିଧାତା

ତହିଁରେ ସଉମ୍ୟ ମୂର୍ତ୍ତି ନ ଧଇଲେ ହରି

 

ପ୍ରହ୍ଲାଦ ଦାନବ ବୋଲେ କରଯୋଡ଼ି କରି

ଜୟ ତୁ ଜୟ ତୁ ଦେବ ନୃସିଂହ ମୂରତି

 

ଜୟ ତୁ ଜୟ ତୁ ଦେବ ଲକ୍ଷ୍ମୀଦେବୀ ପତି

ଜୟ ତୁ ଜୟ ତୁ ଦେବ କପିଳ ନୃସିଂହ

 

ଜୟ ତୁ ଜୟ ତୁ ଦେବ ଅଭୟ ନୃସିଂହ

ତୋହର ମହିମା ତୁହି ଜାଣୁ ଏକା ହରି

 

ନ ଜାଣନ୍ତି ହରବ୍ରହ୍ମା ମହିମା ତୋହରି

କେତେବେଳେ କେଉଁରୂପ ଧରୁ ଜନାର୍ଦ୍ଦନ

 

ତୋର ରୂପ ବର୍ଣ୍ଣିବାକୁ କେ ହେବ ଭାଜନ

ସପତ ସମୁଦ୍ର ଶୁଣ ସପତ ପାତାଳ

 

ସପତ ଦ୍ୱୀପ ଅନିଳ ଅନଳ ହିଁ ଜଳ

ସକଳ ତୋର ମୂରତି ଦେଖୁଛି ନୟନେ

 

ପ୍ରାଣୀ ରୂପରେ ରହିଛୁ ଏ ତିନି ଭୁବନେ

ତୋର କର ଚରଣ ଯେ କେତେରୂପେ ଅଛି

 

କେମନ୍ତେ ବର୍ଣ୍ଣିବି ତାହା କହ ଶିରୀବତ୍ସି

ଦୁରାତ୍ମା ଦନୁଜ ବୁଦ୍ଧି ଧରି ମୋର ପିତା

 

ନ ଚିହ୍ନିଲା ତୋତେ ପୁଣି ନ କଲା ମୋ କଥା

ଏମନ୍ତେ ଅନେକ ସ୍ତୁତି କଲା ସେ ପ୍ରହ୍ଲାଦ

 

ଭୂମିରେ ଗଡ଼ିଲା ଧରି ଶ୍ରୀ ନୃସିଂହ ପାଦ

ଶାନ୍ତମୂତ୍ତି ଧରି ହରି ବୋଇଲେ ରେ ପୁତ୍ର

 

ଦାନବ କୁଳରେ ତୁହି ଅଟୁରେ ପବିତ୍ର

ପ୍ରସନ୍ନ ହୋଇଲି ବାବୁ ବର ମାଗ ତୁହି

 

ତୋହର ପିତାକୁ ଦେଇ ନ ପାରଇ ମୁହିଁ

ପ୍ରହ୍ଲାଦ ବୋଇଲା ପ୍ରଭୋ ଦେବେ ଯେବେ ବର

 

ମୋହର ଭକତି ରହୁ ପୟରେ ତୋହର

ଆବର କଥାଏ ସ୍ୱାମୀ ମାଗୁଅଛି ତୋତେ

 

ମୋହର ପିତା ସୁଗତି ଲଭଇ ଯେମନ୍ତେ

ଶ୍ରୀହରି ବୋଇଲେ ସେହି ହୋଇବ ମୁକତ

 

ଏ ଜନମ ନୋହେ ବାବୁ କହିଲି ମୁଁ ସତ

ମୋହର ସେ ଦ୍ୱାରପାଳ ଭକତ ଅଟଇ

 

ଋଷି ଶାପେ ସିନା ସେହି ଦାନବ ହୁଅଇ

ପାପରୁ ମୁକତ ହେଲେ ପାଇବ ସୁଗତି

 

ତୋହର ସର୍ବଦା ଥିବ ମୋ ପାଦେ ଭକତି

ଏହାକହି ନରସିଂହ ହେଲେ ଅନ୍ତର୍ଦ୍ଧାନ

 

ପିତାର ଶବକୁ ନେଇ ପ୍ରହ୍ଲାଦ ଶ୍ମଶାନ

ଦଗ୍‌ଧକରି ବିଧିମତେ କ୍ରିୟା କର୍ମ କଲା

 

ଦୀନ ଗୋପୀନାଥ ହରି ନାମକୁ ଗାଇଲା

ସେହି ହରିନାମ ଅଟେ ସଂସାରରେ ସାର

 

ପଢ଼ି ଶୁଣି ପାର ହୁଅ ଭବ ପାରାବାର

 

ଦୈତ୍ୟ ବଂଶାନୁଚରିତ ଓ ହିରଣାକ୍ଷ ବଧ

 

କହନ୍ତି ସେ ସୁତମୁନି ଶୁଣ ମୁନିବରେ

 

ପ୍ରହ୍ଲାଦକୁ ହିରଣାକ୍ଷ ବୋଇଲା ସଧୀରେ

ତୋର ବାପ ରାଜା ହୋଇ ପାଳୁଥିଲା ମହୀ

 

ରାଜା ହୁଅ ବାବୁ ତାର ବଡ଼ପୁଅ ତୁହି

ସର୍ବଗୁଣେ ପରିପୂର୍ଣ୍ଣ ଅଟୁରେ କୁମର

 

ଶାସ୍ତ୍ର ଅନୁସାରେ ତୁହି ହୁଅ ନୃପବର

ପ୍ରହ୍ଲାଦ ବୋଇଲା ତାତ କହୁଛ ଅନୀତି

 

ପିତା ଥାଉଁ ପୁତ୍ର କାହିଁ ହୋଇଛି ନୃପତି

ତୁ ମୋହର ଖୁଡ଼ୁତା ମୁଁ ତୋହର ପୁତୁରା

 

ତୁହି ରାଜା ହେଲେ ଶୋଭା ପାଇବ ନା ଧରା

ଏହା କହି ଅଭିଷେକ କରାଇଲା ଶିରେ

 

ହିରଣାକ୍ଷ ରାଜା ହେଲା ପ୍ରହ୍ଲାଦ ବାକ୍ୟରେ

ଭାଇ ଗୁଣ ସୁମରଇ ବସି ଦିବାରାତି

 

ଗୁଣବନ୍ତ ଭାଇକି ମୋ ମାଇଲା ଶ୍ରୀପତି

କେମନ୍ତେ ତାହାକୁ ମୁହିଁ କରିବି ସଂହାର

 

ଏମନ୍ତେ ବିଚାରି ସେହି ଦାନବ ଈଶ୍ୱର

କଇଳାସ ପରବତେ କଲା ବସି ତପ

 

ଶିବ ପଞ୍ଚାକ୍ଷର ମନ୍ତ୍ରେ କଲା ଲୟେ ଜପ

ଲକ୍ଷେକ ଆହୁତି ଦେଲା ସେ ମନ୍ତ୍ରକୁ ପଢ଼ି

 

ବସିଲାକ ଦୃଢ଼େ ଯୋଗ ଆସନକୁ ମାଡ଼ି

ଦଶଦ୍ୱାର ରୁନ୍ଧି ଧୀରେ ସାଧିଲା ପବନ

 

ସହିଲା ବରଷା ଖରା ଶୀତ ରାତିଦିନ

ଏମନ୍ତେ ଯେ ବହିଗଲା ସହସ୍ରେ ବରଷ

 

ଶିବ ବିଜେକଲେ ଧରି ଦିଗମ୍ବର ବେଶ

ବୋଇଲା ଅସୁରରାଜା କିମ୍ପା କରୁ ତପ

 

ପ୍ରସନ୍ନ ହୋଇଲୁଁ ବର ମାଗୁ କି ନା ନୃପ

ହିରଣାକ୍ଷ ବୋଇଲା କି ଦେବୁ ଯେବେ ବର

 

ତୋହର ପ୍ରସାଦେ ହେଉ ପୁତ୍ରେକ ମୋହର

ବଳବନ୍ତ ପଣେ ତାକୁ ନୋହିବ କେ ସରି

 

ସମରେ ତାହାକୁ କେଭେ ନ ପାରିବେ ହରି

ଅସ୍ତ୍ର ଶସ୍ତ୍ର ବ୍ୟର୍ଥ ହେବ ତାହାର ଶରୀରେ

 

ବଜ୍ରଧାରୀ ନ ପାରିବ ତାହାକୁ ସମରେ

ଅନିଳ ଅନଳ ଜଳ ଦେବତା ସହିତେ

 

ଜିଣି ନ ପାରିବେ ରଣ କରି ତା ସଙ୍ଗତେ

ତିନିପୁରେ ଯେତେ ଜୀବ ଅଛନ୍ତି ଆବର

 

ସମସ୍ତେ ହାରିବେ କଲେ ତା ସଙ୍ଗେ ସମର

ଏକା ତୋତେ ରଣେ ଜିଣି ନ ପାରିବେ ସେହି

 

ତୁମ୍ଭେ ଯେ ଭକତ ତୋର ଆମ୍ଭ ପ୍ରଭୁ ତୁହି

ପାର୍ବତୀଦେବୀ ଆମ୍ଭର ଅଟଇ ଜନନୀ

 

ତାହାକୁ ଯେବେ ବାଞ୍ଚ୍ଥିବ ଯିବ ସଂଯମନୀ

ଏହି ବର ମାଗୁଅଛି ଦିଅ ପ୍ରଭୁ ହର

 

ଅସ୍ତୁ କହି ମହାଦେବ ହୋଇଲେ ଅନ୍ତର

ଏଥୁ ଅନନ୍ତରେ ସେହି ଦାନବ ରାଜନ

 

ବର ପାଇ ଆନନ୍ଦରେ ଅଇଲା ଭୁବନ

ହର ବରେ ପୁତ୍ର ଏକ ହୋଇଲା ତାହାର

 

ଅନ୍ଧକ ତା ନାମ ଦେଲା ଦାନବ ଈଶ୍ୱର

ତାହାକୁ ସେ ନ ମାନିଲା ବଳବନ୍ତ ପଣେ

 

ହିରଣାକ୍ଷ ନାମ ଶୁଣି ଭୟେ ଋଷିଗଣ

ତପୋବନ ଛାଡ଼ି ସବୁଗଲେକ ପଳାଇ

 

ଯାଗଯଜ୍ଞ ଭାଙ୍ଗିଲା ସେ ଦାନବ ପଠାଇ

ଦେଶେଦେଶେ ଗ୍ରାମେ ଗ୍ରାମେ ବୁଲିତାରଚାର

 

ଘରେ ଘରେ ବଳେ ପଶି କଲେ ଅତ୍ୟାଚାର

ସୁନ୍ଦରୀ ସ୍ତିରୀ ଦେଖିଲେ ହରିଲେ ତାହାକୁ

 

ତିନିପୁରେ ନ ମାନିଲେ ଦାନବେ ତାହାକୁ

ଅମରପୁରକୁ ଥାଟ ବାହିଲା ଦଇତ

 

ଭୟେ ସ୍ୱର୍ଗପୁର ଛାଡ଼ି ଗଲେ ଦଇବତ

ଇନ୍ଦ୍ର ଯମ କୁବେର ହିଁ ପଳାଇଲେ ଡରେ

 

ଅମରାବତୀ ପୁରରେ ପଶିଲେ ଅସୁରେ

ଅପସରାମାନଙ୍କୁ ସେ ବଳେ ନେଲେ ଧରି

 

ଦେବ ଭଣ୍ତାରୁ ରତନମାନ ଜୂରକରି

ଦେବାଙ୍ଗ ବସନମାନ ପିନ୍ଧିଲେ ଦଇତେ

 

ଘୋର ଅତ୍ୟାଚର କଲେ ଅସୁରେ ଜଗତେ

ବେଳୁବେଳ ପ୍ରବଳ ଯେ ହେଲେ ନିଶାଚରେ

 

ତିନିଭୁବନର ଲୋକେ ରହିଲେ କାତରେ

ସମସ୍ତେ ବୋଇଲେ ଭୟେ ରଖ ଦଇତାରି

 

ଦୁଷ୍ଟ ଦାନବେ ହୋଇଲେ ବଡ଼ ଅତ୍ୟାଚାରୀ

ଏମନ୍ତେ ତିନିଭୁବନେ ପଡ଼ଇ କାତର

 

ମହା ପ୍ରତାପୀ ହୋଇଲା ହିରଣ୍ୟ ଅସୁର

ପୃଥିବୀକି ବାନ୍ଧିନେଇ ରଖିଲା ପାତାଳେ

 

ଦୈତ୍ୟ ଭୟେ ଇନ୍ଦ୍ର ଆଦି ଦଶଦିଗପାଳେ

ଲୁଚି ରହିଥିଲେ ମେରୁ ପରବତେ ଯାଇଁ

 

ସୁରରାଜ ବୋଇଲେ ଯେ ବ୍ରହ୍ମାଙ୍କୁ ଅନାଇଁ

କେତେକାଳ ଏହିରୂପେ ଯିବ ଆମ୍ଭ ଦିନ

 

କେମନ୍ତେ ମରିବ ସେହି ଦାନବ ରାଜନ

ବ୍ରହ୍ମା ବୋଇଲେ ଯେ ଏହି କଳପର ଅନ୍ତେ

 

ମରିବ ଦାନବରାଜ ଶ୍ରୀବିଷ୍ଣୁର ହସ୍ତେ

ନିକଟ ହେଲାଣି ଆସି ତାହାର ମରଣ

 

ଏହି ମେରୁପୃଷ୍ଠ ଯଜ୍ଞ କର ଦେବଗଣ

ଯଜ୍ଞରେ ବିଷ୍ଣୁଙ୍କୁ ଥାପି କର ଆରାଧନା

 

ମରିବ ଦାନବ କିଛି ନ କର ଭାବନା

ଇନ୍ଦ୍ର ଆଦି ଦେବତାଏ କଲେ ମିଳି ଯାଗ

 

କେବଳ ଯଜ୍ଞେ ବିଷ୍ଣୁଙ୍କୁ ଦେଲେ ହବିର୍ଭାଗ

ଏମନ୍ତ ବରଷ ଯାଏ ଯାଗ କଲେ ବସି

 

ବିଷ୍ଣୁ ମନ୍ତ୍ରକୁ ଜପଇ କେହି ମହାଋଷି

କେହି ଶ୍ରୀବିଷ୍ଣୁ ପ୍ରତିମା ଥାପି ପୂଜା କରେ

 

କେହି ଗୋବିନ୍ଦ ମୁରାରି ନିରତେ ଉଚ୍ଚାରେ

କେହି କେହି ବିଷ୍ଣୁସ୍ତବ ପଢୁଥାନ୍ତି ବସି

 

କେହି ବୋଲନ୍ତି ଆମ୍ଭଙ୍କୁ ରଖ ବ୍ରହ୍ମରାଶି

କେହି ବୋଲନ୍ତି ପୃଥିବୀ ଦେବକୀ ଉଦ୍ଧାର

 

ଏମନ୍ତେ ଯେ ଋଷିମୁନି ହୋଇଣ କାତର

ଏକମୁଖେ ଶ୍ରୀହରିଙ୍କି ଡାକନ୍ତେ ନିରତେ

 

ଆତଙ୍କ ନାଶନ ହରି ଜଗତର ହିତେ

ବରାହ ମୂରତି ଧରି ଯଜ୍ଞେ ବେଲେ ଜାତ

 

ଶରୀର ଶ୍ୱେତ ନୟନ ଅଟଇ ଲୋହିତ

କରାଳ ବଦନ ଅତି ବିକଟ ଦଶନ

 

ପ୍ରଳୟ ସିନ୍ଧୁର ପ୍ରାୟ କରଇ ଗର୍ଜନ

ତେଜକୁ ଯେ କୋଟ ସୂର୍ଯ୍ୟ ନୋହିବେକ ସରି

 

ଯଜ୍ଞ ଅନଳ ମଧ୍ୟରୁ ବେଦ ଅବତରି

ଇନ୍ଦ୍ର ଆଦି ଦେବେ ଦେଖି ସେ ବରାହ ରୂପ

 

କରଯୋଡ଼ି ସ୍ତୁତିକଲେ ତେଜି ଜପ ତପ

କେ ବୋଲଇ ରଖ ହରି ଦାନବର ମୁଖୁଁ

 

କେ ବୋଲଇ ନିସ୍ତରିଲୁ ଆମ୍ଭେ ଏହି ଦୁଃଖୁଁ

କେ ବୋଲେ ଯଜ୍ଞବରାହ ପୃଥିବୀ ଉଦ୍ଧାର

 

ଏମନ୍ତେ ଯେ ସ୍ତୁତି କଲେ ଅନେକ ପ୍ରକାର

ଚାହୁଁ ଚାହୁଁ ଭୟଙ୍କର ରୂପକୁ ଧଇଲେ

 

କ୍ଷଣକ ମଧ୍ୟରେ ଦେବ ଆକାଶ ଘୋଟିଲେ

ପାତାଳପୁରେ ସେ ଯାଇଁ ହୋଇଲେ ପ୍ରବେଶ

 

ପୃଥିବୀ ଦେବୀକି ସେହି କରିଅଛି ଗ୍ରାସ

ପ୍ରତାପୀ ଦାନବ ଦେବ ଦେଇଛି ବୁଡ଼ାଇ

 

ଆପେ ପାତାଳେ ରଖିଛି ପୁରେକ ଭିଆଇ

ପୃଥିବୀକି ଜଳମଗ୍ନ ଦେଖି ସେ ବରାହ

 

ପର୍ବତ ତୁଲ୍ୟ ବଢ଼ାଇ ଆପଣାର ଦେହ

ବଦନ ବିସ୍ତାର କରି ବଢ଼ାଇଲେ ଦାନ୍ତ

 

କେତେ ଯେ ବଢ଼ିଲା ତାର କେ ପାଇବ ଅନ୍ତ

ଜଳର ଭିତର ଗଲା ବାରାଦାନ୍ତ ଗଳି

 

ବୁଢ଼ିଥିବା ପୃଥିବୀକୁ ଧଇଲାକ ତୋଳି

ଦନ୍ତ ଅଗ୍ରେ ପଙ୍କ ଲାଗି ଆସଇ ଯେସନ

 

ବାରାଦାନ୍ତ ଅଗ୍ରେ ପୃଥ୍ୱୀ ଲାଗିଛି ତେସନ

ଜଳୁ ଉଦ୍ଧାରି ପୃଥ୍ୱୀକି ଥୋଇଲେକ ନେଇ

 

ପୂର୍ବପରି ଗିରି ଲତା ବୃକ୍ଷ ବିରାଜଇ

ନଦ ନଦୀ ସରୋବର କୂପ ବାମ୍ଫୀ ଯେତେ

 

ରହିଅଛି ସବୁ କ୍ଷୟ ନୋଇଛି କିଞ୍ଚିତେ

ଚାର ଯାଇଁ ଜଣାଇଲା ହିରଣାକ୍ଷ ଆଗେ

 

ପୃଥିବୀ ଉଦ୍ଧାର କଲା ହରି ଦନ୍ତଅଗ୍ରେ

ବରାହ ରୂପକୁ ଧରି ତୋଳିଲା ଧରଣୀ

 

ଶୁଣି ମହା କୋପକଲା ଦୈତ୍ୟ ଚୂଡ଼ାମଣି

ଗଦା ଏକ ଧରି କରେ ଧାଇଁଲାକ ରୋଷେ

 

ତାର ପଛେ ପଛେ ଗଲେ ସକଳ ରାକ୍ଷସେ

କାଳ ଗ୍ରାସିବାରୁ ତାକୁ ହୋଇଛି ଯେ ମତ୍ତ

 

ନ ମାନଇ ଗିରି ଗୁହା ବୃକ୍ଷ କି ପର୍ବତ

ସବୁ ଏଡ଼ି ଦେଇ କ୍ରୋଧେ ଧାମଇ ଦାନବ

 

ପାତାଳେ ରହି ଅଛନ୍ତି ଯହିଁ ଆଦିଦେବ

ମିଳିଲା ସେଠାରେ ଯାଇଁ ହିରଣାକ୍ଷ ବୀର

 

ଦେଖିଲା ଯଜ୍ଞ ବରାହ ରୂପୀ ଚକ୍ରଧର

ଗଦାକୁ ବୁଲାଇ କୋପେ ମାଇଲା ନିଠାଇ

 

ଭାଙ୍ଗିଗଲା ଗଦାବର ଦୁଇଖଣ୍ତ ହୋଇ

ବରାହର ପୃଷ୍ଠେ ଯହୁଁ ଗଦା ହେଲା ବ୍ୟର୍ଥ

 

କ୍ରୋଧେ ବରାହ ପୁଚ୍ଛକୁ ଧଇଲା ଦଇତ

ପୁଚ୍ଛ ଚାଳନ୍ତେ ଦଇତ ପଡ଼ିଲା ଭୂତଳେ

 

ବରାହ ଦାନ୍ତ ମାଇଲେ ତାର ଉର ସ୍ଥଳେ

ଛାତି ଫୁଟି ପିଠି ବାଟେ ବାହାରିଲା ଦାନ୍ତ

 

ଗର୍ଜନ କରି ଜୀବନ ହାରିଲା ଦଇତ

ସନ୍ଧ୍ୟାବେଳେ ଦଇତକୁ ମାଇଲେକ ହରି

 

ଜୟ ଜୟ ନାଦେ ପୂର୍ଣ୍ଣ ହେଲା ତିନିପୁରୀ

ବିକାଶିଲେ ଭୟଙ୍କର ରୂପ ସେ ବରାହ

 

ଏକଦନ୍ତେ ଫୁଟିଅଛି ଦାନବର ଦେହ

ଏକଦନ୍ତ ଅଗ୍ରେ ଲାଗି ରହିଛି ଧରଣୀ

 

ସେକାଳେ ସେ ରୂପକୁ କେ ଅନାଇବ ପୁଣି

ଯେହୁ ଚାହିଁବ ସେ ଯିବ ଯମ ନିକେତନ

 

ଦାନବ ସଇନି ହେଲେ ଭୟେ ଛନଛନ

ପଳାଇ ଯାଇଁ ପାତାଳେ ଜଳେକ ଲୁଚିଲେ

 

ପ୍ରହଲାଦକୁ ସମସ୍ତେ ଛାଡ଼ି ପଳାଇଲେ

ଏକମାତ୍ର ପ୍ରହଲାଦ ଅଛି ବୀରବେଶେ

 

ଆଉ କେହି ନାହାନ୍ତିସେ ବରାହର ପାଶେ

ବ୍ରହ୍ମା ଆସି ପହୁଞ୍ଚିଲେ ଦେବଗଣ ଘେନି

 

ସ୍ତୁତିକଲେ ଚାରିମୁଖେ ଦେବ ପଦ୍ମଯୋନି

ଜୟ ତୁ ଜୟ ତୁ ଯଜ୍ଞ ବରାହ ମୂରତି

 

ଜୟ ତୁ ଜୟ ତୁ ଦେବ କମଳାର ପତି

ଜୟ ତୁ ଜୟ ତୁ ଦେବ ଶ୍ରୀ ନୃସିଂହରୂପୀ

 

ଜୟ ତୁ ଜୟ ତୁ ଦେବ ଦେବ ବିଶ୍ୱବ୍ୟାପୀ

ହିରଣ୍ୟକଶିପୁ ମାରି ଦେଖିଲୁ ଅମର

 

ଏବେ ଏ ବରାହ ରୂପେ ଦେବ ଚକ୍ରଧର

ହିରଣାକ୍ଷ ଦାନବକୁ ଦନ୍ତେ ଦେଲୁ ଚିରି

 

ଦନ୍ତଅଗ୍ରେ ପୃଥିବୀକୁ ଆଣିଲୁ ଉଦ୍ଧାରି

ଏମନ୍ତେ ବହୁତ ସ୍ତୁତି କଲେ ବେଦବର

 

ପ୍ରସନ୍ନ ହୋଇ ବୋଇଲେ ଦେବ ଚକ୍ରଧର

ପୃଥ୍ୱୀବି ରଖିବି କାହିଁ କହ ପ୍ରଜାପତି

 

ବ୍ରହ୍ମା ବୋଇଲେ ହେ ଯଜ୍ଞ ବରାହ ମୂରତି

ଯହିଁ ଥିଲା ତହିଁ ରଖ ପୃଥିବୀକି ନେଇ

 

ଶ୍ୱେତ ବରାହ କଳପ ଆଜିଠାରୁ ହୋଇ

ବ୍ରହ୍ମାର ମୁଖୁ ଶୁଣିଣ ହିରଣ୍ୟ ବଇରୀ

 

ପୃଥ୍ୱୀବିକି ଥୋଇଲେ ଥିଲା ପୂର୍ବେ ଯେଉଁପରି

ଦନ୍ତେ ଫୋଡ଼ା ହୋଇଅଛି ହିରଣ୍ୟ ଦଇବ

 

ପ୍ରହ୍ଲାଦ ସ୍ତୁତି କରଇ ଯୋଡ଼ି ବେନିହସ୍ତ

ନୃସିଂହ ରୂପେ ମାଇଲୁ ପିତାକୁ ମୋହର

 

ବରାହ ରୂପେ ପୃଥିବୀ କଲୁ ତୁ ଉଦ୍ଧାର

ଖୁଡ଼ୁତାକୁ ମାଇଲୁ ତୁ ଦେବ ଦନ୍ତେ ଧରି

 

କେତେବେଳେ ଚତୁର୍ଭୁଜ ହେଉ ଚକ୍ରଧାରୀ

ତୋହର ଅଶେଷ ରୂପ ତୁ ଅନାଦି ଦେବ

 

କଳପେ କଳପେ ତୋର ଅନନ୍ତ ପ୍ରଭାବ

ବ୍ରହ୍ମା ଶିବ ନ ଜାଣନ୍ତି ମହିମା ତୋହର

 

ମୁଁ କାହୁଁ ଜିଣିବି ପୁଣି ଅଧମ ପାମର

ଦଇତକୁଳେ ଜନମ ମୋର ଦୁଷ୍ଟମତି

 

ହେ ଦେବ ତୋର ଚରଣେ ଶରଣ ମୁଁ ନିତି

ଏମନ୍ତେ ପ୍ରହ୍ଲାଦ ସ୍ତୁତି ଶୁଣି ଚକ୍ରଧର

 

ବୋଇଲେ ତୁ ରାଜା ହୁଅ ପ୍ରହ୍ଲାଦ କୁମର

ଏହା କହି ଅନ୍ତର୍ଦ୍ଧାନ ବରାହ ମୂରତି

 

ଶବକୁ ସଂସ୍କାର କରି ସେହି ମହାମତି

ନୃପତି ହୋଇ ପାଳିଲା ପୃଥିବୀ ପ୍ରହ୍ଲାଦ

 

ଜ୍ଞାନମାର୍ଗେ କଲା ଦୈତ୍ୟମାନଙ୍କୁ ପ୍ରବୋଧ

ବୋଇଲା ଅଧର୍ମ ଛାଡ଼ି ଧର୍ମେ ଦିଅ ମନ

 

ଧର୍ମ କଲେ ଚିର ହେବ ସିନା ଏ ଜୀବନ

ଜୀବଥିଲେ ସିନା ସୁଖ ଭୋଗେ ଯିବ କାଳ

 

ଧାର୍ମିକ ଲୋକକୁ ଯମ ନ କରେ କଟାଳ

ଅସୁର ବୁଦ୍ଧିକି ଛାଡ଼ି ମୁଖେ ବୋଲ ହରି

 

ଦୀନ ଗୋପୀନାଥ ବୋଲେ ଭବୁ ଯିବ ତରି

 

Unknown

ବିଷ୍ଣୁ ସହିତ ପ୍ରହଲାଦର ଯୁଦ୍ଧ

 

ଶୁଣୁଛନ୍ତି ମୁନିମାନେ କହୁଛନ୍ତି ସୁତ

 

ଧର୍ମେ ପୃଥିବୀ ପାଳିଲା ପ୍ରହ୍ଲାଦ ଦଇତ

ତାହାର ରାଜ୍ୟେ ଯେଜେକ ଅସୁର ଅସୁରୀ

 

ସମସ୍ତେ ମୁଖେ ବୋଲନ୍ତି ଦିବା ରାତି ହରି

ହରିର ଭକତ ଯହୁଁ ହୋଇଲେ ଦାନବେ

 

ମହାତେଜୋବନ୍ତ ହେଲେ ଶ୍ରୀବିଷ୍ଣୁ ପ୍ରଭାବେ

ବଳବନ୍ତ ଧନବନ୍ତ ହୋଇଲେ ସେ ପୁଣି

 

ଯାଗ ଯଜ୍ଞ କଲେ ଶସ୍ୟ ଫଳିଲା ଧରଣୀ

ସର୍ବଦା ଆଚାରବନ୍ତ ହୋଇଲେ ଦାନବେ

 

ଆଚାରୁ ଧର୍ମ ଉଦିତ ହେଲା ଠାବେ ଠାବେ

ଧର୍ମ ଆଶ୍ରା କରିବାରୁ ସ୍ୱଇଚ୍ଛାରେ ସତ

 

ରହିବାରୁ ସେ ଦାନବ ହେଲେ ସତ୍ୟବନ୍ତ

ସତ୍ୟ ରହିବାରୁ ଆସି ଆପଣା ଇଚ୍ଛାରେ

 

ଦୟା ଆସି ଆଶ୍ରେ କଲା ଦୈତ୍ୟଙ୍କ ଚିତ୍ତରେ

ଦୟା ରହିବାରୁ ମାୟା ଛାଡ଼ି ପଳାଇଲା

 

ମାୟା ଛାଡ଼ି ଯିବାରୁ ଯେ ଅହିଂସା ଅଇଲା

ଅହିଂସାକୁ ଦେଖି ହିଂସା ପଳାଇଲା ଡରେ

 

କ୍ଷମା ଆପଣା ଇଚ୍ଛାରେ ମିଳିଲା ସେ ପୁରେ

କ୍ଷମା ରହିବାରୁ ଲକ୍ଷ୍ମୀ ଆପେ ଆପେ ଆସି

 

ସଭାମଧ୍ୟେ ସେ ପ୍ରହ୍ଲାଦ ବୀର ଅଛି ବସି

ମିଳିଲେ ତହିଁ ଜଗତ ଜନ ଠାକୁରାଣୀ

 

ରୂପ ସଙ୍ଗରେ ଉପମା ଦେବ କେହୁ ପୁଣି

ଦେଖି ସେ ଅପୂର୍ବ ରୂପ ବୋଇଲା ପ୍ରହ୍ଲାଦ

 

ପ୍ରଫୁଲ୍ଲ ହୁଏ ତୁମ୍ଭଙ୍କୁ ଦେଖି ମୋର ହୃଦ

କିଏ ତୁମ୍ଭେ କେଉଁ ଠାରୁ ଆସିଛ କାହିଁକି

 

ହିମବନ୍ତର ଦୁହିତା ପାର୍ବତୀ ହେବ କି

କିବା ସିନ୍ଧୁରାଜ କନ୍ୟା ଜଗତ ମୋହିନୀ

 

କପଟ ନ କରି ସତ କହିବ ଜନନୀ

ଲକ୍ଷ୍ମୀ ବୋଇଲେ ମୋହର ନାମ ରାଜଲକ୍ଷ୍ମୀ

 

ତୋହର ପୁରେ ରହିବି ଆହୋଦୈତ୍ୟ ସ୍ୱାମୀ

ପ୍ରହ୍ଲାଦ ବୋଇଲା କିମ୍ପା ରହିବ ମୋ ପୁରେ

 

ମୁହିଁକି ଭାଜନ ମାତା ତୋତେ ରଖିପାରେ

ଲକ୍ଷ୍ମୀ ବୋଇଲେକ ଠାବ ମିଳୁ ନାହିଁମୋତେ

 

ସତ୍ୟ ଧର୍ମ ଦୟା କ୍ଷମା ଆସି ଏ ସମସ୍ତେ

ତୋର ପୁରେ ରହିଲେଣି ମୁଁ ରହିବି କାହିଁ

 

ତୋପୁର ବିନା ମୋହର ବାସ ଆଉ ନାହିଁ

ପ୍ରହ୍ଲାଦ ଏମନ୍ତ ଶୁଣି ପଡ଼ିଲା ଚରଣେ

 

ଗନ୍ଧ ପୁଷ୍ପେ ପୂଜିକରି ରଖିଲା ଭବନେ

ଲକ୍ଷ୍ମୀବନ୍ତ ହୋଇବାରୁ ତାର ପୁରଜନ

 

ବଇଷ୍ମବୀ ଶକ୍ତିବଳେ ହୋଇଲେ ପ୍ରଧାନ

ଦେବତାଙ୍କଠାରୁ ହେଲେ ମହା ବଳବନ୍ତ

 

ଆପଣା ଇଚ୍ଛାରେ ଲୋକେ ହୋଇଲେ ଆୟତ

ମୁନିମାନେ ଯଜ୍ଞଭାଗ ଦେଲେ ତାଙ୍କୁ ଡାକି

 

ଯମ ଦେବତା ଯେ ପଶି ନ ପାରେ ତହିଁକି

ରୋଗ ଶୋକବ୍ୟାଧି ନାହିଁ ତାହାର ରାଜ୍ୟରେ

 

ଦେବତାମାନେ ଯେ ହିଂସା ବହିଲେ ମନରେ

କି ବୁଦ୍ଧି କରିବା ଆମ୍ଭେ କେମନ୍ତେ ବଞ୍ଚିବା

 

ଦାନବେ ତ ଭାଗନେଲେ କରି ହରିସେବା

ଅମରାବତୀ ସଭାରେ ପଡ଼ିଲା ଚହଳ

 

ଦଇବୀ ମାୟା ବିସ୍ତାର କଲେ ଆଖଣ୍ତଳ

ତପୀ ଗୋଟିଏ ପଠାଇ ଦେଲେ ଦୈତ୍ୟପୁରେ

 

ପ୍ରହଲାଦ ବୀର ବସି ଅଛି ଆସ୍ଥାନରେ

ଥିବାରୁ ସେବେଳେ ରାଜ କାର୍ଯ୍ୟେ ଅସକତ

 

ବିପ୍ରେ ପୂଜି ନ ପାରିଲା ବିଷ୍ଣୁର ଭକତ

ବିପ୍ର ଅନାଦରେ ଦୋଷ ହୋଇଲା ତାହାର

 

କୋପଭରେ ଶାପଦେଲେ ସେହି ତପୀବର

ଯେଉଁ ଭକତି ପ୍ରଭାବେ ନ ଚିହ୍ନିଲୁ ମୋତେ

 

ଯାହାର ବଳେ ପୂଜିତ ହୋଇଛୁ ଜଗତେ

ସେହି ବଇଷ୍ଣବୀ ଶକ୍ତି ପାଇ ଯାଉ ଲୋପ

 

ଅନ୍ତର ହୋଇଲେ ମୁନି ଦେଇ ଏହି ଶାପ

ବିପ୍ର ଶାପକୁ ପ୍ରହ୍ଲାଦ ନ ପାରିଲା ଖଣ୍ତି

 

ଧର୍ମରେ ସିନା ସେ ରାଜ୍ୟ ଗୋଟା ଥିଲା ମଣ୍ତି

ଧର୍ମକୁ ଛାଡ଼ି ଅଧର୍ମେ ବଳିଲା ତା ଚିତ୍ତ

 

ପୁଣି ଅସୁର ଭାବକୁ ବହିଲା ଦଇତ

ଦାନବ ମାନଙ୍କୁ ଡାକି ବୋଇଲା ସଭାରେ

 

ଆମ୍ଭର ବଇରୀ ସିନା ଅଟନ୍ତି ଅମରେ

ତାହାଙ୍କୁ ଜିଣି ତାହାଙ୍କ ପୁର ଆମ୍ଭେ ନେବା

 

ଥାଟ ସାଜ ଆମ୍ଭେ ସ୍ୱର୍ଗ ଭୁବନକୁ ଯିବା

ସାଜିଲେକ ରଥ ଗଜ ପ୍ରଚଣ୍ତ ଦାନବେ

 

ପୃଥିବୀକି କମ୍ପାଇଲେ ଦୈତ୍ୟ ମୁଖରାବେ

ଚାଲ ଚାଲ ମାର ମାର ଧର ଧର ବାଣୀ

 

ଶୁଣି ଅକାଳେ ଚମକ ପଡ଼ିଲା ଧରଣୀ

ଅସୁରଙ୍କ ସିଂହ ନାଦ ମେଘନାଦ ଜିଣି

 

ବୀରବାଦ୍ୟ କି ତାଙ୍କର ସିନ୍ଧୁ ଘୋଷ ଜିଣି

ବାସବ ଆଗେ କହିଲେ ଦେବଦୂତ ଯାଇଁ

 

ଯୁଝିବା ପାଇଁ ସ୍ୱର୍ଗକୁ ପ୍ରହ୍ଲାଦ ଆସଇ

ଶୁଣି ପୁରନ୍ଦର କୋପେ ସାଜିଲା ସଇନ୍ୟ

 

ଯମ କୁବେର ବରୁଣ ଅନଳ ପବନ

ଗ୍ରହଗଣ ତାରାଗଣ ମିଳିଲେ ସମସ୍ତେ

 

ସମରକଲେ ଦାନବ ରାଜନ ସଙ୍ଗତେ

ହିରଣାକ୍ଷର ନନ୍ଦନ ଅନ୍ଧକ ଅସୁର

 

ହର ବରେ ବଳବନ୍ତ ହେବାରୁ ସେ ବୀର

ଯମ ସୋମ ବାସବକୁ ଜିଣିଲା ସେ ରଣେ

 

ଭୟେ ଭାଙ୍ଗି ପଳାଇଲେ ତହୁଁ ଦେବଗଣେ

ଦେବତାଙ୍କୁ ଜିଣିବାରୁ ମହାଗର୍ବୀ ହେଲେ

 

ଯାଗ ନାଶି ମୁନି ବିପ୍ର ଗୋରୁ ହତ୍ୟା କଲେ

ଧର୍ମ କର୍ମ ଛାଡ଼ିଦେଲେ ଅଧର୍ମରେ ମତି

 

ଦିନେ ଯେ ସେହି ପ୍ରହ୍ଲାଦ କଶ୍ୟପର ନାତି

ମୃଗୟା ନିମନ୍ତେ ଗଲା ନଇମିଷ ବନେ

 

ନର ନାରାୟଣଙ୍କୁ ସେ ଦେଖିଲା ନୟନେ

ମୁନି ବେଶ ଧରି ତହିଁ କରୁଛନ୍ତି ତପ

 

ପାଶେ ଧନୁଶର ଅଛି ଦେଖିଣ ସେ ନୃପ

ବୋଇଲା ତପସ୍ୱୀ ହୋଇ କରୁଛ ଅନୀତି

 

ଜାଣିଲଇଁ ତୁମ୍ଭେ ଦୁହେଁ ଅଟ ମାୟା ଯତି

ତୁମ୍ଭଙ୍କୁ ମାଇଲେ ସିନା ହେବ ମୋର ଧର୍ମ

 

ତପୀ ହୋଇ କରୁଅଛ ଯେଣୁ ପାପ କର୍ମ

ଜୀବ ହିଂସା କର ତୁମ୍ଭେ ଯେଣୁ ଅସ୍ତ୍ରଧରି

 

ଆଜି ମୁଁ ତୁମ୍ଭ ଦୁହିଁଙ୍କୁ ପକାଇବି ମାରି

ଏହା କହି ଧନୁଧରି ନାରାଚ ବିନ୍ଧିଲା

 

ନର ତାହା ଦେଖି ବେଗେ ଧନୁକୁ ଧଇଲା

ତାର ପଛେ ନାରାୟଣ ଧରି ଶରାସନ

 

ପ୍ରହ୍ଲାଦ ଉପରେ କଲେ ନାରାଚ ସନ୍ଧାନ

ଯେତେକ ଶର ବିନ୍ଧନ୍ତି ଏହି ଦୁଇ ଭାଇ

 

ପ୍ରହ୍ଲାଦ ବୀର ତା ସବୁ ନାରାଚେ ଛେଦଇ

ପ୍ରହ୍ଲାଦ ଯେତେ ନରାଚ ବିନ୍ଧେ କୋପଭରେ

 

ନର ନାରାୟଣ ତାହା ଛେଦନ୍ତି ଯେ ଶରେ

ଏମନ୍ତେ ସମର ହେଲା ଜାଣ ଗୁରୁତର

 

କ୍ଷଣକେ ବିଶ୍ରାମ ନାହିଁ ତିନି ଜଣଙ୍କର

ସାତଦିନ ସାତରାତି ଗଲା ଏହିପରି

 

ପ୍ରହ୍ଲାଦ ଧନୁ କାଟିଲେ ନର ଶର ମାରି

ନିରସ୍ତ୍ର ହୋଇ ଗଦାଏ ଧଇଲା ପ୍ରହ୍ଲାଦ

 

ବୁଲାଇ ପିଟିଲା କୋପେ କରି ସିଂହନାଦ

ଗଦାକୁଛେଦି ଦ୍ୱିଖଣ୍ତ କଲେ ନାରାୟଣ

 

ମୁଷ୍ଟି ଉଞ୍ଚାଇ ଧାଇଁଲା କୋପେ ଦୈତ୍ୟରାଣ

ଦେଖି ପରିଘ ମାଇଲେ କୋପେ ସେହି ନର

 

ମୂର୍ଚ୍ଛିତ ହୋଇ ପଡ଼ିଲା ପ୍ରହଲାଦ ବୀର

ଘଡ଼ିକେ ଚେତନା ପାଇ ଉଠି ବସେ ପୁଣି

 

ପୂର୍ବ ଜ୍ଞାନ ପାଇବାରୁ ସେ ଦାନବମଣି

ଦେଖିଲା ନାହାନ୍ତି ତହିଁ ସେ ତପସ୍ୱୀ ଦୁଇ

 

ବନରେ ପଶି ଅନେକ ସ୍ଥାନରେ ଖୋଜଇ

ନପାଇ ମନରେ ବସି ଭାଳଇ ଏମନ୍ତ

 

ନର ନାରାୟଣ ରୂପୀ ଅନନ୍ତ ଅଚ୍ୟୁତ

ମୁହିଁ ପାପୀ ନାରାୟଣ ଦୋରେହା ହୋଇଲି

 

ରାଜ୍ୟ ଲୋଭେ ମତ୍ତହୋଇ ଧର୍ମକୁ ଲଙ୍ଘିଲି

ବହୁତ ଅଧର୍ମ କରି ଅରଜିଲି ପାପ

 

ଏ ପାପ ନ ଯିବ ମୋର ନ କଲେ ମୁଁ ତପ

ଏମନ୍ତେ ଭାଳି ରାଜ୍ୟକୁ ଅଇଲା ସେ ଫେରି

 

ଅନ୍ଧକ ହସ୍ତେ ରାଜ୍ୟର ଭାର ଦେଇ କରି

ତୀର୍ଥ ଯାତ୍ରା କଲା ମୁଖେ ହରିଙ୍କି ଭଜିଲା

 

ଗୋପୀନାଥ ହରିପାଦେ ଶରଣ ପଶିଲା

କଳିଯୁଗେ ହରିନାମ ଗୋଟି ଅଟେ ସାର

 

ଅହର୍ନିଶି ଭଜନରେ ହୋଇ ତତପର

 

ଅନ୍ଧକ ପରାଜୟ

 

ବୋଲନ୍ତି ଯେ ସୁତମୁନି ଏଥୁ ଅନନ୍ତରେ

 

ଅନ୍ଧକ ପ୍ରବଳ ହେଲା ମହାଦେବ ବରେ

ରୁଦ୍ରଦେବ ଅଂଶକୁ ସେ ହୋଇଛି ସଂଭୂତ

 

ତାହାର ପ୍ରତାପ ସହି ନ ପାରେ ଜୀମୁତ

ତାହାର ଆଜ୍ଞା ଅବଜ୍ଞା କରି ନ ପାରଇ

 

ଯେତେବେଳେ କହଇ ସେ ଜଳ ବରଷଇ

ପବନ ଦେବତା ଡରେ ନ ବହଇ ରୋଷେ

 

ଯମଦେବତା ତାହାର ରାଜ୍ୟରେ ନ ପାଶେ

ସୂର୍ଯ୍ୟଦେବତା ଦେଖିଲେ ନିସ୍ତେଜ ହୁଅନ୍ତି

 

ଚନ୍ଦ୍ର ଦେବତା ଅମୃତ କିରଣ ଢାଳନ୍ତି

ବାସବ ଦେବତା ଡରେହୋଇ ଆଜ୍ଞାକାରୀ

 

ଯାହା ସେ ମାଗଇ ତାହା ଦିଏ ଆଗ କରି

ଅନଳ ଦେବତା ଡରେ ନ ଟେକଇ ଶିଖା

 

ବରୁଣ ଦେବତା ରତ୍ନ ଦିଏ କରି ଶଙ୍କା

କୁବେର ଦେବତା ଧନ ଯୋଗାଇ ଦିଅଇ

 

ତାହାକୁ ଭୟରେ କେହି ଅସ୍ତ୍ର ନ ଧରଇ

ଆଜ୍ଞା ଲଙ୍ଗିବାକୁ କେହି ନାହିଁ ତିନି ପୁରେ

 

ଗର୍ଭବତୀ ଗର୍ଭ ଭାଙ୍ଗିଯାଏ ତାଙ୍କ ଡରେ

ଅନ୍ଧକ ପ୍ରାୟ ପ୍ରତାପୀ ନ ଥିଲା ଯେ କେହି

 

ସହି ନ ପାରି ରୋଦନ କରେ ବସି ମହୀ

ବ୍ରହ୍ମା ନକ୍ଷତ୍ର ଉଦୟ ନୁହନ୍ତି ତା ଡରେ

 

ଅନ୍ଧକ ବଳେ ଦାନବମାନେ ତିନିପୁରେ

ଇଚ୍ଛା ଅନୁସାରେ ଭ୍ରମି କରନ୍ତି ଅନୀତି

 

କଥା କହିବାକୁ ନାହିଁ କାହାର ଶକତି

ଏମନ୍ତେ ପ୍ରବଳ ହେଲେ କଉଣପ ବଳ

 

ବିଷ୍ଣୁ ଆଗରେ ଗୁହାରି କଲେ ଆଖଣ୍ତଳ

ଶ୍ରୀହରି ବୋଇଲେ ମୋର ହସ୍ତେ ନ ମରିବ

 

ଉପାୟ କରି ହରିବା ଆମ୍ଭେ ତାର ଜୀବ

କିଛିଦିନ ରୁହ ତାର ଅଛଇ ଆୟୁଷ

 

କଷ୍ଟ ସହୁଥାଅ ତୁମ୍ଭେ ସକଳ ତ୍ରିଦଶ

ନାରାୟଣ ମୁଖୁଁ ଶୁଣି ଏମନ୍ତ ବଚନ

 

ମୁଖ ଶୁଖାଇ ଅଇଲେ ସହସ୍ରେ ଲୋଚନ

ପ୍ରହ୍ଲାଦ ସେଠାରୁ ଯାଇ ପ୍ରୟାଗେ ମିଳିଲା

 

ଗଙ୍ଗାସ୍ନାନ କରି ପୁଣି ଗଙ୍ଗାତୀର୍ଥ କଲା

ଏମନ୍ତ ସକଳ ତୀର୍ଥ କରି ପୁଣ୍ୟସ୍ଥାନେ

 

ବିଷ୍ଣୁ ଆରାଧନା କଲା ବସି ଯୋଗାସନେ

ମହାଯୋଗ ସାଧି ହେଲା ସେହି ଯୋଗୀବର

 

ନାରାୟଣଙ୍କୁ ଭେଟିଲା ହୃଦୟ ମଧ୍ୟର

ବିଷ୍ଣୁ ଦରଶନେ ହେଲା ଶାପରୁ ମୁକତ

 

ପୂର୍ବପରି ହେଲା ସେହି ବିଷ୍ଣୁର ଭକତ

ଦିନେ ଅନ୍ଧକ ପୃଥିବୀ କରନ୍ତେ ଭ୍ରମଣ

 

କଇଳାସ ପର୍ବତକୁ ଦେଖେ ଦୈତ୍ୟରାଣ

ଅପୂର୍ବ ସୁନ୍ଦର ଗିରି ଶୋଭା ଦେଖିଦେଖି

 

ଯାଉଁ ଯାଉଁ ଦେଖିଲା ସେ ସୁନ୍ଦରୀ ସୁମୁଖୀ

ତାହାକୁ ଦେଖି କନ୍ଦର୍ପ ବାଣେ ହେଲା ମୋହ

 

ସର୍ବାଙ୍ଗ କମ୍ପିଲା ପୁଣି କମ୍ପିଲା ତା ଦେହ

ଧରିବାପାଇଁ ତାହାଙ୍କ ପାଖକୁ ସେ ଗଲା

 

ଚାନ୍ଦକୁ ବାମନ କିବା ହାତ ବଢ଼ାଇଲା

କିବା ଆକାଶ କୁସୁମ ତୋଳିବାକୁ ଆସେ

 

ମରଣ ନିକୟ ତାର ହୋଇବାରୁ କି ସେ

ସର୍ପ ଲାଞ୍ଜ ଧରିବାକୁ ବଳାଇଲା ମନ

 

କାଳମୁଖେ ପଡ଼ିବ କି କରଇ ଦମନ

ସିଂହୀ ବଦନେ କି ଯାଏ ହାତ ଦେବାପାଇଁ

 

ହସି ହସି ନିକଟକୁ ଯାନ୍ତେ ଦୈତ୍ୟସାଇଁ

ଜାଣିପାରି ଲୁଚିଗଲେ ଜଗତଜନନୀ

 

ନ ପାଇ ଦାନବରାଜ ଅପୂର୍ବ କାମିନୀ

ମନେ ବିଚାରଇ ସତ କି ଅବା ସ୍ୱପନ

 

ବସିଥିଲା ସାକ୍ଷାତରେ ହୋଇଲେ ଗୋପନ

ଅନେକ ଖୋଜିଲା ଚିହ୍ନ ବର୍ଣ୍ଣ ନ ପାଇଲା

 

ବିସ୍ମୟ ବଦନେ ତହୁଁ ପୁରକୁ ଅଇଲା

ପାତ୍ର ମନ୍ତ୍ରୀଙ୍କର ଆଗେ କହିଲା ବିସ୍ତାରି

 

ସ୍ୱର୍ଗପୁରେ ଦେଖିଅଛି ମୁହିଁ ସୁରନାରୀ

କାମଦେବ ପତ୍ନୀକି ମୁଁ ଦେଖିଛି ନୟନେ

 

ଏମନ୍ତ ସୁନ୍ଦରୀ ନାହିଁ ଜାଣ ତ୍ରିଭୁବନେ

ପର୍ବତ ଉପରେ ଥିଲା ଗଲା ପୁଣି କେଣେ

 

କେତେବେଳୁ ମୋର ଅଙ୍ଗ ଥରେ ପଞ୍ଚବାଣେ

କି ବୁଦ୍ଧି କରିବି ତାକୁ କେମନ୍ତେ ପାଇବି

 

ତାହାର ବିହୁନେ ଦଣ୍ତେ ବଞ୍ଚି ନ ପାରିବି

ଏମନ୍ତେ ଚିନ୍ତା କରଇ ବସି ରାତି ଦିନ

 

ତପସ୍ୟା ସାରି ହିରଣ୍ୟକଶିପୁ ନନ୍ଦନ

ଆପଣା ପୁରେ ପ୍ରବେଶ ହୋଇଲାକ ଆସି

 

ଦେଖିଲା ଅନ୍ଧକ ରାତିଦିନ ଭାଳେ ବସି

ପ୍ରହ୍ଲାଦ ବୋଇଲା ଭାଇ କି ବ୍ୟାଧି ତୋହର

 

କହିଲେ ଔଷଧିଆଣି ଦେବା ନା ସତ୍ୱର

ଅନ୍ଧକ ବୋଇଲା ଭାଇ କି କହିବି ମୁହିଁ

 

ଦିନେ ଭ୍ରମି ଆସୁଥିଲି ଚରାଚର ମହୀ

କଇଲାସ ପରବତେ ଏକଇ ଯୁବତୀ

 

ଦେଖିଲି ତା ତୁଲ୍ୟ ଆଉ ନାହିଁ ରୂପବତୀ

ବସିଥିଲା ମୋତେ ଦେଖି ଉଭାଇ ସେ ଗଲା

 

ତାହାର ରୂପ ମୋହର ନୟନେ ରହିଲା

ସବୁବେଳେ ସେ ରୂପକୁ ଭାଳୁଛି ରେ ଭାଇ

 

କି ବୁଦ୍ଧି କରିବି ମୋତେ ବୁଦ୍ଧି ଦିଶୁନାହିଁ

ଉପାୟ ଥିଲେରେ ଭାଇ କହିଦିଅ ମୋତେ

 

ଧ୍ୟାନେ ବସି ସେ ପ୍ରହ୍ଲାଦ କିଛିକ୍ଷଣ ଅନ୍ତେ

ବୋଇଲା ଜାଣିଲି ସେହି ପର୍ବତ ନନ୍ଦିନୀ

 

ଦେବ ଦେବ ଶିବଙ୍କର ଅଟଇ ଭାବିନୀ

ଜଗତର ମାତା ସେହି ଅନାଦି ଶକତି

 

ତାହାଠାରେ କାହିଁପାଇଁ ବଳାଉଛୁ ମତି

ସେ ଆମ୍ଭର ମାତା ଆମ୍ଭେ ତୋହର ନନ୍ଦନ

 

ଏ ପାପ କଥାରେ କିମ୍ପା ବଳିଲା ତୋ ମନ

ପରମ ଯୋଗୀ ଅଟନ୍ତି ଦେବ ମହେଶ୍ୱର

 

ତାହାର ମହିମା ପୁଣି ଦେବା ଅଗୋଚର

କ୍ଷଣକରେ ତିନିପୁର ଯେ ଦହି ପାରଇ

 

ଯାହାର କୋପ ନୟନେ କାମ ଭସ୍ମଯାଇ

ଛାଡ଼ ଛାଡ଼ ବାବୁ ପାପ ବୁଦ୍ଧିକି ତୋହର

 

କ୍ଷଣକରେ ଯିବୁ ବାବୁ ସଞ୍ଚୀବନୀ ପୁର

ସ୍ୱଭାବେ ତ ପରସ୍ତିରୀ ଅଟେ ମାତା ସରି

 

ମାତୃହରଣ ପାତକ ଅର୍ଜିବୁ କିପରି

ପରସ୍ତିରୀ ଯେ ହରଇ ପଡ଼ଇ ନର୍କରେ

 

ଯମ ଯାତନା ଭୋଗଇ ଜନ୍ମ ଜନ୍ମାନ୍ତରେ

 

ଦେବୀ ମାହାତ୍ମ୍ୟ

 

ଆବର କଥାଏ ଶୁଣ କହୁଛି ରେ ଭାଇ

 

ସେହି ଦେବୀର ମହିମା ଅଦ୍ଭୁତ ଅଟଇ

ବରାହ ପୁରାଣେ ମୁହିଁ ଶୁଣିଅଛି ଯାହା

 

କହୁଛି ସଂକ୍ଷପେ ଏବେ ତୋ ଆଗରେ ତାହା

ମହାଦେବ ବସିଛନ୍ତି ଦିନେ କଇଳାସେ

 

ପ୍ରମଥଗଣ ଅଛନ୍ତି ତାଙ୍କ ଚଉପାଶେ

ଏକାଳେ ବ୍ରହ୍ମା ସେଠାରେ ମିଳିଲେକ ଯାଇଁ

 

ଆଦର କଲେ ତାହାଙ୍କୁ ପ୍ରମଥ ଗୋସାଇଁ

ପଚାରିଲେ କାହିଁପାଇଁ ଆସି ଅଛ କହ

 

ବୋଇଲେ ଶିବଙ୍କୁ ଚାହିଁ ଦେବ ପିତାମହ

ଦୁଷ୍ଟ ମହିଷା ଅସୁର ମରିବ କିପରି

 

ଶୁଣି ହର ସୁମରିଲେ ଦେବ ଚକ୍ରଧାରୀ

ଗରୁଡ଼ ପୃଷ୍ଠରେ ବିଜେ କଲେ ନାରାୟଣ

 

ସ୍ନେହେ ମୁହିଁ ଚାହାଁଚୁହିଁ ହେଲେ ତିନିଜଣ

ତିନିଙ୍କ ଦୃଷ୍ଟିରୁ ଜାତ ହେଲା ଏକ ନାରୀ

 

ସର୍ବାଙ୍ଗ ସୁନ୍ଦରୀ ସେହି ଅଟଇ କୁମାରୀ

ଶ୍ୱେତରକ୍ତା କୃଷ୍ଣବର୍ଣ୍ଣା ଅଟଇ ସେ ପୁଣି

 

କୁଞ୍ଚିତ କେଶ ତାହାର କି ସେ ନୀଳମଣି

ଚତୁର୍ଦ୍ଦଶ ବ୍ରହ୍ମାଣ୍ତର କି ସେ ରୂପରାଶି

 

କପାଳ ଅତି ସୁନ୍ଦର ମୁଖ କିବା ଶଶୀ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେଖି ସେ କନ୍ୟାକୁ

 

ବୋଇଲେ କାହୁଁ ଅଇଲୁ କିମ୍ପାଇଁ ଏଠାକୁ

କୁମାରୀ ବୋଇଲେ ମୁହିଁ ତୁମ୍ଭର ଶକତି

 

ତୁମ୍ଭ ଦୃଷ୍ଟିରୁ ସଂଭୂତ ହୋଇଲି ସଂପ୍ରତି

ତୁମ୍ଭ ଚିହ୍ନି ନ ପାରୁଛ ପଚାରୁଛ ମୋତେ

 

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶୁଣି ତୋଷଚିତ୍ତେ

ବୋଇଲେ ତ୍ରିକାଳ ନାମ ହୋଇଲା ତୋହର

 

ତିନିବର୍ଣ୍ଣେ ତିନିଗୋଟି ରୂପ ତୁ ଗୋ ଧର

ତତକ୍ଷଣେ ତିନିରୂପେ ହୋଇଲା ସେ ଉଭା

 

ତିନି ମୂରତି ପାଇଲେ ଏକୁ ଏକ ଶୋଭା

ଶ୍ୱେତବର୍ଣ୍ଣ କୁମାରୀ ଯେ ତହୁଁ ଗଲା ଆଗେ

 

ଶ୍ୱେତ ପରବତେ ବସି ତପ କଲା ବେଗେ

ରକ୍ତବର୍ଣ୍ଣା କୁମାରୀ ଯେ ଚାରୁ ଶୁଭ୍ରକେଶୀ

 

ମନ୍ଦର କନ୍ଦର ଯାଇଁ ତପ କଲା ବତ୍ସି

କୃଷ୍ଣବର୍ଣ୍ଣା ଯାଇଁ ନୀଳ ଶଇଳେ ମିଳିଲା

 

ମନ କମଳକୁ ଥାପି ଘୋର ତପ କଲା

ଯେହୁ ଶ୍ୱେତବର୍ଣ୍ଣା ସେହି ବ୍ରହ୍ମାର ଶକତି

 

ସେହି ଦେବୀ ଏକାକ୍ଷର ସେହି ସରସ୍ୱତୀ

ରକ୍ତବର୍ଣ୍ଣା କୁମାରୀ ଯେ ଅଟଇ ବଇଷ୍ଣବୀ

 

ଯେହୁ କୃଷ୍ଣବର୍ଣ୍ଣା ସେହି କାଳ ଭଇରବୀ

ଶ୍ୱେତବର୍ଣ୍ଣା ଦେବୀର ଯେ ମହିମା ତୁ ଶୁଣ

 

ତପସ୍ୟାରେ ଗଲା ତାର ବହୁକାଳ ଜାଣ

ତପ କରୁ କରୁ ଦିନେ ଟଳିଲା ତା ଚିତ୍ତ

 

କୋଟି କୋଟି କନ୍ୟା ହେଲେ ତା ଦେହୁ ସଂଭୂତ

ତାହାଦେଖି ଦେବୀ କଲେ ସେ ପର୍ବତେ ଘର

 

ପାଚେରୀ ଉଆସ କୂପ ବାମ୍ଫୀ ସରୋବର

ସୁନ୍ଦର ବଗିଚାମାନ କଲେ ତା ଭିତରେ

 

ରହିଲେ କୁମାରୀମାନେ ସୁଖେ ସେହି ପୁରେ

ତହିଁରୁକେତେ ଦେବୀଙ୍କ ନାମ ତୁ ହୋ ଶୁଣ

 

ଯେତେ କନ୍ୟା ତେତେ ଘର ହେଲା ତହିଁ ଜାଣ

ଚନ୍ଦ୍ରକାନ୍ତି ସୂର୍ଯ୍ୟକାନ୍ତି ଘୃତାଚୀ ଉର୍ବଶୀ

 

ବିଦ୍ୟୁତପ୍ରଭା ବିଶାଳାକ୍ଷୀ ଧନ୍ୟା ଚାରୁକେଶୀ

ଚନ୍ଦ୍ରପ୍ରଭା ସୂର୍ଯ୍ୟପ୍ରଭା ପୀନପୟୋଧରା

 

ମଞ୍ଜୁକେଶୀ ଶଶିନୀ ଯେ ସୁଜାତା ଗମ୍ଭୀରା

ତରୁମୁଖୀ ଗିରିସୁତା ଜୟା ଶିବଦୂତୀ

 

ସ୍ୱୟଂପ୍ରଭା ବିଭାବର ବିଜୟା ଜୟନ୍ତୀ

ଆବର ଅପରାଜିତା ଏମାନେ ପ୍ରଧାନ

 

ପାଶ ଅଙ୍କୁଶ ଶକତି ହସ୍ତେ ଶରାସନ

ବସିଛନ୍ତି ବଇଷ୍ଣବୀ ଦେବୀ ସିଂହାସନେ

 

ସେବା କରୁଛନ୍ତି ତାଙ୍କୁ ଅନୁଚରୀମାନେ

ଏକାଳେ ନାରଦ ଆସି ମିଳିଲେ ସେ ପୁରେ

 

ଅପୂର୍ବ ଶୋଭା ତାହାର ଦେଖି ନୟନରେ

ଆଶ୍ଚର୍ଯ୍ୟ ହୋଇ ଭିତରେ ପଶିଲେ ଯେ ମୁନି

 

ଦେଖିଲେ ତହିଁ ଅଛନ୍ତି ଅସଂଖ୍ୟ କାମିନୀ

ଏକୁ ଏକ ରୂପବତୀ ସୁନ୍ଦରୀ କୁମାରୀ

 

ରତ୍ମ ସିଂହାସନେ ବସିଅଛି ଏକ ନାରୀ

ଯୋଗବଳେ ଜାଣିଲେ ଏ ବିଷ୍ଣୁର ଶକତି

 

ତାହାଙ୍କ ପାଦେ ପ୍ରଣାମ କଲେ ମହାଯତି

ମୁନିଙ୍କ ଦେବୀ ବହୁତ କଲେ ଗଉରବ

 

ବୋଇଲେ ମୁନି ତୁମ୍ଭର ଅତୁଳ ପ୍ରଭାବ

କଳିପ୍ରିୟ ମୁନି ତୁମ୍ଭେ ଖୋଜୁଥାଅ କଳି

 

କାହୁଁକେମନ୍ତେ ଅଇଲେ ମନରେ କି ଭାଳି

ବିଦ୍ୟୁତ୍‌ପ୍ରଭାକୁ ଚାହିଁ ବୋଇଲେକ ପୁଣି

 

ବସିବା ପାଇଁ ଆସନ ବେଗେ ଦିଅ ଆଣି

ସୁବାସ ଜଳେ ତରଣ ଦୁଇ ଦିଅ ଧୋଇ

 

ପାଦ ପୂଜା କର ଅର୍ଘ୍ୟଗନ୍ଧ ପୁଷ୍ପଦେଇ

ବିଦ୍ୟୁତ୍‌ପ୍ରଭାକୁ କହିବା ମାତ୍ରେ କଲା ତାହା

 

ନାରଦ ମୁନି ବୋଇଲେ ଶୁଣ ବିଷ୍ଣୁ ମାୟା

ବ୍ରହ୍ମପୁରେ ଥିଲି ତହୁଁ ଗଲି ଇନ୍ଦ୍ରପୁରେ

 

ସଭାରେ ଇନ୍ଦ୍ର ବସିଛି ଦୁଃଖିତ ମନରେ

ତହୁଁ ଆସି କଇଳାସେ ଶିବଙ୍କୁ ଭେଟିଲି

 

ମହାଯୋଗୀଙ୍କି ସେଠାରେ ଦରଶନ କଲି

ତବ ଦରଶନ ପାଇଁ ପଶିଲି ଏ ପୁରେ

 

ଏଠାରୁ ଯିବି ମୁଁ ପୁଣି ବଇକୁଣ୍ଠପୁରେ

ଦେବୀ ବୋଇଲେ ଭୋ ମୁନି ବାସବ କିମ୍ପାଇଁ

 

ସଭାମଧ୍ୟେ ବସିଥିଲେ ମୁହଁକୁ ଶୁଖାଇ

ନାରଦ ମୁନି ବୋଇଲେ ଅସୁରଙ୍କ ଡରେ

 

ବଦନ ଶୁଖାଇ ବସିଥିଲେ ସେ ସଭାରେ

ଦେବୀ ବୋଇଲେ ଭୋ ମୁନି କେବଣ ଅସୁର

 

ତାହାକୁ କିମ୍ପାଇଁ କହ ବାସବର ଡର

ନାରଦ ମୁନି ବୋଇଲେ ତା ନାମ ମହିଷ

 

ବଡ଼ ପ୍ରତାପୀ ଅଟଇ ସେ ଦାନବ ଈଶ

ସ୍ୱର୍ଗକୁ ଧାଡ଼ି ଦେବାକୁ କରୁଛି ବିଚାର

 

ତେଣୁ ଶୁଖି ଯାଇଅଛି ମୁଖ ବାସବର

ଏମନ୍ତେ କହି ମେଲାଣି ମାଗି ମୁନିବର

 

ଚରଣେ ପ୍ରଣମି ତହୁଁ ହୋଇଲେ ଅନ୍ତର

ସମୁଦ୍ରର ତୀରେଅଛି ଦାନବର ପୁରୀ

 

ବହୁତ ଅଛନ୍ତି ତହିଁ ଅସୁର ଅସୁରୀ

ସେ ନଗରୀ ନାମ ଦେଇଅଛି ସେ ମହିଷ

 

ଗଡ଼ ବାନ୍ଧି ରହିଅଛି ଅସୁର ମହିଷ

ଆପଣାର ନାମ ଯାହା ପୁର ନାମ ତାହା

 

ବଡ଼ ପ୍ରତାପୀ ଅଟଇ ଦାନବର ନାହା

ମହିଷ ଆକୃତି ତାର ଦୁଇଗୋଟି ଶିଙ୍ଘ

 

ବ୍ରହ୍ମାର ବରେ ହୋଇଛି ସେ ଅସୁର ସିଂହ

ତହିଁ ଯାଇ ମୁନିବର ହୋଇଲେ ପ୍ରବେଶ

 

ମୁନିଙ୍କି ଦେଖି ଚରଣ ବନ୍ଦିଲା ମହିଷ

ବସିବାକୁ ଦେଲା ଆଣି ଆସନ ଖଣ୍ତିଏ

 

କାହିଁଥିଲୁ ମୁନି ବୋଲି ପଚାରିଲା ରାୟେ

ନାରଦ ବୋଇଲେ ଆହୋ ଅସୁର ରାଜନ

 

ଦେଖି ଅଇଲି ଗୋଟିଏ ରମଣୀ ରତନ

ତିନି ଭୁବନରେ ନାହିଁ ତା ତୁଲ୍ୟ ସୁନ୍ଦରୀ

 

କେ କହି ପାରିବ ମୁଖେ ତା ରୂପ ମାଧୁରୀ

ଶତ ଶତ କନ୍ୟା ତାର କରୁଛନ୍ତି ସେବା

 

ସେ କନ୍ୟାମାନଙ୍କ ରୂପ ଆମ୍ଭେ କି ବର୍ଣ୍ଣିବା

ଏକୁ ଏକ ସୁନ୍ଦରୀ ସେ ଅନୁପମ ମୂର୍ତ୍ତି

 

ସମସ୍ତେ ତାପସୀ ପୁଣି ହୋଇଛନ୍ତି ବ୍ରତୀ

ଦେବଲୋକ ନାଗଲୋକ ଦାନବଙ୍କ ପୁର

 

ଗନ୍ଧର୍ବ ଲୋକ କୁବେର ଭୁବନ ଆବର

ସପତ ପାତାଳ ପୁଣି ସପତ ଯେ ଦ୍ୱୀପ

 

ମୁହିଁ ଭ୍ରମଣ କରଇ ଜାଣ ଦୈତ୍ୟ ଭୂପ

ଏମନ୍ତ ଅପୂର୍ବ କନ୍ୟା ଦେଖି ନାହିଁ କାହିଁ

 

ମନେ ବିଚାରିଲେ ତାର ଲାଖି ବର ତୁହି

ବ୍ରହ୍ମାଠାରୁ ଯେଉଁ ବର ପାଇଛୁ ରାଜନ

 

ତୋତେ ଜିଣିବାକୁ କେହି ନୋହିବେ ଭାଜନ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ବରୁଣ କୁବେର

 

ଅନିଳ ଅନଳ ବସୁ ବାସବ ଆବର

ଯମହିଁ ତୋତେ ସମରେ ପଳାଇବ ହାରି

 

ଏଣୁ ତୁହି ତିନିପୁରେ ଅଟୁ ଅଧିକାରୀ

ତ୍ରିଲୋକ ଈଶ୍ୱରୀ ସେହି ତୁ ତ୍ରିଲୋକେଶ୍ୱର

 

ବିଧାତାର ଘଟସୂତ୍ର ତୁ ତାହାର ବର

ଶୁଣି ସେ ଦାନବପତି ବୋଇଲା ଭୋ ମୁନି

 

କହ କାହିଁ ଅଛଇ ସେ ଅପୂର୍ବ କାମିନୀ

ମୁନି ବୋଇଲେ ମନ୍ଦର କନ୍ଦରେ ତା ଘର

 

ତାହାର ପୁର ଶୋଭାକୁ ନାହିଁ ପଟ୍ଟାନ୍ତର

ଦେବ ଗନ୍ଧର୍ବକୁ ଯେହୁ ଜିଣିବ ସମରେ

 

ସେ ଦେବୀ ତାହାର କର ଧରିବ ତା ଡରେ

ଏମନ୍ତ କହି ନାରଦ ମାଗିଲେ ମେଲାଣି

 

ବୀଣା ବଜାଇ ଗଗନ ମାର୍ଗେ ଗଲେ ପୁଣି

ହରିନାମ ଗାଇ ବ୍ରହ୍ମା ଭୁବନେ ମିଳିଲେ

 

ଅସୁର ମନ ଉଚ୍ଚାଟ କରି ଚଳିଗଲେ

 

ମହିଷାସୁର, ଇନ୍ଦ୍ରର ଯୁଦ୍ଧ ଓ ଇନ୍ଦ୍ରର ପଳାୟନ

 

ନାରଦ ମୁଖରୁ ଶୁଣି ମହିଷା ଅସୁର

 

ଭାଳିଲା ବସି କନ୍ୟାର ରୂପ ନିରନ୍ତର

ପ୍ରଧାନ ମନ୍ତ୍ରୀ ଯେ ତାର ନାମ ଅଳଂଶର୍ମା

 

ପ୍ରଘସ ନାମେ ଅସୁର ସେ ବିଚିତ୍ରକର୍ମା

ବିଭାବସୁ ଶଙ୍କୁ କର୍ଣ୍ଣ ବିଘଷ ଏ ତିନି

 

ଏହାଙ୍କ ନାମ ଶୁଣିଲେ କମ୍ପଇ ମେଦିନୀ

ବିଦ୍ୟୁନ୍ନାଳୀ ସୁମାତି ଯେ ପର୍ଜନ୍ୟ ଆବର

 

ବହୁଶ୍ରୁତ ବିକ୍ରାନ୍ତ ଯେ କ୍ରୂରନାମେ ବୀର

ନୀତି ଶାସ୍ତ୍ରରେ ପ୍ରବୀଣ ଏହି ଆଠ ଜଣ

 

ଏହାଙ୍କୁ ଡାକି ବିଚାର କଲା ଦୈତ୍ୟରାଣ

ସଭାରେ ବସି ବୋଇଲେ ଆଠଜଣଯାକ

 

କି ନିମନ୍ତେ ଡାକିଅଛ ଅସୁର ନାୟକ

ଶୁଣି ମହିଷାଅସୁର ବୋଇଲେ ସଭାରେ

 

ଶୁଣିଥିଲା ଯେଉଁ ରୂପେ ଦାନବ ମୁଖରେ

କନ୍ୟାରତ୍ନକୁ କେମନ୍ତେ ପାଇବି ଯେ ମୁହିଁ

 

ତହିଁର ଉପାୟ କିଛି ମୋତେ ଦିଶୁନାହିଁ

ମୁନି କହିଛନ୍ତି ଆଗ ଜିଣିଲେ ଇନ୍ଦ୍ରକୁ

 

ତେବେ ସେହି କନ୍ୟାଲାଭ ହୋଇବ ତୁମ୍ଭଙ୍କୁ

ଏଥିର ବିଚାର କର ମିଳି ମନ୍ତ୍ରିଗଣ

 

ଦୈତ୍ୟପତି କଥା ଶୁଣି ପ୍ରଘସ ଭାବିଣ

ବୋଇଲା ନାରଦ ମୁଖୁ ଶୁଣିଲଟି ଯାହା

 

ମନ ନ ବଳାଅ ତାହାଠାରେ ଦୈତ୍ୟନାହା

କନ୍ୟା ରୁପ ଧରିଅଛି ସେହି ମହାସତୀ

 

ଅଟଇ ସେ ବଇଷ୍ଣବୀ ବିଷ୍ଣୁର ଶକତି

ଗୁରୁପତ୍ନୀ ରାଜପତ୍ନୀ ସାମନ୍ତ ଘରଣୀ

 

ହରିବା ଲୋକକୁ ମହା ପାପୀ ମଧ୍ୟେ ଗଣି

ଏମାନେ ଅଗମ୍ୟ ବୋଲି ଶାସ୍ତ୍ର ବଖାଣଇ

 

ଅଗମା ଗମନା କଲେ ଶିରୀ ଚ୍ୟୁତ ହୋଇ

ବିଘସ ବୋଇଲା ସତ କହିଲା ପ୍ରଘସ

 

ମୋର ବିଚାରକୁ ଯାହା ଆସେ ଦୈତ୍ୟଈଶ

ତାହା ମୁହିଁ କହୁଅଛି ଶୁଣ ମନ ଦେଇ

 

କନ୍ୟାରତ୍ନ ଯେବେ ନିଜେ ବରଣ କରଇ

ତେବେ ତାହାକୁ ଅବଶ୍ୟ କରିବା ଗ୍ରହଣ

 

ରତ୍ନରେ ତାହାର ଲୋଭ ନ ବଢ଼ଇ ପୁଣ

ଆପଣା ଇଚ୍ଛାରେ ଯେବେ ରତ୍ନ ମିଳେ ଆସି

 

ତାକୁ ଛାଡ଼ି ପାରିବା କି ବିଚାରନ୍ତୁ ବସି

ତାହାହୁ ପାଇବା ପାଇଁ କରିବା ନା ଯତ୍ନ

 

ଯତ୍ନକଲେ ସିନା ମିଳି ପାରିବ ସେ ରତ୍ନ

ପଠାଇବା ଆଗେ ତାହା ପାଖକୁ ଯେ ଦୂତ

 

ସେ ଯାଇଁ ବୁଝାଇ କହୁ ତାହାକୁ ସମସ୍ତ

ତହିଁରେ ଯେବେ ସେ ନାରୀରତ୍ନ ନ ଭଜଇ

 

ତାହାର ମନ ଯାହାର ମନରେ ମିଳଇ

ତାକୁଧନ ରତ୍ନଦେଇ କରିବା ନା ବଶ

 

ତହିଁରେ ନ ହେଲେ ଧନେ କରିବାନା ତୋଷ

ତହିଁରେ ଯେବେ ଆୟତ୍ତ ନୋହିବ ସେ ନାରୀ

 

ଦଣ୍ତ ବିଧାନେ ଡରାଇ ଆଣିବା ନା ଧରି

ତହିଁରେ ବଶ ନୋହିଲେ କରିବା ନା ରଣ

 

ବଳେ ଧରି ଆଣିବାନା ଘେନି ନିଜ ସୈନ୍ୟ

ବିଘସ ରାକ୍ଷସ କଥା ଶୁଣ ମନ୍ତ୍ରିଗଣ

 

ବୋଇଲେ ମନ୍ତ୍ରୀ କୁଳରେ ତୁହି ଧନ୍ୟ ଧନ୍ୟ

ଏମନ୍ତ ଶୁଣି ବୋଲଇ ମହିଷ ଅସୁର

 

ବିଦ୍ୟୁତ୍‌ପ୍ରଭା ନାମରେ ଯେଉଁ ମନ୍ତ୍ରୀବର

ତାହାକୁ ଚାହିଁ ବୋଲଇ ତୁ ଅଟୁ ପଣ୍ତିତ

 

ତୁହି ଏକା ଏ କାର୍ଯ୍ୟରେ ହୋଇପାରୁ ଦୂତ

ଯେମନ୍ତେ ରମଣୀବର ଆମ୍ଭଙ୍କୁ ଭଜଇ

 

ନାନାଦି ପ୍ରକାରେ ସବୁ କହିବୁ ବୁଝାଇ

ତହିଁକି ଦୂତ ପଠାଇ ବୋଲଇ ସେ ପୁଣି

 

ବାସବକୁ ଯେବେ ଆମ୍ଭେ ପାରିବାଟି ଜିଣି

ସବୁ ଦିଗପାଳେ ହେବେ ଆମ୍ଭ ଆଜ୍ଞାକାରୀ

 

ଆମ୍ଭଙ୍କୁ ଭଜିଲେ ଶତ ଶତ ସୁରନାରୀ

ସ୍ୱର୍ଗ ଅପସରା ବଳେ ଆସିବେ ମୋ ପୁରେ

 

ଯକ୍ଷ ନାଗ ବିଦ୍ୟାଧର ଗନ୍ଧର୍ବ କିନ୍ନରେ

ଏମାନେ ମୋ କଥାଭାଙ୍ଗି ନ ପାରିବେ କେବେ

 

ବିଳମ୍ବ ନ କର ଯିବା ଚାଲ ସ୍ୱର୍ଗେ ଆମ୍ଭେ

ଏହା କହି ସେ ମହିଷ ଅସୁର ରାଜନ

 

ସେନାପତିକି ଡକାଇ କହିଲା ଏସନ

ତୋର ନାମ ବିରୁପାକ୍ଷ ତୁହି ମହାବଳ

 

ରୂପେ ତୋତେ ସରି ନୋହେ ସୁନିଳ ଶଇଳ

ବେଗେ ରଥ ଗଜ ଅଶ୍ୱ ପାଇକ ପଦାତି

 

ସଜକରି ଆସ ନେବା ସ୍ୱର୍ଗର ସମ୍ପତ୍ତି

ଆଜ୍ଞାପାଇ ସେନାପତି ସାଜିଲାକ ଥାଟ

 

ସମସ୍ତେ ବାନ୍ଧି ଅଛନ୍ତି ଶିରେ ଜୟପାଟ

ରତ୍ନ ଅଳଙ୍କାରେ ଶୋଭା ପାଉଛି ଶରୀର

 

ଇନ୍ଦ୍ର ତୁଲ୍ୟ ଏକୁ ଏକ ମହା ବଳୀୟାର

ତାହାଙ୍କ ମଧ୍ୟେ ପ୍ରଧାନ ବୀରଥିଲେ ଯେତେ

 

ତାହାର ସଂଖ୍ୟା କହୁଛି ମୁଁ ତୋର ଅଗ୍ରତେ

ଅବୁଁ ଦେକ ନବକୋଟି ମହା ମହା ବୀର

 

ଦିଶନ୍ତି ସେମାନେ ପୁଣି ପର୍ବତ ଆକାର

ଜଣେ ଯେଉଁବାଟେ ଯାଏ ସମସ୍ତେ ସେବାଟେ

 

ଗମନ କରନ୍ତି ନାହିଁ ବିଶୃଙ୍ଖଳା ଥାଟେ

କେହି ଧଳା କେହି କଳା କେହି ରଙ୍ଗବର୍ଣ୍ଣ

 

କେବଣ ଅସୁର ଗୋଟି ଦିଶଇ ବିବର୍ଣ୍ଣ

କେହି ଘୋଡ଼ାମୁହାଁ କେହି କେହି ଗଜମୁଖ

 

କେହି ବା ଦୁର୍ମୁଖା କେହି କେହି ବା ସୁମୁଖ

ଗଜ ଅଶ୍ୱ ଗଧ ଓଟ ବ୍ୟାଘ୍ର ଶ୍ୱାନ ଛାଗ

 

ପୃଷ୍ଠରେ ବସି ଗମନ୍ତି ହୋଇ ବେଗ ବେଗ

ବିଚିତ୍ରଧ୍ୱଜା ପତକା ଉଡ଼ାଇ ଗଗନେ

 

ମହିଷ ଅସୁର ଦେଖି ଆନନ୍ଦିତ ମନେ

ମତ୍ତ ମାତଙ୍ଗ ଉପରେ ବିଜେ କଲା ଯାଇଁ

 

କାମରୂପୀ ମହାବଳ ଦଇତ ଅଟଇ

ମେରୁଗିରି ବାଟେ ଗଲେ ସ୍ୱର୍ଗ ଭୁବନକୁ

 

ଆଦ୍ୟେ ବେଢ଼ିଲେ ଅମରାବତୀ ନଗରୀକୁ

ଅସୁରଙ୍କୁ ଦେଖି ଦେବ ଉଠି କ୍ରୋଧଭରେ

 

ବାହନ ଆରୋହୀ ବେଗେ ପଶିଲେ ସମରେ

ତର୍ଜନ ଗର୍ଜନ କରି କଲେ ଘୋର ରଣ

 

ଅସୁର ସେନାପତିଙ୍କ ନାମ ତୁହୋ ଶୁଣ

ନୀଳକୁକ୍ଷି ମେଘବର୍ଣ୍ଣ ଅଞ୍ଜନ ଅସୁର

 

ବଳାହକ ଉଦରାକ୍ଷ ଲଲାଟାକ୍ଷ ବୀର

ସୁଭୀମ ସ୍ୱର୍ଭାନୁ ଭୀମ ବିକ୍ରମ ଏ ଆଠ

 

ଅଷ୍ଟବସୁଙ୍କ ଆଗରେ ହେଲେ ଯାଇ ଭେଟ

ସ୍ତବ୍‌ଧକର୍ଣ୍ଣ ଶଙ୍କୁକର୍ଣ୍ଣ ବଜ୍ରକ ଭୀମାକ୍ଷ

 

ଜ୍ୟୋତିବୀର୍ଯ୍ୟ ବିଦ୍ୟୁନ୍ନାଳୀ ଅସୁର ରକ୍ତାକ୍ଷ

ଭୀମଦଂଷ୍ଟ୍ର ବିଦ୍ୟୁଜିହ୍ୱା ବୀର ମହାକାୟ

 

ଦୀର୍ଘବାହୁ କୃତାନ୍ତକ ଦୈତ୍ୟ ଅତିକାୟ

ବାର ଆଦିତ୍ୟଙ୍କ ସଙ୍ଗେ ଭେଟ ଏହି ବାର

 

କାଳ କୃତାନ୍ତ ପିଙ୍ଗାକ୍ଷ ହରଣ ଆବର

ମିତ୍ରହା ଯଜ୍ଞହା ନଳ ବ୍ରହ୍ମହା ଗୋଘନ

 

ସ୍ତ୍ରୀଘନ ଯେ ସମ୍ବର୍ତ୍ତକ ଏ ଏଗାର ଜଣ

ଏକାଦଶ ରୁଦ୍ରସଙ୍ଗେ କଲେ ଘୋର ରଣ

 

ଏମନ୍ତେ ଜଣଙ୍କ ସଙ୍ଗେ ଦୈତ୍ୟ ଏକଜଣ

ଘୋର ଯୁଦ୍ଧ ଆରମ୍ଭିଲେ ଦେବତା ଦାନବ

 

ମହିଷ ଅସୁର ସଙ୍ଗେ ଯୁଝିଲେ ବାସବ

ବ୍ରହ୍ମାବରେ ପ୍ରତାପୀ ସେ ହୋଇଛି ଅସୁର

 

ଜିଣି ନ ପାରିବେ ତାକୁ ଯୁଦ୍ଧେ ହରି ହର

ବହୁତ ଅସୁର ମାରି ପକାଇଲେ ଦେବେ

 

ଦେବସଇନ୍ୟ ମାଇଲେ ଦୁରନ୍ତ ଦାନବେ

ଶୂଳପଟ୍ଟିଶ ମୁଦ୍‌ଗର ଗଦା ଚକ୍ର କାତି

 

ନାରାଚ ବ୍ରହ୍ମଶକତି ପରିଘ ଶକତି

ମରାମରି ହୋଇ ମଲେ ଦୁଇପକ୍ଷ ସୈନ୍ୟ

 

କେହି ଧରାଧରି ହୋଇ କରୁଛନ୍ତି ରଣ

ଗଡ଼ାଗଡ଼ି ହୋଇ ତଳେ ପଡ଼ନ୍ତି କେ ବୀରେ

 

ଦେବରାଜ ଅସୁରକୁ ନ ପାରି ସମରେ

ପଳାଇଲେ ମରଣକୁ ଭୟକରି ବେଗେ

 

ବାସବ ଭାଙ୍ଗିବା ଦେଖି ଦେବେ ପୃଷ୍ଠଭଙ୍ଗେ

ପଛେ ପଛେ ପଳାଇଲେ ନ ରହିଲେ କେହି

 

ଶରଣ ପଶିଲେ ବ୍ରହ୍ମାଚରଣରେ ଯାଇଁ

ଅଭୟ ବର ତାହାକୁ ଦେଲେକ ବିଧାତା

 

ଦ୍ୱିଜ ଗୋପୀନାଥ ବୋଲେ ଶୁଣ ଆନ କଥା

 

ଦୂତବାକ୍ୟ ଓ ମହିଷାସୁର ଜନ୍ମ

 

ଅନ୍ଧକ ଦୈତ୍ୟ ଶୁଣଇ ପ୍ରହ୍ଲାଦ ବୋଲଇ

 

ବିଦ୍ୟୁତ୍ ପ୍ରଭା ଦାନବ ଗଲା ଦୂତ ହୋଇ

ମନ୍ଦର କନ୍ଦରେ ଯାଇ ହୋଇଲା ପ୍ରବେଶ

 

ଦେଖିଲା ଅପୂର୍ବ ପୁର ସ୍ୱର୍ଗର ସଦୃଶ

ଯେତେ ନାରୀ ତେତେ ଘର ସବୁ ଦିଶେ ଧଳା

 

ତୋରଣ ମାଳାରେ ଗୁନ୍ଥା ହୋଇଛି ପୋହଳା

ହୀରା ନୀଳା ଖମ୍ବ ସବୁ ବଇଦୁର୍ଯ୍ୟ ବତା

 

ସୁବର୍ଣ୍ଣ ରୁଅରେ ଝରା ଲାଗିଛି ମୁକୁତା

ରୂପାର କାନ୍ଥେ ପିତୁଳାମାନ ଅଷ୍ଟରତ୍ନେ

 

କେଉଁ ବିନ୍ଧାଣି ଗଢ଼ିଛି ସେ ପୁରକୁ ଯତ୍ନେ

ଗବାକ୍ଷର ଜଳା ସବୁ ଘରେ ବିରାଜଇ

 

ପୁରକୁ ଦେଖି ଦାନବବର ପ୍ରଶଂସଇ

ସିଂହଦ୍ୱାର ଡେଇଁ ଯାଇ ଗଲା ସେ ଅସୁର

 

ମନା ନ କରିବାରୁ ତା ମନେ ନାହିଁ ଡର

ଦେଖିଲା ଜଗତୀ ପରେ ବିଜେ ଠାକୁରାଣୀ

 

ତିନିପାଖେ ବେଢ଼ିଛନ୍ତି ଅନେକ ରମଣୀ

କେହି ପଙ୍ଖାଧରି ଧୀରେ ଧୀରେ ଦିଏ ବିଞ୍ଚି

 

କେହୁ ବସି ବଜାଉଛି ଆଗରେ ବିପଞ୍ଚି

କେହି ବାଳା ଯୋଗାଉଛି କର୍ପୂର ତାମ୍ବୁଳ

 

କେହି କଣ୍ଠେ ଲମ୍ବାଇଛି ରତ୍ନ ପୁଷ୍ପମାଳ

ଏମନ୍ତେ ନିଯୋଗେ ଖଞ୍ଜା ହୋଇଛନ୍ତି ବାମା

 

ସର୍ବାଙ୍ଗେ ସୁନ୍ଦରୀ ସର୍ବେ ରୂପେ ଅନୁପମା

ତାରାଗଣ ମଧ୍ୟେ ଯେହ୍ନେ ବିଜେ ଶଶଧର

 

ତେସନ ତାହାଙ୍କ ମଧ୍ୟେ ବୈଷ୍ଣବୀ ସୁନ୍ଦର

ଦାନବ ଦେଖି ମନରେ କରି ମହାଭୀତି

 

ଚରଣ ତଳରେପଡ଼ି କଲାକ ଭକତି

କରଯୋଡ଼ି ବୋଲି ଦେବୀ ଶୁଣ ସାବଧାନେ

 

ସୃଷ୍ଟି ଆଦ୍ୟ କଥା କହେ ତବ ସନ୍ନିଧାନେ

ସମ୍ବତ୍ସର ନାମେ ଥିଲେ ଏକ ଋଷିବର

 

ସୁପାର୍ଶ୍ୱ ନାମରେ ଥିଲେ ତାହାଙ୍କ କୁମାର

ସୁପାର୍ଶ୍ୱ ନନ୍ଦନ ନାମେ ଅଟେ ସିନ୍ଧୁ ଦ୍ୱୀପ

 

ମହା ତେଜୋବନ୍ତ ଋଷି ଅନନ୍ତ ପ୍ରତାପ

ମାହୀଷ୍ମତୀ ପୁରେ ବସି ଏହି ଋଷିବର

 

ଘୋର ତପ କରୁଥିଲେ କରି ଅନାହାର

ବିପ୍ରଚିତ୍ତ ଦାନବର ଏକଇ ନନ୍ଦିନୀ

 

ନାମ ମୀହୀଷ୍ମତୀ ସେହି ଭୁବନ ମୋହିନୀ

ରୂପ ଗୁଣେ ତିନିପୁରେ ନାହିଁ କେହୁ ସରି

 

ସଖୀଗଣ ଘେନି ଦିନେ ପରମ ସୁନ୍ଦରୀ

ଭ୍ରମଣ କରୁ ମନ୍ଦିର ପର୍ବତର ତଳେ

 

ଦେଖିଲେ ସେ ତପୋବନ ଥାଇ ସଖୀମେଳେ

ନନ୍ଦନବନ କି ସେହି ହର ଉପବନ

 

ସବୁବେଳେ ବହୁଅଛ ମଳୟ ପବନ

ନାନାବିଧ ଫଳ ଫୁଲେ ପାଉଅଛି ଶୋଭା

 

ସେହି ଆଶ୍ରମରେ ନାହିଁ ସୂର୍ଯ୍ୟଙ୍କର ପ୍ରଭା

ବକୁଳ ଲକୁଚ ଶାଳ ତମାଳ ଯେ ତାଳ

 

ପିଆଶାଳ ନାରିକେଳ ବୃଷ ମାଳ ମାଳ

ପଣସ ପୁନ୍ନାଗ ନାଗକେଶର ବହୁତ

 

ବିବିଧ ଲତାରେ ବନ ହୋଇଛି ଶୋଭିତ

ଶୁକ ପିକ ଶାରୀ ଶୁଆ ଧ୍ୱନି କି ସୁନ୍ଦର

 

ଝିଙ୍କାରି ଝଙ୍କାର ଧ୍ୱନି ଅତି ସୁମଧୁର

ଭ୍ରମରଙ୍କ କଳଧ୍ୱନି ମନ ନିଏ ହରି

 

କୁସୁମର ସୁବାସରେ ତପୋବନ ପୂରି

ଅମ୍ବର ଋଷିର ଅଟେ ସେହି ତପୋବନ

 

ଅସୁର ନନ୍ଦିନୀ ଦେଖି ମନୋହର ସ୍ଥାନ

ମନେ ମନେ ବିଚାରିଲା ସେହି ମାହୀଷ୍ମତୀ

 

ଡରାଇଲେ ପଳାଇବ ବନ ଛାଡ଼ି ଯତି

ସଖୀଙ୍କି ଘେନି ଏଠାରେ କରିବି ମୁଁ ବାସ

 

ଏମନ୍ତ ଭାଳି ସୁନ୍ଦରୀ ହୋଇଲା ମହୀଷ

ସଖୀମାନେ ତାରସଙ୍ଗେ ମଇଁଷି ହୋଇଲେ

 

ମୁହଁକୁ ତଳକୁ କରି ଭୟ ଦେଖାଇଲେ

ଦେଖି ମଇଁଷିଙ୍କି ମହାଭୟ କଲେ ଯତି

 

ଯୋଗବଳେ ଜାଣିଲେ ଏ କନ୍ୟା ମାହୀଷ୍ମତୀ

ଅସୁର ଦୁହିତା ମୋତେ ଡରାଉଛି ଆସି

 

ଜାଣିପାରି ରୋଷଭରେ ଶାପ ଦେଲେ ଋଷି

ଆଲୋ ପାପିନୀ ତୁ ମୋତେ ଡରାଉ ଯେ ରୂପେ

 

ଆଜିଠାରୁ ସେ ମଇଁଷି ହୁଅ ମୋର ଶାପେ

ମଇଁଷି ହୋଇ ତୁ ଶଏ ବରଷ ବୁଲିବୁ

 

ଏଥେ ଆସି ଡରାଇବା ଫଳ ତୁ ପାଇବୁ

ଋଷି ଠାରୁ ଘୋର ଶାପପାଇ ମାହୀଷ୍ମତୀ

 

ଋଷି ଚରଣେ ପଡ଼ିଲା ପାଇ ମହାଭୀତି

ବୋଇଲା ବିନୟେ ମୁନି କହ ପ୍ରତିକାର

 

କୃପା କରି ମୋର ଦୋଷ ବାରେ କ୍ଷମାକର

ଏମନ୍ତ ବିନୟେ ଯହୁଁ କହିଲା ବହୁତ

 

ତାହାର ଭକତି ଦେଖି ବୋଇଲେ ଏମନ୍ତ

ମୋହର କଥା ଅନ୍ୟଥା ନୋହିବତ କେଭେ

 

ପୁତ୍ର ଏକ ପ୍ରସବିବୁ ଏହି ଦେହେ ଯେବେ

ସେକାଳେ ତୁ ଏ ଶାପରୁ ହୋଇବୁ ମୁକତ

 

ଶୁଣି ତହୁଁ ମାହୀଷ୍ମତୀ ଗଲା ଯେ ତୁରିତ

ନର୍ମଦା ନଦୀର ତୀରେ ମିଳିଲାକ ଯାଇ

 

ସିନ୍ଧୁଦ୍ୱୀପ ଋଷି ତହିଁ ତପସ୍ୟା କରଇ

ବିଧାତାର ଘଟସୂତ୍ର ଦେଖ ହୋ କେମନ୍ତେ

 

ଦୈତ୍ୟ କନ୍ୟାଏ ଅଇଲା ସ୍ନାନର ନିମନ୍ତେ

ତାର ନାମ ଇନ୍ଦୂମତୀ ସେ ଅତି ସୁନ୍ଦରୀ

 

ତୀରେ ବସ୍ତ୍ର ରଖି ତହୁଁ ଗଲା ସୁକୁମାରୀ

ନର୍ମଦା ଜଳରେ ପଶି କରନ୍ତେ ସେ ସ୍ନାନ

 

ସିନ୍ଧୁଦ୍ୱୀପ ମୁନିଙ୍କର ବିଚଳିତ ମନ

ମନ ଟଳିବାରୁ ବିନ୍ଦୁ ପଡ଼ିଲାକ ଢଳି

 

ପାଷାଣ ଦ୍ରୋଣ ଉପରେ ଦେଖିଲା ତା ବାଳୀ

ଜଳଜ୍ଞାନେ ମଇଁଷି ତା ପାନକଲା ଆସି

 

ଶୋଷ କରିବାରୁ ବାରି ନ ପାରି ମଇଁଷି

ସହଚରୀଙ୍କି ବୋଇଲା ରହିଲା ମୋ ପ୍ରାଣ

 

ଏମନ୍ତ କହି ସେ ତୀରେ କଲାକ ଭ୍ରମଣ

ଗର୍ଭବତୀ ହୋଇଲାକ ସେ ଜଳ ଭକ୍ଷଣେ

 

ପୁତ୍ରେକ ପ୍ରସବ କରି ଗଲା ସେ ତତ୍‌କ୍ଷଣେ

ପୂର୍ବ ରୂପ ଧରି ପିତା ଗୃହରେ ମିଳିଲା

 

ସେହି ନୟନର ନାମ ମହିଷ ଯେ ଦେଲା

ମାତା ତାହାର ରାକ୍ଷସୀ ପିତା ତାର ଋଷି

 

ମହାପ୍ରତାପୀ ହୋଇଲା ତପେ ବ୍ରହ୍ମା ତୋଷି

ବଳବନ୍ତ ବୁଦ୍ଧିମନ୍ତ ବିକ୍ରମି ହୋଇଲା

 

ଅମରପୁରେ ବାସବ ଦେବତା ଜିଣିଲା

ତିନିଭୁବନରେ ହେଲା ଏକାକେ ସେ ରାଜା

 

ଦୈତ୍ୟଦାନବେ କରନ୍ତି ତାର ପାଦପୂଜା

ଆତ୍ମ ସମର୍ପଣ କର ଡରେ ତୁ ଗୋ ଦେବୀ

 

କିଛି ଉତ୍ତର ନ ଦେଲେ ପରମ ବୈଷ୍ଣବୀ

ମୁଖକୁ ବିସ୍ଥାରି ଉଚ୍ଚେ କଲେ ପୁଣି ହାସ୍ୟ

 

ହସିବା ବେଳେ ଉଦର ମଧ୍ୟେ ହେଲା ଦୃଶ୍ୟ

ଚତୁର୍ଦ୍ଦଶ ବ୍ରହ୍ମାଣ୍ତ ଯେ ଚରାଚର ମହୀ

 

ଦେଖି ଦୂତର ମୁଖରୁ କିଛି ନ ସ୍ଫୁରଇ

ଜୟାଦେବୀ ବୋଇଲେରେ ଶୁଣ ତୁହି ଦୁତ

 

ପ୍ରଭୁ ଯାହା କହିଥିଲା କହିଲୁ ତାକୁ ତ

ଆମ୍ଭର ଯେ ଠାକୁରାଣୀ ଅଟନ୍ତି କୁମାରୀ

 

ଜୀବ ଥିବା ଯାଏ ସେହି ଏହି ବ୍ରତାଚାରୀ

ତାହାଙ୍କର ଯେଉଁ ବ୍ରତ ଆମ୍ଭର ସେ ବ୍ରତ

 

ତୋହର ପ୍ରଭୁର ଆଗେ କହ ପାଇଁ ଦୂତ

କ୍ଷଣକେ ଏଥି ନ ରହି ଯାଅ ତୁହି ବେଗେ

 

ଦୂତ ଜଣାଇଲା ଯାଇ ଦାନବର ଆଗେ

 

ମହିଷାସୁର ବଧ

 

ଅନ୍ଧକ ଅସୁର ଆଗେ କହଇ ପ୍ରହ୍ଲାଦ

 

ଏ ସମୟେ ନାଚି ନାଚି ମିଳିଲେ ନାରଦ

ଗଗନମାର୍ଗେ ବୋଇଲେ ଆହୋଭାଗ୍ୟ ମୋର

 

ପ୍ରଥମେ ଦେବୀ ଚରଣ ବନ୍ଦି ମୁନିବର

କୁମାରୀମାନଙ୍କ ପାଦ ବନ୍ଦିଲେ ତଦନ୍ତେ

 

ଆସନ ପାଇ ତହିଁରେ ବସି ବ୍ରହ୍ମା ସୁତେ

ବୋଇଲେ ଗୋ ଦେବୀ ମୁହିଁ ଦେବତାଙ୍କ ଭୂତ

 

ପଠାଇ ଦେଲେ ଆମ୍ଭଙ୍କୁ ଶଚୀଦେବୀ କାନ୍ତ

ମହିଷା ଅସୁର ରଣେ ଜିଣିଲା ଆମ୍ଭଙ୍କୁ

 

ସ୍ୱର୍ଗପୁରୁ ଆସୁଅଛି ନେବାକୁ ତୁମ୍ଭଙ୍କୁ

ଯେମନ୍ତେ ମରିବ ଦୈତ୍ୟ କରିବ ବିଚାର

 

ଏହାକହି ଅନ୍ତର୍ଦ୍ଧାନ ହେଲେ ମୁନିବର

ମୁନିର ମୁଖୁ ଏମନ୍ତ ଶୁଣି ବଇଷ୍ଣବୀ

 

କିଛିକ୍ଷଣ ଆପଣାର ମନ ମଧ୍ୟେ ଭାବି

ବୋଇଲେ କିଲୋ କାହିଁକି କରୁଛ ବିଳମ୍ବ

 

ସଜ ହୁଅ ଲୋ ସମସ୍ତେ ମାରିବା ଦାନବ

ଏମନ୍ତ ଶୁଣି ତୁରିତେ ଉଠି ଦେବୀଗଣ

 

ଖଡ଼୍‌ଗ ଚର୍ମ ଶକ୍ତି ପାଶ ଚକ୍ର ଧନୁର୍ବାଣ

ଧରି ଉଭାହେଲେ କ୍ରୋଧେ ବଳି ଦେବା ପାଇଁ

 

ବିକଟରୂପ ବିକଟ ବଦନ ଦେଖାଇ

ଜିଭ ଲହ ଲହ କରି ହେଲେ ଉଗ୍ରଚଣ୍ତୀ

 

କେଶ ମୁକୁଳା କରି କେ ମାରୁଅଛି ହେଣ୍ତି

କହ କହ ନାଦରେ କେ କମ୍ପାଉଛି ମହୀ

 

ଗହ ଗହ ଗହଳରେ ନ ପାରେ କେ ରହି

ଖେମଟା ନୃତ୍ୟେ ମାତି କେ ଧରିଛି ଖପର

 

ଏମନ୍ତ ବେଳେ ସ୍ୱର୍ଗରୁ ଅଇଲେ ଅସୁର

ଗର୍ଜନ୍ତି ତର୍ଜନ୍ତି ଚିରା ମାରନ୍ତି ଦଇତେ

 

ଦେବତାଙ୍କୁ ଜିଣିବାରୁ ନିର୍ଭୟେ ସମସ୍ତେ

ଆନନ୍ଦରେ ନୃତ୍ୟ କରି ଆସୁଛନ୍ତି ମାଡ଼ି

 

ପବନ ଘାତେ ଯେସନେ ଉଠଇ ଲହଡ଼ି

ତା ପଛକୁ ତା ପଛକୁ ଲାଗିଅଛି ଥାଟ

 

ତିଳଚୋପା ପରମାଣେ ନ ମିଳଇ ବାଟ

ଘଞ୍ଚାଘଞ୍ଚ ହୋଇବାରୁ ବେଳେ ବେଳେ ଲାଗି

 

ଗର୍ଜ୍ଜନଘାତେ ପର୍ବତ ଦେଉଛନ୍ତି ଭାଙ୍ଗି

ଅସ୍ତ୍ର ଶସ୍ତ୍ର ବୁଲାଇ କେ ଧାଇଯାନ୍ତି ଆଗେ

 

ବାହାସ୍ଫୋଟ ମାରିବାଟେ ନାଚଇ କେ ରଙ୍ଗେ

ମନ୍ଦର ଗିରି କନ୍ଦରେ ହୋଇଲେ ପ୍ରବେଶ

 

ପର୍ବତ ପ୍ରାୟ ଦିଶନ୍ତି ପ୍ରତାପୀ ରାକ୍ଷସ

ଦେଖି ଦେବୀଗଣ ପୁରୁ ହୋଇଲେ ବାହାର

 

କ୍ରୋଧଭରେ କଲେ ତହିଁ ରାକ୍ଷସ ସଂହାର

କ୍ଷଣକ ମଧ୍ୟେ କାହାର କାଟିଦେଲେ ମୁଣ୍ତ

 

କାହାରୁଦେହକୁ କାଟି କଲେ ଖଣ୍ତ ଖଣ୍ତ

କାହାର କାଟିଲେ କର କାହାର ଚରଣ

 

କାହାର ହୃଦୟ ମଣି କଲେ ବିଦାରଣ

କାହାର ପେଟକୁ ଚିରି ପକାଇଲେ ନଖେ

 

କାହାର ଦେହୁ ରୁଧିର ପାନ କଲେ ମୁଖେ

ଦାନ୍ତ କଟମଟ କରି ଚୋବାନ୍ତି କା ହାଡ଼

 

ରକଟି ପଳାଇଦ୍ୟନ୍ତି କାହା ହାତ ଗୋଡ଼

କେଶ ମୁକୁଳାକରି କେ ନାଚିଯାଏ ରଣେ

 

କେହି ଅସୁରକୁ ଦଳି ଦିଅଇ ଚରଣେ

ହାତ ଧରାଧରି ହୋଇ କରନ୍ତି କେ ନୃତ୍ୟ

 

କାନ୍ଧ ଧରାଧରି ହୋଇ ଗାଆନ୍ତି କେ ଗୀତ

ଏମନ୍ତେ ସଂଗ୍ରାମେ କେଳି କଲେ ମାତୃଗଣ

 

ଭୟେ ଦୈତ୍ୟମାନ ଛାଡ଼ି ପଳାଇଲେ ରଣ

କୋଟି କୋଟି କବନ୍ଧ ଯେ ନୃତ୍ୟକଲେ ତହିଁ

 

ହାହାକାର ଧ୍ୱନିରେ ଯେ ପୂରିଗଲା ମହୀ

ଥାଟର ଦୁର୍ଦ୍ଦଶା ଦେଖି ମହିଷା ଅସୁର

 

ସେନାପତିକି ପୁଚ୍ଛଇ ଏ କି ଚମତ୍କାର

ଯଜ୍ଞହନୁ ନାମେ ଥିଲା ଏକ ସେନାପତି

 

ବୋଲଇ ମୁଁ କି କହିବ ହେ ଦାନବପତି

ମଲେ ତୋର ଥାଟଯାକ କୁମାରୀଙ୍କ ବାଣେ

 

ତେଣୁ ଭାଙ୍ଗି ପଳାନ୍ତି କେ ନ ରହନ୍ତି ରଣେ

ଶୁଣି ମହା କୋପେ ଧାଏଁ ମହିଷ ଅସୁର

 

ଭୟଙ୍କର ଗଦା ଏକ ହସ୍ତରେ ତାହାର

ଅସୁର ଆସିବା ଦେଖି ବିଷ୍ଣୁର ଶକତି

 

ତତକ୍ଷଣେ ଧଇଲେ ସେ ଅପୂର୍ବ ମୂରତି

ବିଂଶହସ୍ତେ ବିଂଶ ଶର ପାଉଅଛି ଶୋଭା

 

ଦଶ ଦିଗକୁ ଉଜ୍ଜ୍ୱଳ କରେ ଦେହପ୍ରଭା

ମହାସିଂହ ପୃଷ୍ଠେ ବିଜେ ସଂହାର ମୂରତି

 

ଏକ ହସ୍ତେ ଧନୁ ଏକ ହସ୍ତରେ ଶକତି

ଖଡ଼୍‌ଗଶୂଳ ଗଦା ଶର ଚକ୍ର ଭିନ୍ଦିପାଳ

 

ମୁଦ୍‌ଗର ପରଶୁ ଘଣ୍ଟ ଡମ୍ବରୁ ମୂଷଳ

ଶଙ୍ଖ ପଦ୍ମ ଦଣ୍ତ ପାଶ ଭୂଷଣ୍ତୀ ଆବର

 

ଧ୍ୱଜା କପାଳରେ ଶୋଭା ପାଉଅଛି କର

ଦେବାଧିଦେବ ରୁଦ୍ରଙ୍କୁ କଲେ ସୁମରଣ

 

ହର ବିଜେ କଲେ ବୃଷ ପୃଷ୍ଠେ ଆରୋହଣ

ତାହାଙ୍କ ଚରଣବନ୍ଦୀ ବୋଇଲେ ଭୋ ହର

 

ଆଜି କରିବି ସମସ୍ତ ଦାନବ ସଂହାର

ତୁମ୍ଭେ ପାଶେ ରହି ଦେଖୁଥିବ ତାହା ବସି

 

ଏମନ୍ତ କହି ପରମଈଶ୍ୱରୀ ଯେ ହସି

ଘଡ଼ିକେ ଦାନବ ବଳ ପକାଇଲେ ମାରି

 

ଏକା ମହିଷ ଅଛଇ ସଂଗ୍ରାମେ ଆବୋରି

ଦେବୀଙ୍କ ସଙ୍ଗେ ସଂଗ୍ରାମ କଲା ଯେ ଅସୁର

 

ଦୁଇ ଜଣଙ୍କ ସମର ହେଲା ଘୋରତର

ଦେବ ବରଷେ ସହସ୍ର ବରଷ ଯେ ଗଲା

 

କେହି ତାହାକୁ ସଂଗ୍ରାମେ ଜିଣି ନ ପାରିଲା

ରୁଦ୍ର ବୋଇଲେ ଦେବୀଙ୍କ ମୁଖକୁ ଅନାଇ

 

ଯୁଦ୍ଧ ଦେଖୁଥିବା ଆମ୍ଭେ କେତେକାଳ ରହି

ଏହା ଶୁଣି ଦେବୀଙ୍କର ଜାତ ହେଲା କୋପ

 

ବେଳୁ ବେଳ ଦେହେ ବଳ ବଢ଼ିଲା ଅମାପ

ଶରଶୃଙ୍ଗ ପର୍ବତରେ ବସିଲେକ ମାଡ଼ି

 

ଅକାଳ ନିର୍ଘାତ ପ୍ରାୟ ଛାଡ଼ଇ ସେ ରଡ଼ି

ଦାନବ ଉପରେ ଦେବୀ ଛିଡ଼ା ହୋଇ କୋପେ

 

ଛାତିରେ ମାଇଲେ ଶୂଳ ଧରି ବିଶ୍ୱରୂପେ

ଏକହସ୍ତେ ଦାନବର କେଶକୁ ଧଇଲେ

 

ଖଡ଼ଗରେ ମୁଣ୍ତକାଟି ତଳେ ପକାଇଲେ

ତାହାର ଶରୀରୁ ଏକ ପୁରୁଷ ବାହାରି

 

ଦେବୀଙ୍କ ଚରଣ ବନ୍ଦୀ ଗଲା ସ୍ୱର୍ଗପୁରୀ

ବ୍ରହ୍ମାଦି ଦେବତାମାନେ ହରଷ ନିର୍ଭରେ

 

ସ୍ତୁତି କଲେକ ନିବେଶି କର ଦେଇ ଶିରେ

ନମସ୍ତେ ନମସ୍ତେ ମାଗୋ ଅଭୟା ଗମ୍ଭୀରା

 

ନମସ୍ତେ ନମସ୍ତେ ମାଗୋ ହିଙ୍ଗୁଳା ଅଧୀରା

ନମସ୍ତେ ନମସ୍ତେ ମାଗୋ ପରମ ଈଶ୍ୱରୀ

 

ନମସ୍ତେ ନମସ୍ତେ ମାଗୋ ଧ୍ରୁବା ବିଭାବରୀ

ନମସ୍ତେ ନମସ୍ତେ ମାଗୋ ମହିଷ ମର୍ଦ୍ଦିନୀ

 

ନମସ୍ତେ ନମସ୍ତେ ମାଗୋ ଦନୁଜଦଳିନୀ

ନମସ୍ତେ ନମସ୍ତେ ମାଗୋ ପରମ ବୈଷ୍ଣବୀ

 

ନମସ୍ତେ ନମସ୍ତେ ମାଗୋ ଶିବା ବ୍ରାହ୍ମୀଦେବୀ

ନମସ୍ତେ ନମସ୍ତେ ମାଗୋ ଅମୃତ ନୟନା

 

ନମସ୍ତେ ନମସ୍ତେ ମାଗୋ ବିଶାଳ ଲୋଚନା

ନମସ୍ତେ ନମସ୍ତେ ମାଗୋ ତ୍ରିଶୂଳଧାରିଣୀ

 

ନମସ୍ତେ ନମସ୍ତେ ମାଗୋ ଜଗତତାରିଣୀ

ନମସ୍ତେ ନମସ୍ତେ ମାଗୋ ଅନାଦି ଅପର୍ଣ୍ଣା

 

ନମସ୍ତେ ନମସ୍ତେ ମାଗୋ ଶ୍ୱେତ ପୀତବର୍ଣ୍ଣା

ନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ

 

ନମସ୍ତେ ନମସ୍ତେ ମାଗୋ ଦୈତ୍ୟ ନିସୁଦନୀ

ନମସ୍ତେ ନମସ୍ତେ ମାଗୋ ବିଂଶ ହସ୍ତା ଜୟା

 

ନମସ୍ତେ ନମସ୍ତେ ମାଗୋ ଦେବୀ ମାହାମାୟା

ଅଭୟ ଚରଣେ ଆମ୍ଭେ ପଶିଲୁ ଶରଣ

 

ସଦା ତୋର ପାଦତଳେ ଦାସ ଦେବଗଣ

ଏମନ୍ତେ ଦେବଙ୍କ ସ୍ତୁତି ଶୁଣି ଦେବୀ ତୋଷେ

 

ବୋଇଲେ ପ୍ରସନ୍ନହେଲୁ ନିର୍ଭୟ ମାନସେ

ବର ମାଗ ଦେବଗଣ ଦେବୁ ନିଶ୍ଚେଁ ତାହା

 

ଶୁଣି ଆନନ୍ଦେ ବୋଇଲେ ସୁରପୁର ନାହା

ଏହି ବର ଦିଅ ମାତ ଭକତିରେ ଯହୁଁ

 

ତୋହର ସ୍ତୁତି ପଢ଼ିବ ଅଳ୍ପକ୍ଷଣେ ସେହୁ

ମନର କାମନା ଫଳ ପାଇବ ଅବଶ୍ୟ

 

ଏତିକି ମାଗୁଛୁ ଆମ୍ଭେ ସକଳ ତ୍ରିଦଶ

ବିପଦ ବେଳେ ଆମ୍ଭଙ୍କୁ ରଖିଥିବୁ ମାତ

 

ସେ ଦେବୀ ପାଦେ ଶରଣ ସଦା ଗୋପୀନାଥ

ମୁଁ ଅତି ପତିତ ମାଗୋ ନାହିଁ ମୋର ଜ୍ଞାନ

 

ଖଡ଼୍‌ଗେ ପାତକ ରାଶିକୁ କରିବୁ ଛେଦନ

 

ଗୌତମ ରହସ୍ୟ

 

ବୋଲନ୍ତି ଯେ ସୁତ ପୁଣି ଶୁଣ ମୁନିଜନେ

 

ପ୍ରହ୍ଲାଦ କହି ଅନ୍ଧକ ଦୈତ୍ୟ ସନ୍ନିଧାନେ

ଯେଉଁ ଦେବୀର ମହିମା ଦେବେ ଅଗୋଚର

 

ତାହାଙ୍କୁ ହରିବା ପାଇଁ ମାନସ ତୋହର

ଏଥିରେ ବହୁତ ପାପ ହେଲାଣିରେ ମୂଢ଼

 

ଦାନବ ଶିରଚ୍ଛେଦନ ସେହି ଯମଦାଢ଼

ଦେବଙ୍କ ପାଇଁ ମୋହିନୀ ମୂରତି ତାହାର

 

ଦାନବ ପାଇଁ ଭୀଷଣ ରୂପ ଭୟଙ୍କର

ଛାଡ଼ ଛାଡ଼ ବାବୁ ତୋର ଏହି ପାପମତି

 

ଶରଣ ପଶିଲେ ଆମ୍ଭେ ପାଇବା ସମ୍ପତ୍ତି

ଅଗମ୍ୟ ଗମନ କଲେ ପାପେ ଯିବୁ ବୁଡ଼ି

 

ପାପେ ବୁଡ଼ିଲେ ଅଧର୍ମ ବସିବଟି ମାଡ଼ି

ଅଧର୍ମ ମାଡ଼ି ବସିଲେ ଧର୍ମ ଯିବ ହଟି

 

ଧର୍ମ ତୁଟିଗଲେ ଦେହୁ ଶିରୀ ଯିବ ତୁଟି

ଶିରୀ ତୁଟିଗଲେ ବାବୁ ଲକ୍ଷ୍ମୀଛଡ଼ା ହେବୁ

 

ଲକ୍ଷ୍ମୀଛଡ଼ା ହେଲେ କାହୁଁ ସମ୍ପଦ ପାଇବୁ

ସମ୍ପଦ ଗଲେ ତୋହର ହଟିଯିବ ବଳ

 

ବଳ ହଟିଗଲେ ଆସି ଗ୍ରାସିବଟି କାଳ

କାଳ ଗ୍ରାସିଲେ ତୋ କଥା ନମାନିବେ କେହି

 

କଥା ନ ମାନିଲେ ତୋର ପ୍ରଭୁପଣ କାହିଁ

ପ୍ରଭୁପଣ ଗଲେ କ୍ରମେ ତୁଟିବ ଆୟୁଷ

 

ଆୟୁ ତୁଟିଲେଟି ଯମପତି ଦେବ ପାଶ

ପାଶରେ ପଡ଼ିବା ମାତ୍ରେ ଦୁତେ ନେବେ ବାନ୍ଧି

 

ନରକେ ପକାଇ ଦେବେ ହାତ ଗୋଡ଼ ଛନ୍ଦି

କରିବୁ ଯାତନା ଭୋଗ ନରକରେ ପଡ଼ି

 

ଏବେ ମୋର ବୋଲକର ପାପ ବୁଦ୍ଧି ଛାଡ଼ି

ସେ ଦେବୀ ଚରଣ ତଳେ ଶରଣ ତୁ ପଶ

 

ଶରଣ ପଶିଲେ ହେବୁ ତ୍ରିଭୁବନ ଈଶ

ତ୍ରିଭୁବନ ଈଶ ହୋଇ ଭୁଞ୍ଜି ସୁଖ ଶିରୀ

 

ବହୁତ କାଳ ବଞ୍ଚିବୁ ପାଇ ଯଶ ଶିରୀ

ଶେଷେ ପୁଣି ସ୍ୱର୍ଗ ସୁଖ ଭୁଞ୍ଜିବୁ ନିଶ୍ଚୟ

 

ଏମନ୍ତେ ପ୍ରହ୍ଲାଦ ବାଣୀ ଶୁଣି ଦୈତ୍ୟରାୟ

କିଛି ନ କହି ମଉନେ ରହିଲାକ ତହିଁ

 

ପ୍ରହ୍ଲାଦ ଗଲା ସେଠାରୁ ଅନ୍ଧକକୁ କହି

ଏଥୁଅନ୍ତେ କଥା ଏକ ଶୁଣ ଦେଇ ମନ

 

ପୂର୍ବକାଳରେ ଅପୂର୍ବ ରହସ୍ୟ ବଚନ

ସହସ୍ର ସହସ୍ର ଗୃହୀ ମୁନି ଏକ ଦିନେ

 

ମହାଦେବ ପୂଜା ଅର୍ଥେ ଦେବତାରୁ ବନେ

ତପ କରୁଥିଲେ ତହିଁ ହେଲା ଅନାବୃଷ୍ଟି

 

ଜଳ ବିହୁନେ ଆକୁଳ ହେଲା ନବ ସୃଷ୍ଟି

ଫଳ ନ ଫଳିଲା ଫୁଲ ନ ଫୁଟିଲା ଡାଳେ

 

ମୁନିମାନେ ପଳାଇଲେ ବନରୁ ବ୍ୟାକୁଳେ

କ୍ଷୁଧାରେ କାତର ହୋଇ ସେହି ମୁନିଜନ

 

ଯହିଁ ଅଛନ୍ତି ଗୌତମ ମୁନି ତପୋଧନ

ତାହାଙ୍କ ଆଶ୍ରମେ ଯାଇଁ ହୋଇଲେ ଅତିଥି

 

ଅନ୍ନ ଦେଇ ମୁନି ତାଙ୍କୁ କଲେକ ତୃପତି

ବାର ବରଷ ରହିଲେ ସୁଖେ ସେ ଆଶ୍ରମେ

 

ଉତ୍ତମ ବୃଷ୍ଟି ହେବାରୁ ପୁଣି ଗ୍ରାମେ ଗ୍ରାମେ

ଶସ୍ୟ ଉପୁଜିଲା ଫଳ ଫଳିଲା ପାଚିଲା

 

ବୃକ୍ଷେ ଫୁଲେ ପୁଟିଲା ଯେ ପତ୍ର ପଲ୍ଲବିଲା

ସୁସ୍ଥ ହୋଇଲା ଜଗତ ମୁନିଏ ବିଚାରି

 

ଗଉତମଙ୍କୁ ବୋଇଲେ ଆହେ ତପଚାରୀ

ଯିବୁ ଆମ୍ଭେମାନେ ଏବେ ଦିଅ ଅନୁମତି

 

ଶୁଣି ତାହାଙ୍କୁ ବୋଇଲେ ଗଉତମ ଯତି

ଆଉ କିଛିଦିନ ମୋର ଘରେ କର ବାସ

 

ସୁସ୍ଥ ସମୟେ ଦେବଇଁ ମୁଁ ଉତ୍ତମ ଗ୍ରାସ

ତଦନ୍ତେ ଏଠାରୁ ଯିବା ଆପଣା ଇଚ୍ଛାରେ

 

ଶୁଣି ସେହି ମୁନିମାନେ ରହି ତାଙ୍କ ଘରେ

ମାୟା କାଳିଗାଈ ଏକ କଲେକ ନିର୍ମାଣ

 

ଗଉତମ ମୁନି ସେହି ଗାଈକି ଦେଖିଣ

ପାଳିଲେ ଯତନ କରି ଆନନ୍ଦିତ ହୋଇ

 

ଗୋଗୋଷ୍ଠେ ବାନ୍ଧିବା ପାଇଁ ନିଅନ୍ତେ ଅଡ଼ାଇ

ଛୁଇଁବା ମାତେ ଗାଈର ପ୍ରାଣ ଗଲା ଛାଡ଼ି

 

ଶୋକେ ସନ୍ତାପିତ ହୋଇ ମୁନିଗଲେ ପଡ଼ି

ମୁନିମାନେ ବୋଇଲେ ହୋ ଶୁଣ ଦ୍ୱିଜବର

 

ଗୋହତ୍ୟା କଲୁ ଅଛୁଆଁ ହେଲା ତୋ ଶରୀର

ତୋହର ଅନ୍ନ ବା ଆମ୍ଭେ ଖାଇବୁ କିପରି

 

ଗୌତମୀଙ୍କୁ ପାପୀ କରି ଗଲେ ତପଚାରୀ

ଦେବତାରୁ ବନେ ଯାଇଁ କଲେ ବସି ତପ

 

ଗଉତମ ମୁନିବର ଅଟନ୍ତି ନିଷ୍ପାପ

ଯୋଗବଳେ ତାହାଙ୍କର ମାୟା ଜାଣିପାରି

 

କ୍ରୋଧଭରେ ତାଙ୍କୁ ଶାପଦେଲେ ତପଚାରୀ

ଆରେ ଦୂରାଚାରୀ ଶଠ କପଟୀ ବ୍ରାହ୍ମଣେ

 

ମହାପାପୀ ହୋଇ ତୁମ୍ଭେ ବୁଲ ବଣେ ବଣେ

ବେଦର ଅବିଧିମାନ କରୁଥିବ ତୁମ୍ଭେ

 

ମୋର ଶାପ ବାର ବାର ଜନମିବ ଭବେ

ମୁନିଶାପେ ଅପବିତ୍ର ଦ୍ୱିଜବର ହୋଇ

 

ହରି ହର ସ୍ତୋତ୍ରପାଠ କଲେ ତହୁଁ ଯାଇଁ

ତାହାଙ୍କ ଆରତ ଦେଖି ହରିହର ବେନି

 

ଏକାଠି ବସି ବିଚାର କଲେ ଏହି ମୁନି

ଗଉତମ ଶାପେ ହେଲେ ଅପବିତ୍ର ଦେହୀ

 

କେମନ୍ତେ ଉଦ୍ଧାର ହେବ କହ ଭାବଗ୍ରାହୀ

ହରଙ୍କ ମୁଖୁ ଏମନ୍ତ ଶୁଣି ଚକ୍ରଧର

 

ବୋଇଲେ ଯେ ଏହାଙ୍କର ନାହିଁ ପ୍ରତିକାର

ବେଦ ହିଁ ସିନା ଧର୍ମର ଅଟଇ ଯେ ମୂଳ

 

ମୂଳ ଛିଡ଼ିଗଲେ କାହୁଁ ରହିବଟି ଡାଳ

ଧର୍ମ ଛଡ଼ା ଲୋକେ ଯାଇ ନରକେ ପଡ଼ନ୍ତି

 

ନରକ ଭୋଗ କେବଳ ଏହାଙ୍କର ଗତି

କଲାକର୍ମ ଫଳକୁ ଏ ଭୁଞ୍ଜିବେ ନା ଶୁଣି

 

ଭକତି କଲେଣି ଯେଣୁ ଆହେ ଶୂଳପାଣି

ଆମ୍ଭର କର୍ତ୍ତବ୍ୟ କର୍ମ କରିବାନା ଆମ୍ଭେ

 

ଏହାଙ୍କ ପାଇଁ ଶାସ୍ତ୍ରେକି ଭିଆଇବା ତେବେ

ଯହିଁରେ ଏ ପାପୀମାନେ ପାଇବେଟି ରକ୍ଷା

 

ସେ ଶାସ୍ତ୍ରରେ ଥିବ ସିନା ସେହିସବୁ ଶିକ୍ଷା

ମାଧବ ଶିବ ଏମନ୍ତ ମନରେ ବିଚାରି

 

କପାଳ ନକୁଳ ବାମ ଭଇରବ ଚାରି

ପଞ୍ଚରାତ୍ର ପାଶୁପତ ପଶ୍ଚିମ ଆବର

 

ଏମନ୍ତ ମୋହନ ଗ୍ରନ୍ଥ କଲେ ବହୁତର

ଗ୍ରନ୍ଥକରି ସାରି ତାଙ୍କୁ ବୋଇଲେକ ପୁଣି

 

କଳପେ କଳପେ ତୁମ୍ଭେ ହୋଇ ମହାପ୍ରାଣୀ

କେତେଥର ନରକରେ ପଡ଼ିଲଣି ଯାଇଁ

 

ପୁଣି ମାନବ ଜନମ ପାଇଛ ଗୋସାଇଁ

ଏ ଜନମେ ଆମ୍ଭ ସେବା କରିବାର ଫଳେ

 

ଏ ଗ୍ରନ୍ଥମାନଙ୍କୁ ପଢ଼ି ସାରି ଏହାବଳେ

କ୍ଷୀଣ ପାପ ହୋଇ କାଳେ ଆମ୍ଭଙ୍କୁ ପାଇବ

 

ଏମନ୍ତ କହି ବିପ୍ରଙ୍କୁ ଆପେ ସଦାଶିବ

ଅଙ୍ଗେ ଭସ୍ମ ବୋଳିହୋଇ କରେ ଧରି ଥାଳ

 

ଜଟଉପରେ ଗଳାରେ ବହି ମୁଣ୍ତମାଳ

ବିପ୍ରଙ୍କ ହିତେ ତାହାଙ୍କ ସଙ୍ଗେ ହେଲେ ଯୋଗୀ

 

ଏହିରୂପେ ଗାଉଛନ୍ତି ବିପ୍ରେ ମାଗି ମାଗି

ବହୁତ ଶିଷ୍ୟ ସାଧକ ହେଲେ ବିପ୍ରଙ୍କର

 

ଏହି ଗ୍ରନ୍ଥ ପଢ଼ି ଗ୍ରନ୍ଥ କଲେ ସେ ଅପାର

ଯେତେବେଳେ ସଦାଶିବ ହୋଇଲେ ଭିକାରୀ

 

ଭଇରବକୁ ଆପଣା ପୁରେ କଲେ ଦ୍ୱାରୀ

ବୋଇଲେ ଅଇଲେ ଦୁଷ୍ଟ ସଂହାରିବୁ ବାବୁ

 

କଦାପି ପୁରକୁ ମୋର ଛାଡ଼ି ତୁ ନ ଦେବୁ

ଶିବ ଯୋଗୀହେବା ଦେଖି ଦେବୀ ଯେ ପାର୍ବତୀ

 

ପୁତ୍ରକୁ ରଖାଇ ଦେଲେ ସେ ବିଷ୍ଣୁର କତି

ଇନ୍ଦ୍ର ଆଦି ଦେବତାଙ୍କୁ ରଖାଇଲେ ତହିଁ

 

ପ୍ରମଥଗଣଙ୍କୁ ପୁଣି ଦେଲେକ ଜଗାଇ

ମନ୍ଦର କନ୍ଦରେ ଏକା ରହିବେ ପାର୍ବତୀ

 

ଇନ୍ଦ୍ର ଆଦି ଦେବଙ୍କର ଯେତେକ ଶକତି

ସମସ୍ତେ ଆସି ରହିଲେ ଦେବୀଙ୍କର ପୁରେ

 

ସେବା କରନ୍ତି ଦେବୀଙ୍କି କୁମାରୀ ରୂପରେ

ପବିତ୍ର ଅପୂର୍ବ ଗ୍ରନ୍ଥ ଏ କୂର୍ମ ପୁରାଣ

 

ଯେ ଶୁଣଇ ଯେ ପଢ଼ଇ ତାକୁ ଜନ୍ତୁଗଣ

ଦଣ୍ତି ନ ପାରଇ କେଭେ କରଇ ଆଦର

 

ପୁରାଣ ମଧ୍ୟେ ଅଟଇ ଏ ପୁରାଣ ସାର

ଯେଣୁ କୂର୍ମରୂପୀ ବିଷ୍ଣୁ କହିଛନ୍ତି ମୁଖେ

 

ଶ୍ରୋତା ବଳତା ନ ପଡ଼େ ଭବଭୟ ଦୁଃଖେ

ଯେ ଯାହା ବାଞ୍ଚଇ ତାହା ଶୁଣିଲେ ପାଇବ

 

ପୁରାଣ ଶୁଣି ବିପ୍ରଙ୍କୁ ଦକ୍ଷିଣା ଯେ ଦେବ

ଦକ୍ଷିଣା ନ ଦେଲେ ଫଳ ନ ପାଇ ସେ ଜାଣ

 

ଶ୍ରୀ ବିଷ୍ଣୁଙ୍କ ମୁଖରୁ ଏ ହୋଇଛି ବଖାଣ

ଅମୃତ ରସମୟ ଏ ଅଟେ ହିତକାରି

 

ନିତ୍ୟ ଶୁଣିଣ ଗୁଣିଣ ଭବୁ ହୁଅ ପାରି

ହରି ହର ବୋଲ ମୁଖେ ଦୁଃଖ ଯାଉ ଦୂର

 

ଦୀନ ଗୋପୀନାଥ ଭଜେ ଅଚ୍ୟୁତ ପୟର

 

: ଇତି ଶ୍ରୀ କୂର୍ମପରାଣ ପ୍ରଥମ ଖଣ୍ତ ସମାପ୍ତ :